ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀରାମଚନ୍ଦ୍ର ଦାଶଙ୍କୁ ଅବା କିଏ ନ ଜାଣେ? ଓଡ଼ିଶାରେ ଏଭଳି ବହୁତ କମ ବ୍ୟକ୍ତି ଜନ୍ମ ନେଇଛନ୍ତି ଯେଉଁମାନେ ନିଜର ବାକପଟୁତା ପାଇଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ନିଜର ପ୍ରତ୍ୟୁତ୍ପନ୍ନମତିତା ପାଇଁ ମଧ୍ୟ ସେ ବେଶ୍ ଜଣାଶୁଣା ଥିଲେ।
୨୦୧୮ ହେଉଛି ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷ। ଜଣେ ପ୍ରଜ୍ଞା ପୁରୁଷ ଓ ସୁବକ୍ତା ଶ୍ରୀରାମଚନ୍ଦ୍ର ଦାଶଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର ଅଳକା ନଦୀ କୂଳରେ। ସେ ଜନ୍ମ ହୋଇଥିଲେ ବୀରନରସିଂହପୁର ଗ୍ରାମରେ ନଭେମ୍ବର ୧୪ ତାରିଖରେ।
ଗାଁ ଚାଟଶାଳି ପରେ ସେ ବାଲିକୁଦା ମଧ୍ୟ ଇରାଜି ବିଦ୍ୟାଳୟରେ ନାମ ଲେଖାଇଥିଲେ। ନିଜର ପ୍ରତ୍ୟୁତ୍ପନ୍ନମତିତା ପାଇଁ ସାରା ଓଡିଶାରେ ବିଖ୍ୟାତ ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ କେବଳ ଜଣେ ଜ୍ଞାନପୁରୁଷ ନୁହଁନ୍ତି, ସୁବକ୍ତା ମଧ୍ୟ।
ରେଭେନ୍ସା କଲେଜିଏଟ୍ ସ୍କୁଲରୁ ପାସ୍ କରିବା ପରେ ସେ ପ୍ରବେଶିକା ପରୀକ୍ଷା ଦେଇ ବିହାର- ଓଡ଼ିଶା ତଥା ପାଟଣା ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ହେଲେ ଅର୍ଥାଭାବରୁ କଲିକତା ଯାଇନପାରି ରେଭେନ୍ସା କଲେଜରେ ପଢ଼ିଲେ। ପରେ ପାଟଣା କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ କରି ରେଭେନ୍ସା କଲେଜରେ ଅସ୍ଥାୟୀ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ।
ପରେ ଜୟପୁର, ବାଲେଶ୍ୱର, ରେଭେନ୍ସା ଆଦି ବିଭିନ୍ନ ସରକାରୀ କଲେଜରେ ଅର୍ଥନୀତି ଅଧ୍ୟାପକ ଭାବେ ଯୋଗଦେଇ ଜଣେ ଛାତ୍ର ବତ୍ସଳ ଗୁଣି ଅଧ୍ୟାପକ ଭାବେ ନାମ କମାଇଥିଲେ।
ଉଚ୍ଚତର ଶିକ୍ଷା ପାଇଁ ସେ ବର୍ଷାଧିକ କାଳ ଯାଇ ବିଦେଶରେ ରହିଥିଲେ। ବର୍ଲିନ୍ ବିଶ୍ୱବିଦ୍ୟାଳୟ, ୟୁରୋପ, ଲଣ୍ଡନ ଆଦି ଭ୍ରମଣ ସାରି ସେ ଭାରତ ଫେରିଥିଲେ ଓ ପୁନର୍ବାର ସେ ରେଭେନ୍ସା କଲେଜରେ ଯୋଗ ଦେଇଥିଲେ। ୧୯୬୩ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ହୋଇଥିଲେ। ଅବସର ଗ୍ରହଣ ପରେ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ।
ଶ୍ରୀରାମଚନ୍ଦ୍ର କେବଳ ଖାତାନାମା ଅର୍ଥନୀତିଜ୍ଞ ଓ ରାଜନୀତି ବିଜ୍ଞାନୀ ନଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ଭାବେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା। ବହୁ ଯୁକ୍ତିନିଷ୍ଠ, ଚିନ୍ତାମୂଳକ ତଥ୍ୟପୂର୍ଣ୍ଣ ପ୍ରବନ୍ଧ ରଚନା କରି ସେ ନିଜର ପାଣ୍ଡିତ୍ୟ ଓ ନିର୍ଭିକତାର ପରିଚୟ ଦେଇଛନ୍ତି।
ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଅର୍ଥନୀତି ଓ ରାଜନୀତି ବିଜ୍ଞାନକୁ ନେଇ ତାଙ୍କର ଅନେକଗୁଡ଼ିଏ ଉଚ୍ଚମାନର ପୁସ୍ତକ ପ୍ରକାଶିତ। ୟୁରୋପ ଭ୍ରମଣର ଅନୁଭୂତିକୁ ନେଇ ତାଙ୍କ ରଚିତ “ୟୁରୋପରେ ମୋର ଅନୁଭୂତି’’ ପୁସ୍ତକଟି ବେଶ୍ ଆଦୃତ ହେବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି। ‘ମୋ ଅକୁହା କାହାଣୀ’ ଶୀର୍ଷକରେ ସେ ଲେଖିଛନ୍ତି ତାଙ୍କ ଆତ୍ମ କାହାଣୀ। ଯେଉଁଥିରେ ତାଙ୍କ ସାମଗ୍ରିକ ଜୀବନାନୁଭୂତି, ସଂଘର୍ଷ, ଚାକିରି ଜୀବନ, ପାରିବାରିକ ଓ ବ୍ୟାପ୍ତରିକ ସଫଳତା ବିଫଳତାର ନିର୍ଭେଜାଲ କାହାଣୀ ଉପସ୍ଥାପିତ।
ବାଗ୍ମି ଶ୍ରୀରାମଚନ୍ଦ୍ର ଦାସ ୧୯୯୪ ମସିହାରେ ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରି ଏ ଦୁନିଆରୁ ବିଦାୟ ନେଇଛନ୍ତି।


















