ଯଶୋବନ୍ତ ନାରାୟଣ ପାଢ଼ୀ

ସକାଳୁ ଉଠିଲେ ପେଟ ପୋଷିବା ପାଇଁ ଜଳଭଣ୍ଡାର ପାରି ହୋଇ ଜୀବନଜୀବିକା ସହ ସଂଗ୍ରାମ କରୁଛନ୍ତି ତୁୠବୁଡି ପଞ୍ଚାୟତର ଅନେକ ଗାଁ।

ବିଶାଖାପାଟଣା: ଓଡ଼ିଶାର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁୠବୁଡି ପଞ୍ଚାୟତ ଅଧିନରେ ରହିଛି ଅନେକ ଗାଁ। ସେଥିମଧ୍ୟରୁ ନୂଆଗଡ ଗ୍ରାମ ଅନ୍ୟତମ। ନୂଆଗଡ଼ ଗ୍ରାମ ଓ ତୁୠବୁଡି ପଞ୍ଚାୟତ ମଧ୍ୟରେ ରହିଛି ବାଘଲଟି ଜଳଭଣ୍ଡାର। ଏହି ଜଳଭଣ୍ଡାର ଆରପାରିରେ ରହିଛି ବହୁ ଗ୍ରାମ। କୌଣସି କାମ ପାଇଁ ତୁୠବୁଡି ପଞ୍ଚାୟତକୁ ଯିବାକୁ ହେଲେ ଡଙ୍ଗା ଯୋଗେ ଜଳଭଣ୍ଡାର ପାରି ହୋଇ ଯିବାକୁ ପଡ଼େ। ବର୍ତ୍ତମାନ ସୁଦ୍ଧା ନଈ ଆରପାରିର ପ୍ରାୟ ୧୫ଟି ଗାଁର ଲୋକେ ଜୀବନଜୀବିକା ପାଇଁ ବହୁ ସଂଘର୍ଷର ସାମ୍ନା କରୁଛନ୍ତି।

ନୂଆଗଡ ଗ୍ରାମ ମଧ୍ୟ ବାଘଲଟି ଜଳଭଣ୍ଡାର ଆରପଟେ ରହିଛି। ଏହି ଗ୍ରାମର ୩ଜଣ ମହିଳା ଜମ୍ଭୁ ବେହେରା(୪୫), କୁମାରୀ ବେହେରା(୫୦) ଓ ତାଙ୍କ ବୋହୁ ଭାନୁ (୩୦) ପେଟ ପୋଷିବା ପାଇଁ ଡଙ୍ଗା ଦ୍ୱାରା ଜଳଭଣ୍ଡାର ପାର ହୋଇ ଆରପାରିକୁ ଯାଆନ୍ତି। ଏହି ତିନି ମହିଳାଙ୍କ ସଂଘର୍ଷର କାହାଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାତି ପାହିଲେ ପେଟ ପୋଷିବାର ଚିନ୍ତା। ସକାଳୁ କ’ଣ ଦିଟା ଖାଇ ଦେବାପରେ ଏହି ତିନି ମହିଳା ଟୋକେଇରେ ବିଭିନ୍ନ ସାମଗ୍ରୀ ଧରି ଜଳଭଣ୍ଡାର ପାର ହୋଇ ଆରଗାଁକୁ ଯାଆନ୍ତି। ସାରାଦିନର କାର୍ଯ୍ୟ ସାରି ସନ୍ଧ୍ୟାରେ ପୁଣି ଡଙ୍ଗା ଦ୍ୱାରା ନିଜ ନିଜ ଘରକୁ ଫେରନ୍ତି।

ଗୁଜରାଣ ମେଣ୍ଟାଇବାକୁ ଏହି ତିନି ମହିଳା ପ୍ରତିଦିନ ବାଘଲଟି ଜଳଭଣ୍ଡାରକୁ ଡଙ୍ଗାରେ ପାର କରି ଜିନିଷପତ୍ର ବିକ୍ରି କରିବାକୁ ଯାଉଛନ୍ତି। ପରିସ୍ଥିତିରେ ପଡ଼ି ଏମାନେ ପରିବାରର ବୋଝକୁ ନିଜ ମୁଣ୍ଡକୁ ନେଇଛନ୍ତି।

ଜମ୍ଭୁଙ୍କ ସ୍ୱାମୀ ଦିନ ମଜୁରିଆ ରୂପେ କାମ କରୁଥିବା ବେଳେ ତାଙ୍କର ପୁଅ ସିମାଞ୍ଚଳ(୨୪) ଦାଦନ ଖଟୁଛି ଓ ୧୨ ବର୍ଷର ଝିଅ ରଚନା ଘରେ ଅଛି। କୁମାରୀଙ୍କ ସ୍ୱାମୀ ଜାଗିଲିଙ୍କ ଗୋଡ଼ ଖରାପ ଥିବାରୁ ସେ କାମ କରିପାରୁନାହାଁନ୍ତି ଏବଂ ଏକମାତ୍ର ଝିଅର ମାନସିକ ଅବସ୍ଥା ଭଲନାହିଁ। ଦୁଇ ପୁଅଙ୍କ ମଧ୍ୟରେ ଜଣେ ବିବାହ କରିଥିବା ବେଳେ ଅନ୍ୟ ଜଣେ ଘରେ ରହିଛି। ଏଭଳି ପରିସ୍ଥିତିରେ ଦିନ କାଟୁଥିବା ଏହି ଦୁଇ ମହିଳା ସେମାନଙ୍କ ପରିବାର ଚଳାଇବା ପାଇଁ ସଂଘର୍ଷ କରୁଛନ୍ତି।

ସକାଳୁ ସକାଳୁ ନିତ୍ୟକର୍ମ ସାରି  ଜମ୍ଭୁ, କୁମାରୀ ଓ ତାଙ୍କ ବୋହୁ ଭାନୁ ତିନି ଜଣ ମିଶି ମୁଢ଼ି, ମୁଆ, ଶୁଖୁଆ, ଦୋବଜା ସହ ଅନ୍ୟ ସମାଗ୍ରୀକୁ ଟୋକେଇରେ ଭରି କରି ବାହାରି ପଡ଼ନ୍ତି ବାଘଲଟି ଜଳଭଣ୍ଡାର ଆର ପାରିକୁ। ଜଳଭଣ୍ଡାରରେ ନିଜର ଜୀବନକୁ ବାଜି ଲଗେଇ ନିଜର ଦଦରା ଡଙ୍ଗାକୁ ନିଜେ ବାହି ସେମାନେ ଆର ପାରିରେ ପହଞ୍ଚନ୍ତି. ସେଠାରେ ନିଜର ସାମଗ୍ରୀକୁ ମୁଣ୍ଡରେ ବୋହି ଆଙ୍କୁଳି ପଂଚାୟତର ବିଭିନ୍ନ ଦୁର୍ଗମ ଗ୍ରାମ ବୁଲି ଏହାକୁ ବିକ୍ରି କରିଥାନ୍ତି।

ପ୍ରତେକଦିନ ୮ -୧୦ଟି ଗ୍ରାମ ବୁଲିବା ପରେ ସନ୍ଧ୍ୟାରେ ପୁଣି ଡଙ୍ଗା ପାର ହୋଇ ଘରକୁ ଆସନ୍ତି। ସାମଗ୍ରୀ ନେଇ ଆଦିବାସୀମାନେ କାଠ, ଧାନ, ମାଣ୍ଡିଆ, ଟଙ୍କା ଓ ବନ୍ୟଜାତ ଦ୍ରବ୍ୟ ଆଦି ଦେଇଥାନ୍ତି। ଏହି ସମସ୍ତ ସାମଗ୍ରୀକୁ ସେମାନେ ସାହୁକାରକୁ ବିକ୍ରି କରି ସେହି ଅର୍ଥରେ ନିଜର ପରିବାରର  ଭରଣପୋଷଣ କରନ୍ତି।

ସରକାରଙ୍କ ପକ୍ଷରୁ ଆମକୁ କୌଣସି ସୁବିଧା ମିଳିପାରିନାହିଁ। ସରକାରୀ ଅଫିସ ଓ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେବାପରେ ପରିବାରର ଭୋକ ମେଣ୍ଟାଇବା ପାଇଁ ନିଜେ ଅଣ୍ଟା ଭିଡ଼ିଲୁ। ଜୀବନକୁ ବାଜି ଲଗାଇ ନିଜ ଗୋଡ଼ରେ ଠିଆ ହେବା ସହ ନିଜ ପରିବାରକୁ ପୋଷୁଛୁ ବୋଲି କୁହନ୍ତି ଏହି ତିନି ମହିଳା।

ପେଟ ପୋଷିବାକୁ ଜମ୍ଭୁ, କୁମାରୀ ଓ ଭାନୁଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏମାନଙ୍କୁ ସରକାରୀ ସହାୟତା ସହ ବିଭିନ୍ନ ଯୋଜନାରେ ସାମିଲ କରାଗଲେ ସେମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here