ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶ୍ରମିକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଥିଲା କି?
  • କାହିଁକି ନଥିଲା ଲାଇଟ ବ୍ୟବସ୍ଥା?
  • ବ୍ଲାକ ଲିଷ୍ଟେଡ ପଣ୍ଡା ଇନଫ୍ରାକୁ ପୁଣି କାମ ଦେଇଥିଲା କିଏ?
  • ରୋଡ ଆଣ୍ଡ ଡିଜାଇନ ମୁଖ୍ୟଯନ୍ତ୍ରୀଙ୍କ ତଦନ୍ତ ରିପୋର୍ଟ କାହିଁକି ହେଲାନି କାର୍ଯ୍ୟକାରୀ?
  • ପଣ୍ଡା ଇନଫ୍ରା କମ୍ପାନି ବିରୋଧରେ ସରକାର ନେବେ କି କାର୍ଯ୍ୟାନୁଷ୍ଠାନ?
  • ଯନ୍ତ୍ରୀଙ୍କ ବିରୋଧରେ କ’ଣ ହେବ କାର୍ଯ୍ୟାନୁଷ୍ଠାନ?

ମୃତ୍ୟୁର ଖାଲ ପାଲଟିଛି ବମିଖାଲ ଓଭରବ୍ରିଜ। ୭ ମାସରେ ଏହି ଓଭରବ୍ରିଜ ଦୁଇ ଦୁଇଟି ଜୀବନ ନେଲାଣି। ହେଲେ ବ୍ରିଜ ନିର୍ମାଣ ଶେଷ ହେଉନି କି ପ୍ରଶାସନ ଚେତୁନି। ୭ ମାସ ତଳେ ବମିଖାଲ ଓଭରବ୍ରିଜ ଛାତ ଭୁଶୁଡ଼ିବା ବେଳେ ଯେଉଁ ପଣ୍ଡା ଇନଫ୍ରା କମ୍ପାନିକୁ ନେଇ ହୋ-ହଲ୍ଲା ଲାଗି ରହିଥିଲା ସେହି ଠିକା ସଂସ୍ଥାକୁ ପୁଣି ଅନୁକମ୍ପା କିଏ ଦେଖାଇଥିଲା ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ପଣ୍ଡା ଇନଫ୍ରା କମ୍ପାନିକୁ ବ୍ଲାକ ଲିଷ୍ଟେଡ କରିବା ସହ ୩ ଜଣ ଯନ୍ତ୍ରୀଙ୍କ ବିରୋଧରେ ବଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ୭ ମାସ ତଳେ ରୋଡ୍ ଆଣ୍ଡ ଡିଜାଇନ ମୁଖ୍ୟଯନ୍ତ୍ରୀ ତଦନ୍ତ କରି ସୁପାରିଶ କରିଥିଲେ। ହେଲେ ପଣ୍ଡା ଇନଫ୍ରା କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାକୁ ଅନୁକମ୍ପା ଦେଖାଇଥିଲେ ସରକାର। ଫଳରେ ଆଉ ଏକ ଦୁର୍ଘଟଣା ଘଟିଛି। ପଣ୍ଡା ଇନଫ୍ରା ବିରୋଧରେ ଅସନ୍ତୋଷ ବଢ଼ିଥିବା ବେଳେ ସେହି କମ୍ପାନିକୁ ପୁଣି କିଏ କାମ ଦେଇଥିଲା ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।

ଅନ୍ଧାରରେ ଚାଲିଥିଲା କାମ

ଓଭରବ୍ରିଜ ରେଲିଂ ଲଗାଇବା କାମ ଚାଲିଥିବା ବେଳେ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ ଲାଇଟ ବ୍ୟବସ୍ଥା କରାଯାଇ ନଥିଲା। ଶ୍ରମିକମାନେ ଅନ୍ଧାର ରାତିରେ ଲୁହା ରେଲିଂ ଲଗାଉଥିଲେ। ଏହାସହ ଶ୍ରମିକମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା। ବିପଦପୂର୍ଣ୍ଣ ଭାବେ କାମ କରୁଥିଲେ ଶ୍ରମିକମାନେ। ଲାଇଟ ବ୍ୟବସ୍ଥା ଥିଲେ ହୁଏତ ଶ୍ରମିକମାନେ ଆଗୁଆ ସତର୍କ ରହି ପାରିଥାନ୍ତେ। କିନ୍ତୁ ଲାଇଟ ବ୍ୟବସ୍ଥା ନଥିବାରୁ ଲୁହା ରେଲିଂ ଖସିବା ବେଳେ ଜାଣିପାରିଲେନି ଶ୍ରମି ଅଜୟ ଭୂମିଚ ଏବଂ ଆନନ୍ଦ ନାୟକ। ଫଳରେ ଉଭୟ ଗୁରୁତର ହୋଇଯାଇଥିଲେ ଏବଂ ପରେ ଅଜୟଙ୍କ ପ୍ରାଣ ଚାଲି ଯାଇଥିଲା। ପେଟ ପାଟଣା ପାଇଁ ସୁନ୍ଦରଗଡ଼ର ଲାଠିକଟାରୁ ଆସିଥିବା ଶ୍ରମିକ ଅଜୟଙ୍କର ମୃତ୍ୟର ଖାଲ ବମିଖାଲରେ ଜୀବନ ଚାଲିଗଲା।

ରୋଡ ଆଣ୍ଡ ଡିଜାଇନ ମୁଖ୍ୟଯନ୍ତ୍ରୀଙ୍କ ତଦନ୍ତ ରିପୋର୍ଟ କାହିଁକି ହେଲାନି କାର୍ଯ୍ୟକାରୀ?

୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ବମିଖାଲ ରସୁଲଗଡ଼ ପଟୁ ବମିଖାଲ ଓଭରବ୍ରିଜର ଛାତ ପଡ଼ୁଥିଲା। ନିମୟ ଜଳାଞ୍ଜଳି ଦେଇ ଦିନ ବେଳେ ବ୍ରିଜର ଛାତ ପକାଉଥିଲା ଠିକା ସଂସ୍ଥା। ହେଲେ ଏହି ସମୟରେ ଘଟିଥିଲା ବଡ଼ ଦୁର୍ଘଟଣା। ନିର୍ମାଣାଧିନ ଛାତ ଭୁଶୁଡ଼ି ପଡ଼ିଥିଲା। ୧୧ ଜଣ ଶ୍ରମିକ ଗୁରୁତର ହୋଇଯାଇଥିଲେ। ସେହି ବାଟ ଦେଇ ନିଜ ଝିଅକୁ ନେଇ ଯାଉଥିବା ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିଧାନସଭା ଏବଂ ବିଧାନସଭାରେ ବାହାରେ ତୁମ୍ବି ତୋଫାନ ହୋଇଥିଲା। ଶେଷରେ ତଦନ୍ତ କରିବା ପାଇଁ ସରକାର ରୋଡ ଆଣ୍ଡ ଡିଜାଇନର ମୁଖ୍ୟଯନ୍ତ୍ରୀଙ୍କୁ ଦେଇଥିଲେ ନିର୍ଦ୍ଦେଶ।

ରୋଡ୍ ଆଣ୍ଡ ଡିଜାଇନ ମୁଖ୍ୟଯନ୍ତ୍ରୀ ବିଭିନ୍ନ ଦିଗକୁ ବିଚାର କରି ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଅକ୍ଟୋବର ୪ ତାରିଖରେ ଦେଇଥିଲେ ରିପୋର୍ଟ। ପଣ୍ଡା ଇନଫ୍ରା କମ୍ପାନିକୁ କଳା ତାଲିକାଭୁକ୍ତ କରିବା ପାଇଁ ରିପୋର୍ଟରେ ଦର୍ଶାଇଥିଲେ।

ଏହାସହ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା, ବଂଶୀଧର ପ୍ରହରାଜ ଏବଂ କିଶୋର ରାଉତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିଶ କରିଥିଲେ। ଓଭରବ୍ରିଜ ନିର୍ମାଣ ବେଳେ ପଣ୍ଡା ଇନଫ୍ରା କମ୍ପାନି ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିୟୋର(ଏସ୍‌ଓପି) କୁ ଗ୍ରହଣ କରିନଥିଲେ। ନିର୍ମାଣ ଆରମ୍ଭ ପୂର୍ବରୁ ପଣ୍ଡା ଇନ୍‌ଫ୍ରା ଠିକା ସଂସ୍ଥା ବ୍ରିଜର ଡିଜାଇନ୍‌ କ’ଣ ହେବ ସେ ବିଷୟରେ ବି ରିପୋର୍ଟ ପ୍ରଦାନ କରି ନଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାସତ୍ତ୍ବେ ପୁଣି ପଣ୍ଡା ଇନଫ୍ରାକୁ କିଏ ଏବଂ କେଉଁ ଭରସାରେ କାମ କରିବା ପାଇଁ ଅନୁମତି ଦେଇଥିଲା ତାହା ତଦନ୍ତ ସାପେକ୍ଷ। ପଣ୍ଡା ଇନଫ୍ରା କମ୍ପାନିକୁ କାହିଁକି କଳା ତାଲିକାଭୁକ୍ତ କରାଯାଇ ନଥିଲା ସେ ବିଷୟରେ ବି ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିବ।

ପ୍ରତାପ ପଣ୍ଡାଙ୍କ ବିରୋଧରେ କ’ଣ ହେବ କାର୍ଯ୍ୟାନୁଷ୍ଠାନ?

୨୦୧୭ ସେପ୍ଟେମ୍ବର ୧୦ ତାରିଖରେ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ପ୍ରତାପ ପଣ୍ଡା ଗିରଫ ହୋଇଥିଲେ। ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରିବା ପାଇଁ କମିଶନରେଟ୍ ପୋଲିସ ଲୁକ୍ ଆଉଟ ସର୍କୁଲାର ନୋଟିସ ଜାରି କରିଥିଲା। ହେଲେ ଗିରଫ ହେବାର ମାତ୍ର ୧୦ ଦିନ ପରେ ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡା ସର୍ତ୍ତମୂଳକ ଜାମିନ ପାଇଥିଲେ।

ଏବେ ରେଲିଂ ଖସିବା ଘଟଣାରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ। ହେଲେ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

କାହାର ଦାୟିତ୍ୱହୀନତା?

ଭୁବନେଶ୍ୱର ବମିଖାଲ ଅଞ୍ଚଳରେ କାମ ଚାଲିଥିବା ବେଳେ ରେଲିଂ ଭୁଶୁଡିବା ଏକ ଦୁର୍ଘଟଣା ନା ଏହା  ପଛରେ ରହିଛି କାହାର ଦାୟିତ୍ୱହୀନତା? ଏହ କାର୍ଯ୍ୟ ନିମ୍ନମାନର ହେଉଥିଲା କି? ଫ୍ଲାଏଓଭର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସୁପରଭାଇଜର, ଇଞ୍ଜିନିୟର ଏବଂ ସେମାନଙ୍କ ଉପରେ ଥିବା ଅଧିକାରୀମାନେ ଏହି ଘଟଣାପଛରେ କିଭଳି ଦାୟୀ? ଜନସାଧାରଣଙ୍କ ମନରେ ଆଜି ଏହି ପ୍ରଶ୍ନ ଉଠିଛି। ଓଭରବ୍ରିଜ ଭୁଶୁଡ଼ିବା ବେଳେ ଦୋଷୀକୁ କଠୋର ଦଣ୍ଡବିଧାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ହେଲେ କେଉଁଭଳି ଦଣ୍ଡବିଧାନ କରାଗଲା ତାହା ସମସ୍ତେ ଜାଣିଛନ୍ତି।

ରେଲିଂ ଭୁଶୁଡ଼ିବା ଘଟଣାରେ ପୁଣି ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ଫୋରେନସିକ୍ ଟିମ୍ ଘଟଣାସ୍ଥଳକୁ ଆସି ଛାନଭିନ୍ କରିଛି। ହେଲେ ପ୍ରଶ୍ନ ଉଠୁଛି ଦୋଷୀ ଧରା ହେବେ ନା ହୋ-ହଲ୍ଲା ଥମିବା ପରେ ଏହି ଘଟଣା ପୁଣି ଶିତଳ ଭଣ୍ଡାରରେ ରହିଯିବ?

ହାଇକୋର୍ଟଙ୍କ ଉଦବେଗ ପରେ ବି ଚେତିଲାନି ପ୍ରଶାସନ

ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ଭୁଶୁଡ଼ିବା ଘଟଣାରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ, ରୋଡ ଆଣ୍ଡ ଡିଜାଇନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ ଜାରି କରିଥିଲେ। ତା’ ସହିତ ହାଇକୋର୍ଟ ପଣ୍ଡା ଇନଫ୍ରାର ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ନୋଟିସ କରିଥିଲେ। ଫ୍ଲାଏଓଭର ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ହେବାଠାରୁ ଏପର୍ଯ୍ୟନ୍ତ ସମସ୍ତ କାଗଜପତ୍ର ଦାଖଲ କରିବା ପାଇଁ ଆବେଦନକାରୀ କୋର୍ଟକୁ ଅନୁରୋଧ କରିଥିଲେ। ହାଇକୋର୍ଟ ପ୍ରଶାସନକୁ ଏନେଇ ତାଗିଦ କରିଥିଲେ। ହେଲେ ତଥାପି ସୁଧୁରିଲାନି ପ୍ରଶାସନ। ଛାତ ଭୁଶୁଡ଼ାଇ ଜୀବନ ନେଇଥିବା ସେହି ଠିକା ସଂସ୍ଥା ପ୍ରତି ପୁଣି ଅନୁକମ୍ପା ଦେଖାଇଥିଲା ପ୍ରଶାସନ।

Comment