ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଭଳି ଏବେ ରେଳଯାତ୍ରୀମାନେ ସାଙ୍ଗରେ ନେଉଥିବା ବ୍ୟାଗେଜର ଓଜନ ନିର୍ଦ୍ଧାରଣ କରାଯାଇଛି। ତେଣୁ ଆପଣ ଅଧିକ ଓଜନର ଜିନିଷ ନେଉଥିଲେ ଏଥିପାଇଁ ଦେବାକୁ ପଡ଼ିବ ଅଧିକ ଅର୍ଥ; ନହେଲେ ଧରାପଡ଼ିଲେ ଗଣିବେ ଗୁଣ ଜୋରିମାନା

ବିମାନରେ ଯାତ୍ରା ସମୟରେ ଯାତ୍ରୀମାନେ ଏକ ନିର୍ଦିଷ୍ଟ ଓଜନର ବ୍ୟାଗ୍‌କୁ ମାଗଣାରେ ନେଇପାରୁଛନ୍ତି। ଧାର୍ଯ୍ୟ ସୀମାଠାରୁ ବ୍ୟାଗ୍‌ର ଓଜନ ଅଧିକ ହେଲେ ଯାତ୍ରୀମାନେ ସେଥିପାଇଁ ଅଧିକ ଟଙ୍କା ଗଣୁଛନ୍ତି। ଖୁବଶିଘ୍ର ସେଭଳି ବ୍ୟବସ୍ଥା ରେଳ ଯାତ୍ରୀଙ୍କ ପାଇଁ ଲାଗୁ କରାଯିବ।

ଦୀର୍ଘ ୩ ଦଶନ୍ଧି ଉର୍ଦ୍ଧ୍ୱ ରେଳ ଯାତ୍ରୀଙ୍କ ଜିନିଷପତ୍ର ପରିବହନ ଆଇନ୍‍କୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଲାଗି ଭାରତୀୟ ରେଳ ନିଷ୍ପତ୍ତି ନେଇଛି।

ସ୍ଲିପରକ୍ଲାସ ଯାତ୍ରୀମାନେ ୪୦ କେଜି ଓ ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୩୫ କେଜିର ବ୍ୟାଗ୍‌ ମାଗଣାରେ ନେଇପାରିବେ। ଯେଉଁ ଯାତ୍ରୀମାନେ ଏହି ସୀମାଠାରୁ ଅଧିକ ଓଜନର ବ୍ୟାଗ୍‌ ନେଇ ଯାତ୍ରା କରିବେ ସେମାନଙ୍କୁ ସେଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଅଧିକ ଓଜନର ବ୍ୟାଗ୍‌ଗୁଡ଼ିକ ପାଇଁ ସେମାନଙ୍କୁ ଆଗୁଆ ବୁକିଙ୍ଗ କରିବାକୁ ହେବ।

ବଡ଼ ବଡ଼ ବ୍ୟାଗ୍‌ଗୁଡ଼ିକର ଲଗେଜ୍‌ ଭ୍ୟାନ୍‌ରେ ପଠାଇବାର ବ୍ୟବସ୍ଥା କରାଯିବ। ଯାତ୍ରୀମାନେ ପାର୍ସଲ୍‌ କାର୍ଯ୍ୟାଳୟରେ ନିଜର ଅତିରିକ୍ତ ବ୍ୟାଗ୍‌ଗୁଡ଼ିକର ବୁକିଙ୍ଗ୍‌ କରିପାରିବେ। ଯେଉଁଯାତ୍ରୀମାନେ ଅଧିକ ଓଜନର ବ୍ୟାଗ୍‌ ନେଇ ଯାତ୍ରା କରୁଥିବେ ଯଦି ସେମାନେ ଧରାପଡ଼ିବେ ତାଙ୍କଠାରୁ ୬ ଗୁଣା ଅର୍ଥ ଜୋରିମାନା ବାବଦରେ ଆଦାୟ କରାଯିବ।

ଉଦାହରଣ ସ୍ୱରୂପ ଯଦି ଜଣେ ଯାତ୍ରୀ ସ୍ଲିପର ଶ୍ରେଣୀରେ ୮୦ କିଲୋ ଓଜନର ଜିନିଷପତ୍ର ନେଇ ୫୦୦ କିମି ଯାତ୍ରା କରୁଥାନ୍ତି ତେବେ ତାଙ୍କୁ ଅତିରିକ୍ତ ୪୦ କିଲୋ ଓଜନର ସାମଗ୍ରୀ ପରିବହନ ପାଇଁ ୧୦୯ ଟଙ୍କା ଦେବାକୁ ପଡ଼ିବ। ଯଦି ଏଥିପାଇଁ ଦେୟ ଦେଇନଥାନ୍ତି ଓ ଧରାପଡ଼ନ୍ତି ତେବେ ତାଙ୍କୁ ୬୫୪ ଟଙ୍କା ଜୋରିମାନା ଅର୍ଥ ଗଣିବାକୁ ପଡିବ।

ପ୍ରଥମଶ୍ରେଣୀ ଯାତ୍ରୀଙ୍କ ପାଇଁ ମାଗଣା ୭୦ କିଲୋ ଜିନିଷ ନେବା ବ୍ୟବସ୍ଥା ରହିଛି। ଏହି ଟିକଟରେ ଜଣେ ସର୍ବାଧିକ ୧୫୦ କିଲୋ ନେଇପାରିବେ। ତେବେ ଏଥିପାଇଁ ଅତିରିକ୍ତ ୮୦ କିଲୋ ଓଜନ ପାଇଁ ତାଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ଏସି ଟୁ-ଟାୟାର ଯାତ୍ରୀଙ୍କ ପାଇଁ ୫୦ କିଲୋ ମାଗଣା, ସର୍ବାଧିକ ୧୦୦ କିଲୋ ଓଜନର ସାମଗ୍ରୀ ନେଇ ୫୦ କିଲୋର ଅତିରିକ୍ତ ଦେୟ ଦେବାକୁ ପଡ଼ିବ।

ବିମାନର ଯାତ୍ରୀଙ୍କ ବ୍ୟାଗ୍‌ଗୁଡ଼ିକୁ ଯାତ୍ରା ପୂର୍ବରୁ ଓଜନ କରାଯାଇଥାଏ। ରେଳ ଯାତ୍ରୀଙ୍କ କ୍ଷେତ୍ରରେ ସେଭଳି ବ୍ୟବସ୍ଥା ଗ୍ରହଣ କରାଯିବ ନାହିଁ। ରେଳବାଇର ଅଧିକାରୀମାନେ ସମୟ ସମୟରେ ଯାଞ୍ଚ କରିବେ। ଯେଉଁ ଯାତ୍ରୀମାନଙ୍କ ପାଖରେ ଅଧିକ ଓଜନର ବ୍ୟାଗ୍‌ ମିଳିବ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ।

ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରେଳବାଇ ପକ୍ଷରୁ ଜୁନ୍‌ ୧ରୁ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଜୋନ୍‌ରେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯିବ।

Comment