ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଢ଼ୁଛି ବୈଜୟନ୍ତ-ବିଜେଡି ବିବାଦ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଶିବିରକୁ ବିଜେଡି ନେତା ଟାର୍ଗେଟ୍ କରିବା ପରେ ଆଜି ବୈଜୟନ୍ତଙ୍କ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ଭୁବନେଶ୍ୱରସ୍ଥିତ ସାଂସଦଙ୍କ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିବା କହିଛନ୍ତି।

ସାଂସଦଙ୍କ ଘରେ ସାମ୍ବାଦିକ ସମ୍ମିଳନୀ କରିଥିବା ବ୍ୟକ୍ତି ଜଣକ ହେଲେ ମହମ୍ମଦ ସଲିମ୍ ଖାନ୍। ସେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲ୍ ସଭାପତି ଥିଲେ। ଏବେ ସାଂସଦଙ୍କ ସହଯୋଗୀ ରହିଛନ୍ତି।

ସଲିମ୍‌ ଖାନ୍ କହିଛନ୍ତି, “କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦୁଇଦିନ ତଳେ ଦେବାଶିଷ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଅନେକ ଅଭିଯୋଗ ଆଣିଥିଲେ। ଏହି ବ୍ୟକ୍ତି ଜଣକ ପୂର୍ବରୁ ସାଂସଦଙ୍କର ବ୍ୟକ୍ତିଗତ ସହଯୋଗୀ ରହିଥିଲେ। ବିଜେଡିର ଜଣେ ପୂର୍ବତନ ମନ୍ତ୍ରୀଙ୍କ ଇଙ୍ଗିତରେ ଦେବାଶିଷ ଏଭଳି କରିଛନ୍ତି। ଏହି ଷଡ଼ଯନ୍ତ୍ରରେ ଦେବାଶିଷ ମୋତେ ଟାଣିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ଦେବାଶିଷଙ୍କ ଜରିଆରେ ମୋତେ ପ୍ରଲୋଭନ ଦେଖାଇଥିଲେ ପୂର୍ବତନ ମନ୍ତ୍ରୀ।”

ଦେବାଶିଷ ଏବଂ ସଲିମ୍‌ଙ୍କ ଭିତରେ ଫୋନ୍‌ରେ ବାର୍ତ୍ତାଳାପ ହୋଇଥିଲା ଏପ୍ରିଲ ୧୬ ତାରିଖରେ। ଏହି ବାର୍ତ୍ତାଳାପର ଅଡିଓଟେପ୍‌ ବିଭିନ୍ନ ଗଣମାଧ୍ୟମକୁ ଦେଇଛନ୍ତି ସଲିମ୍।

ଅଡିଓଟେପ୍‌ ଜାରି କରି ସୁରକ୍ଷା ମାଗିଛନ୍ତି ସଲିମ୍‌। ତାଙ୍କୁ ବିଭିନ୍ନ ଧମକ ଦିଆଯାଉଥିବା ସଲିମ୍ ଅଭିଯୋଗ କରିଛନ୍ତି। ଏହାସହ ଦଳକୁ ଷଡ଼ଯନ୍ତ୍ରକାରୀଙ୍କଠାରୁ ବଞ୍ଚାଇବାକୁ ସଲିମ୍ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।

ଗତ କିଛିଦିନ ହେଲା ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଜଣେ ପ୍ରଶାସକ ସାଂସଦଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି।

୧୬ ତାରିଖରେ ବୈଜୟନ୍ତଙ୍କ ରାଜନୀତିକ ସଂଯୋଜକ ଦେବାଶିଷ ମଲ୍ଲିକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ତାଙ୍କ ପଦରୁ ଇସ୍ତଫା ଦେଇ ଗଣମାଧ୍ୟମ ସମ୍ମୁଖରେ ବୈଜୟନ୍ତଙ୍କ ବିରୋଧରେ ବର୍ଷିଥିଲେ। ବିଜେଡିରେ ଥିବା ବେଳେ ସାଂସଦ ଦଳ ବିରୋଧୀ କାମ କରୁଥିବା ସେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଠିକ୍ ନାହିଁ ବୋଲି ଅପପ୍ରଚାର ସାଂସଦ କରିଥିବା ସେ କହିଥିଲେ।

LEAVE A REPLY

Please enter your comment!
Please enter your name here