ଡକ୍ଟର ହରପ୍ରସନ୍ନ ଦାସ

ନିଜ ସହିତ ନିଜେ ଆନନ୍ଦରେ ରହିବାକୁ ଶିଖିଲେ ଆମେ କାହା କଥାରେ ଭାଙ୍ଗି ପଡିବା ନାହିଁ।

ଦିନେ ସନ୍ଧ୍ୟାବେଳେ ମୁଁ ମାର୍କେଟ ଯାଇଥିଲି। କିଣାକିଣି ସାରି ଘରକୁ ଫେରିବା ପାଇଁ କାର୍ ପାଖକୁ ଆସିଲା ବେଳକୁ ଦୂରରୁ ଦେଖିଲି ମୋର ଜଣେ ପିଲାଦିନ ବନ୍ଧୁ ପ୍ରକାଶକୁ। ବହୁତ ଦିନ ପରେ ତାକୁ ଦେଖି ମୁଁ ଖୁସିରେ ଏତେ ବିଭୋର ହୋଇଗଲି ଯେ ବଡ଼ ପାଟିରେ ତା’ ନାଁ ଧରି ଡାକିଲି। ଏକ ସର୍ବସାଧାରଣ ଜାଗାରେ ଏତେ ଜୋର୍‌ରେ ତା’ ନା କିଏ ଡ଼ାକୁଛି ବୋଲି ସେ ଆଶ୍ଚର୍ଯ୍ୟ ହୋଇ ପଛକୁ ବୁଲିପଡ଼ି ଦେଖିଲା।

ପାଖକୁ ଆସି ବହୁତ ଖୁସିରେ ଦୁହେଁ ଦୁହିଁଙ୍କୁ କୁଣ୍ଢାଇ ପକାଇଲୁ। ମୁହଁରେ ହସ ଓ ମନରେ ଆନନ୍ଦ। ବୋଧହୁଏ ଆମେ ପ୍ରାୟ ଦଶବର୍ଷ ପରେ ଭେଟିଲୁ। ଏପରି ଏକ ଆକସ୍ମିକ ଦେଖାରେ ଆମେ ଦୁହେଁ ଏତେ ଖୁସି ହୋଇଯାଇଥିଲୁ ଯେ କଥାବାର୍ତ୍ତା କୋଉଠୁ ଆରମ୍ଭ କରିବୁ ଜାଣିପାରୁନଥିଲୁ। ମୁଁ ମୁହଁ ଖୋଲି କହିଲି- ‘ଚାଲ୍ ପାଖ ଦୋକାନରୁ ଚା ପିଇବା ଓ ଗପିବା।’’ ହାତରେ ପ୍ଲାଷ୍ଟିକ୍ କପ୍‌ରେ ଚା ଧରି ଆମେ କଥାହେବା ଆରମ୍ଭ କଲୁ।

ଦୁଇ ବର୍ଷ ହେଲା ପ୍ରକାଶ ସରକାରୀ ଚାକିରୀରୁ ଅବସର ନେଲା ପରେ, ଏବେ ଭୁବନେଶ୍ୱରରେ ନିଜ ଘରେ ରହୁଛି। ଝିଅ ଓ ଜ୍ୱାଇଁ ଦୁହେଁ ବାଙ୍ଗାଲୋରରେ ଚାକିରୀ କରନ୍ତି। ପୁଅ ବି ବାହା ହୋଇଛି। ପୁଅ-ବୋହୂ ଦୁଇଜଣ ଦିଲ୍ଲୀରେ ଚାକିରୀ କରୁଛନ୍ତି। ପ୍ରକାଶ ଓ ତା’ ସ୍ତ୍ରୀ ଦୁହେଁ ଭୁବନେଶ୍ୱରରେ। ପୁଅ ସେମାନଙ୍କୁ ବହୁତଥର ଡାକିଛି ଦିଲ୍ଲୀରେ ତାଙ୍କ ପାଖେ ରହିବା ପାଇଁ। ପୁଅ ଏବେ ଦିଲ୍ଲୀରେ ନିଜର ଏକ ଫ୍ଲାଟ୍ କିଣିଛି। ପ୍ରକାଶର ନାତି, ଏବେ ସ୍କୁଲ୍‌ରେ ନାଁ ଲେଖାଇଛି। ପୁଅ କହୁଥିଲା ନାତିର ବହୁତ ଇଚ୍ଛା, ଜେଜେ ଓ ଜେଜେମା ଆସି ତାଙ୍କ ପାଖରେ ଦିଲ୍ଲୀରେ ରୁହନ୍ତୁ। ନାତି ବି ଅନେକ ଥର ଜେଜେଙ୍କୁ ଦିଲ୍ଲୀ ଯିବା ପାଇଁ ଡାକିଛି।

ଭୁବନେଶ୍ୱରରେ ପ୍ରକାଶ ଦୁଇ ମହଲା ଘରଟିଏ କରିଛି। ସେ ନିଜେ ଉପର ମହଲାରେ ରହୁଛି ଓ ତଳ ମହଲା ଭଡ଼ା ଲାଗିଛି। ତଳ ଘରେ ଭଡ଼ା ରହୁଥିବା ପରିବାରଟି ଅତି ଭଦ୍ର ଏବଂ ସାହାଯ୍ୟକାରୀ। ସତେ ଯେପରି ସେମାନେ ପ୍ରକାଶର ଅତି ନିକଟତମ ବନ୍ଧୁ ବାନ୍ଧବ। ଭଡ଼ା ରହୁଥିବା ପରିବାର ସହିତ ପ୍ରକାଶ ପରିବାରର ଘନିଷ୍ଠତା ସମ୍ପର୍କରେ ପ୍ରକାଶ ସଂକ୍ଷେପରେ ଜଣାଇଦେଲା।

ପ୍ରକାଶ ବହୁତ ଚେଷ୍ଟା କରୁଥିଲା କହିବାକୁ ଯେ ସେ ଆଉ ତା’ ସ୍ତ୍ରୀ ବହୁତ ଆରାମ ଓ ଆନନ୍ଦରେ ଅଛନ୍ତି। କିନ୍ତୁ ମୁଁ ବିଶ୍ୱାସ କରିପାରୁନଥିଲି। ମତେ ଜଣାପଡୁଥିଲା ଯେପରିକି ତା ଭିତରେ ଅନେକ ଦୁଃଖ ଚାପି ହୋଇରହିଛି। ବାହାରେ କେବଳ ଅନ୍ୟମାନଙ୍କୁ ଦେଖାଇବା ପାଇଁ ସେ ଆନନ୍ଦରେ ଥିବାର ଅଭିନୟ କରୁଛି। ଯେତେ ଚାପି ଧରିଲେ ବି ତା ମନର ଦୁଃଖ ଓ ଚିନ୍ତାର ଛାପଟା ତା’ ମୁହଁରେ ଦେଖାଯାଉଥିଲା। ଯେକୌଣସି ଏକ ସଚେତନ ମଣିଷ ଠିକ୍ ବୁଝିପାରିବ ଯେ ପ୍ରକାଶ ତାଙ୍କ ଶୁଖିଲା ହସରେ ଜଣାଇବା ପାଇଁ ଚାହୁଁଥିଲେ ଯେ ସେ ଖୁସିରେ ଅଛନ୍ତି।

ପରିସ୍ଥିତିର ଜଟିଳତାକୁ ଅନୁଭବକରି ମୁଁ ଆମ କଥାର ବିଷୟକୁ ବଦଳାଇବାକୁ ଚେଷ୍ଟା କଲି। ମୁଁ ପ୍ରକାଶକୁ ଅଭିନନ୍ଦନ ଜଣାଇଲି ଯେ ତା’ର ପରିବାର ଏକ ସୁଖୀ ଓ ସୁସ୍ଥ ପରିବାର। ପୁଅ ଝିଅ ବାହାହୋଇ ନିଜ ନିଜର ପରିବାରକୁ ନେଇ ଆନନ୍ଦରେ ଅଛନ୍ତି। ପ୍ରକୃତରେ ସେ ଏକ ଭାଗ୍ୟବାନ୍ ଲୋକ ବୋଲି ମୁଁ ତା’କୁ ଅଭିନନ୍ଦନ ଜଣାଇଲି। କିନ୍ତୁ ପ୍ରକାଶ ମୋ କଥାରେ ସନ୍ତୁଷ୍ଟ ନଥିଲା। ବିଷାଦଭରା ମୁହଁରେ ସେ କିଛି କହିବାକୁ ଚାହୁଁଥିଲା। କିନ୍ତୁ ମୁଁ ତାକୁ କହିବାକୁ ସୁଯୋଗ ନଦେଇ କହିଲି- ‘ମୁଁ ତୋ ଜାଗାରେ ଥିଲେ ଭୁବନେଶ୍ୱର ଛାଡ଼ି ପୁଅ ବୋହୂଙ୍କ ପାଖରେ ଦିଲ୍ଲୀରେ ରହିଥାନ୍ତି।’’

ପ୍ରକାଶ ହଠାତ୍ ପ୍ରତିକ୍ରିୟା ପ୍ରକାଶ କରି ଜୋର୍‌ରେ କହିଲା- ‘ଅସମ୍ଭବ। ମୁଁ କେମିତି ନିଜ ଘର, ନିଜ ସହର, ନିଜ ଲୋକମାନଙ୍କୁ ଛାଡ଼ି ଦିଲ୍ଲୀ ପରି ଏକ ନୂଆ ସ୍ଥାନରେ ରହିବି? ମୁଁ ଭାବିଥିଲି ପୁଅ ମୋ ସ୍ୱାଭିମାନ ତଥା ମୋର ଭାବପ୍ରବଣତାକୁ ବୁଝିପାରିବ। ମୁଁ କେଉଁଥିରେ ଶାନ୍ତି ପାଇବି ସେ ଜାଣି ପାରିବ। କିନ୍ତୁ ସେ ତା’ ଦୃଷ୍ଟିରୁ ମୋ ଜୀବନଟାକୁ ଦେଖିଲା। ମୁଁ ଜୀବନଟାକୁ ମୋ ଦୃଷ୍ଟିରୁ ଦେଖିଛି। ଏଣୁ ମୋ ପୁଅ ମୋ ଜୀବନର ଗତିପଥଟାକୁ ସ୍ଥିର କରିପାରିବନି। ପରସ୍ପରକୁ ଠିକ୍ ରୂପେ ବୁଝିବାଟା ହିଁ ଏକ ସୁନ୍ଦର ସମ୍ପର୍କର ମୂଳଦୁଆ। ମୁଁ କେବେବି ମୋ ଇଚ୍ଛାଟାକୁ ପୁଅ ଝିଅ ଉପରେ ଲଦି ନାହିଁ। ଏଣୁ ଆଜି ସେ ତା’ର ଇଚ୍ଛାଟାକୁ ମୋ ଉପରେ କାହିଁକି ଲଦୁଛି। ଶାନ୍ତିରେ ଓ ଖୁସିରେ ରହିବାର ସ୍ୱାଧିନତାଟା ମୋ ନିଜର। ମୁଁ ପୁଅ ପାଖରୁ ଏକଥା ଆଶା କରିନଥିଲି।’’

ମୁଁ ବହୁତ ଜୋର୍‌ରେ ହସିଦେଇ ପ୍ରକାଶକୁ କୁଣ୍ଢାଇ ପକାଇ କହିଲି- “ତୁ ଯାହା କହୁଛୁ ତାହା ସମ୍ପୂର୍ଣ୍ଣ ଭାବେ ଠିକ୍। ମୁଁ ତୋ ମନ ଭିତରର ସ୍ୱାଭିମାନ ଓ ଭାବ ପ୍ରବଣତାକୁ ଠିକ୍ ବୁଝିପାରୁଛି। କିନ୍ତୁ ଯାହା ତୋ ଜୀବନରେ ଘଟୁଛି ତାହା ନିରାଟ ସତ୍ୟ। ପ୍ରତ୍ୟେକ ବ୍ୟକ୍ତି ଏଇ ବୟସରେ ଊଣା ଅଧିକେ ଏହିପରି ସବୁ ଘଟଣାର ସମ୍ମୁଖୀନ ହେଉଛନ୍ତି। ଯାହାକି ଆମ ମନରେ କଷ୍ଟ ଦେଉଛି ଓ ସ୍ୱାଭିମାନରେ ଆଞ୍ଚ ଆସୁଛି। କିନ୍ତୁ ଏହାହିଁ ସତ୍ୟ ଏବଂ ଆମକୁ ଆନନ୍ଦରେ ଏହାକୁ କୋଳାଗ୍ରତ କରିବାକୁ ପଡ଼ିବ। କଷ୍ଟ ହେଉପଛେ ଏହାକୁ ଆଦରରେ ଗ୍ରହଣ କରିପାରିଲେ ଆମେ ଆନନ୍ଦରେ ରହିପାରିବା। ତୋ ପୁଅ ତା ଭାବନାରେ ଠିକ୍ ଏବଂ ତୁ ତୋ ଭାବନାରେ ବି ଠିକ୍। ଏଣୁ କାହିଁକି କାହାଠାରୁ ଆମ ମନ ମୁତାବକ କିଛି ଆଶା କରି ମନଦୁଃଖ କରିବା। ସବୁ ପରିସ୍ଥିତିରେ ନିଜକୁ ବୁଝାଇଦେବା ହିଁ ଭଲ। ନିଜ ସହିତ ନିଜେ ଆନନ୍ଦରେ ରହିବାକୁ ଶିଖିଲେ ଆମେ କାହା କଥାରେ ଭାଙ୍ଗି ପଡିବା ନାହିଁ।’’

ବୋଧହୁଏ ପ୍ରକାଶ ମୋ କଥାରେ ଟିକେ ହାଲ୍‌କା ହେଲାପରି ଲାଗୁଥିଲା। ଘରକୁ ଫେରିବାକୁ ମୋର ବି ଡେରି ହୋଇଯାଉଥିଲା। ବିଦାୟ ଦେବା ପୂର୍ବରୁ ହସିଦେଇ କହିଲି- ‘କାହାଠାରୁ କିଛି ଆଶା ନକରିବା ହିଁ ସବୁଠାରୁ ବୁଦ୍ଧିମାନର କାମ।’’

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment