ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ସାମାନ୍ୟ ଅଧ୍ୟକ୍ଷ ପଦ ପାଇଁ ଯେଉଁ ପୁଞ୍ଜିଲାଲ ଏଭଳି ଘୃଣ୍ୟ କାଣ୍ଡ ଘଟାଇଛି ତାକୁ ଫାଶି ଦେବା ପାଇଁ ମୃତ ସୌମ୍ୟଶେଖରଙ୍କ ବାପା ଦାବି କରିଛନ୍ତି।

ଆଖିରେ ଆଖିଏ ଲୁହ। ମନରେ ଅସୁମାରୀ କୋହ। କଥା କହିଲା ବେଳକୁ ପାଟି ଅଠା ହୋଇଯାଉଛି। ଅମାନିଆ ଲୁହ ଆଖିରୁ ଗଡ଼ି ଆସୁଛି। ଏମିତି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ମୃତ ସୌମ୍ୟଶେଖରଙ୍କ ମା’ ଓ ବାପାଙ୍କ ପାଖରେ। ପୁଅ ସୌମ୍ୟଶେଖରର ସୁନାର ସଂସାରକୁ ଅଧ୍ୟାପକ ପୁଞ୍ଜିଲାଲ ମେହେର ଯେ ଛାରଖାର କରିଦେଇଛି ସେକଥା ଭାବିଲା ବେଳକୁ ରବୀନ୍ଦ୍ର ଏବଂ ସଂଯୁକ୍ତା ସାହୁଙ୍କ ପାଦ ତଳୁ ମାଟି ଧସି ଯାଉଛି।

ପୁଞ୍ଜିଲାଲ ଗିରଫ ହେବାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିବା ବେଳେ କାନ୍ଦି ପକାଉଥିଲେ ଉଭୟ ରବୀନ୍ଦ୍ର ଏବଂ ସଂଯୁକ୍ତା। ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲକୁ ଫାଶି ମିଳିବା ଦରକାର ବୋଲି କହିଛନ୍ତି ରବୀନ୍ଦ୍ର।

ରବୀନ୍ଦ୍ର କହିଛନ୍ତି, “ପୁଞ୍ଜିଲାଲ ମୋ’ ପୁଅକୁ ଛଡ଼ାଇ ନେଇଛି। ଗୋଟିଏ ନିରୀହ ଝିଅର ଜୀବନକୁ ବରବାଦ କରିଛି। ଆମ ହସ ଖୁସିର ପରିବାରକୁ ଉଜାଡ଼ି ଦେଇଛି। ସାମାନ୍ୟ ଗୋଟିଏ ଅଧ୍ୟକ୍ଷ ପଦବୀ ପାଇଁ ପୁଞ୍ଜିଲାଲ ଯେଉଁ ଘୃଣ୍ୟ କାମ କରିଛି ତାକୁ ଫାଶି ଦଣ୍ଡ ମିଳିବା ଦରକାର। ଯେମିତିକି ଏଭଳି ଅମାନବୀୟ ଘଟଣା ଘଟାଇବାକୁ ଆଉ କେହି ସାହସ କରିବେ ନାହିଁ। ପୁଞ୍ଜିଲାଲ ଯଦି ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ ତାହାଲେ ସେ ଆସି ମୋତେ କହିପାରିଥାନ୍ତେ। ମୁଁ ମୋ ସ୍ତ୍ରୀଙ୍କୁ ବୁଝାଇଥାନ୍ତି। ହେଲେ ତାହା ନକରି ପୁଞ୍ଜିଲାଲ ଯେଉଁ ସଇତାନ କାମ କଲା ତାହା ନିହାତି ସଭ୍ୟ ସମାଜ ପାଇଁ ନିନ୍ଦନୀୟ ଘଟଣା।”

ପୁଅ ସୌମ୍ୟଶେଖରର ମୃତ୍ୟୁକୁ ନେଇ ରବୀନ୍ଦ୍ର ଯେତିକି ଅସ୍ଥିର ହୋଇଯାଇଛନ୍ତି ତାଠୁ ଅଧିକ ଧୈର୍ଯ୍ୟ ହରାଇଛନ୍ତି ମା’ ସଂଯୁକ୍ତା। ନିଜ ପୁଅର ମୃତ୍ୟୁ ପାଇଁ ତାଙ୍କର ଜଣେ ସହକର୍ମୀ ଯେ ଏଭଳି ଘୃଣ୍ୟ କାମ କରିପାରନ୍ତି ତାହାକୁ ସେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ଅଧ୍ୟକ୍ଷ ପଦ ପାଇଁ ପୁଞ୍ଜିଲାଲ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିବା ପରେ ସଂଯୁକ୍ତା କାନ୍ଦି କାନ୍ଦି ନୟାନ୍ତ ହୋଇଯାଉଛନ୍ତି।

“କଲେଜର ଅଧ୍ୟକ୍ଷ ପଦ ପାଇଁ ମୋର ଜଣେ ସହକର୍ମୀ ଏଭଳି କାଣ୍ଡ ଘଟାଇବେ ବୋଲି କେହି ଚିନ୍ତା କରି ନଥିଲେ। ଯିଏ ମୋ ପରିବାରକୁ ଉଚ୍ଛନ୍ନ କରିଦେଇଛି ଏବଂ ପୁଅକୁ ମୋ’ ପାଖରୁ ଛଡ଼ାଇ ନେଇଛି ତାକୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଦରକାର।”

ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବୋଲି ଜଣାପଡ଼ିବା ପରେ ସାରା ପାଟଣାଗଡ଼ ସହର ହୋଇଯାଇଛି ସ୍ତମ୍ଭୀଭୂତ। ଯିଏ ଶୁଣୁଛି ସିଏ ଛି ଛାକର କରୁଛି। ଜଣେ ଅଧ୍ୟାପକ ହୋଇ ପିଲାଙ୍କ ଭବିଷ୍ୟତ ଗଢ଼ିବା ବଦଳରେ ସେ ଆଉ ଜଣଙ୍କର ପରିବାର ଭାଙ୍ଗି ଦେଇଥିବାରୁ ପୁଞ୍ଜିଲାଲଙ୍କ ବିରୋଧରେ ଅସନ୍ତୋଷର ନିଆଁ ଜଳୁଛି। ଭଇଁଷା ଜ୍ୟୋତି ବିକାଶ କଲେଜରେ ବି ପୁଞ୍ଜିଲାଲଙ୍କ ଏହି ସଇତାନୀ ବୁଦ୍ଧିକୁ ସହକର୍ମୀମାନେ ନିନ୍ଦା କରୁଛନ୍ତି। ଛାତ୍ରଛାତ୍ରୀମାନେ ବି ପୁଞ୍ଜିଲାଲ୍ ସାରଙ୍କୁ କଟୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ପୁଞ୍ଜିଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଜ୍ୟୋତି ବିକାଶ କଲେଜର କର୍ମଚାରୀ।

ପୁଞ୍ଜିଲାଲଙ୍କୁ ଆଜିଠୁ ୬ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବଲାଙ୍ଗିରରୁ ସିଧା କଟକ ମୁଖ୍ୟାଳୟକୁ ପୁଞ୍ଜିଲାଲଙ୍କୁ ନେଇ ଆସିଛି କ୍ରାଇମବ୍ରାଞ୍ଚ। କଟକରେ ହିଁ ପୁଞ୍ଜିଲାଲଙ୍କଠାରୁ ଆହୁରି ଅଧିକ ତଥ୍ୟ ବାହାର କରିବ କ୍ରାଇମବ୍ରାଞ୍ଚ। ରିମାଣ୍ଡ ଶେଷ ହେବା ପରେ କୋର୍ଟରେ ପୁଞ୍ଜିଲାଲଙ୍କୁ ହାଜର କରିବ। ସବୁ ପ୍ରମାଣ ଏକାଠି କରି କୋର୍ଟକୁ ପ୍ରଦାନ କରିବ ତଦନ୍ତକାରୀ ସଂସ୍ଥା।

ବୁଧବାର ପୁଞ୍ଜିଲାଲଙ୍କ ଷଡ଼ଯନ୍ତ୍ରର ପାଞ୍ଜି ଖୋଲିଥିଲେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ପୁଞ୍ଜିଲାଲ ବାରୁଦ ଏବଂ ଲିଚୁ ଲାଇଟ ଫିଲାମେଣ୍ଟକୁ ଏକାଠି କରି କେମିତି ବୋମା ତିଆରି କରିଥିଲେ ତାହା ବର୍ଣ୍ଣନା କରିଥିଲେ। ନିଜେ ବୋମା ତିଆରି କରିବା ସହ ରାୟପୁର ଯାଇ ପୁଞ୍ଜିଲାଲ ନିଜେ ହିଁ ପାର୍ସଲ କରିଥିଲେ।

Comment