ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓବାଦୀଙ୍କ ଭୟ ଏବଂ ପୋଲିସର ନାଲିକୋଠା ଧମକରେ ସନ୍ତୁଳି ହେଉଛନ୍ତି ମାଓ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର କୁରୁବ ଗାଁର ଲୋକେ।

ଗୋଟିଏ ପଟେ ଲାଲବାହିନୀର ନାଲିଆଖି। ଅନ୍ୟପଟେ ପୋଲିସ ଭୟ। ଏମିତି ଦୁର୍ବିସହ ଜୀବନ ଜୀଉଁଛନ୍ତି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୁରୁବ ଗ୍ରାମର ଅଧିବାସୀ। ମାଓବାଦୀଙ୍କୁ ସମର୍ଥନ କଲେ ପୋଲିସ ପାହାର ସହ ମିଛ ମାମଲା ଏବଂ ପୋଲିସର ସାଥ୍ ଦେଲେ ଲାଲବାହିନୀର ବନ୍ଧୁକ ଭୟରେ ଗ୍ରାମବାସୀ ଦୋଛକିରେ ପଡ଼ିଛନ୍ତି। ଉପାୟଶୂନ୍ୟ ହୋଇ ଭିଟାମାଟି ଛାଡ଼ିବାକୁ ସଜ ହେଉଛନ୍ତି ଗ୍ରାମବାସୀ।

ମାଲକାନଗିରିର ଉପାନ୍ତ ଅଞ୍ଚଳରେ ପ୍ରତିଦିନ ମାଓବାଦୀ ଓ ପୋଲିସ ମଧ୍ୟରେ ଲାଗି ରହୁଛି ଛକାପଞ୍ଝା। କେତେବେଳେ ପୋଲିସ ତ ଆଉ କେତେବେଳେ ମାଓବାଦୀଙ୍କ ଗୁଳିରେନିରୀହ ଲୋକଙ୍କ ଜୀବନ ଯାଉଛି। କେବଳ କୁରୁବ ଗ୍ରାମ ନୁହେଁ, ମାଲକାନଗିରିର ଏମିତି ଅନେକ ଗାଁ ଅଛି ଯେଉଁଠି ଲୋକେ ଭୟରେ ଜୀବନ ବିତାଉଛନ୍ତି।

ମାଓବାଦୀ ଦମନ ପାଇଁ ସରକାର ଅନେକ ଯୋଜନା କରୁଥିବା କହୁଛନ୍ତି। ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ମାଓବାଦୀଙ୍କ ଗତିବିଧି ଉପରେ ସୂଚନା ଦେବା ପାଇଁ ପୋଲିସ ସ୍ଥାନୀୟ ଲୋକଙ୍କୁ ହାତବାରିସି କରୁଛି। କିନ୍ତୁ ଏସବୁ କାମ କରୁଥିବା ଲୋକଙ୍କୁ ପ୍ରଶାସନ ପ୍ରତିଶ୍ରୁତି ମୁତାବକ ସୁରକ୍ଷା ଦେଇପାରୁନି। ଫଳରେ ଅକାରଣରେ ନିରୀହ ଲୋକଙ୍କୁ ଜୀବନ ଯାଉଛି।

ମାଓ କାର୍ଯ୍ୟକଳାପରୁ ଯେଉଁମାନେ ଓହରି ଯାଇ ପ୍ରଶାସନ ପାଖରେ ଆତ୍ମ ସମର୍ପଣ କରୁଛନ୍ତି ସେମାନଙ୍କ ଦେହରେ ବାଜୁଛି ମାଓବାଦୀ ଗୁଳି। ଆଉ ଯେଉଁମାନେ ଅନ୍ୟ ଉପାୟ ନପାଇ ମାଓବାଦୀଙ୍କ ସପକ୍ଷରେ ଯାଉଛନ୍ତି ସେମାନଙ୍କୁ ମିଳୁଛି ପୋଲିସର ଅକଥନୀୟ ନିର୍ଯାତନା। ଜିଲାବାସୀଙ୍କ ସୁରକ୍ଷା ଚିନ୍ତା ପ୍ରଶାସନ କରୁଥିବା ସବୁବେଳେ କୁହାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି ଏଠାରେ।

ମାଓବାଦୀମାନେ ସିଧା ସଳଖ ଚେତାବନୀ ଦେଇଛନ୍ତି ଯେ ଲାଲବାହିନୀକୁ ସମର୍ଥନ ନଜଣାଇଲେ ପ୍ରଜାକୋର୍ଟର ନିଷ୍ପତ୍ତି ଅନୁସାରେ ଦଣ୍ଡ ବିଧାନ ହେବ। ଏଥିରେ ଭୟଭୀତ ହୋଇ ଗୁହାରି ଜଣାଇଛନ୍ତି ଜିଲାର କାଲିମେଳା ଥାନା ଅନ୍ତର୍ଗତ କୁରୁବ ଗ୍ରାମର ଲୋକେ। କିନ୍ତୁ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ।

୨୦୧୭ ମାର୍ଚ୍ଚ ୧୯ ତାରିଖ। କୁରୁବ ଗ୍ରାମର ଶତାଧିକ ଗ୍ରାମବାସୀ ମାଲକାନଗିରି ପୋଲିସ ନିକଟକୁ ଆସି ଆତ୍ମସମର୍ପଣ କରିଥିଲେ। ହେଲେ ଏହା ତାଙ୍କୁ ମହଙ୍ଗା ପଡ଼ିଥିଲା। ଏଥିପାଇଁ ଅକ୍ଟୋବର ୭, ୨୦୧୭ରେ ଗରିଲା ବାହିନୀର ପ୍ରଜାକୋର୍ଟରେ ଜଣଙ୍କର ମୁଣ୍ଡ ଗଡ଼ିଥିଲା। ଏତିକିରେ ସରି ନଥିଲା ଲାଲବାହିନୀର କୋପ।

୨୦୧୮ ଜାନୁଆରୀ ୭ରେ ଲାଲବାହିନୀ ଦୁଇ ପରିବାରକୁ ଗ୍ରାମରୁ ବିତାଡ଼ିତ କରିଦେଲେ। ଏହାପରେ ସମ୍ପୂର୍ଣ୍ଣ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି।  ମାଓବାଦୀଙ୍କ ଭୟରେ ଲୋକେ ଜୀବନ କାଟୁଥିବା ବେଳେ ପୋଲିସ ଆରମ୍ଭ କରିଥିଲା ନିର୍ଯାତନା।

କୁରୁବ ଗ୍ରାମର କେତେଜଣ ଯୁବକଙ୍କୁ ମାଓବାଦୀ ଦର୍ଶାଇ ଏବଂ ମାଓବାଦୀଙ୍କୁ ସମର୍ଥନ କରୁଥିବା କହି ପୋଲିସ ଟେକି ନେଇଥିଲା। ଅନେକ ବାର ନିର୍ଯାତନା ଦେବା ପରେ ଯୁବକମାନଙ୍କୁ ଜେଲ ମଧ୍ୟ ପଠାଇ ଦେଇଥିଲା। ଏହି ଘଟଣା ପରେ ପୋଲିସ ସହ ଗ୍ରାମର ଯୁବକମାନଙ୍କର ସମ୍ପର୍କ ଥିବା ଲାଲବାହିନୀ ଅଭିଯୋଗ କରିଥିଲା। ଏହାକୁ ଗ୍ରାମବାସୀ ଖଣ୍ଡନ କରିଥିଲେ। ପୋଲିସ କିମ୍ବା ମାଓବାଦୀଙ୍କ ସହ କୌଣସି ସମ୍ପର୍କ କାହାର ନାହିଁ ବୋଲି ଗ୍ରାମର ଗଙ୍ଗା ମାଢି, ଆନ୍ଧା ମାଢି, ଇର୍ମା ମାଢି, ଗଙ୍ଗା ମାଢି(୨) ଗଙ୍ଗା କବାସି, ଦୁଲା ମାଡ଼କାମି ଏବଂ ଭିମା ମାଢ଼ି ପ୍ରମୁଖ କହିଛନ୍ତି। ଏନେଇ କୁରୁବ ଗ୍ରାମରେ ଏକ ବୌଠକ ମଧ୍ୟ ହୋଇଛି।

ଗୋଟିଏ ପଟେ ମାଓବାଦୀଙ୍କ ଭୟ ଅନ୍ୟପଟରେ ପୋଲିସର ନାଲି କୋଠା ଦେଖାଇବାର ଧମକରେ ସନ୍ତୁଳି ହେଉଛନ୍ତି ଗ୍ରାମବାସୀ। ଏହାସହ ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇଛି। ଦୋଛକିରେ ଏମାନେ ଜୀବନ ବିତାଉଥିବା ବେଳେ ନିଜର ଭାତ ହାଣ୍ଡି ବଞ୍ଚାଇବାକୁ ଗ୍ରାମବାସୀଙ୍କୁ ଅନେକ ସମୟରେ ଜୀବନ ଦେବାକୁ ପଡ଼ୁଛି।

Comment