ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପମ୍ପ ହାଉସରେ ଅଳିଆ ସଫା କରିବା ବେଳେ ଅଘଟଣ
  • କଂକ୍ରିଟ ପାଇପ ଭିତରକୁ ପଶିଗଲେ କର୍ମଚାରୀ
  • କଟାହେଲା କଂକ୍ରିଟ ପାଇପ୍‌
  • ଦଉଡ଼ି ସାହାଯ୍ୟରେ ଉଦ୍ଧାର ହେଲେ ପ୍ରାଣକୃଷ୍ଣ
  • ଚିକିତ୍ସା ନିମନ୍ତେ ବଡ଼ ମେଡିକାଲରେ ଭର୍ତ୍ତି

୬ ଘଣ୍ଟାର ମିଶନ ଶେଷ ହୋଇଛି। କଂକ୍ରିଟ ପାଇପ କଟାଯାଇ ପ୍ରାଣକୃଷ୍ଣ ମୁଦୁଲିଙ୍କୁ ଉଦ୍ଧାର କରାଯାଇଛି। ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ବହୁ କସରତ କରି ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଛନ୍ତି। ପ୍ରାଣକୃଷ୍ଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

କଂକ୍ରିଟ ପାଇପ ଭିତରୁ ପ୍ରାଣକୃଷ୍ଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ୫ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା। କେଉଁ ଉପାୟ ଅବଲମ୍ବନ କଲେ ପ୍ରାଣକୃଷ୍ଣ ସୁରକ୍ଷିତ ଭାବେ ବାହାରି ପାରିବେ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା।

କଟକ ଚହଟା ଘାଟସ୍ଥିତ ପୋଲିସ ସିଗନାଲ ଅଫିସ ସମ୍ମୁଖରେ ଥିବା ପମ୍ପ ହାଉସର ଅଳିଆ ସଫା କରିବା ପାଇଁ ପ୍ରାଣକୃଷ୍ଣ ପଶିଥିଲେ। ସେ ଅଳିଆ ସଫା କରୁଥିବା ବେଳେ ପମ୍ପ ହାଉସର ଜଣେ କର୍ମଚାରୀ ମଟର ସୁଇଚ ଅନ୍ କରିଦେଇଥିଲେ। ଫଳରେ ପ୍ରାଣକୃଷ୍ଣ ଅଢ଼େଇ ଫୁଟିଆ କଂକ୍ରିଟ ପାଇପର ୨୫ ଫୁଟ ଗଭୀରକୁ ପଶି ଯାଇଥିଲେ।

ଏହି ଘଟଣା ସାରା ସହରରେ ବିଜୁଳି ବେଗରେ ପ୍ରଚାର ହୋଇ ଯାଇଥିଲା। ଯିଏ ଯେଉଁଠି ଥିଲା ସେ ଚହଟା ଘାଟ ଅଭିମୁଖେ ଦୌଡ଼ିଲା। ଖବରପାଇ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ର ସଦସ୍ୟ ମଧ୍ୟ ପମ୍ପ ହାଉସ ନିକଟକୁ ଆସିଥିଲେ। ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ।

୨୫ ଫୁଟ ପାଇପ ଭିତରକୁ ପ୍ରଥମେ ଅମ୍ଲଜାନ ଏବଂ ଗ୍ଲୁକୋଜ ପଠାଯାଇଥିଲା। ଏହାକୁ ଆଧାର କରି ପ୍ରାଣକୃଷ୍ଣ ନିଶ୍ୱାସ ପ୍ରଶ୍ୱାସ ନେଇଥିଲେ। ପରେ ଅଢ଼େଇ ଫୁଟିଆ କଂକ୍ରିଟ ପାଇପକୁ କାଟିବା ପାଇଁ ଜେସିବି, କଟର ଏବଂ ଡ୍ରିଲ ମେସିନର ସହାୟତା ନେଇଥିଲେ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ।

କଂକ୍ରିଟ ସ୍ଲାବକୁ କାଟିବା ପରେ ଭିତରକୁ ଦଉଡ଼ି ପକାଯାଇଥିଲା। ଦଉଡ଼ିର ଗୋଟିଏ ପାର୍ଶ୍ୱକୁ ପ୍ରାଣକୃଷ୍ଣ ଜାବୁଡ଼ି ଧରିଥିଲେ। ଅପରପାର୍ଶ୍ୱରେ ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ ଦଉଡ଼ିକୁ ଧିରେ ଧିରେ ଟାଣିଥିଲେ। ପ୍ରାଣକୃଷ୍ଣ ପାଖକୁ ଆସିବା ପରେ ତାଙ୍କୁ ଷ୍ଟ୍ରେଚର ମାଧ୍ୟମରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସ ନିକଟକୁ ଟେକି ନିଆଯାଇଥିଲା। ପରେ ତାଙ୍କୁ ଚିକିତ୍ସା ନିମନ୍ତେ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ପ୍ରାଣକୃଷ୍ଣ ପାଇପ ଲାଇନରୁ ବାହାରିବା ପରେ ପ୍ରତିକ୍ରିୟ ଦେଇଛନ୍ତି। ସେ କହିଛନ୍ତି ଯେ ଟାଙ୍କି ଭିତରେ ପଶି ଅଳିଆ ସଫା କରୁଥିବା ବେଳେ କେହି ଜଣେ ମଟର ସୁଇଚ୍ ଅନ୍ କରିଦେବାରୁ ପାରି ସୁଅରେ ସେ ପାଇପ ଭିତରକୁ ପଶି ଯାଇଥିଲେ। ସେ ବାହାରକୁ ଆସିବା ପରେ ଭଲ ଲାଗୁଛି ବୋଲି କହିଛନ୍ତି।

 

 

LEAVE A REPLY

Please enter your comment!
Please enter your name here