ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିବା ମାମଲାର ଶୁଣାଣି କରି ଦୋଷୀ ବିରୋଧରେ ସଜା ଶୁଣାଇଛନ୍ତି ଫୁଲବାଣୀ ପକ୍ସୋ କୋର୍ଟ। ପକ୍ସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଦୋଷୀକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୨ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲଦଣ୍ଡ ରହିଛି। ଏହା ବ୍ୟତୀତ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦୁଷ୍କର୍ମଚାରୀ ହେଲା ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳର ଗଣେଶ ବେହେରା ଦଳାଇ।

ଗତ ୨୦୨୦ ମସିହା ଜାନୁଆରି ୨୬ ତାରିଖରେ ଜଣେ ୫ ବର୍ଷ ଶିଶୁ କନ୍ୟା ଘର ସମ୍ମୁଖରେ ଖେଳୁଥିବାବେଳେ ଗଶେଶ ବେହେରା ଦଳାଇ ତାକୁ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିଲା। ପରେ ପୀଡ଼ିତାଙ୍କ ପରିବାର ଏ ନେଇ ବ୍ରାହ୍ମଣୀ ଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗଣେଶକୁ ଗିରଫ କରିଥିଲା। ଏହି ଘଟଣାରେ ବିଚାରପତି ମୋଟ ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ ଏବଂ ଅନ୍ୟ ତଥ୍ୟକୁ ଆଧାର କରି ଅଭିଯୁକ୍ତ ଗଣେଶକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି।

Tags: #Phulbani #POCSOCourt #Rapist #Judgment #Imprisonment

Comment