ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୋଲିସ ଓ ୟୁନିସେଫ୍‌ର ମିଳିତ ସହଯୋଗରେ ଆଜିଠୁ ସାରା ରାଜ୍ୟରେ ବୁଲିବ ‘ପରୀ ଏକ୍ସପ୍ରେସ’।

ଶିଶୁ ଯୌନ ନିର୍ଯାତନା ରୋକିବାକୁ ଆଜିଠୁ ସାରା ରାଜ୍ୟରେ ଗଡ଼ିଛି ‘ପରୀ ଏକ୍ସପ୍ରେସ୍’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ୧୫ଟି ‘ପରୀ ଏକ୍ସପ୍ରେସ’ ସାରା ରାଜ୍ୟରେ ବୁଲି ଶିଶୁ ଯୌନ ନିର୍ଯାତନ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଇବ।

ଓଡିଶା ପୋଲିସ ଓ ୟୁନିସେଫ୍‌ର ମିଳିତ ସହଯୋଗରେ ଆରମ୍ଭ ହୋଇଛି ‘ପରୀ ଏକ୍ସପ୍ରେସ୍’। ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଜରିଆରେ ଗାଁ ଗାଁରେ ବୁଲିବ ଏହି ଏକ୍ସପ୍ରେସ୍। ଗୀତ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯିବ। କୁନି ଝିଅଟିଏ କିଭଳି ସୁରକ୍ଷିତ ଭାବରେ ବଡ଼ ହେବ ସେ ନେଇ ଲୋକଙ୍କୁ ସଚେତନ କରାଯିବ।

ରାଜ୍ୟରେ ଦିନକୁ ଦିନ ଶିଶୁ ଯୌନ ନିର୍ଯାତନା ବୃଦ୍ଧି ପାଉଥିବାରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି ରାଜ୍ୟ ପୋଲିସ।

ସୋମବାର ସକାଳ ୧୦ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଏହି ସଚେତନତା ରଥକୁ ଉଦଘାଟନ କରିଛନ୍ତି। ଭୁବନେଶ୍ଵର ଏଜି ଛକସ୍ଥିତ ଟ୍ରାଫିକ ଥାନା ପରିସରରେ ଏହି କାର୍ଯ୍ୟକ୍ରମରେ ଦୁଇଟି ପରୀ ରଥକୁ କଟକ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ୪ଟି ଜିଲ୍ଲା ପରିକ୍ରମା ପାଇଁ ପଠାଯାଇଛି।

୪ଟି ଜିଲ୍ଲାର ନୋଡ଼ାଲ ଅଫିସର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ପରିକ୍ରମା ଆରମ୍ଭ କରିଛନ୍ତି। ‘ପରୀ ପାଇଁ କଥା ଟିଏ’ର ସଙ୍ଗୀତକୁ କଣ୍ଠଶିଳ୍ପୀ ଛନ୍ଦା ମିଶ୍ରଙ୍କ ଦ୍ୱାରା ପରିବେଷଣ କରାଯାଇଛି।

‘ପରୀ ଏକ୍ସପ୍ରେସ୍’ କାର୍ଯ୍ୟକ୍ରମ ମେ ୨୮ରୁ ଆରମ୍ଭ ହୋଇ ଜୁନ ୧୨ପର୍ଯ୍ୟନ୍ତ ଚାଲିବ।

Comment