ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାନଦୀକୁ ବିଜେଡି ଅସ୍ତ୍ର କରିଥିବା ବେଳେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦି।

“ମହାନଦୀକୁ ନେଇ ଅଯଥାରେ ବିବାଦ ତିଆରି କରାଯାଉଛି। ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଡାକିଥିଲେ। ହେଲେ ଓଡ଼ିଶା ସରକାର ପଛଘୁଞ୍ଚା ଦେଲେ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମହାନଦୀ ବିବାଦ ସମାଧାନ ପାଇଁ ଆପୋଷ ଆଲୋଚନା କରିବାକୁ ଚିଠି ଲେଖିଲେ। କିନ୍ତୁ ଚିଠିର ଉତ୍ତର ମିଳିଲା ନାହିଁ। ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଆଗଭର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ପଛେଇ ଯାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି”, କଟକ ବାଲିଯାତ୍ରା ପଡ଼ିଆରେ ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନରେନ୍ଦ୍ର ମୋଦି।

ଚାରି ବର୍ଷର ହିସାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଟକ ଗସ୍ତରେ ଆସିଥିଲେ। କିଲା ପଡ଼ିଆରେ ହୋଇଥିବା ଜନକଲ୍ୟାଣ ସମାବେଶରେ ମହାନଦୀ ପ୍ରସଙ୍ଗରେ ସିଧାସଳଖ ନିଜ ଷ୍ଟାଇଲରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ମହାନଦୀ ବିବାଦ ପାଇଁ ଓଡ଼ିଶା ସରକାରଙ୍କୁ ଦାୟୀ କଲେ ମୋଦି।

ମୋଦି କହିଥିଲେ ଯେ ମହାନଦୀର ଅଧାରୁ ଅଧିକ ପାଣି ସମୁଦ୍ରକୁ ଚାଲି ଯାଉଥିବା ନିଜେ ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି। ଏପର୍ଯ୍ୟନ୍ତ ମହାନଦୀର ପାଣିକୁ ସଂରକ୍ଷରି କରି ରଖାଯାଇ ପାରିଲା ନାହିଁ। ମହାନଦୀ ପାଣି ଲୋକଙ୍କ ପାଖରେ ପହଞ୍ଚାଇବାରେ ରାଜ୍ୟ ସରକାର ବିଫଳ। କେବଳ ମହାନଦୀ ନୁହେଁ, ଓଡ଼ିଶାର ୫ଟି ପ୍ରମୁଖ ନଦୀର ପାଣି ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିପାରି ନାହିଁ। ଚାଷଜମିକୁ ପାଣି ମାଡ଼ିପାରୁ ନାହିଁ।

ଚାଷ ଓ ଚାଷୀଙ୍କର ବିକାଶ କଥା କେବଳ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ରାଜ୍ୟ ସରକାର ଆଦୌ ଏଥିପ୍ରତି ଚିନ୍ତିତ ନୁହନ୍ତି। ଚାଷୀଙ୍କ ପାଇଁ ଫସଲବୀମା, ସିଞ୍ଚାଇ ଯୋଜନା କରି ଚାଷୀଙ୍କୁ ବିକାଶ ଧାରାରେ ସାମିଲ କରାଯାଇଛି ବୋଲି ମୋଦି କହିଛନ୍ତି।

ଏହାସହ ମୋଦି ଜଳସେଚନ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ହମଲା କରିଛନ୍ତି। ୨୦ ବର୍ଷ ତଳେ ଲୋ଼ୟର ଇନ୍ଦର ପ୍ରକଳ୍ପ କାମ ଆରମ୍ଭ ହୋଇଛି। ହେଲେ ତାହା ଏପର୍ଯ୍ୟନ୍ତ କାହିଁକି ଶେଷ ହୋଇପାରିଲା ନାହିଁ ମୋଦି ପ୍ରଶ୍ନ କରିଛନ୍ତି।

ତିନି ବର୍ଷ ହେଲା ମହାନଦୀ ପ୍ରସଙ୍ଗକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ସରକାର ମୁହାଁମୁହିଁ ହୋଇଛନ୍ତି। ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଏକାଧିକ ପ୍ରକଳ୍ପ ନିର୍ମାଣ କରିଥିବାରୁ ଓଡ଼ିଶାର ୧୫ଟି ଜିଲ୍ଲାରେ ଜଳସଙ୍କଟ ଦେଖାଦେଇଛି। ବିବାଦ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ବିଭିନ୍ନ ସାମାଜିକ ସଙ୍ଗଠନ ଏବଂ ଅନ୍ୟ ରାଜନୀତିକ ଦଳ ମଧ୍ୟ ମହାନଦୀ ପ୍ରସଙ୍ଗ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ହେଲେ ପ୍ରଧାନମନ୍ତ୍ରୀ ସମୟ ଦେଇ ନଥିଲେ।  ଏହାକୁ ନେଇ ଶାସକ ବିଜେଡି ଓଡ଼ିଶାରେ ମହାନଦୀ ସୁରକ୍ଷା ଅଭିଯାନ ନାଁରେ ଆନ୍ଦୋଳନ କରିଛି। ମୋଦି କଟକ ଆସିବାର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ପାରାଦୀପରେ ଏହି ଅଭିଯାନର ଉଦଯାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଛନ୍ତି।

ମହାନଦୀ ସୁରକ୍ଷା ଅଭିଯାନ ଶେଷ ହେବାର ଦିନକ ପରେ ମୋଦି ମହାନଦୀ ପଠାରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଏବଂ ନବୀନଙ୍କ ନାଁ ନନେଇ ମୋଦି ମହାନଦୀ ବିବାଦ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି।

Comment