ଓଡ଼ିଶାଲାଇଭ୍ ବ୍ୟୁରୋ
ଅସମ୍ଭାଳ ତାତି ସାଙ୍ଗକୁ କାଳବୈଶାଖୀର ଚେତାବନୀ ରାଜ୍ୟବାସୀଙ୍କୁ ଡରାଉଛି। ଆଗାମୀ ୨୪ଘଣ୍ଟା ଭିତରେ କାଳବୈଶାଖୀର ସମ୍ଭବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି ୧୩ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ଆଗାମୀ ୨୪ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଫଳରେ ଗୁରୁବାର ସକାଳ ୮ଟା ୩୦ ମିନିଟ୍ ସମୟରୁ ଆସନ୍ତା କାଲି ୮ଟା ୩୦ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ବଲାଙ୍ଗିର, କଳାହାଣ୍ଡି, ଭଦ୍ରକ, ଗଜପତି, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ଏହି ସମୟରେ ୫୦ ରୁ ୬୦ କ.ମି. ବେଗରେ ପବନ ବୋହିବା ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।