ସୌମ୍ୟା ପରିଡ଼ା

ରାଜ୍ୟ ହେଉ କି ଜାତୀୟ ରାଜନୀତି, ନିଜର ଦୂରଦୃଷ୍ଟି, ପ୍ରଶାସନିକ ବିଚକ୍ଷଣତା ତଥା ସାଧାରଣ ଲୋକଙ୍କ ବିକାଶ ପାଇଁ ଅଭିନବ ଚିନ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଅସାଧାରଣ ଜନନେତା ହିସାବରେ ତିଆରି କରିପାରିଛି।

୧୯୯୭ ମସିହା ଡିସେମ୍ବର ୨୬ରେ ଯେତେବେଳେ ବିଜୁ ଜନତା ଦଳ ଗଠନ ହେଲା, ତା’ର ନେତୃତ୍ୱ ନେଇଥିଲେ ନବୀନ ପଟ୍ଟନାୟକ। ସେତେବେଳେ ହୁଏତ କେହି ଭାବିନଥିଲେ ଯେ ସାରା ଭାରତବର୍ଷରେ ନବୀନ ରାଜନୀତିରେ ଏକ ପ୍ରଚଣ୍ଡ  ବ୍ୟକ୍ତିତ୍ୱ ଭାବେ ଉଭା ହେବେ; ବିଜୁ ଜନତା ଦଳର ନେତୃତ୍ୱ ନେଇ ଓଡ଼ିଶାରେ ଏକ ସଶକ୍ତ ଆଞ୍ଚଳିକ ଦଳ ଗଠନ କରିବେ (ଯାହା ଦେଶର ରାଜନୀତିକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିବ) ଏବଂ ଏହି ଦଳ ରାଜ୍ୟରେ ଜାତୀୟ ଦଳକୁ ଦଶନ୍ଧି ଦଶନ୍ଧି ଧରି ନିଷ୍ପ୍ରଭ କରିଦେବାର କ୍ଷମତା ରଖିବ।

ଠିକ୍ ଦୁଇ ଦଶନ୍ଧି ପରେ ଆଜି ନବୀନଙ୍କ ପରିଚୟ ବଦଳିଯାଇଛି। ତାଙ୍କ ପରିଚୟ ବିଜୁବାବୁଙ୍କ ପୁଅ ଭାବେ ସୀମିତ ରହିନାହିଁ।  ନବୀନ ଇତିମଧ୍ୟରେ ୫ଟି ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନରେ କେବଳ ବାଜିମାତ୍ କରିଛନ୍ତି ତା ନୁହେଁ, ସାରା ଭାରତବର୍ଷରେ ନବୀନ ହେଉଛନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ୨୦୧୪ ସାଧାରଣ ନିର୍ବାଚନରେ ମୋଦି ମ୍ୟାଜିକ୍କୁ ନିଷ୍ପ୍ରଭ କରିବାରେ ସକ୍ଷମ ହୋଇଛନ୍ତି। ଭାରତବର୍ଷର ଯେଉଁ କିଛି ହାତଗଣତି ନେତା ଅଛନ୍ତି, ଯେଉଁମାନେ କି ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି, (ସିକିମ୍ର ପବନ କୁମାର ମଲିଂ, ତ୍ରିପୁରାର ମାନିକ୍ ସରକାର, ପଶ୍ଚିମବଙ୍ଗର ଜ୍ୟୋତି ବସୁ) ସେ ତାଲିକାରେ ନବୀନଙ୍କ ନାମ ଯୋଡ଼ି ହୋଇଯାଇଛି। ଏକ ସଶକ୍ତ ଆଞ୍ଚଳିକ ଦଳର ନେତା ହିସାବରେ ନବୀନ ଆଜି ଦିନରେ ଜଣାଶୁଣା। ଆଜି ନବୀନଙ୍କ ପରିଚୟ ନିଜେ ନବୀନ।

ଜାତୀୟ ରାଜନୀତି କ୍ଷେତ୍ରରେ ନବୀନ ଟିକିଏ ଅଲଗା ଓ ପ୍ରଭାବୀ ବାରି ହୋଇପଡ଼ିଲେଣି। ପ୍ରାୟ ସବୁ ରାଜନୈତିକ ଦଳର ନେତା ନବୀନଙ୍କୁ ବେଶ୍ ଗୁରୁତ୍ୱ ଦେଉଛନ୍ତି। ଗତ କିଛି ଦିନ ଧରି ନବୀନଙ୍କ ଗୋଟିଚାଳନା ଓ ରାଜନୈତିକ ବିବୃତିକୁ ଅନ୍ୟ ରାଜ୍ୟମାନେ ଅତ୍ୟନ୍ତ ଗୁରୁତ୍ୱର ସହ ଲକ୍ଷ୍ୟ କରୁଥିବା ଦେଖାଯାଉଛି। ସେ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ହେଉ କି ଶ୍ରେଷ୍ଠ ପ୍ରଶାସକର ସମ୍ମାନ, ଏସବୁ ଓଡ଼ିଶାବାସୀଙ୍କୁ ଖୁସି ଦେଉଛି। ମାତ୍ର ନବୀନଙ୍କ ବ୍ୟକ୍ତିତ୍ୱକୁ ଜାତୀୟ ରାଜନୀତିରେ ସମସ୍ତେ ଏହାଠାରୁ ଢେର୍ ଉପରେ ହିଁ ଦେଖୁଛନ୍ତି।

ଯଦିଓ ନିକଟରେ ତେଲେଙ୍ଗାନା ରାଷ୍ଟ୍ର ସମିତିର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଜାତୀୟ ରାଜନୀତିକୁ ଯିବା ଲାଗି ମନ ବଳାଇଛନ୍ତି ଓ ଆଞ୍ଚଳିକ ଦଳମାନଙ୍କୁ ନେଇ ଫେଡେରାଲ ଫ୍ରଣ୍ଟ ଗଠନ ଲାଗି ପ୍ରକ୍ରିୟା ଆରମ୍ଭ କରିଦେଲେଣି, ଅସଲରେ କିନ୍ତୁ ନବୀନ ହିଁ ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ନୂଆଦିଲ୍ଲୀର ନଜରରେ ଅଛନ୍ତି। ସେ ଜାତୀୟ ରାଜନୀତିକୁ ଯିବେ ନାହିଁ ଓ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଲୋକଙ୍କ ସେବା କରିବେ ବୋଲି ସୂଚାଇଛନ୍ତି। ତା ସତ୍ତ୍ୱେ ଜାତୀୟ ଦଳର ନେତାମାନେ ତାଙ୍କୁ ଛାଡି କିଛି କଳ୍ପନା କରିପାରୁନାହାନ୍ତି। ସେ ଏନ୍‌ଡିଏ ହେଉ କି ଉପା ଅଥବା ତଥାକଥିତ ରାଓଙ୍କ ଫେଡେରାଲଫ୍ରଣ୍ଟ – ଏ ସମସ୍ତଙ୍କ ଏଜେଣ୍ଡା ଭିତରେ ହିଁ ନବୀନ ଅଛନ୍ତି। ଗତ କିଛି ବର୍ଷ ଧରି ନବୀନ ନିବାସରେ କେନ୍ଦ୍ରୀୟ ନେତାଙ୍କ ଭିଡ ଏମିତି କିଛି ସୂଚାଉଛି।

୨୦୧୨ ମସିହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଅଧିକ ବଳିଷ୍ଠ ଓ ବିଶିଷ୍ଟ ଭାବେ ପରିଚିତ କରିଛି। ତାଙ୍କ ନେତୃତ୍ୱକୁ ଅପହରଣ କରିନେବା ଲାଗି ରାଜ୍ୟରେ ଯେଉଁ ଷଡ଼ଯନ୍ତ୍ର ହୋଇଥିଲା, ସେ ତାହାକୁ ପ୍ରତିହତ କରିଥିଲେ। ସାଧାରଣ ଲୋକଙ୍କ ଭଲପାଇବାର ଏକ ସ୍ୱତନ୍ତ୍ର ଉଦାହରଣ ସେଦିନ ଦେଖିବାକୁ ମିଳିଥିଲା। ସମାନ୍ତରାଳ ଭାବରେ ଜାତୀୟ ରାଜନୀତିରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍ ସେ ସମୟରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରକୁ ବି ଅଣନିଶ୍ୱାସୀ କରି ପକାଇଥିଲା।

କଂଗ୍ରେସର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ଟକ୍କର ଦେବା ଲାଗି ଏନ୍‌ଡିଏ ପ୍ରାର୍ଥୀ ଖୋଜୁଥିବା ବେଳେ ନବୀନ ଭାରତର ନେତୃତ୍ୱ ନେଇ ସାମ୍ନାକୁ ଆସିଥିଲେ। ପୂର୍ବତନ ବାଚସ୍ପତି ପି ଏ ସାଙ୍ଗମାଙ୍କୁ ପ୍ରାର୍ଥୀ କରି ଜାତୀୟସ୍ତରରେ ଭିନ୍ନ ଏକ କାର୍ଡ ଖେଳିଥିଲେ ନବୀନ, ଯାହାକୁ ସେ ସମୟରେ ବିଜେପି ସମେତ ଏନ୍‌ଡିଏର ଅନ୍ୟ ସହଯୋଗୀ ଦଳ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲେ। ଶ୍ରୀ ସାଙ୍ଗମା ହାରିଲେ ସତ, ମାତ୍ର ରାଷ୍ଟ୍ରପତି ନିର୍ବାଚନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ବିଜେଡି ଭଳି ଏକ ଆଞ୍ଚଳିକ ଦଳ ରଣନୀତି ନିର୍ଦ୍ଧାରଣ କରିବା ସାମାନ୍ୟ ଲାଗୁଥିଲେ ବି ଇତିହାସରେ ଥିଲା ପ୍ରଥମ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଅନେକ ରାଜ୍ୟ ରାଜନୀତିରେ ବିଜେପି କମ୍ପନ ସୃଷ୍ଟି କରିଛି। ଏକଦା ମୋଦିଙ୍କ ନେତୃତ୍ୱକୁ ବିରୋଧ କରିବାକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍‌ଡିଏରୁ ଓହରି ଯାଇଥିଲେ। ମାତ୍ର ମୋଦିଙ୍କ ରଣନୀତିରେ ନୀତିଶ ଏମିତି ଛନ୍ଦି ହୋଇଗଲେ ଯେ ରାଜ୍ୟ ସ୍ୱାର୍ଥରେ ଖାଇଥିବା ରାଣକୁ ବାଜି ଲଗାଇବାକୁ ବାଧ୍ୟ ହୋଇଥିଲେ। ବିହାର ରାଜନୀତିରେ କିଭଳି ପରିବର୍ତ୍ତନ ଘଟିଲା, ସ୍ଥାନୀୟ ଲୋକେ ତାହାକୁ କିଭଳି ଦୃଷ୍ଟିରେ ଗ୍ରହଣ କଲେ, ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତର ଆଗଧାଡିର ଜଣେ ନେତା ନୀତିଶ କୁମାର ଯେଉଁଭଳି ପ୍ରଧାନମନ୍ତ୍ରୀଙ୍କ ଶରଣ ନେଲେ ତାହା ସବୁ ଦିନ ପାଇଁ ରାଜନୀତି ଇତିହାସର ଅଂଶବିଶେଷ ହୋଇ ରହିବ।

କେବଳ ନୀତିଶ ନୁହନ୍ତି, ପ୍ରଚଣ୍ଡ ସ୍ୱାଭିମାନର ବ୍ୟକ୍ତିତ୍ୱ ମାନିକ ସରକାରଙ୍କୁ ବି ଶାସନରୁ ଦୂରେଇ ଦେବାରେ ମୋଦି ବାହିନୀ – ସକ୍ଷମ ହୋଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅତୀତରେ ତାଙ୍କର ସମସ୍ତ ରଣନୀତି ବସ୍ତୁତଃ ବିଫଳ ହୋଇଛି।

ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ନବୀନଙ୍କ ସରଳ ଜୀବନଯାପନର ବିକଳ୍ପ ଭାରତବର୍ଷ ରାଜନୀତିରେ ଅଦ୍ୱିତୀୟ। କେବଳ ସେତିକି ନୁହେଁ, ରାଜ୍ୟ ସ୍ୱାର୍ଥ ପାଇଁ ସକ୍ଷମ ମତେ ଲାଗିରହିବା ଦିଗରେ ତାଙ୍କର ପ୍ରତିବଦ୍ଧତା ଭାରତୀୟ ରାଜନୀତିରେ ଆଜି ଓ ଭବିଷ୍ୟତ ପାଇଁ ଉଦାହରଣ ହୋଇରହିବ। ମନରେ ଦୃଢତା, ପ୍ରତିବଦ୍ଧତା, ସଂକଳ୍ପ ଯେତିକି, ହୃଦୟରେ ଆବେଗ, ଆପଣାର ଭାବ ବି ସେତିକି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଯେତିକି କଠୋର, ଭଲ କାମକୁ ପ୍ରଶଂସା କରିବାରେ ସାହସ ତା’ଠାରୁ ଅଧିକ। ତେଣିକି ସେ ନିଜର ଅନୁଗତ ହୁଅନ୍ତୁ କି ବିରୋଧୀ ରାଜନୈତିକ ଶକ୍ତିର ସଂସଦରେ ବିଲ୍ ଉପସ୍ଥାପନ କଥା ହେଉା ଏକଥା ଆଉ କିଏ ବୁଝୁ କି ନ ବୁଝୁ, ଓଡ଼ିଶାବାସୀ ଭଲଭାବେ ବୁଝିଛନ୍ତି ଓ ଅନ୍ୟ ନେତାଙ୍କୁ ବି ବୁଝାଇବା ଲାଗି ଯଥେଷ୍ଟ ସଙ୍କେତ ଦେଇଛନ୍ତି।

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ରାଜ୍ୟ ସରକାରଙ୍କ ସଙ୍କେତକୁ କେନ୍ଦ୍ର ଗ୍ରହଣ କରିଛି। ଗୁରୁତ୍ୱପୂର୍ଣ୍ଣ ବିଲ୍ରେ ନବୀନଙ୍କ ଆଭିମୁଖ୍ୟକୁ ଅନେକ ଆଞ୍ଚଳିକ ଦଳ ବିଭିନ୍ନ ସମୟରେ ଅପେକ୍ଷା କରିଛନ୍ତି। ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଓ ସ୍ଥଳବିଶେଷରେ ସମର୍ଥନ କରିବାର ଦୁଃସାହସ ଅନ୍ୟ ଆଞ୍ଚଳିକ ଦଳକୁ ଅକଳରେ ପକାଇ ଦେଇଛି। ଓଡ଼ିଶାରେ ବିଜେପି ସହିତ ପ୍ରତ୍ୟକ୍ଷ ଲଢେଇ (ବିଜେପୁର ଉପନିର୍ବାଚନ)ରେ ଭାଗ ନେଇ ବି ସମାନ୍ତରାଳ ଭାବେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକ କରି ନିଜର ସମାଲୋଚକଙ୍କୁ ଚୁପ୍ କରିବାରେ ସକ୍ଷମ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ବସିବା ସହିତ ମୋଦିଙ୍କ କଠୋର ସମାଲୋଚକ ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କୁ ପାଖରେ ବସାଇ ସଭା କରିବାର ସାହସ ଦେଖାଇଛନ୍ତି ନବୀନ। ରାଜନୀତି-ବିଦ୍ୱାନ ନବୀନ ତେଣୁ ବିରୋଧୀଙ୍କୁ ପ୍ରତିଥର ଚମକାଇ ଆସିଛନ୍ତି।

ଖୋଦ୍ ପ୍ରଧାନମନ୍ତ୍ରୀ ବି ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି ଏକଥା ରାଜନୈତିକ ମହଲକୁ ଅଛପା ନାହିଁ। ରାଜନୈତିକ ଗୋଟିଚାଳନାରେ ନବୀନଙ୍କ ପାରଦର୍ଶିତା ମୋଦିଙ୍କୁ ଅଭିଭୂତ କରିଛି। ବିଜେପି ଶାସିତ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ, ଗୁଜୁରାଟ ସରକାର-ବିରୋଧୀ ସ୍ୱର ତେଜିବାରେ ଲାଗିଛି। ହେଲେ ଓଡ଼ିଶାରେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ନବୀନଙ୍କ ବିରୋଧରେ କାହିଁକି କୌଣସି ସ୍ୱର ଶୁଣାଯାଉ ନାହିଁ ଏକଥା ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ସରକାରର ପ୍ରଥମ ତିନିବର୍ଷ ଧରି ତୁ ତୁ ମେଁ ମେଁ ହେବା ପରେ ସମ୍ଭବତଃ ମୋଦି ନବୀନଙ୍କ ସହିତ ସଂପର୍କକୁ ଆଉ ତିକ୍ତ କରିବାକୁ ଚାହୁଁନାହାନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ଏସବୁଠାରୁ ବଡ଼ କଥା ହେଲା, ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ ବାସ୍ତବବାଦୀ କରିବା ଲାଗି ନିକଟରେ ରାଷ୍ଟ୍ରପତି ଭବନରେ ନବୀନଙ୍କ ପରାମର୍ଶ ସମସ୍ତଙ୍କ ଆଖି ଖୋସି ଦେଇଛି। ସମ୍ବିଧାନ ସଂଶୋଧନ କରି ଏହାର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡିବା ଲାଗି ନବୀନଙ୍କର ପରାମର୍ଶ ଗତ ୭ ଦଶନ୍ଧି ଭିତରେ ବି କାହା ମୁଣ୍ଡକୁ ଢୁକି ନଥିଲା। ଏହାଦ୍ୱାରା ଦେଶ ମହାତ୍ମା ଗାନ୍ଧୀଙ୍କ ପ୍ରତି କେବଳ ବିଶ୍ୱାସ ପ୍ରକଟିତ କରିବ ତା’ ନୁହେଁ, ସମଗ୍ର ବିଶ୍ୱରେ ଭାରତକୁ ଶାନ୍ତିପ୍ରିୟ ରାଷ୍ଟ୍ର ଭାବେ ପରିଗଣିତ କରିବା ଲାଗି ବୈଦେଶିକ ମନ୍ତ୍ରାଳୟ ସମେତ କୁଟନୀତିଜ୍ଞମାନଙ୍କୁ ସାହସ ଯୋଗାଇବ। ପାକିସ୍ତାନ, ଚୀନ ଭଳି ରାଷ୍ଟ୍ର ବିରୋଧରେ ବିଶ୍ୱ ସମୁଦାୟକୁ ଏକାଠି କରିବା ଲାଗି ଏହାଠାରୁ ଆଉ ବଡ଼ ଅସ୍ତ୍ର ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ପାଖରେ ଆଉ କିଛି ନାହିଁ।

ରାଜ୍ୟ ବିଜେପି ନେତାମାନେ କଥାକଥାକେ ନବୀନଙ୍କୁ ତିରସ୍କାର କରୁଥିବା ବେଳେ ମୋଦିଙ୍କ ନେତୃତ୍ୱାଧୀନ ସରକାର ନବୀନଙ୍କ ଶ୍ରେÂତ୍ୱକୁ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ଦେଇ ଚାଲିଛନ୍ତି।  ଜାତୀୟ ରାଜନୀତିରେ ରହି କ୍ଷମତା ହାତେଇବା ପରିବର୍ତ୍ତେ ସମ୍ଭବତଃ ନବୀନ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଓଡ଼ିଶା ହିଁ ଦେଶର ନେତୃତ୍ୱ ନେବା ସ୍ଥିତିକୁ ଆସିଲାଣି – ଏଭଳି ସଙ୍କେତ ଦେଇଛନ୍ତି। ଏକ ପ୍ରଭାବୀ ଆଞ୍ଚଳିକ ଦଳ ଓ ଜାତୀୟ ରାଜନୀତିକୁ ନେତୃତ୍ୱ ଦେବା ପ୍ରବାଦପୁରୁଷ ବିଜୁବାବୁଙ୍କ ସ୍ୱପ୍ନର ନିଶ୍ଚିତ ଏକ ଅଂଶ ଥିଲା, ଏକଥା ସମସ୍ତେ ଅଳ୍ପବହୁତେ ସ୍ୱୀକାର କରିବେ।

(ସୌଜନ୍ୟ: ଧରିତ୍ରୀ)

Comment