ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଛି। ପ୍ରଧାନ ବିଚାରପତିଙ୍କ ବିରୋଧରେ ବିରୋଧୀ ଆଣିଥିବା ୫ଟି ଅଭିଯୋଗର ଉତ୍ତର ରଖିଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଯାଇଛି। ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଏମ୍‌ ଭେଙ୍କେୟା ନାଇଡୁ ଏହି ପ୍ରସ୍ତାବକୁ ସୋମବାର ଖାରଜ କରିଛନ୍ତି। ଆଇନ୍ ବିଶାରଦଙ୍କ ସହ ଆଲୋଚନା ପରେ ଉପ-ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି।

ଏପ୍ରିଲ ୨୦ରେ ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ୭ଟି ବିରୋଧୀ ଦଳ ମହାଭିଯୋଗ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନୋଟିସ୍ ଦେଇଥିଲେ। ପ୍ରଧାନ ବିଚାରପତିଙ୍କ ବିରୋଧରେ କାହିଁକି ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଉଛି ତାର ୫ଟି ଅଭିଯୋଗ ଦର୍ଶାଇଥିଲେ ବିରୋଧୀ ଦଳ। ଏହି ଅଭିଯୋଗର ଉତ୍ତର ରଖିଛନ୍ତି ଉପ-ରାଷ୍ଟ୍ରପତି।

ଅଭିଯୋଗ ନମ୍ବର-୧: ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର। ହେଲେ ସେ ଭଲ ବ୍ୟବହାର ପ୍ରଦର୍ଶନ କରନ୍ତି ନାହିଁ?

ଉପରାଷ୍ଟ୍ରପତି: ବିରୋଧୀ ଦଳର ଏହି ଅଭିଯୋଗର ଜବାବ ଦେଇଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ପ୍ରଧାନ ବିଚାରପତି ପଦରେ ରହିବା ଦିନରୁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିନାହିଁ।

ଅଭିଯୋଗ ନମ୍ବର ୨: ପ୍ରସାଦ ଏଜୁକେସନ୍ ଟ୍ରଷ୍ଟରୁ ଫାଇଦା ଉଠାଉଥିଲେ ପ୍ରଧାନବିଚାରପତି

ଉପରାଷ୍ଟ୍ରପତି: ପ୍ରସାଦ ଏଜୁକେସନ୍ ଟ୍ରଷ୍ଟ ମାମଲାରେ ଜଷ୍ଟିସ ଦୀପକ ମିଶ୍ରଙ୍କ ନାଁ ଉଠିଥିଲା। ହେଲେ ଏହି ଘଟଣାରେ ବ୍ୟାପକ ତଦନ୍ତ ହୋଇଥିଲା। କିନ୍ତୁ ଏହି ମାମଲାରେ ତାଙ୍କର କୌଣସି ଭୂମିକା ନଥିବା ଜଣାପଡ଼ିଥିଲା।

ଅଭିଯୋଗ ନମ୍ବର ୩: ଗୁରୁତ୍ୱପୂର୍ଣ୍ଣ ମାମଲା ଆବଣ୍ଟନରେ ପ୍ରଧାନ ବିଚାରପତି ପାତର ଅନ୍ତର କରୁଛନ୍ତି

ଉପ-ରାଷ୍ଟ୍ରପତି: ସୁପ୍ରିମକୋର୍ଟର ନିୟମ ଅନୁସାରେ ବିଚାରପତିଙ୍କ ମଧ୍ୟରେ ମାମଲା ଆବଣ୍ଟନ କରାଯାଇଥାଏ। ସୁପ୍ରିମକୋର୍ଟର ନିୟମ ରହିଛି। ଏହି ନିୟମ ଅନୁସାରେ ନ୍ୟାୟପାଳିକା କାମ କରିଥାଏ। ସୁପ୍ରିମକୋର୍ଟରେ ଏଭଳି ଅଭିଯୋଗ ଆସିଲେ ତାହାକୁ ସୁପ୍ରିମକୋର୍ଟର ନିୟମ ଅନୁସାରେ ହିଁ ସମାଧାନ କରାଯାଇଥାଏ।

ଅଭିଯୋଗ ନମ୍ବର ୪: ଜଷ୍ଟିସ ଦୀପକ ମିଶ୍ର ୧୯୮୫ରେ ଆଡଭୋକେଟ୍ ଥିବା ସମୟରେ ମିଥ୍ୟା ସତ୍ୟପାଠ ଦେଇ ଏକ ଜମି କିଣିଥିଲେ

ଉପରାଷ୍ଟ୍ରପତି: ଜଷ୍ଟିସ ଦୀପକ ମିଶ୍ର ୨୦୧୨ରେ ସୁପ୍ରିମକୋର୍ଟକୁ ଆସିବା ପରେ କିଣିଥିବା ଜମିକୁ ସରେଣ୍ଡର କରିଦେଇଥିଲେ। ଏ କ୍ଷେତ୍ରରେ ସେ ନିୟମକୁ ପାଳନ କରିଛନ୍ତି। ଏହି ଅଭିଯୋଗ ସମ୍ବିଧାନର ଅନୁଛେଦ ୧୨୪(୪) ବାହାରେ ହୋଇଥିବାରୁ ଏହି ଘଟଣାର ସାନି ତଦନ୍ତ କରିବା ଆବଶ୍ୟକ ମନେ କରାଯାଉନି।

ଅଭିଯୋଗ ନମ୍ବର ୫: ରୋଷ୍ଟର ଡ୍ୟୁଟିରେ ମନମାନି କରୁଛନ୍ତି ପ୍ରଧାନ ବିଚାରପତି

ଉପରାଷ୍ଟ୍ରପତି: ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ। କାହିଁକି ନା କେବଳ ରୋଷ୍ଟର ତିଆରି କରିବାର ଅଧିକାର କେବଳ ପ୍ରଧାନ ବିଚାରପତିଙ୍କ ପାଖରେ ହିଁ ରହିଛି। ନିୟମ ଅନୁସାରେ ପ୍ରଧାନ ବିଚାରପତି ହେଉଛନ୍ତି ରୋଷ୍ଟରର ମାଷ୍ଟର।

Comment