ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ଆଜି ପହଞ୍ଚିଛନ୍ତି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି।

“କୋଟି କୋଟି ଭାରତୀୟ ମୋତେ ସାଧାରଣ ଲୋକରୁ ସେମାନଙ୍କ ପ୍ରଧାନ ସେବକ କରିଦେଇଛନ୍ତି। ସେମାନଙ୍କ ସେବା କରିବା ପାଇଁ ମୋତେ ସୁଯୋଗ ଦେଇଛନ୍ତି। ଭାରତୀୟଙ୍କ ପରି ଇଣ୍ଡୋନେସିଆ ନାଗରିକ ମଧ୍ୟ  ରାଷ୍ଟ୍ରପତି ବଡୋଡଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ଅବସରରେ ମୋଦି ଇଣ୍ଡୋନେସିଆ ନାଗରିକଙ୍କୁ ଭାରତ ଭ୍ରମଣରେ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଯେଉଁ ଇଣ୍ଡୋନେସିଆ ନାଗରିକମାନେ ଭାରତ ଆସିବାକୁ ଚାହିଁବେ ସେମାନଙ୍କୁ ୩୦ ଦିନ ପାଇଁ ନିଶୁଳ୍କ ଭିସା ଦିଆଯିବ ବୋଲି ମୋଦି ଘୋଷଣା କରିଛନ୍ତି।

ମୋଦି ଆହୁରି କହିଥିଲେ, ଚାରି ବର୍ଷ ଭିତରେ ମୁଁ ଯେଉଁ ଯେଉଁ ଦେଶକୁ ଯାଇଛି ସେଠାରେ ବସବାସ କରୁଥିବା ଭାରତୀୟମାନଙ୍କୁ ଭେଟିଛି। ଆଜି ଇଣ୍ଡୋନେସିଆରେ ଭାରତୀୟମାନଙ୍କୁ ଦେଖି ମୋତ ଖୁସି ଲାଗୁଛି। ଭାରତ ଏବଂ ଇଣ୍ଡୋନେସିଆ ଭିତରେ ଭଲ ସମ୍ପର୍କ ରହିଛି।

ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ବିଭାଗ ସହ ୧ଟି ପ୍ରସଙ୍ଗ ଉପରେ ବୁଝାମଣା ହୋଇଥିଲା।

ମସ୍‌ଜିଦ ଗଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାକର୍ତ୍ତାର ସବୁଠୁ ବଡ଼ ଇସ୍ତିକାଲ ମସ୍‌ଜିଦ ପରିଦର୍ଶନରେ ଯାଇଥିଲେ। ଇଣ୍ଡୋନେସିଆ ରାଷ୍ଟ୍ରପତି ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଏହାସହ ସେଣ୍ଟ୍ରାଲ ଜାକର୍ତ୍ତାସ୍ଥିତ କଳା-ସଂସ୍କୃତି କେନ୍ଦ୍ର ପରିଦର୍ଶନ କରିଥିଲେ। ମହାଭାରତ-ରାମାୟଣ ଥିମ୍ ଉପରେ ଆଧାରିତ ପତଙ୍ଗ ମହୋତ୍ସବକୁ ଉଦଘାଟନ କରିଥିଲେ ମୋଦି।

Comment