ଓଡ଼ିଶାଲାଇଭ୍ ବ୍ୟୁରୋ

- ସମ୍ମାନ ଅଧିନରେ ନିର୍ମାଣ ହୋଇଛି ଗୋଷ୍ଠୀ ଶୌଚାଳୟ
- କଟକ ଘାସିଆ ସାହି ଶୌଚାଳୟକୁ ପୂରିଲା ବର୍ଷେ
- କଟକ-ଭୁବନେଶ୍ୱରରେ ୨୬ଟି ଗୋଷ୍ଠୀ ଶୌଚାଳୟ
- ଗୋଷ୍ଠୀ ଶୌଚାଳୟରେ ଉପକୃତ ହେଉଛନ୍ତି ଲୋକେ
କଟକ ଓ ଭୁବନେଶ୍ୱରରେ ବସବାସ କରୁଥିବା ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପ୍ରୋଜେକ୍ଟ ସମ୍ମାନ ଅଧିନରେ ଖୋଲାଯାଇଛି ଗୋଷ୍ଠୀ ଶୌଚାଳୟ। ଏହି ଗୋଷ୍ଠୀ ଶୌଚାଳୟ ଝିଅ, ବୋହୂଙ୍କ ପାଇଁ ବରଦାନ ପାଲଟିଛି।
କଟକର ଘାସିଆ ସାହିରେ ବର୍ଷେ ତଳେ ପ୍ରଥମ ଶୌଚାଳୟ ଖୋଲାଯାଇଥିଲା। ଏହି ଶୌଚାଳୟ ଆଖପାଖ ଅଞ୍ଚଳର ୪୦୦ ଲୋକଙ୍କୁ ଉନ୍ନତମାନର ପରିମଳସେବା ପ୍ରଦାନ କରିଆସୁଛି। ଏହି ଶୌଚାଳୟକୁ ବର୍ଷେ ପୂରିଛି।
“ପ୍ରୋଜେକ୍ଟ ସମ୍ମାନ ହେଉଛି ଏକ ଅଭିନବ ପରିମଳ ପ୍ରକଳ୍ପ। ଗୋଷ୍ଠୀ ଶୌଚାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱରେ ସାହିର ଲୋକମାନଙ୍କୁ ସାମିଲ କରାଯାଇଛି। କଟକରେ ଏହି ପ୍ରକଳ୍ପ ସଫଳତା ହାସଲ କରିଛି। ଲୋକମାନେ ଏଥିରେ ଉପକୃତ ହେଉଛନ୍ତି”, କହିଛନ୍ତି କଟକ ମହାନଗର ନିଗମ ମେୟର ବିକାଶ ମହାପାତ୍ର।
ବର୍ତ୍ତମାନ କଟକ ଏବଂ ଭୁବନେଶ୍ୱରରେ ୨୬ଟି ଗୋଷ୍ଠି ଶୌଚାଳୟ ଚାଲୁଛି। କଟକରେ ୧୦ଟି ରହିଥିବା ବେଳେ ଭୁବନେଶ୍ୱରରେ ୧୬ଟି ରହିଛି। ପ୍ରାୟ ୮୦୦୦ ନାଗରିକ ଏହି ଗୋଷ୍ଠୀ ଶୌଚାଳୟରୁ ଉପକୃତ ହେଉଛନ୍ତି।
ତିନି ଜଣ ଗୋଷ୍ଠୀ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ପରିଳନାକମିଟି ଦ୍ୱାରା ଗୋଷ୍ଠୀ ଶୌଚାଳୟ ପରିଚାଳିତହେଉଛି। ଏହି କମିଟିକୁ କୁହାଯାଉଛି ସମ୍ମାନ ୱାର୍ଡ ସାନିଟେସନ କମିଟି (ଡବ୍ଲୁଏସସି)। ଏହି ଡବ୍ଲୁଏସସି ମଧ୍ୟ ମ୍ୟୁନିସିପାଲିଟି ସହିତ ରାଜିନାମାପତ୍ର ସ୍ୱାକ୍ଷର କରି ବିଧିବଦ୍ଧ ଭାବରେଏହି ବ୍ୟବସ୍ଥାର ଦାୟିତ୍ୱ ଗ୍ରହଣ କରୁଛନ୍ତି।
ଶୌଚାଳୟ ନିର୍ମାଣ ପାଇଁ ବସ୍ତିବାସିନ୍ଦାଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ ସାଜୁଛି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରୋଜେକ୍ଟ ସମ୍ମାନ ପକ୍ଷରୁ ଭୁବନେଶ୍ୱର ଓ କଟକ ସହରର ଗରିବ ଲୋକମାନଙ୍କୁ ଉନ୍ନତମାନର ପରିମଳ ବ୍ୟବସ୍ଥା ଯୋଗାଇ ଦିଆଯାଉଛି।
“ଗତ କିଛିବର୍ଷ ମଧ୍ୟରେ ଆମେ କଟକ ଏବଂ ଭୁବନେଶ୍ୱରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିଛୁ। ଏହାକୁ ଲୋକମାନେ କେତେଦୂର ଗ୍ରହଣ କରୁଛନ୍ତି ସେନେଇ ଆମେ ତଥ୍ୟ ସଂଗ୍ରହ କରୁଛୁ। ହିତାଧିକାରୀମାନଙ୍କୁ କିପରି ଉନ୍ନତମାନର ପରିମଳ ସୁବିଧା ଯେଗାଇଦେବୁ ସେନେଇ ପ୍ରୟାସ ଜାରି ରଖିଛୁ। ଆଗାମୀ ଦିନରେ ଅନ୍ୟ ସହରରେ ଏହି ସୁବିଧା ଯୋଗାଇ ଦେବାକୁ ଆମେ ଲକ୍ଷ୍ୟ ରଖିଛୁ”, କହିଛନ୍ତି ସମ୍ମାନର ପ୍ରୋଜେକ୍ଟ ମ୍ୟାନେଜର ରଶ୍ମୀ ଭଟ୍ଟ।
ପ୍ରୋଜେକ୍ଟ ସମ୍ମାନ, ଆଂଶିକ ଭାବରେ ବିଲ୍ ଏବଂ ମେଲିଣ୍ଡାଗେଟ୍ସ ଫାଉଣ୍ଡେସନ (ବିଏମଜିଏଫ)ଠାରୁ ଆର୍ଥିକ ସହାୟତା ଲାଭ କରିଛି। ଭୁବନେଶ୍ୱରରେ ମୋଟ ୨୬ଟି ଓ କଟକରେ ମୋଟ ୩୨ଟି ଗୋଷ୍ଠୀ ଶୌଚାଳୟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନର ମୁଖ୍ୟ ଅଂଶିଦାର ହେଉଛନ୍ତି ଅବଦୁଲ ଲତିଫ୍ ଜମିଲ୍ ପଭର୍ଟି ଆକ୍ସନ ଲ୍ୟାବ୍, ସେଂଟର ଫର୍ ଆଡଭୋକେସି ଆଣ୍ଡ ରିସର୍ଚ୍ଚ ଏବଂ ତରୁ ଲିଡିଂ ଏଜ୍ ପ୍ରାଇଭେଟ ଲିମିଟେଡ। ଏହି ପାଇଲଟ ପ୍ରକଳ୍ପ ଭୁବନେଶ୍ୱର ଓ କଟକ ସଫଳ ହୋଇପାରିଛି।


















