ଓଡ଼ିଶାଲାଇଭ୍ ବ୍ୟୁରୋ

୧୨ ବର୍ଷ ବୟସରୁ କମ୍‌ ବୟସ୍କ ବାଳିକାଙ୍କ ସହ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଲେ ଏହି ଜଘନ୍ୟ ଅପରାଧ ପାଇଁ ଦୋଷୀକୁ ମୃତ୍ୟୁଦଣ୍ଡ ମିଳିବ। ତେଣୁ ଶିଶୁକନ୍ୟା ଯୌନ ନିର୍ଯାତନା ବିରୋଧରେ ଆଗରୁ ଥିବା ପୋକ୍ସୋ (ପ୍ରୋଟେକସନ୍ ଅଫ୍ ଚିଲଡ୍ରେନ୍‌ ଫ୍ରମ୍‌ ସେକ୍ସୁଆଲ୍ ଅଫେନସ୍‌) ଆଇନରେ ଅଣାଯିବ ଆବଶ୍ୟକ ସଂଶୋଧନ। ଏନେଇ ଶନିବାରଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି। ଏହାକୁ ଓଡ଼ିଶାର ବୁଦ୍ଧିଜୀବୀ, ସମାଜସେବୀ ଏବଂ ଆଡ୍‌ଭୋକେଟ ସ୍ୱାଗତ କରିବା ସହ ଆଇନ୍‌କୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରିଛନ୍ତି।

ବିଭୁପ୍ରସାଦ ତ୍ରିପାଠୀ

ଅଧ୍ୟାଦେଶ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ଆଜି ପକ୍ସୋ ଆଇନର ଏକ ବଡ଼ ଧରଣର ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛି। ଶିଶୁମାନଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ। ଶିଶୁକନ୍ୟାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏକ ନିନ୍ଦନୀୟ ଘଟଣା। ଦେଶରେ ଯୌନ ଅପରାଧୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଫାଶୀଦଣ୍ଡାଦେଶ ସମ୍ପୂର୍ଣ୍ଣ ଭାବେ ଏକ ବ୍ୟାଧିର ମହୋଶଧି ବୋଲି କୁହାଯାଇପାରିବ ନାହିଁ। ଦୁଷ୍କର୍ମକାରୀଙ୍କ ବିରୋଧରେ ରୁଜୁ ହେଉଥିବା ମାମଲାର ତୁରନ୍ତ ବିଚାର କରି ରାୟ ଦେବା ଆବଶ୍ୟକ। ଏହାସହ ଏଙଲଇ ଘଟଣାକୁ କିପରି ରୋକାଯିବ ସେ ସମ୍ପର୍କରେ ପରିବାରବର୍ଗ ଏବଂ ସ୍କୁଲଗୁଡ଼ିକରେ ସଚେତନତା କରାଯିବା ସହ ବିଧିବଦ୍ଧ ରୋଡ୍ ମ୍ୟାପ୍‌ର ଆବଶ୍ୟକତା ଅଛି”, କହିଛନ୍ତି ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ବିଭୁପ୍ରସାଦ ତ୍ରିପାଠୀ।

ନମ୍ରତା ଚଢ଼ା

“କେନ୍ଦ୍ର କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତିରେ ମୁଁ ବ୍ୟକ୍ତିଗତ ଭାବରେ ବହୁତ ଖୁସି। ଅନେକ ଦିନ ହେଲା ଆମେ ଏହି କଥାକୁ ବିଭିନ୍ନ ସମୟରେ ଲୋକମାନଙ୍କୁ ଅବଗତ କରାଇ ଆସୁଥିଲୁ। ଆଜି ଏକ ଐତିହାସିକ ଦିନ ଆସି ପହଞ୍ଚିଛି। ଡେରିରେ ହେଲେ ବି ଏଭଳି ଏକ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଭାରତର ଅଗଣିତ ନାବାଳିକାମାନଙ୍କୁ ସୁରକ୍ଷା ଦେବାରେ ସହାୟ ହେବ। ଯଥାଶୀଘ୍ର ଏହା କାର୍ଯ୍ୟକାରୀ ହେବା ଦରକାର ଏବଂ ଏହାର ସମସ୍ତ ଶୁଣାଣି ଫାଷ୍ଟଟ୍ରାକ୍ କୋର୍ଟରେ ହେଲେ ଭଲ ହୁଅନ୍ତା”, କହିଛନ୍ତି ଜୁଭେନାଲ୍‌ ଜଷ୍ଟିସ୍‌ ବୋର୍ଡ ସଦସ୍ୟା ନମ୍ରତା ଚଢ଼ା।

ଲିଙ୍କନ ସୁବୁଦ୍ଧି

ଯେଉଁମାନେ ଦୁନିଆକୁ ଭଲଭାବେ ବୁଝିନାହାନ୍ତି କି ଜାଣିନାହାନ୍ତି ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଉଛି। ଯାହାକି ବହୁତ ଲଜ୍ୟାର ବିଷୟ। ବିଭିନ୍ନ ସମୟରେ ନିର୍ଦ୍ଦୋଷରେ ଖୁବ୍ କମ ଲୋକ ଦଣ୍ଡ ପାଇଥାନ୍ତି। କିନ୍ତୁ ଯେଉଁମାନେ ଦୋଷୀ ସେମାନଙ୍କୁ ଫାଶୀ ଦଣ୍ଡ ଦେବା ନିହାତି ଆବଶ୍ୟକ ଥିଲା। ମୁଁ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଉଛି। ମାମଲାର ତଦନ୍ତ ଶୀଘ୍ର କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିଲେ ସମାଜରେ ଆଗକୁ ଏପରି ଅମାନବୀୟ କାଣ୍ଡ ଘଟିବ ନାହିଁ”, କହିଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି।

ଭୂମିକା ଦାଶ

“ଦୁଷ୍କର୍ମ ରୋକିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ। କିଛି ବର୍ଷ ହେବ ଆମ ରାଜ୍ୟରେ ଓ ଦେଶରେ ଏଭଳି କୁକର୍ମମାନ ଯେଉଁମାନେ କରୁଥିଲେ ସେମାନଙ୍କୁ କୌଣସି ଆଖିଦୃଶିଆ ଦଣ୍ଡ ମିଳୁନଥିଲା। ଆଉ ଯେଉଁ ଲୋକମାନେ ଏହିଭଳି ଖରାପ କାମ କରୁଥିଲେ ପ୍ରକୃତରେ ସେମାନଙ୍କର ମାନସିକ ସ୍ଥିତି ଖୁବ୍ କଦର୍ଯ୍ୟ। ଏଭଳି ନିଷ୍ପତ୍ତି ଖୁବ୍ ଆଗରୁ ନେଇଥିଲେ ଭଲ ହୋଇଥାନ୍ତା। ଆଗକୁ ଯେଉଁମାନେ ଏପରି ଭୁଲ୍ କରିବାକୁ ଚାହୁଁଥିବେ ସେମାନେ ଅନ୍ତତଃପକ୍ଷେ ସଜାଗ ହୋଇଯିବେ”, କହିଛନ୍ତି ଅଭିନେତ୍ରୀ ଭୂମିକା ଦାଶ।

ଗାୟତ୍ରୀ ଚାନ୍ଦ

“ଖବରକାଗଜର ପୃଷ୍ଠା ଓଲଟାଇଲେ ନାବାଳିକାମାନଙ୍କ ଉପରେ ଗଣଦୁଷ୍କର୍ମ ହେଉଥିବା ଖବର ଆଖିରେ ପଡ଼ୁଛି। ଉତ୍ତରପ୍ରଦେଶ ଉନ୍ନଓ ଏବଂ ଜମ୍ମୁ-କାଶ୍ମୀର କଠୁଆରେ ହୋଇଥିବା ଗଣଦୁଷ୍କର୍ମ ଏହାର ଜ୍ୱଳନ୍ତ ଉଦାହରଣ। ପୂର୍ବରୁ ଦିଲ୍ଲୀର ନିର୍ଭୟା ଘଟଣା ମଧ୍ୟ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଯେଉଁ ଲୋକମାନେ ଏଭଳି ବର୍ବର କାଣ୍ଡରେ ସଂପୃକ୍ତ ସେମାନେ କେବେ ହେଲେ ମାନସିକ ସ୍ତରରେ ସୁସ୍ଥ ନୁହନ୍ତି। ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦେଇଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ମୁଁ ଭାବୁନାହିଁ। ତେଣ ଲୋକମାନେ କିପରି ଭାବରେ ମାନସିକ ସ୍ତରରେ ସୁସ୍ଥ ହେବେ ସେ ବିଷୟରେ ସରକାର ସଚେତନତା ମୂଳକ କାର୍ଯ୍ୟକ୍ରମ କଲେ ଅନ୍ତତ କିଛି ସୁଫଳ ମିଳିପାରନ୍ତା”, କହିଛନ୍ତି ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଗାୟତ୍ରୀ ଚାନ୍ଦ।

ସୁଚରିତା ସାହୁ

“ଦୁଷ୍କର୍ମକାରୀଙ୍କ ପାଇଁ କ୍ୟାବିନେଟ୍‌ରେ ଯେଉଁ ନିଷ୍ପତ୍ତି ହୋଇଛି ତାହା ସ୍ୱାଗତଯୋଗ୍ୟ। ଏହା ଶୀଘ୍ର ଆଇନରେ ପରିଣତ ହେଲେ ଆମେ ଖୁସି ହେବୁ। କେବଳ ୧୨ ବର୍ଷରୁ କମ୍‌ ବାଳିକାମାନଙ୍କ କ୍ଷେତ୍ରରେ ଏହି ନିୟମଟି ସୀମିତ ନରହି ସବୁ ବର୍ଗର ମହିଳାମାନଙ୍କ ପାଇଁ ହେବା ଦରକାର। ଦିନକୁ ଦିନ ଆମ ଭାରତରେ ଏବଂ ରାଜ୍ୟରେ ଯେଉଁପରି ଭାବରେ ଏଭଳି କୁକର୍ମ ବଢ଼ିଚାଲିଛି ତାହା ଉପରେ ତୁରନ୍ତ ରୋକ୍ ଲାଗିବାର ଆବଶ୍ୟକତା ରହିଛି। ମହିଳାମାନଙ୍କ ସୁରକ୍ଷା ପାଇଁ ଆହୁରି ଯୋଜନା ହେବା ଦରକାର”, କହିଛନ୍ତି ଆଇସିଏମଏ ଛାତ୍ରୀ ସୁଚରିତା ସାହୁ।

ସ୍ମୃତିରେଖା ରଥ

“କେନ୍ଦ୍ର ସରକାରଙ୍କର ‘ବେଟି ବଚାଓ ବେଟି ବଢ଼ାଓ’ ଯୋଜନା ସେତେବେଳେ ସାକାର ହେବ ଯେତେବେଳେ ସରକାର ଝିଅମାନଙ୍କ ଉପରେ ହେଉଥିବା ଦୁଷ୍କର୍ମକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିପାରିବେ। ଦୁନିଆକୁ ଭଲକରି ଚିହ୍ନି ନଥିବା କୁନି ଝିଅପ୍ରତି ଯଦି ମାନସିକ ବିକୃତ ବ୍ୟକ୍ତିମାନେ ଏପରି ଖରାପ କାମ କରିବେ ନିଶ୍ଚିତ ଭାବରେ ତାଙ୍କୁ ଫାଶୀ ଦେବାର ଆବଶ୍ୟକତା ରହିଛି। କେବଳ ୧୨ ବର୍ଷ ନୁହଁ ୫୨ ବର୍ଷର ମହିଳାମାନଙ୍କ ପ୍ରତି ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବା ଦରକାର” କହିଛନ୍ତି ଗୃହିଣୀ ସ୍ମୃତିରେଖା ରଥ।

 

ରିପୋର୍ଟ: ସତ୍ୟବ୍ରତ ପାଢ଼ୀ

Comment