ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେଲଫିପ୍ରେମୀ ସାବଧାନ। ସାମାନ୍ୟ ଖୁସି ପାଇଁ ମଣିଷ ସେଲଫି ଜରିଆରେ ନିଜକୁ ମରଣଯନ୍ତା ଆଡ଼କୁ ଟାଣିନେଉଛି। ଯୁବପିଢ଼ିଙ୍କ ମଧ୍ୟରେ ସେଲଫି କ୍ରେଜ୍ ଯୋଗୁଁ ବଢ଼ିବାରେ ଲାଗିଛି ‘ସେଲଫାଇଟିସ୍’ ରୋଗ। ଏହି ରୋଗ ମଣିଷର ମସ୍ତିଷ୍କ ବିକୃତି ସମସ୍ୟା ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରଛି।

ସେଲଫି କ୍ରେଜ୍ ବର୍ତ୍ତମାନ ଯୁବ ପିଢ଼ିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ପଛେ, କମିବାର ନାଁ ନାହିଁ । କ୍ଷଣିକ ଖୁସି ପାଇଁ ଯେଉଁ ପ୍ରାଣଘାତକ ରୋଗକୁ ସେମାନେ ଆମନ୍ତ୍ରଣ କରୁଛନ୍ତି, ସେ ବିଷୟରେ ହୁଏତ ଅଜ୍ଞ ଥିବେ। ଲଣ୍ଡନର ନଟିଂହ୍ୟାମ୍ ଟ୍ରେଣ୍ଟ୍ ୟୁନିଭର୍ସିଟି ଏବଂ ତାମିଲନାଡୁର ଏକ ମ୍ୟାନେଜମେଣ୍ଟ୍ ସ୍କୁଲ୍ ପକ୍ଷରୁ ସେଲଫିକୁ ନେଇ ଏକ ଗବେଷଣା ହୋଇଥିଲା।

ଗବେଷଣା ଅନୁସାରେ, କୌଣସି ବ୍ୟକ୍ତି ଯଦି ଗୋଟିଏ ଦିନରେ ତିନିରୁ ଅଧିକଥର ସେଲଫି ନିଅନ୍ତି, ସେମାନଙ୍କୁ ‘ସେଲଫାଇଟିସ୍’ ରୋଗ ହେବାର ଆଶଙ୍କା ରହିଛି। ଏହି ରୋଗ ଯୋଗୁ ବ୍ୟକ୍ତି ପାଗଳପ୍ରାୟ ହୋଇ ବାରମ୍ବାର ସେଲଫି ନେବା ସହ ଫଟୋ ପୋଷ୍ଟ କରିଥାଏ। ଏହା ମସ୍ତିଷ୍କ ବିକୃତି ମଧ୍ୟ ଘଟାଇଥାଏ।

ମୁଖ୍ୟ ଗବେଷକ ମାର୍କ ଗ୍ରିଫିଥିଙ୍କ ମତରେ, ରୋଗ ସମ୍ପର୍କରେ ଜାଣିବାକୁ ବିଶ୍ୱର ପ୍ରଥମ ‘ସେଲଫାଇଟିସ୍’ ବିହେବିୟର୍ ସ୍କେଲ୍ ପ୍ରସ୍ତୁତ ହୋଇଥିଲା। ସ୍କେଲ୍ ଅନୁସାରେ, ଅଧିକ ସେଲଫି ନେଉଥିବା ଲୋକଙ୍କଠାରେ ରୋଗ ପ୍ରବଳମାତ୍ରାରେ ବୃଦ୍ଧି ପାଇଥାଏ। ‘ସେଲଫାଇଟିସ୍’ ତିନି ସ୍ତର ବିଶିଷ୍ଟ। ପ୍ରଥମରେ, ରୋଗୀକୁ ଦିନକୁ ୩ରୁ ଅଧିକ ସେଲଫି ନେବାର ନିଶା ଥାଏ ସତ, କିନ୍ତୁ ତାକୁ ସୋସିଆଲ ମିଡିଆରେ ଅପଲୋଡ କରିନଥାଏ। ଦ୍ୱିତୀୟରେ, ସେ ବାରମ୍ବାର ସେଲଫିକୁ ସୋଶାଲ୍ ମିଡିଆରେ ପୋଷ୍ଟ୍ କରିଥାଏ । ତୃତୀୟରେ, ରୋଗର ପ୍ରଭାବ ଯୋଗୁ ସୋଶାଲ୍ ମିଡିଆରେ ସେଲଫି ପୋଷ୍ଟ୍ କରିବାକୁ ପାଗଳପ୍ରାୟ ହୋଇଯାଏ।

ଏଭଳି ବିକୃତି ଯୋଗୁ ୨୦୧୪ ସେପ୍ଟେମ୍ବରରୁ ୨୦୧୬ ଡିସେମ୍ବର ମଧ୍ୟରେ ବିଶ୍ୱରେ ପ୍ରାୟ ୧୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ ୭୬ଜଣ ହେଉଛନ୍ତି ଭାରତର।

Comment