ଛନ୍ଦା ମିଶ୍ର

ପ୍ରକୃତରେ ପ୍ରହସନର ଆବଶ୍ୟକତା ମନୁଷ୍ୟ ପାଇଁ ରହିଛି। ଭଗବାନ ଖାଲି ଶୁଦ୍ଧ ଓ ସରଳ ମନର ନିର୍ମଳ ଭକ୍ତି ଦ୍ୱାରା ହୋଇଥାନ୍ତି ବଶୀଭୂତ।

ଗତ ମାସର କଥା। ପୁରୀରୁ ଫେରିଲାବେଳକୁ ରାସ୍ତାର ଅଧା କାଉଡ଼ିଆମାନଙ୍କ କବ୍‌ଜାର। କାଉଡ଼ିଆମାନେ ପାଟି କରି କରି ଆସୁଥାନ୍ତି – ପାର୍ବତୀ ପତି ପାର୍ କରେଗା, ଗଣେଶ ଫାଦର ପାର୍ ଗରେଗା। ଏହିପରି ଅନେକ ସ୍ଲୋଗାନ, ଯାହା ଏଠାରେ ଉଲ୍ଲେଖ କରିପାରିବି ନାହିଁ।

ରାସ୍ତାକଡ଼ରେ ଥିବା କେତେକ ହୋଟେଲରେ ହୋର୍ଡିଂ ଲାଗିଛି – ଏଠାରେ ବୋଲବମ୍ ଭକ୍ତମାନଙ୍କୁ ମାଗଣା ଖାଦ୍ୟ ଦିଆଯାଏ। ସେ ହୋଟେଲଗୁଡ଼ିକରେ ପ୍ରବଳ ଭିଡ। ଏହିପରି ଏକ ହୋଟେଲରେ ଲିଚୁ ଲାଇଟ ସଜାହୋଇ ଡେକରେ ଗୀତ ବାଜୁଛି ଓ ସେଥିରେ ଉଦଣ୍ଡ ନୃତ୍ୟ କରୁଛନ୍ତି କିଛି ବୋଲବମ ଭକ୍ତ। ଆଉ କିଛି ପାଖରେ ବସି ଚିଲମ ଟାଣୁଛନ୍ତି। ଆଖପାଖର ବାସିନ୍ଦାମାନେ କେତେ ଯେ ମର୍ମାହତ ହେଉଥିବେ, ଏହା କେବଳ ଭୁକ୍ତଭୋଗୀ ହିଁ ଜାଣେ।

ଏହାର ଦୁଇଦିନ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଖରେ ଥିବା ଜଣେ ବାନ୍ଧବୀଙ୍କ ଘରକୁ ଯାଇଥାଏ। ତାଙ୍କୁ ଏଇ କାଉଡ଼ିଆମାନଙ୍କ କଥା କହିବାରୁ ସେ କହିଲେ, ପ୍ରଶାସନ ତରଫରୁ ପୁରୁଷ ଓ ମହିଳାମାନଙ୍କର ଧାଡ଼ି ଅଲଗା ହୋଇଥିଲେ ମଧ୍ୟ ପୁରୁଷମାନେ ମହିଳା କାଉଡ଼ିଆମାନଙ୍କ ପ୍ରତି ଅଶ୍ଳୀଳ ବ୍ୟବହାର କରୁଛନ୍ତି।

ଦେଖି ଦୁଃଖ ଲାଗୁଛି ଯେ, ମନ୍ଦିରର ଭକ୍ତିମୟ ଓ ପବିତ୍ର ପରିବେଶ ମଧ୍ୟ ଏମାନଙ୍କ ପାଶବିକ ପ୍ରକୃତିକୁ ବଦଳାଇବାକୁ ଅକ୍ଷମ ହୋଇଛି। ଅପ୍ରିୟ ହେଲେ ମଧ୍ୟ ଏହା ସତ୍ୟ ଯେ, ଆଜି ଶିବଙ୍କ ଉପରେ ଜଳଲାଗି କରିବାକୁ ଆସୁଥିବା କାଉଡ଼ିଆମାନଙ୍କ ମଧ୍ୟରେ ଅତି ଅଳ୍ପ ବ୍ୟକ୍ତି ନିଜ ଭକ୍ତିଭାବ ଦ୍ୱାରା ଉଦ୍‌ବୁଦ୍ଧ ହୋଇଆସିଥିଲା ବେଳେ ଅନେକ କେବଳ ନିଜେ ଦେଖେଇହବା ପ୍ରକୃତି ଯୋଗୁ ଆସିଥାନ୍ତି। ତେବେ ଏସବୁ ପ୍ରହସନ ପାଇଁ ଆମେ ସେମାନଙ୍କୁ ଦାୟୀ କରିପାରିବା ନାହିଁ। କାରଣ ସେମାନେ ଗେରୁଆବସ୍ତ୍ର ପିନ୍ଧି ନିଜକୁ ମହାଦେବଙ୍କ ଷଣ୍ଢ ବୋଲି ଭାବିବା ସହ ବେପରୁଆ ଓ ଲଗାମଛଡା ବ୍ୟବହାର ପାଇଁ ମଧ୍ୟ ପଛାଇ ନଥାନ୍ତି। ଟିକିଏ କେଉଁଠି ଅସୁବିଧା ହେଲେ ସଙ୍ଗେସଙ୍ଗେ ଦଙ୍ଗାହଙ୍ଗାମା କରିବାକୁ ତୟାର ହୋଇଯାନ୍ତି।

ପନ୍ଦର କୋଡ଼ିଏ ବର୍ଷ ତଳେ ଏସବୁ କିଛି ନଥିଲା। ଧୀରେ ଧୀରେ ଆରମ୍ଭ ହେଉହେଉ ବର୍ତ୍ତମାନ ତାହା ଏପରି ଭାବେ ବ୍ୟାପିଛି ଯେ, ଶନିବାର ଓ ରବିବାର ରାସ୍ତାସାରା କେବଳ ଗେରୁଆ ବସ୍ତ୍ରପିନ୍ଧା କାଉଡ଼ିଆମାନଙ୍କ ଭିଡ଼। ଏହା କିଛି ବ୍ୟବସାୟୀଙ୍କୁ ବେଶ୍ ସୁହାଇଛି। ଗେରୁଆ ପ୍ୟାଣ୍ଟ, ଗଞ୍ଜି ଓ ବାହୁଙ୍ଗି ଆଦିର ଖୁବ୍ ଭଲ ବେପାର ହେଉଛି। ଅଭିଭାବକ ଖୁସି, ପୁଅ ଯାଇଛି ଶିବଙ୍କ ଉପରେ ପାଣି ଢାଳି ପୁଣ୍ୟ ଅର୍ଜନ କରିବା ହେଲେ ପୁଅ ନିଶାରେ ଚୂର୍ ହୋଇ ଅଶ୍ଲୀଳ ଓ ଅଶାଳୀନ ବ୍ୟବହାର କରି କେତେ ପୁଣ୍ୟ ଅର୍ଜନ କଲା ତା ତ କହିହେବନି, ହେଲେ ଗୁଡ଼ାଏ ପାପ ଅର୍ଜନ କରୁଛି ଏହା ନିଃସନ୍ଦେହ।

ସେହିପରି ଆଉ ଏକ ନୂତନ ଉପାୟ ଦ୍ୱାରା ଲୋକଙ୍କୁ ଠକାଯାଉଛିା ମୋବାଇଲରେ ମେସେଜ୍ ଆସୁଛି କିମ୍ବା ଚିଠିଟିଏ ଆସି ପହଞ୍ଚୁଛି। ଲେଖା ହୋଇଥିବ, ଶିବ କିମ୍ବା ଦୁର୍ଗା ଆସି ଦେଖାଦେଲେ। ଏହି ଲୋକ ତାଙ୍କୁ ପୂଜା କଲାରୁ ତା’ର ଲଟେରି ଲାଗିଲା ଓ ସେହି ଲୋକ ଏକଥାକୁ ଥଟ୍ଟା କଲାରୁ ତାର ଘର ପୋଡ଼ିଗଲା ଓ ସମସ୍ତେ ମରିଗଲ। ଏହି ମେସେଜ୍ କିମ୍ବା ଏହିପରି ଚିଠି ଏଗାର ଜଣଙ୍କୁ ପଠାଇଲେ ତତକ୍ଷଣାତ୍ ସେମାନଙ୍କର ଉନ୍ନତି ହେଉଛି ଓ ନକଲେ ସବୁକିଛି ଛାରଖାର ହୋଇଯାଉଛି। ଏହାଦ୍ୱାରା କିଛି ସରଳିଆ ବ୍ୟକ୍ତି ସେମାନଙ୍କ ମାୟାଜାଲରେ ଫଶି ହେଉଛନ୍ତି ଖର୍ଚ୍ଚାନ୍ତ।

“ଭଗବାନ କ’ଣ ଆମ-ତୁମ ଭଳି ଏତେ ସଂକୀର୍ଣ୍ଣମନା !”

ମଝିରେ ମଝିରେ କିଛି ଅଦ୍ଭୁତ କଥା ମଧ୍ୟ ଶୁଣିବାକୁ ମିଳୋ ଥରେ ହୁରିପଡ଼ିଲା, ଗଣେଶ କ୍ଷୀର ପିଉଛନ୍ତି। ପୁରୁଷ ଓ ମହିଳାମାନେ ମନ୍ଦିରମାନଙ୍କରେ ଲମ୍ବା ଲାଇନ ଲଗେଇ ଗଣେଶଙ୍କୁ କ୍ଷୀର ପିଆଇବାରେ ଲଗିଲୋ ଗଣେଷ କ୍ଷୀର ପିଇଲେ କି ନାହିଁ ତାର ତ ପ୍ରମାଣ ନାହିଁ, ହେଲେ ଆଖପାଖ ଅଞ୍ଚଳର ଗାଇ କ୍ଷୀରବାଲା ଓ ଓମ୍‌ଫେଡ୍ ଦୋକାନୀ ହେଲେ ବେଶ୍ ଲାଭବାନ।

ଏହିପରି ଉଦାହରଣ ଅନେକ। ତେବେ ଏସବୁ ଭିତରେ ଆମ ଭକ୍ତିଭାବ ଯାଉଛି କୁଆଡ଼େ? ଆମେ କ’ଣ ପ୍ରକୃତରେ ଭକ୍ତିରେ ଅନୁପ୍ରାଣିତ ହୋଇ ଏପରି କରିବାକୁ ଆଗେଇ ଆସୁଛୁ? ଆମ ଠାକୁର ଠାକୁରାଣୀମାନଙ୍କୁ କଣ ଏତେ ଟିକିଏ କ୍ଷୀର ଦେଇଦେଲେ ସେମାନେ ଆମ ଉପରେ ଧନ ଓ ସୁଖ ଅଜାଡ଼ିଦେବେ ଏବଂ ସବୁ ପାପକୁ କରିଦେବେ କ୍ଷମା ? ସୋମବାର ମୁଣ୍ଡ ଧୋଇ, ଅରୁଆ ଖାଇ, ବୁଧବାର ଆମିଷ ହାପୁଡ଼ିଲାବେଳେ କୁଆଡ଼େ ଯାଏ ଆମ ଭକ୍ତି ?

କାର୍ତ୍ତିକ ମାସ ସାରା ହବିଷ ଖାଇ ପାଟି ଚିଟା ହୋଇଗଲାଣି, ଛାଡ଼ଖାଇଟା କେବେ ଆସିବ ଯେ ମଣିଷ ଟିକିଏ ଶାନ୍ତି ପାଇବା କେତେ ଲୋକ ଏହିପରି କହିବା ଆମେ ନ ଶୁଣିଛେ ! ସବୁ ନିୟମ କରିଛି ସୁବିଧାବାଦୀ ସ୍ୱାର୍ଥପର ମନୁଷ୍ୟ, ଭଗବାନଙ୍କ ପାଖରେ ଏ ସବୁର ମୂଲ୍ୟ ବା କେତେ? ସେ ଭାବରେ ବନ୍ଧା ଭାବବିନୋଦିଆ, ସେ ଭାବକୁ ନିକଟ ପୁଣି ଅଭାବକୁ ଦୂର, ତାଙ୍କୁ ଅନୁଭବ କରିବାକୁ ଆବଶ୍ୟକ କେବଳ ଅନ୍ତରର ଶୁଦ୍ଧତା।

ସାଧୁ ଜଣେ ମୃଗଛାଲ ଉପରେ ବସି ତପସ୍ୟାରେ ନିମଗ୍ନ ଥିଲ। ଗ୍ରାମୀଣ ମହିଳାଟିଏ ସେହିବାଟେ ନିଜ ସ୍ୱାମୀଙ୍କୁ ଖୋଜିଖୋଜି ଯାଉ ଯାଉ ଭୁଲବଶତଃ ମୃଗଛାଲ ଉପରେ ପାଦ ପଡ଼ିଗଲା। କ୍ରୋଧାନ୍ୱିତ ହେଲେ ସାଧୁ। କହିଲେ – ଏଠି ମୁଁ ପୂଜାରେ ବସିଛି, ତତେ ଦିଶୁନାହିଁ।

ମହିଳା ଜଣକ ଅତ୍ୟନ୍ତ ବିନମ୍ରତାର ସହ ଉତ୍ତର ଦେଲେ, ପ୍ରଭୁ ମୁଁ ମୋ ସ୍ୱାମୀଙ୍କୁ ନ ପାଇ ଅତ୍ୟନ୍ତ ବ୍ୟାକୁଳିତ ହୋଇଉଠିଲାରୁ ବାହ୍ୟଜ୍ଞାନ ରହିଲା ନାହିଁ। ମୋର ଦୋଷ କ୍ଷମା କରନ୍ତୁ। ନିଆଁରେ ପାଣି ପଡ଼ିଲା ପରି ତତକ୍ଷଣାତ୍ ସାଧୁ ହେଲେ ଶାନ୍ତ। କହିଲେ-“ମା’ ତୁମେ ମୋ ଆଖି ଖୋଲିଦେଲ। ତୁମେ ତୁମ ସ୍ୱାମୀଙ୍କୁ ନ ପାଇ ଯେପରି ବ୍ୟାକୁଳ ହୋଇଛ, ମୁଁ ଯଦି ମୋ ସ୍ୱାମୀଙ୍କୁ ପାଇବା ପାଇଁ ସେପରି ବ୍ୟାକୁଳ ହୋଇଥାନ୍ତି ତେବେ ବୋଧହୁଏ ଏପର୍ଯ୍ୟନ୍ତ ତାଙ୍କୁ ପାଇସାରନ୍ତିଣିା”

ପ୍ରକୃତରେ ପ୍ରହସନର ଆବଶ୍ୟକତା ମନୁଷ୍ୟ ପାଇଁ ରହିଛି। ଭଗବାନ ଖାଲି ଶୁଦ୍ଧ ଓ ସରଳ ମନର ନିର୍ମଳ ଭକ୍ତି ଦ୍ୱାରା ହୋଇଥାନ୍ତି ବଶୀଭୂତ। ତେଣୁ ଏସବୁ ଡ୍ରାମା ବନ୍ଦ ହେଉ। ବ୍ୟବସାୟୀମାନେ ଲୋକଙ୍କ ଭକ୍ତିଭାବକୁ ନେଇ ନ ଖେଳନ୍ତୁ। ଯୁବଗୋଷ୍ଠୀ ନିଜ ଶକ୍ତି ଓ ସମୟର ଅପଚୟରୁ କ୍ଷାନ୍ତ ହୋଇ କୌଣସି ଗଠନମୂଳକ କାର୍ଯ୍ୟ ପାଇଁ ହୁଅନ୍ତୁ ତତ୍ପର। ମାନବ ସେବା ହିଁ ମାଧବ ସେବା – ଏହା ପ୍ରତ୍ୟେକଙ୍କ ଜୀବନର ମୂଳମନ୍ତ୍ର ହେଉ।

(ସୌଜନ୍ୟ – ଭିନ୍ନ ମଣିଷ)

Comment