ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ ‘ମୋ ଘର’ ଯୋଜନାକୁ ମଞ୍ଜୁରୀ ମିଳିଛି। ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ଯେଉଁ ହିତାଧିକାରୀମାନେ କୌଣସି ସରକାରୀ ଯୋଜନାରେ ଘର ପାଇନଥିବେ, ସେମାନେ ଏହି ଯୋଜନାରେ ଗୃହ ଋଣ ପାଇପାରିବେ। ଏହି ଯୋଜନାରେ ମୋଟ ୨ ହାଜର ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର ଆକଳନ କରିଛନ୍ତି।

‘ମୋ ଘର’ ଯୋଜନାରେ ହିତାଧିକାରୀମାନଙ୍କୁ ନୂଆ ଘର ନିର୍ମାଣ କିମ୍ବା ପୁରୁଣା ଘରକୁ ମରାମତି କରିବା ପାଇଁ ରିହାତିରେ ବ୍ୟାଙ୍କ ଋଣ ଦିଆଯିବ। ଏହି ଯୋଜନାରେ ସର୍ବାଧିକ ୩ ଲକ୍ଷ ଟଙ୍କା ଯାଏଁ ବ୍ୟାଙ୍କ ଋଣ ମିଳିପାରିବ। ଏହି ଋଣକୁ ହିତାଧିକାରୀମାନେ ୧୦ ବର୍ଷ ମଧ୍ୟରେ ସୁଝି ପାରିବେ।

ଏହି ଋଣ ମଞ୍ଜୁର ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ଦେୟ ଅଦାୟ କରାଯିବ ନାହିଁ। ଋଣ ପାଇଁ ହେଉଥିବା ପଞ୍ଜିକରଣ ଶୁଳ୍କ ଓ ଷ୍ଟାମ୍ପ ଡ୍ୟୁଟିକୁ ମଧ୍ୟ ଛାଡ଼ କରାଯାଇଛି। ରାଜ୍ୟ ସରକାର ଏହି ଋଣ ବାବଦକୁ ସବସିଡି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

ଏହି ଯୋଜନା ଅନ୍ତର୍ଗତ ୧ ଲକ୍ଷ ଟଙ୍କା ଋଣ ନେଲେ ସବସିଡି ବାବଦକୁ ସାଧାରଣ ବର୍ଗର ହିତାଧିକାରୀଙ୍କୁ ୩୦ ହଜାର ଟଙ୍କା ଏବଂ ଅନୁସୂଚିତ ଜାତି, ଜନଜାତି ତଥା ଭିନ୍ନକ୍ଷମ ହିତାଧିକାରୀଙ୍କ ପରିବାରକୁ ୪୦ ହଜାର ଟଙ୍କା ମିଳିବ। ସେହିଭଳି ୧.୫ ଲକ୍ଷ ଟଙ୍କା ଋଣ ବାବଦକୁ ସାଧାରଣ ବର୍ଗ ପାଇଁ ୪୫ ହଜାର ଟଙ୍କା ଓ ଅନୁସୂଚିତ ଜାତି, ଜନଜାତି ବର୍ଗ ପାଇଁ ୫୫ ହଜାର ଟଙ୍କା ସବସିଡି ମିଳିବ। ଅନ୍ୟପଟେ ୨ ଲକ୍ଷ ଟଙ୍କାରୁ ଅଧିକ ଋଣ ନେଲେ ସାଧାରଣ ବର୍ଗ ପାଇଁ ୬୦ ହଜାର ଟଙ୍କା ଓ ଅନୁସୂଚିତ ଜାତି, ଜନଜାତି ବର୍ଗ ପାଇଁ ୭୦ ହଜାର ଟଙ୍କା ସବସିଡି ଘୋଷଣା କରାଯାଇଛି।

ଏହି ଯୋଜନାରେ ଆବେଦନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଏକ ୱେବସାଇଟ କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ଵାରା ଋଣ ଆବେଦନର ତଦାରଖ ଓ ପରିଚାଳନା କରାଯିବ। ଏଥିରେ ଜୁନ୍ ମାସ ୧୬ ତାରିଖରୁ ଋଣ ଆବେଦନ ଗ୍ରହଣ କରାଯିବ। ଲୋକମାନେ ନିଜେ କିମ୍ବା ‘ମୋ ସେବା କେନ୍ଦ୍ର’ ମାଧ୍ୟମରେ ଆବେଦନ କରିପାରିବେ।

କେଉଁମାନେ କରିପାରିବେ ଆବେଦନ

  • ଏହି ଯୋଜନାର ହିତାଧିକାରୀ ଅନ୍ୟ କୌଣସି ସରକାରୀ ଯୋଜନାରେ ଘର ପାଇଁ ଆର୍ଥିକ ସହାୟତା ପାଇନଥିବା ଆବଶ୍ୟକ
  • ସେମାନଙ୍କ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ ହୋଇଥିବ
  • ପରିବାରଙ୍କ ସଦସ୍ୟଙ୍କ ପାଖରେ ବ୍ୟକ୍ତିଗତ ଚାରି ଚକିଆ ଯାନ ନଥିବ
  • ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିନଥିବା ଆବଶ୍ୟକ
  • ହିତାଧିକାରୀଙ୍କ ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ ଛାତ ଘରେ ବସବାସ କରୁଥିବେ
  • ସେମାନଙ୍କ ପାଖରେ ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ଆବଶ୍ୟକ

Tags: #MoGharaYojana #HousingScheme #HomeLoan #CabinetDecision #Odisha

Comment