ଓଡ଼ିଶାଲାଇଭ୍ ବ୍ୟୁରୋ

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ହଟିଲା ଛାତ୍ର ଆନ୍ଦୋଳନ। ଛାତ୍ରଛାତ୍ରୀଙ୍କ ଦାବି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଛାତ୍ରଛାତ୍ରୀ।

ତିନି ଦିନ ଧରି ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହୋଇଯାଇଥିଲା। ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଧାରଣା ଦେଇଥିଲେ। ହେଲେ ଆଜି ଅପରାହ୍ଣରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ ମହାପାତ୍ର ଆଲୋଚନା କରିଛନ୍ତି। ଆଲୋଚନା ସଫଳ ହୋଇଛି। ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି ଛାତ୍ରଛାତ୍ରୀ। ଏପଟେ ରେଭେନ୍ସାରେ ଲାଗିଥିବା ସାଇନ-ଏ-ଡାଏ ଆଜି ଉଠିପାରେ ବୋଲି ଜଣାପଡ଼ିଛି।

ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ଏବଂ ସେଲ୍ଫ ଫାଇନାନ୍ସ କୋର୍ସକୁ ବିରୋଧ କରି ରେଭେନ୍ସା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଫଳରେ ଛାତ୍ର ଅଶାନ୍ତି ତେଜିଥିଲା।

୮ ତାରିଖରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରେଭେନ୍ସାକୁ ସାଇନ-ଏ-ଡାଏ ଘୋଷଣା କରିଥିଲେ। ରେଭେନ୍ସା କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ଜୋରଦାର ହୋଇଥିଲା। ଆଜି ଛାତ୍ରଛାତ୍ରୀମାନେ ଭିସି ଅଫିସ ଘେରିଥିଲେ। ଭିସିଙ୍କୁ ଅଫିସରେ ପୂରାଇ ଦିଆଯାଇ ନଥିଲା। ପୋଲିସ ସହାୟତାରେ ଭିସି ଅଫିସକୁ ଯାଇଥିଲେ। ପରେ କାଉନସିଲ ବୈଠକ ଡାକିଥିଲେ ଭିସି। ଏହି ବୈଠକରେ ଛାତ୍ର ପ୍ରତିନିଧି ଏବଂ ରେଭେନ୍ସାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀମାନେ ଯେଉଁ ଦାବି କରୁଥିଲେ ସେହି ଦାବିଗୁଡ଼ିକୁ ରେଭେନ୍ସା କର୍ତ୍ତୃପକ୍ଷ ମାନି ନେଇଥିବାରୁ ଆନ୍ଦୋଳନରୁ ଓହରି ଯାଇଛନ୍ତି ଛାତ୍ରଛାତ୍ରୀ।

LEAVE A REPLY

Please enter your comment!
Please enter your name here