ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଁରେ ଖେଳି ଯାଇଛି ଶୋକର ଛାୟା। ଅଧିକାଂଶଙ୍କ ଘରେ ଦୁଇ ଦିନ ହେଲା ଚୁଲି ଜଳୁନି। ସାଲେପୁର ଅଞ୍ଚଳର ଦୁଷ୍କର୍ମ ପୀଡ଼ିତା ଆଖିବୁଜିବା ପରେ ପୂରା ଗାଁ ସ୍ତବ୍ଧ ପାଲଟିଯାଇଛି।

ଗାଁରେ ଶୋକାକୂଳ ପରିବେଶ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର। ଝିଅକୁ ଝୁରି ଝୁରି ମା’ ଆଖିରୁ ଲୁହ ଶୁଖୁନି। ପ୍ରତି ମୁହୂର୍ତ୍ତରେ ସେ ତାର ଝିଅକୁ ଖୋଜୁଛି। ନାତୁଣୀକୁ ହରାଇ ଜେଜେବାପା ବି ଖୁଣ୍ଟ ପାଲଟିଗଲେଣି। ହାଇଦ୍ରାବାଦରୁ କାମ ଛାଡ଼ି ଗାଁକୁ ଆସିଥିବା ବାପା ବି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସାନ ଭଉଣୀର ମୃତ୍ୟୁ ଖବର ପାଇ ବଡ଼ ଭଉଣୀ ବି ଦୁଇଦିନ ହେଲା ପାଣି ଛୁଉଁନି। କାନ୍ଦି କାନ୍ଦି ନୟାନ୍ତ ହୋଇଗଲାଣି ବଡ଼ ଭଉଣୀ।

୮ ଦିନ ଧରି କଟକ ବଡ଼ ମେଡ଼ିକାଲରେ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜିଥିବା ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁର ଦିନକ ପରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

ଗାଁ ଶ୍ମଶାନରେ ପୀଡ଼ିତାଙ୍କୁ କବର ଦିଆଯାଇଥିଲେ ମଧ୍ୟ ପରିବାର ଲୋକଙ୍କ ଆଖିରେ ଝିଅର ଚାଲି ଚଳନ ଓ କଥା ନାଚି ଯାଉଛି। ୭ ବର୍ଷର ଶିଶୁକନ୍ୟା ସହ ଯିଏ ଏମିତି ବ୍ୟବହାର କରିଛି ତାକୁ ଆଲ୍ଲା ଶାସ୍ତି ଦେବେ ବୋଲି ପରିବାର ଲୋକ କାନ୍ଦି କାନ୍ଦି କହିଛନ୍ତି।

ଏପ୍ରିଲ ୨୧ ତାରିଖ ସନ୍ଧ୍ୟାର ଘଟଣା। ଚକୋଲେଟ୍ ଖାଇବା ପାଇଁ ଜିଦ୍ କରିଥିଲା ୭ ବର୍ଷର ନାବାଳିକା। ଘରର ସାନଝିଅ ହୋଇଥିବାରୁ ତାଙ୍କ ଜିଦ୍‌ ଆଗରେ ଘର ଲୋକ ମୁଣ୍ଡ ନୁଆଁଉଥିଲେ। ସେଦିନ ବି ସେୟା ଘଟିଥିଲା। ଜିଦ୍ କରି ମା’ଠାରୁ ପଇସା ଆଣି ଗାଁ ସ୍କୁଲ ଛକ ଦୋକାନ ପାଖକୁ ଚକୋଲେଟ୍ କିଣିବାକୁ ଆସିଥିଲା ଝିଅଟି।

ସନ୍ଧ୍ୟା ଯାଇ ରାତି ହେଲା। ହେଲେ ଚେୋଲେଟ୍ ଆଣି ଘରକୁ ଫେରି ନଥିଲା ନାବାଳିକା। ଘର ଲୋକ ଝିଅକୁ ଚାରିଆଡ଼େ ଖୋଜିଲେ। କିନ୍ତୁ କୋଉଠି ବି ପାଇଲେ ନାହିଁ। ଶେଷରେ ଖବର ଆସିଲା ଝିଅଟି ମୁମୂର୍ଷୁ ଅବସ୍ଥାରେ ସ୍କୁଲ ପିଣ୍ଡାରେ ପଡ଼ି ରହିଛି। ଘର ଲୋକ ସ୍କୁଲ ନିକଟକୁ ଦୌଡ଼ି ଯାଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ଝିଅକୁ ଉଦ୍ଧାର କରିଥିଲେ। ହେଲେ ଝିଅ ଯେଉଁ ସ୍କୁଲ ପିଣ୍ଡାରେ ପଡ଼ିଥିଲା ତାର ଆଖପାଖ ଦୃଶ୍ୟ ହିଁ ବୟାନ କରୁଥିଲା ତା ସହ କେଭଳି ପାଶବିକ ଅତ୍ୟାଚାର ଘଟିଛି।

ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରି ସେହି ଗାଁର ଜଣେ ଯୁବକକୁ ଗିରଫ କରିଥିଲା। ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ଝିଅକୁ ପରିବାର ଲୋକ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ହେଲେ ସ୍ଥାନୀୟ ଡାକ୍ତର କଟକ ପଠାଇ ଦେଇଥିଲେ।

କଟକ ବଡ଼ ମେଡିକାଲରେ ପହଞ୍ଚିବା ବେଳକୁ ପୀଡ଼ିତାର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ଶିଶୁ ବିଭାଗ ଟ୍ରମା କେୟାରର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପୀଡ଼ିତାଙ୍କୁ ଚିକିତ୍ସା କରିବା ପାଇଁ ୧୩ ଜଣିଆ ଡାକ୍ତରୀ ଟିମ୍ ଗଠନ କରିଥିଲେ ଏସ୍‌ସିବି କର୍ତ୍ତୃପକ୍ଷ।

ଏହାର ଚାରି ଦିନ ପରେ ଖବର ଆସିଲା ଯେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁନି। ଝିଅକୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲେ। ହେଲେ ଶେଷରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ଘଟଣା ଘଟିବାର ଠିକ୍ ୮ ଦିନ ପରେ ସାଲେପୁର ପୀଡ଼ିତା ସବୁଦିନ ପାଇଁ ଆଖିବୁଜି ଦେଇଥିଲେ।

ସାନ ଭଉଣୀକୁ ହରାଇ ବଡ଼ ଭଉଣୀ ଦୁଃଖରେ ଭାଙ୍ଗି ପଡ଼ିଛି। ଭଉଣୀକୁ ଝୁରି ଝୁରି ଲୁହ ଶୁଖୁନି। କାନ୍ଦି କାନ୍ଦି ନୟାନ୍ତ ହୋଇଗଲାଣି ବଡ଼ ଭଉଣୀ। ତାକୁ ବୁଝେଇଲେ ବି ସେ କିଛି ନବୁଝି ସାନ ଭଉଣୀକୁ ଖୋଜୁଛି। ତା’ ଭଉଣୀ ସହ ଯିଏ ଏମିତି ପାଶବିକ ଅତ୍ୟାଚାର କରିଛି ତାକୁ ଫାଶି ଦେବା ପାଇଁ ସେ ଦାବି କରିଛି।

ଏପଟେ ଝିଅର ବାପା କି ନିଜକୁ ସମ୍ଭାଳି ପାରୁ ନାହାନ୍ତି। ସାନ ଝିଅକୁ ଝୁରି ଝୁରି ସେ ଧୈର୍ଯ୍ୟ ହରାଇ ସାରିଲେଣି। ଅଭିଯୁକ୍ତକୁ ଫାଶି ଖୁଣ୍ଟରେ ଝୁଲାଇବା ପାଇଁ ସେ ଦାବି କରିଛନ୍ତି।

1 COMMENT

  1. Strong legal punishment to the criminals booked under the crime along with socio-psychological campaigns may help in reducing this bad trend. Need serious thoughts at all levels of the society including Govt. and Media.

Comment