ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନରେ ପୁରୀରୁ ଲଢ଼ିବା ପ୍ରସଙ୍ଗରେ ମତ ଦେଇ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏଯାଏଁ ଆସନ ସ୍ଥିର ହୋଇନି।

୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ଲଢିପାରନ୍ତି ବୋଲି ଗତ କିଛିଦିନ ହେଲା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଶନିବାରଦିନ ଏପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା।

ଶାହା କହିଛନ୍ତି, “ମୋଦି ଦେଶସାରା ବୁଲୁଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଆସନ୍ତା ନିର୍ବାଚନରେ ପ୍ରଧାନମନ୍ତ୍ରୀ କେଉଁଠୁ ଲଢ଼ିବେ ତାହା ଏଯାଏଁ ସ୍ଥିର ହୋଇନି”।

୨୦୧୪ରେ ଉତ୍ତରପ୍ରଦେଶର ବାରଣାସୀରୁ ଲୋକସଭା ନିର୍ବାଚନ ଲଢ଼ିଥିବା ମୋଦି, ୨୦୧୯ରେ ଓଡ଼ିଶାର ପୁରୀରୁ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟରେ ଜୋରଦାର ଚର୍ଚ୍ଚା ହେଉଛି। ବିଜେପି ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ଓଡ଼ିଶାରେ ବିଜେପି ସଙ୍ଗଠନକୁ ମଜଭୁତ କରିବା ତଥା ଆଗାମୀ ନିର୍ବାଚନରେ ବିଜେପିକୁ ଅଧିକ ଆସନରେ ଜିତାଇବାକୁ ଲକ୍ଷ୍ୟ ରଖିଛି ବିଜେପି।

ବାରଣାସୀରୁ ନିର୍ବାଚନ ଲଢ଼ିଥିଲେ ମୋଦି। ଉତ୍ତର ପ୍ରଦେଶରେ ବିଜେପି ବଡ଼ ବିଜୟ ହାସଲ କରିବାରେ ଏହା ସହାୟକ ହୋଇଥିଲା। ଏଥର ଓଡ଼ିଶାରେ ସେହି ଫର୍ମୁଲା ପକାଇବାକୁ ମସୁଧା କରୁଛି ବିଜେପି। ସେଥିପାଇଁ ବିଜେପିର ବହୁ ହେଭିୱେଟ୍ ନେତା ବାରମ୍ବାର ଓଡ଼ିଶା ଆସୁଥିବାର ଲକ୍ଷ୍ୟ କରାଯାଉଛି।

କେନ୍ଦ୍ର ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ରଖିବାକୁ ଶନିବାର ଓଡ଼ିଶା ଆସୁଛନ୍ତି ମୋଦି। ୨୦୧୪ରେ ଓଡିଶାରୁ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ପୂର୍ବ ଭାରତ ଦଖଲର ଲକ୍ଷ୍ୟ ରଖିଛି।

Comment