ଓଡ଼ିଶାଲାଇଭ୍ ବ୍ୟୁରୋ
- ଓଡ଼ିଶାରେ ପ୍ରଥମ
- ନାବାଳିକା ଗଣଦୁଷ୍କର୍ମ ମାମଲାରେ ଐତିହାସିକ ରାୟ
- ୨୧ ଦିନରେ ପୀଡ଼ିତାଙ୍କ ପରିବାରକୁ ମିଳିଲା ନ୍ୟାୟ
- ଦିନ ସାରା ଚାଲିଲା କୋର୍ଟ
- ରାତି ୧୦ଟାରେ ରାୟ ଶୁଣାଇଲେ ବିଚାରପତି
ବଦଳିଲା ବିଳମ୍ବିତ ନ୍ୟାୟର ଇତିହାସ। ନାବାଳିକା ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ହେଲା ନ୍ୟାୟପାଳିକା। ନାବାଳିକା ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଦିନ ସାରା ଚାଲିଲା କୋର୍ଟ। ଶେଷରେ ନାବାଳିକାଙ୍କ ପରିବାରକୁ ନ୍ୟାୟ ମିଳିଲା। ୫ ଦୁଷ୍କର୍ମକାରୀଙ୍କୁ ଆଜୀବନ ଜେଲ୍ ସମେତ ଜରିମାନା ଦଣ୍ଡାଦେଶ ଦେଇଛନ୍ତି ପକ୍ସୋ ସ୍ୱତନ୍ତ୍ର କୋର୍ଟ। ଏହି ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲାରେ।
ମେ ୨ତାରିଖରେ ସମ୍ବଲପୁର ଶାସନ ବଜାରରେ ଜଣେ ନାବାଳିକା ନିଜ ବନ୍ଧୁଙ୍କ ସହ କଥା ହେଉଥିଲେ। ଏହି ସମୟରେ ୫ ଜଣ ଯୁବକ ଆସି ନାବାଳିକାଙ୍କୁ ଭୟଭୀତ କରି ପାଖ ଜଙ୍ଗଲକୁ ନେଇଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ଆତ୍ମହତ୍ୟା ମଧ୍ୟ କରିଥିଲେ। ତ୍ୱରିତ ନ୍ୟାୟ ପାଇଁ ପରିବାର ଲୋକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୧ ଦିନ ପରେ ଅର୍ଥାତ୍ ଜୁନ୍ ୨ ତାରିଖରେ ନାକାଳିକାଙ୍କ ପରିବାରକୁ ନ୍ୟାୟ ମିଳିଛି।
ଜୁନ୍ ୨ ତାରିଖ ସକାଳ ୭ଟାରୁ ଚାଲିଥିଲା କୋର୍ଟ। ସମ୍ବଲପୁର ଫାଷ୍ଟଟ୍ରାକ୍ କୋର୍ଟରେ ରାତି ୧୦ଟାରେ ହୋଇଥିଲା ଶୁଣାଣି। ବିଚାରପତି ସନ୍ତୋଷ କୁମାର ପଣ୍ଡା ୧୪ ଘଣ୍ଟା ପରେ ୨୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଶୁଣାଇଥିଲେ ଐତିହାସିକ ରାୟ। ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ୫ ଅଭିଯୁକ୍ତ ଆଫଜଲ୍ ରାଜା, ଟିନୁ ସାହୁ, ହାଡୁ ପାଞ୍ଚଭାୟା, ଅଭିଳାଶ ପାଞ୍ଚଭାୟା, ଆଶୀର୍ବାଦ ବେହେରାଙ୍କୁ କୋର୍ଟ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହାସହ ଅଭିଯୁକ୍ତଙ୍କୁ ୫୦ ହଜାର ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦୁଷ୍କର୍ମ ଘଟଣାର ୧୫ ଦିନ ଭିତରେ ସମ୍ବଲପୁର ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା।