ଛନ୍ଦା ମିଶ୍ର

ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତିଟିଏ ଜୀବନର ଦୁଃଖପୂର୍ଣ୍ଣ ମୁହୂର୍ତ୍ତଗୁଡିକୁ ଅତ୍ୟନ୍ତ ସାହସର ସହ ମୁକାବିଲା କରେ। ଫଳରେ ଜୀବନର ଚଲାପଥ ହୋଇଥାଏ ସରଳ ଓ ସୁଗମ।  ଜୀବନର ଘାତ, ପ୍ରତିଘାତଗୁଡିକ ତାକୁ ଗଢିତୋଳେ ଏକ ସ୍ୱୟଂସମ୍ପୂର୍ଣ୍ଣ ବା ଅଲରାଉଣ୍ଡର ବ୍ୟକ୍ତି ଭାବେ।

ରାଜଧାନୀ ଦିଲ୍ଲୀର ଏକ ନିଛାଟିଆ ସ୍ଥାନରେ ତିନି ଦିନ ଧରି ପାର୍କ ହୋଇଥିବା ଏକ କାର୍ ମଧ୍ୟରୁ ପୋଲିସ ଜବତ କଲା ଏକ ମୃତ ଦେହ। କାରଟି ଭିତର ପଟୁ ବନ୍ଦ କରା ଯାଇଥିଲା। କାର ଭିତରେ ଥିବା ଯୁବକଟି ନିଜ ହାତରେ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିଲା। ତା’କୋଳରେ ଥୁଆ ହୋଇଥିବା ମୋବାଇଲରୁ ତାର ପରିଚୟ ସଂଗ୍ରହ କରିଥିଲା ପୋଲିସ।

ପିଲାଟି ଗୋଟିଏ ସମ୍ଭ୍ରାନ୍ତ ପରିବାରର ଏକମାତ୍ର ପୁତ୍ର। ଅତ୍ୟନ୍ତ ମେଧାବୀ ଛାତ୍ର ଥିବା ପିଲାଟି ଜୀବନର ପ୍ରତ୍ୟେକ ପରୀକ୍ଷାରେ କେବଳ ପ୍ରଥମ ସ୍ଥାନ ପାଇ ଆଗକୁ ବଢିଛି। ଚାକିରି କରୁଥିଲା ଏକ ମଲ୍ଟିନାସନ୍ୟାଲ କମ୍ପାନିରେ। କୈାଣସି ଏକ କାରଣବଶତଃ, ତା’ ସହିତ କାର୍ଯ୍ୟ କରୁଥିବା ଅନ୍ୟ ଏକ ଯୁବକକୁ ପ୍ରଥମେ ପଦୋନ୍ନତି ମିଳିବା ଫଳରେ ମୃତ ଯୁବକଟି ଗଭୀର ଭାବେ ମର୍ମାହତ ହୋଇଥିଲା ଓ ଯେଉଁ ଚରମ ପଦକ୍ଷେପ ନେଇଥିଲା,  ତାହା ତା ପରିବାରରେ ସୃଷ୍ଟି କରିଥିଲା ଏକ ଶୁଖି ନ ପାରିବା ଭଳି ଗଭୀର କ୍ଷତ।

ଏକ ବେସରକାରୀ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ତ୍ତେ ଦ୍ୱାରା ଜଣାଯାଏ ଯେ, ନବେ ପ୍ରତିଶତ ନମ୍ବର ରଖୁଥିବା ପିଲାଙ୍କ ତୁଳନାରେ ସତୁରୀ ବା ଅଶୀ ପ୍ରତିଶତ ନମ୍ବର ରଖୁଥିବା ପିଲାମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଧିକ ସଫଳ।

ଆଜି ଅତି ଛୋଟ ବୟସରୁ ପିଲାଙ୍କୁ  ଅଲରାଉଣ୍ଡର ବା ସ୍ୱୟଂସଂମ୍ପୂର୍ଣ୍ଣ ରୂପେ ଗଢି ତୋଳିବା ପାଇଁ ଆମେ ଅଭିଭାବକମାନେ ହୋଇଛୁ ବଦ୍ଧ ପରିକର। ଆଗେ ଥିବା ‘ଆମେ ଦୁଇ ଆମର ଦୁଇ’ ସ୍ଲୋଗାନ୍ ଏବେ ପରିବର୍ତ୍ତିତ ହୋଇଛି ‘ଆମେ ଦୁଇ ଆମର ଏକ’ରେ। ଫଳରେ ପିଲାଟି ପାଲଟିଛି ଏକୋଇରବଳା ବିଶିକେଶନ। ତା’ ଦେହରେ ଧୂଳି ଟିକେ ଲାଗିଗଲେ ଆମେ ବ୍ୟସ୍ତ ହୋଇପଡୁଛେ ଇନ୍ଫେକସନର ଭୟରେ। ତେଣୁ ଦୌଡି ଦୌଡି କରି ଖେଳିବା ପାଇଁ ଆମେ ତାକୁ କରୁଛୁ ବାରଣ।

ପାଠ ଭଲ ପଢିବା ସହିତ ପିଲାଟି କିପରି ଭଲ ଗୀତ ଗାଇବ, ଭଲ ଚେସ ଖେଳିବ, ଭଲ ଡିବେଟ୍ କହିବ, ଭଲ ଅଭିନୟ କରିବ, ଭଲ କବିତା ଲେଖିବ, ଭଲ ସୁଇମିଂ କରିବ ଇତ୍ୟାଦି ଇତ୍ୟାଦି ପାଇଁ ଆମେ ହୋଇଉଠୁଛୁ ତତ୍ପର। ତା’ ଛୋଟିଆ କୋମଳ ମୁଣ୍ଡଟିରେ କେଉଁଠି ସେ କ’ଣ ସଞ୍ଚୟ କରିବ ସେଥିପାଇଁ ପିଲାଟି ନିଜେ ହୋଇଉଠୁଛି ବ୍ୟତିବ୍ୟସ୍ତ। ଫଳରେ ଛୋଟ ଦେହଟିରେ ଥିବା କୁନି ମନଟିରେ ତା’ର ଆସୁଛି ବିତୃଷ୍ଣା। ଅଭିଭାବକଙ୍କୁ ଖୁସି କରିବାକୁ ଯାଇ ପିଲାଟି ହରାଇ ବସୁଛି ସମସ୍ତ ସଫଳତା।

ଏ ସବୁକୁ ଜାଣି, ଆମେ ଅଜଣା ସାଜି ପିଲାକୁ କଳେ-ବଳେ–କୌଶଳେ ଆମ ସ୍ୱପ୍ନର ସୁପରମ୍ୟାନ କରି ଗଢି ତୋଳିବା ପାଇଁ ସତେ ଯେପରି ପ୍ରତିଜ୍ଞାବଦ୍ଧ। ସେଥିପାଇଁ ଆମେ ଅପେକ୍ଷା କରି ରହିଛୁ ଖରାଛୁଟିକୁ ଆଉ ଏହି ଖରାଛୁଟିକୁ ସଫଳ ରୂପାୟନ ଦେବାପାଇଁ ଆଗେଇ ଆସୁଛନ୍ତି ଅନେକ ସଂସ୍ଥା ସମର କ୍ୟାମ୍ପ ଜରିଆରେ ।

ନାହିଁ ମାମୁଁଠାରୁ କଣାମାମୁ ଭଲ ନୀତିରେ, ପିଲାର ସର୍ବାଙ୍ଗୀନ ଉନ୍ନତିରେ ସେମାନେ କିଞ୍ଚିତ୍ ମାତ୍ର ସହାୟତା ପ୍ରଦାନ କରୁଛନ୍ତି। ମାତ୍ର ଖରାଛୁଟିରେ ମାମୁଘରେ ବା ଜେଜେବାପାଙ୍କ କୋଳରେ କଟାଇଥିବା ମୁହୂର୍ତ୍ତଗୁଡିକର ସେ ଅମୂଲ୍ୟ ପ୍ରତିଦାନ ବା ମିଳିବ କେଉଁଠୁ।

ଅବଶ୍ୟ ମାମୁଘର ଗାଁ ବା ନିଜ ଗାଁ କହିଲେ ମାନସ ଚକ୍ଷୁରେ ଯେଉଁ ଦୃଶ୍ୟପଟ ନାଚିଉଠେ, ଆଜି ତାହା ବିରଳ। ନଦୀ ଗୁଡିକ ଜଳହୀନ, ଗାଁଗୁଡିକ ବୃକ୍ଷହୀନ ଓ ମଣିଷମାନେ ସମ୍ବେଦନହୀନ। ସ୍ନେହ ଶ୍ରଦ୍ଧା ତ ଦୂରରକଥା, ଆଜି କାହା ପାଇଁ କାହା ପାଖରେ ସମୟ ମଧ୍ୟ ନାହିଁ। ବସ୍ତୁବାଦୀ ଦୁନିଆରେ ସମସ୍ତେ ନିର୍ଜୀବ ବସ୍ତୁ ମାନଙ୍କ ପଛରେ ନିଜର ଅମୂଲ୍ୟ ଚେତନାଟିକୁ ଜଳାଞ୍ଜଳି ଦେଇ ଅନବରତ ଧାଇଁ ଚାଲିଛେ। ପିଲା ହେବ ଡାକ୍ତର, ଇଂଜିନିୟର ବା ଆଇଏଏସ। ୟାଠୁ ତଳକୁ ହେଲେ ସେ କଣ ଗୋଟାଏ ମଣିଷରେ ଗଣାହେବ?

କିରାଣୀଟିଏ, ଦୋକାନୀଟିଏ ବା ଚାଷୀଟିଏ ଏମାନଙ୍କ ଜୀବନର ମୂଲ୍ୟ ବା କେତେ? ହେଲେ ସେହି ବଡ ଅଫିସରଟି ଯଦି କେବଳ ଏକ ନୋଟ ଛାପାକଳରେ ପରିଣତ ହୋଇ ସମ୍ବେଦନଶୂନ୍ୟ ହୋଇଯାଏ ତେବେ, ନିଜ ସହିତ ନିଜ ପରିବାର ଓ ସମାଜ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ପାଲଟେ। ଅନେକ ଉଚ୍ଚପଦସ୍ଥ ଅଧିକାରୀ ନିଜ ବଦରାଗୀ ସ୍ୱଭାବ, ଲୋଭିପଣିଆ ଓ ଚରିତ୍ରଗତ ଦୋଷ ପାଇଁ ଉଣା ଅଧିକେ ଚର୍ଚ୍ଚିତ। ତାଙ୍କ ବିବେକଟି ଉପାୟ ଶୂନ୍ୟ ହୋଇ ତୁଣ୍ଡିରେ ତୁଣ୍ଡ ବାନ୍ଧି ଜଳଜଳ ହୋଇ ଚାହିଁ ରହିଥାଏ।

ପଦବୀ ଓ କ୍ଷମତାର ଅପବ୍ୟବହାର ଏମାନଙ୍କ ପାଇଁ ଏକ ମାମୁଲି କଥା। ତେବେ ପଦବୀଟି ଚାଲିଗଲା ପରେ ସେମାନେ ନିଜ ପରିବାର ସମେତ ସମାଜ ପାଇଁ ମଧ୍ୟ ହୋଇଯାନ୍ତି ଅଲୋଡା।

ମଣିଷର ସ୍ୱଭାବ ଓ ଚରିତ୍ର ଉଭୟର ମୂଳଦୂଆ ପଡିଥାଏ ଶୈଶବରେ। ତୁଳସୀ ଦୁଇ ପତ୍ରରୁ ବାସେ ଓ ବିଛୁଆତି ଦୁଇପତ୍ରରୁ କୁଣ୍ଡେଇ ହେଲା ପରି ଶୈଶବ ବତାଇ ଦିଏ, ଆସନ୍ତା କାଲିର ମାନବ ଚରିତ୍ରଟି କିପରି ହେବ ବୋଲି। ଶିଶୁକାଳରେ ବିତାଇଥିବା ସୁଖଦୁଃଖର ମୁହୂର୍ତ୍ତଗୁଡିକ ମନ ଓ ହୃଦୟରେ ଅଲିଭା ଛାପ ଛାଡିଯାଇଥାଏ। ଯାହା ପରବର୍ତ୍ତୀ ସମୟରେ ପିଲାଟିର କର୍ମ ତଥା ଜୀବନରେ ଏକ ଅମୂଲ୍ୟ ସମ୍ପଦ ରୂପେ ଜୀବନବ୍ୟାପି ତାକୁ ଆଶା, ଆଶ୍ୱାସନା ଓ ପ୍ରେରଣା ଯୋଗାଇଥାଏ। ଏଥିରେ ଏକ ମହତ୍ ଯୋଗଦାନ କରିଥାଏ ବିଦ୍ୟାଳୟର ପରିବେଶ ଓ ଏହାର ଛୁଟି ସମୂହ।

ଏହି ଛୁଟି ଦିବସଗୁଡିକ ସାଧାରଣତଃ ଆମ ପର୍ବପର୍ବାଣୀ ସହିତ ଜଡିତ। ଏହି ଦିବସଗୁଡିକ ପାଳନ କରିବା ଦ୍ୱାରା ଆମେ ଆମ ମହାନ ପରମ୍ପରା ଓ ଐତିହ୍ୟଗୁଡିକ ସହିତ ଏକାତ୍ମ ହୋଇଥାଉ। ତା’ଛଡା ଲମ୍ବା ଖରାଛୁଟିଟି ଉପରେ ମମ୍ପୂର୍ଣ୍ଣ ଅଧିକାର ଏହି କୁନିକୁନି କଳିକାଗୁଡିକଙ୍କର। ଯଥାସମ୍ଭବ ଟି.ଭି. ଓ କମ୍ପ୍ୟୁଟର ପାଖରୁ ସେମାନଙ୍କୁ ଦୂରେଇ ନେଇ ଖେଳକୁଦ ଭରା ପ୍ରାକୃତିକ ପରିବେଶ ଯୋଗେଇଦେଲେ ଉଠି-ପଡି, ହାରି-ଜିତି ସେମାନଙ୍କ ମଧ୍ୟରେ ଏକ ଖେଳୁଆଡ ମନୋଭାବପୂର୍ଣ୍ଣ ହୃଦୟ ଟିଏ ଅଙ୍କୁରିତ ହେବ।

ଆଈ ମା’ର କାହାଣୀ ଶୁଣିଲେ ବା ଦ୍ୱିପ୍ରହର ସମୟଟା ଖେଳରେ ସରିଗଲେ, ସମୟ ନଷ୍ଟ ହୋଇଯାଏନି ବରଂ ଏକ ନୂତନ ପ୍ରତିଭାର ବୀଜଟିଏ ହୋଇଥାଏ ରୋପିତ। ସେତେବେଳେ ପିଲା ସଂୟସମ୍ପୂର୍ଣ୍ଣ ହୁଏ, ସେତେବେଳେ ହାରିବା ଓ ଜିତିବା ଉଭୟ ତା’ ପାଇଁ ସମାନ ମହତ୍ତ୍ୱ ରଖେ। ସେ ଜୀବନକୁ ସକରାତ୍ମକ ମନୋଭାବରେ ତଉଲିବା ପାଇଁ ହୁଏ ଅଗଭର।

ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତିଟିଏ ଜୀବନର ଦୁଃଖପୂର୍ଣ୍ଣ ମୁହୂର୍ତ୍ତଗୁଡିକୁ ଅତ୍ୟନ୍ତ ସାହସର ସହ ମୁକାବିଲା କରେ। ଫଳରେ ଜୀବନର ଚଲାପଥ ହୋଇଥାଏ ସରଳ ଓ ସୁଗମ। ସଫଳ ରୂପେ ଜୀବନ ବିତାଇ ସେ ପାଲଟେ ଏକ ସଫଳ ବ୍ୟକ୍ତିତ୍ୱ। ଜୀବନର ଘାତ, ପ୍ରତିଘାତଗୁଡିକ ତାକୁ ଗଢିତୋଳେ ଏକ ସ୍ୱୟଂସମ୍ପୂର୍ଣ୍ଣ ବା ଅଲରାଉଣ୍ଡର ବ୍ୟକ୍ତି ଭାବେ।

(ସୌଜନ୍ୟ – ଭିନ୍ନ ମଣିଷ)

Comment