ନୀଳାମ୍ବର ରଥ

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶାଲାଇଭ୍‌ ସମ୍ପାଦକ ନୀଳାମ୍ବର ରଥଙ୍କ ଆବେଗମୟ ସ୍ମୃତିଚାରଣ

ପ୍ରଥମେ ମୁଁ ତାଙ୍କୁ ଜାଣିଥିଲି ଚନ୍ଦ୍ରଭାନୁ ପଟ୍ଟନାୟକ ନାଁରେ। ପରେ ସେ ପାଲଟିଲେ ‘କାବୁଭାଇ’। ଏହି ଦୁଇଟି ନାଁ ଗୋଟିଏ ଲୋକର। ହେଲେ ନାଁ ଦୁଇଟି ଭିତରେ ଯେପରି ରହିଛି ଅନେକ ଭାବଗତ ପାର୍ଥକ୍ୟ। ସେ ବାସ୍ତବରେ ଥିଲେ ମୋ ଭଳି ଅନେକ ନୂଆ ପିଢ଼ିର ସାମ୍ବାଦିକ ପାଇଁ ଆଦର୍ଶ।

ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ସମ୍ବାଦର ପୁରୁଣା ଅଫିସ। ଚନ୍ଦ୍ରଭାନୁ ପଟ୍ଟନାୟକ ସେତେବେଳକୁ ସମ୍ବାଦର ସ୍ୱତନ୍ତ୍ର ପ୍ରତିନିଧି ଥା’ନ୍ତି। ସନ୍ଧ୍ୟାବେଳକୁ ନ୍ୟୁଜ୍‌ରୁମ୍‌ର ଏକ ବଡ଼ ଟେବୁଲରେ ବସି ଏକାଗ୍ର ଭାବେ ମାଛମଞ୍ଜି ଭଳି ଛୋଟ ଛୋଟ ଅକ୍ଷରରେ ସେ ରିପୋର୍ଟ ଲେଖୁଥା’ନ୍ତି। ଗୋଟିଏ ଦୁଇଟି ପାରାଗ୍ରାଫ ସରିଲେ ହୁଏତ ଟିକିଏ ମୁଣ୍ଡ ଉପରକୁ ଉଠାନ୍ତି। କ୍ରିଏଟିଭ୍‌ ଲୋକମାନେ ଗଳ୍ପ, କବିତା ବା ଉପନ୍ୟାସ ଲେଖିବା ବେଳେ ଯେଭଳି ନିମଗ୍ନ ଦିଶନ୍ତି, ଚନ୍ଦ୍ରଭାନୁ ପଟ୍ଟନାୟକ ସେତିକି ମନଯୋଗ ଦେଇ ନ୍ୟୁଜ୍‌ ରିପୋର୍ଟ ଲେଖନ୍ତି।

ତାଙ୍କର ହାତଲେଖା ଏ-ଫୋର ସାଇଜ୍‌ ଗୋଟିଏ ପୃଷ୍ଠା ଖବରକାଗଜରେ ଗୋଟିଏ କ୍ୱାର୍ଟର ପେଜ୍‌ ହୋ‌ଇଥାଏ। ତାଙ୍କ ଲେଖାରେ ପ୍ରାୟ କଟାକଟି ନଥାଏ। ପାଣି ପହଣି ଭଳି ଲେଖାର ଚରିତ୍ର। ଛୋଟ ଛୋଟ ବାକ୍ୟ। ସରଳ ଓ ସିଧା ସିଧା। ଛୋଟ ପାରାଗ୍ରାଫ। ଶାଣିତ ସୂଚନା। ସରଳ ଭାବେ ବ୍ୟକ୍ତ ହୋ‍ଇଥିବା ଭାବନା। ତା’ ସାଙ୍ଗକୁ ଯେଉଁଠି ସାମ୍ବାଦିକୀୟ ବା ଲେଖକୀୟ ପେଞ୍ଚ ଦରକାର, ତାହା ମଧ୍ୟ ରହିଥାଏ। ଗୋଟିଏ ନିଃଶ୍ୱାସରେ ଗୋଟିଏ ରିପୋର୍ଟ ଶେଷ କରନ୍ତି ଚନ୍ଦ୍ରଭାନୁ ପଟ୍ଟନାୟକ। ଏଭଳି ଦକ୍ଷତା ରଖିଥିବା ସାମ୍ବାଦିକ ଓ ଲେଖକଙ୍କ ସଂଖ୍ୟା ବୋଧହୁଏ କମ୍‌।

ଏମ୍‌.ଏ. ପାସ୍‌ କରିବା ପରେ କୌଣସି ସରକାରୀ ଚାକିରି ନ କରି ସାମ୍ବାଦିକତା ପ୍ରତି ଆକର୍ଷିତ ହୋ‌ଇଥିଲେ ଚନ୍ଦ୍ରଭାନୁ ପଟ୍ଟନାୟକ। ଅଳ୍ପ କିଛିଦିନର ଅଧ୍ୟାପନା ଚାକିରି ଛାଡ଼ି ପ୍ରଗତିବାଦୀର ତତ୍‌କାଳୀନ ସମ୍ପାଦକ ପ୍ରଦ୍ୟୁମ୍ନ ବଳଙ୍କ ଡାକରାରେ ସାମ୍ବାଦିକତା କ୍ଷେତ୍ରରେ ଯୋଗ ଦେଇଥିଲେ। ତେବେ ୧୯୮୪ ମସିହାରେ ସମ୍ବାଦର ପ୍ରତିଷ୍ଠା ସହ ଆରମ୍ଭ ହୋ‍ଇଥିବା ଓଡ଼ିଆ ସାମ୍ବାଦିକତାର ନୂଆଯୁଗରେ ସାମିଲ ହୋଇ ସେ ତାଙ୍କ ଗଣମାଧ୍ୟମ ଜୀବନର ଏକ ଜୋରଦାର ଇନିଂସ ଆରମ୍ଭ କରିଥିଲେ। ଦୈନନ୍ଦିନ ନ୍ୟୁଜ୍‌ ରିପୋର୍ଟ ସହ ନ୍ୟୁଜ୍‌ ଫିଚର ଏବଂ ସାକ୍ଷାତକାରର ଯେଉଁ ନୂଆ ଧାରା ‘ସମ୍ବାଦ ରବିବାର’ ଜରିଆରେ ଆରମ୍ଭ ହୋ‌ଇଥିଲା, ସେହି ଦକ୍ଷ ଓ ଯୁବବାହିନୀର ସେ ଥିଲେ ଅନ୍ୟତମ ଯୋଦ୍ଧା। ଯେଉଁମାନେ ‘ସମ୍ବାଦ ରବିବାର’ର ସେହି ଦିନଗୁଡ଼ିକ ପାଖରୁ ଦେଖିଛନ୍ତି କିମ୍ବା ପାଠକ ହିସାବରେ ଯୋଡ଼ି ହୋ‍ଇଛନ୍ତି, ସେମାନେ କଦାପି ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ଭଳି ସାମ୍ବାଦିକଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ସେତେବେଳେ ଯେଉଁ ନୂଆ ସ୍ୱାଦର ସାମ୍ବାଦିକତା-ଗଛ ଲଗାଇଥିଲେ, ତା’ର ଗୋଟିଏ ମଞ୍ଜି ଚନ୍ଦ୍ରଭାନୁ। ଏହି ମଞ୍ଜିଟି ପରବର୍ତ୍ତୀ ସମୟରେ ଏକ ମହାଦ୍ରୁମରେ ପରିଣତ ହୋ‍ଇଥିଲା।

୧୯୯୬ ମସିହା ଡିସେମ୍ବର ବେଳକୁ ମୁଁ ସମ୍ବାଦରେ ବରିଷ୍ଠ ସହ-ସମ୍ପାଦକ ତଥା ରିପୋର୍ଟର ହିସାବରେ କଟକ ସଂସ୍କରଣରେ ଯୋଗ ଦେଇଥିଲି। ସମ୍ଭବତଃ ୧୯୯୭ ବେଳକୁ ସମ୍ବାଦର କଟକ ଟିମ୍‌ ଚାଲି ଆସିଥିଲା ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟାଳୟକୁ। ଏଇଠି ମୁଁ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କୁ ଜଣେ ବିଚକ୍ଷଣ ସାମ୍ବାଦିକ ଓ ଲେଖକ ହିସାବରେ ପାଖରୁ ଦେଖିଥିଲି। ତେବେ ସମ୍ବାଦରେ ଯୋଗଦେବା ଆଗରୁ ଯେତେବେଳେ ମୁଁ ଛାତ୍ର ଜୀବନରେ ଲେଖାଲେଖି ଓ ସାମ୍ବାଦିକତା ପ୍ରତି ଆଗ୍ରହ ବ୍ୟକ୍ତ କରୁଥିଲି, ସେ ସମୟରେ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କୁ ‘ସମ୍ବାଦ ରବିବାର’ ଟିମ୍‌ରେ ଦେଖିଥିଲି। ସେହି ଟିମ୍‌ରେ ସେତେବେଳେ ଯେଉଁମାନେ ଥିଲେ, ପରବର୍ତ୍ତୀ ସମୟରେ ସମସ୍ତେ ଓଡ଼ିଆ ଏବଂ ଇଂଲିସ ସାମ୍ବାଦିକତାରେ ଜଣେ ଜଣେ ନିଆରା ବ୍ୟକ୍ତିତ୍ୱ ଭାବେ ପରିଚିତ ହୋ‍ଇଛନ୍ତି।

ସବୁ ପ୍ରତିଭାବାନ ବ୍ୟକ୍ତି ସାଧାରଣତଃ ସେଲ୍ଫ୍‌ ଷ୍ଟାଇଲ୍‌ଡ୍‌। ଚନ୍ଦ୍ରଭାନୁ ପଟ୍ଟନାୟକ ସେ ଦୃଷ୍ଟିରୁ ଭିନ୍ନ ନଥିଲେ। କାହା ଆଗରେ ମୁଣ୍ଡ ନୁଆଁଇବା ବ୍ୟକ୍ତି ନଥିଲେ ସେ। ସାମ୍ବାଦିକତା କ୍ଷେତ୍ରରେ ବରିଷ୍ଠତା, ବୟସ ଏବଂ ଗଣମାଧ୍ୟମର ପରିବର୍ତ୍ତିତ ପାଣିପାଗ ଭିତରେ ଦିନେ ସେ ସ୍ଥିର କରିଥିଲେ ଗତାନୁଗତିକ ଚାକିରି ଜୀବନରୁ ବାହାରି ନିଜେ କିଛି କରିବା ପାଇଁ। ଏଇଠି ଜନ୍ମ ନେଇଥିଲା ତାଙ୍କ ସ୍ୱପ୍ନର ନ୍ୟୁଜ୍‌ ମାଗାଜିନ୍‌ ‘ଶତାବ୍ଦୀ’। ସାଥିରେ ଥିଲେ ସାମ୍ବାଦିକତା ଓ ସାହିତ୍ୟର ସମନ୍ୱୟ – ଅସିତ ମହାନ୍ତି। ଚନ୍ଦ୍ରଭାନୁ ଓ ଅସିତ ଯୋଡ଼ି ଓଡ଼ିଆ ନ୍ୟୁଜ୍‌ ମାଗାଜିନ୍‌ ଜଗତରେ ଏକ ନୂଆ ଢାଞ୍ଚା ଆଣି ପାରିଥିଲେ। ଚନ୍ଦ୍ରଭାନୁ ପଟ୍ଟନାୟକଙ୍କୁ ମିଳିଥିବା ଭୁବନେଶ୍ୱର ୟୁନିଟ୍‌-୧ର ସରକାରୀ କ୍ୱାର୍ଟର ଥିଲା ଓଡ଼ିଆ ସାମ୍ବାଦିକତାର ଏହି ନୂଆ ପରୀକ୍ଷାନିରୀକ୍ଷାର ପ୍ରୟୋଗଶାଳା।

ପଛରେ ଲମ୍ବା ବ୍ୟାକଅପ୍‍ ନଥିଲେ ଗୋଟିଏ ମିଡିଆକୁ ବଞ୍ଚାଇ ଓ ବଢ଼ାଇ ରଖିବା କେତେ ବଡ଼ ଚାଲେଞ୍ଜ, ଏକଥା ଇତିହାସ ବାରମ୍ବାର କହିଛି। ଗୋଟିଏ ସମୟରେ ଶତାବ୍ଦୀକୁ ବନ୍ଦ କରିବାକୁ ବାଧ୍ୟ ହୋ‌ଇଥିଲେ ଚନ୍ଦ୍ରଭାନୁ ପଟ୍ଟନାୟକ। ପୁଣି କିଛିଦିନ ପ୍ରମୁଖ ମିଡିଆର ସମ୍ପାଦକ ଭାବେ ଯୋଗଦେଇ ତାଙ୍କର ସେକେଣ୍ଡ ଇନିଂସ ଆରମ୍ଭ କରିଥିଲେ। ଏହି ଯାତ୍ରା ଭିତରେ ସେ ହୋ‍ଇଥିଲେ ଦୈନିକ ‘ସମାଜ’ର ସମ୍ପାଦକ ଏବଂ ପରବର୍ତ୍ତୀ ସମୟରେ ସେ ଦୈନିକ ‘ସମୟ’ର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ। ତା’ ସାଙ୍ଗକୁ ନୂଆକରି ହୋ‍ଇଥିବା ‘ଏସ ଟିଭି’ର ମଧ୍ୟ ମୁଖ୍ୟ ସମ୍ପାଦକ ହୋ‍ଇଥିଲେ ଚନ୍ଦ୍ରଭାନୁ ପଟ୍ଟନାୟକ। କିନ୍ତୁ ସମ୍ପୂର୍ଣ୍ଣ ସ୍ୱାଧୀନମନା ଚନ୍ଦ୍ରଭାନୁ ଏସବୁ ପଦପଦବୀରେ ଲମ୍ବା ସମୟ ରହିବାକୁ ହୁଏତ ପସନ୍ଦ କରିନଥିଲେ ବା ରହିପାରିନଥିଲେ।

ମୁଁ ଇଟିଭି ଓଡ଼ିଆର ସମ୍ପାଦକ ଥିବା ବେଳେ ଆମର ସାପ୍ତାହିକ ଇଣ୍ଟରଭ୍ୟୁ କାର୍ଯ୍ୟକ୍ରମ ପାଇଁ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଆଙ୍କର ହିସାବରେ ଖୋଜୁଥିଲୁ। ମୁଁ ଯେତେବେଳେ ଏ ସମ୍ପର୍କରେ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କୁ ଅନୁରୋଧ କଲି, ସେ ପ୍ରଥମେ ମୋ କଥାକୁ ହସି ଉଡ଼ାଇ ଦେଇଥିଲେ। କହିଥିଲେ, “ମୁଁ ନିଦା ଖବରକାଗଜ ଲୋକ। ଟିଭିର ‘ଟି’ ଅକ୍ଷର ମତେ ଜଣାନାହିଁ। ମୁଁ କ’ଣ କରିବି?”

କିନ୍ତୁ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କୁ ନା କହିବାର ସୁଯୋଗ ଆମେ ଦେଇନଥିଲୁ। ଇଟିଭିର ସାପ୍ତାହିକ ‘ସିଧାକଥା’ର ସେ ହେଲେ ଆଙ୍କର। ସେତେବେଳେ ସରକାରୀ ଟେଲିଭିଜନରେ କାଗଜ ଧରି ଅନେକ ଆଙ୍କର ଇଣ୍ଟରଭ୍ୟୁ କରୁଥିଲେ। ତେଣୁ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ଭଳି ଜଣେ ଆଗଧାଡ଼ିର ତଥା ସକ୍ରିୟ ସାମ୍ବାଦିକଙ୍କୁ ଟେଲିଭିଜନ ପରଦାରେ ଯୋଡ଼ି ଖବରଭିତ୍ତିକ ସାକ୍ଷାତକାରକୁ ଆମେ ଏକ ନୂଆ ତଥା ବଳିଷ୍ଠ ରୂପ ଦେଇ ପାରିଥିଲୁ। ସେହିପରି ଇଟିଭି ଓଡ଼ିଆ ନ୍ୟୁଜ୍‌ର ସାପ୍ତାହିକ ‘ପ୍ରତିଧ୍ୱନି’ କାର୍ଯ୍ୟକ୍ରମର ସେ ହେଲେ ଆମର ମୁଖ୍ୟ ଆଙ୍କର। ପ୍ରାୟ ଦୁଇବର୍ଷ ପର୍ଯ୍ୟନ୍ତ ସେ ଏହି ଦୁଇଟି କାର୍ଯ୍ୟକ୍ରମକୁ ସମୃଦ୍ଧ କରିଥିଲେ। ସେହି ସମୟ ଏବଂ ପରବର୍ତ୍ତୀ ସମୟରେ ସେ ଆମର ବିଭିନ୍ନ ନିର୍ବାଚନୀ କାର୍ଯ୍ୟକ୍ରମରେ ଘଣ୍ଟା ଘଣ୍ଟା ଧରି ଆଙ୍କରିଂ କରି ଆମ ପ୍ରୋଗ୍ରାମର ମାନକୁ ବଢ଼ାଇଥିଲେ। ଇଟିଭିର ସିଧାକଥା ହୋ‌ଇଗଲା ଏକ ମାଇଲଷ୍ଟୋନ। ବିବିସିର ‘ହାର୍ଡ ଟକ୍‌’ ଢାଞ୍ଚାରେ ଏହା ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଆ ଟେଲିଭିଜନ ଜଗତରେ ଯେଉଁ ପ୍ରସାର ଘଟିଲା, ସେଥିରେ ନ୍ୟୁଜ୍‌ଭିତ୍ତିକ ସାକ୍ଷାତକାର ଓ ପ୍ୟାନେଲ ଡିସକସନ ଏକ ପ୍ରମୁଖ ସ୍ଥାନ ନେଲା। ଏହି ଇତିହାସର ପୃଷ୍ଠାରେ ଲେଖା ହୋ‍ଇଛି ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ନାଁ। କେବଳ ସେତିକି ନୁହେଁ, ଯେଉଁ ଚନ୍ଦ୍ରଭାନୁ ପଟ୍ଟନାୟକ ଟିଭି ପରଦାକୁ ଆସିବାକୁ ନା କରିଦେଇଥିଲେ, ପରବର୍ତ୍ତୀ ସମୟରେ ସେ ହେଲେ ଏକ ଟିଭି ଚ୍ୟାନେଲର ମୁଖ୍ୟ ସମ୍ପାଦକ।

ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ସହ ଘନିଷ୍ଠତା ଆସିବା ଫଳରେ ସେ ମୋ ଅଜାଣତରେ ପାଲଟି ଯାଇଥିଲେ ‘କାବୁଭାଇ’। ଅନେକ ସମୟରେ ବିଭିନ୍ନ ବୃତ୍ତିଗତ ବିଷୟ ଏବଂ ବ୍ୟକ୍ତିଗତ ବିଷୟରେ ତାଙ୍କୁ ଜଣେ ବଡ଼ଭାଇ ମନେକରି ତାଙ୍କ ସହ ପରାମର୍ଶ କରିବାରେ ମୋର କେବେ କୁଣ୍ଠା ନଥିଲା। ସେ ମଧ୍ୟ ଅତି ଆପଣାର ଲୋକ ଭଳି ସିଧାସଳଖ ଭଲମନ୍ଦର ପରାମର୍ଶ ଦେଉଥିଲେ। ମୁଁ କେବେ ଫୋନ କଲେ ସେପଟୁ ପ୍ରଥମ ସ୍ୱର ଆସୁଥିଲା – “ହଁ, ନୀଳାମ୍ବରଜୀ କୁହ”। କାବୁଭାଇଙ୍କ ସେନ୍ସ ଅଫ୍‌ ହ୍ୟୁମର ବେଶ୍‌ ଭଲ ଥିଲା।

୨୦୧୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବେଳେ ଓଡ଼ିଶାଲାଇଭ୍‌ ପକ୍ଷରୁ ପ୍ରକାଶିତ ହେବାକୁ ଥିଲା ଏକ ଦ୍ୱିଭାଷୀ ପୁସ୍ତକ। ଏଥିପାଇଁ ଲେଖା ମାଗିବାକୁ ମୁଁ କାବୁଭାଇଙ୍କ ଘରକୁ ଯାଇଥିଲି। ମଝିରେ ପ୍ରାୟ ବର୍ଷେରୁ ଦେଢ଼ ବର୍ଷ ତାଙ୍କ ସହ ମୁହାଁମୁହିଁ ଦେଖା ହୋ‌ଇନଥିଲା। ସେଦିନ ମୁଁ ତାଙ୍କୁ ଭେଟି ଏକ ପ୍ରକାର ଡରିଯାଇଥିଲି। କାରଣ ଯେଉଁ ବ୍ୟକ୍ତି ଦେଖାହେବା ମାତ୍ରେ ଭାବଚ୍ଛ୍ୱାସରେ ଫାଟି ପଡ଼ନ୍ତି, ସେ କେମିତି ଦବିଗଲା ପରି ମନେ ହେଉଥିଲେ। ମତେ ଦୋଷୀ ଭଳି ମନେ ହୋ‍ଇଥିଲା। କାରଣ ତାଙ୍କୁ କ୍ୟାନସର ହେବା ପରେ ମଝିରେ ମୁଁ ଭେଟି ପାରିନଥିଲି। ପରବର୍ତ୍ତୀ ସମୟରେ ଆଉ ତିନି-ଚାରି ଥର ତାଙ୍କ ସହ ସଂକ୍ଷିପ୍ତ ଦେଖା ବା ଫୋନରେ କଥାବାର୍ତ୍ତା।

ଚନ୍ଦ୍ରଭାନୁ ପଟ୍ଟନାୟକ ଥିଲେ ଜଣେ ପ୍ରଫେସନାଲ। ଜଣେ ସାମ୍ବାଦିକ ହିସାବରେ ବା ସମ୍ପାଦକ ହିସାବରେ ଖବରର ମଞ୍ଜି ଚଟ୍‌କିନା ଧରି ପାରୁଥିଲେ। ଗୋଟିଏ ଖବର କେତେ ବଡ଼ ଏବଂ ତାହା କିଭଳି ଭାବେ ପ୍ରୋଜେକ୍ଟ କରାଯିବ ଏକଥା ତାଙ୍କ ସହଯୋଗୀମାନେ ସବୁବେଳେ ତାଙ୍କଠାରୁ ଶିଖି ଆସିଛନ୍ତି। ଗୋଟିଏ ଖବରକୁ ସରଳ ଏବଂ କମ୍‌ ଶବ୍ଦ ମଧ୍ୟରେ କିଭଳି ଶାଣିତ ଭାବେ ଉପସ୍ଥାପନ କରାଯାଇପାରେ, ଏକଥା ଭଲକରି ଜାଣିଥିଲେ ଭେଟେରାନ୍‌ ଜର୍ଣ୍ଣାଲିଷ୍ଟ ଚନ୍ଦ୍ରଭାନୁ ପଟ୍ଟନାୟକ।

ବୁଧବାର ଡେରି ରାତିରେ ଜଣେ ବନ୍ଧୁଙ୍କଠାରୁ ଫୋନ୍‌ ଆସିଲା। ତାଙ୍କର ସଂକ୍ଷିପ୍ତ ବାକ୍ୟଟି ଥିଲା, “ଜାଣିଲେଣି ତ”? ମୁଁ ଏ କଥାରୁ କିଛି ବୁଝିପାରି ନଥିଲି। ଦୁଇ-ତିନି ଥର ସେ ସେହିକଥାକୁ ଦୋହରାଇବା ପରେ ଶେଷରେ ସେ କହିଥିଲେ, “କାବୁଭାଇ ଚାଲିଗଲେ”।

ଗୀତା କହେ, “ମଣିଷ ପୋଷାକ ପରିବର୍ତ୍ତନ କଲା ପରି ଆତ୍ମା ଗୋଟିଏ ଶରୀର ପରିତ୍ୟାଗ କରି ଆଉ ଗୋଟିଏ ଶରୀରରେ ପ୍ରବେଶ କରିଥାଏ”। ବାସ୍ତବରେ ମୃତ୍ୟୁ ଜୀବନର ସବୁଠୁ ବଡ଼ ସତ୍ୟ। ତେବେ କାହା ପାଇଁ ମୃତ୍ୟୁ କେତେବେଳେ ଆସେ, ତାହା ମଧ୍ୟ ଆଗୁଆ କଳ୍ପନା କରିବା ସମ୍ଭବ ନୁହେଁ।

ଆମ ସମୟର ଜଣେ ବଳିଷ୍ଠ ସାମ୍ବାଦିକ ଥିଲେ ଚନ୍ଦ୍ରଭାନୁ ପଟ୍ଟନାୟକ। ଦୁର୍ଭାଗ୍ୟର କଥା, ଓଡ଼ିଶାର ସାମ୍ବାଦିକଜଗତ ତାଙ୍କଠାରୁ ଯେତିକି ଜିନିଷ ଆଦାୟ କରିବା କଥା, କରିପାରିଲା ନାହିଁ। ସେ ହୁଏତ ଅଭିମାନ କରି ଚାଲିଗଲେ।

ଭାରତର ଅନ୍ୟ ଅନେକ ଭାଷା ଭଳି ଓଡ଼ିଆ ଭାଷାରେ ସାମ୍ବାଦିକତା କ୍ଷେତ୍ରରେ ଆସିଛି ବ୍ୟାପକ ପରିବର୍ତ୍ତନ। ବିଶେଷକରି ଟେଲିଭିଜନ ଏବଂ ଡିଜିଟାଲ ଜର୍ଣ୍ଣାଲିଜିମ୍‌ ସାମ୍ବାଦିକତାକୁ ନୂଆ ରୂପ ଦେଇଛି। ତେବେ ଗତ କିଛିବର୍ଷ ମଧ୍ୟରେ ସାମ୍ବାଦିକତା ଓ ମିଡିଆ କାରବାର ଆଜି ଅନ୍ୟ ଯେ କୌଣସି ବ୍ୟାବସାୟିକ କ୍ଷେତ୍ର ଭଳି ପୂରାପୂରି ‘ବିଜନେସ’ ଧାରାକୁ ଆଦରି ନେଇଛି। ସେଠାରେ ଆଗର ‘ମିଶନ’ ଧାରା ବା ଆଭିମୁଖ୍ୟ ଆଉ ନାହିଁ। ଏହି ପରିବର୍ତ୍ତନ ଆଜି ଦେଶରେ ଓ ଆମ ରାଜ୍ୟରେ ଅନେକ ସ୍ମାର୍ଟ ସାମ୍ବାଦିକ ତିଆରି କରିଛି। କିନ୍ତୁ ସେ ଦୃଷ୍ଟିରୁ ଚନ୍ଦ୍ରଭାନୁ ପଟ୍ଟନାୟକ ଥିଲେ ପୁରୁଣା ଜମାନାର ସାମ୍ବାଦିକ – ଆଜିର ଅନେକ ସ୍ମାର୍ଟ ସାମ୍ବାଦିକ ଓ ସମ୍ପାଦକଙ୍କ ଦୁଇ ଖୁରାକୁ ଦୂରୁ ଜୁହାର କରୁଥିବା ଲୋକ।

ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ସହ ମୋ ଜୀବନରେ ମୁଁ ଦୁଇଟି ମଞ୍ଚରେ ବସିଥିଲି। ଶତାବ୍ଦୀର ଗୋଟିଏ ବାର୍ଷିକ ଉତ୍ସବରେ ସେ ମତେ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ମୁଁ ହାଇଦ୍ରାବାଦରୁ ଆସି ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ସଭାର ମୁଖ୍ୟ ଅତିଥି ଥିଲେ।

ସେହିପରି ବିଜେବି କଲେଜ ସାମ୍ବାଦିକତା ବିଭାଗର ଏକ ଉତ୍ସବରେ ଆୟୋଜକମାନେ ଆମ ଦୁହିଁଙ୍କୁ ଅତିଥି ଭାବେ ଡାକିଥିଲେ। ଏହା ଏକ କାକତାଳୀୟ କିନ୍ତୁ ମୋ ପାଇଁ ଅପୂର୍ବ ସଂଯୋଗ ଥିଲା।

ଆମ ସମୟ ଏବଂ ପରବର୍ତ୍ତୀ ପିଢ଼ିର ସାମ୍ବାଦିକମାନଙ୍କ ପାଇଁ ଚନ୍ଦ୍ରଭାନୁ ପଟ୍ଟନାୟକ ପ୍ରେରଣା ହୋ‌ଇରହିବେ।

ପ୍ରଣାମ ଚନ୍ଦ୍ରଭାନୁ ପଟ୍ଟନାୟକ! ପ୍ରଣାମ କାବୁଭାଇ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

3 COMMENTS

  1. ଅନ୍ତରରୁ ଧନ୍ୟବାଦ ନୀଳାମ୍ବର ବାବୁ ଏହି ହୃଦୟସ୍ପର୍ଶୀ ଆଲେଖ୍ୟ ପାଇଁ। ମୁଁ ବ୍ୟକ୍ତିଗତ ଭାବେ ଚନ୍ଦ୍ରଭାନୁ ବାବୁ। ପ୍ରଣାମ ଚନ୍ଦ୍ରଭାନୁ ବାବୁ।
    ଶ୍ରଦ୍ଧା ଓ ସମ୍ମାନ
    ହୃଷୀକେଶ ପାଣିଗ୍ରାହୀ
    ସୁଦୀପ୍ତ। ପାଣିଗ୍ରାହୀ

  2. Thanks Hrusikesha Babu. He was a lovely man. A true professional. We will miss him. Missing you Chandrabhanu Patnaik, Kabu Bhai.

  3. It is a personal loss for me. Late Mr. Chandrabhanu Pattanaik was my boss. I have worked under his guidance. He was like an elder brother. Ever smiling and energetic persona. Very knowledgeable and always stressed on in-depth analysis. The other part of his personality is that he was an ardent devotee of Lord Jagannath. He never missed the darshan of Badasimhara besha. I pray for his salvation. May his divine soul rest in peace. Pranam Kabu Bhai.

Comment