ଓଡ଼ିଶାଲାଇଭ୍ ବ୍ୟୁରୋ
୨୧ତମ ସଂସ୍କରଣ ଯେତେ ପାଖେଇ ଆସୁଛି, ସେତେ ପ୍ରଶଂସକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି। ଏହି ବିଶ୍ୱକପରେ ସମସ୍ତଙ୍କ ନଜର ତାରକା ଷ୍ଟ୍ରାଇକରଙ୍କ ଉପରେ ରହିଥାଏ। କାରଣ ଏହି ଷ୍ଟ୍ରାଇକର ହିଁ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।
ରୁଷିଆରେ ହେବାକୁଥିବା ବିଶ୍ୱକପରେ ପୁଣିଥରେ ଅଲଗା-ଅଲଗା ଦେଶର ଷ୍ଟ୍ରାଇକରମାନେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହିଁବେ। ଏହି ଷ୍ଟ୍ରାଇକରଙ୍କ ମଧ୍ୟରେ ଆର୍ଜେଣ୍ଟିନାର ଲିଓନେଲ୍ ମେସି, ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ, ବ୍ରାଜିଲର ନେମାର, ପୋଲାଣ୍ଡର ରବର୍ଟ ଲେୱାଣ୍ଡୋସ୍କି, ଇଂଲଣ୍ଡର ହ୍ୟାରୀ କେନ୍, ଉରୁଗୁଏର ଏଡିନସନ୍ କାଭାନି, ବେଲଜିୟମର ରୋମେଲୁ ଲୁକାକୁ, କଲମ୍ବିଆର ରାଡାମେଲ୍ ଫାଲକା ଓ ଅନ୍ୟତମ।
ଲିଓନେଲ୍ ମେସି
ଆର୍ଜେଣ୍ଟିନୀୟ ତାରକା ଲିଓନେଲ ମେସିଙ୍କ ଏକମାତ୍ର ସ୍ୱପ୍ନ ହେଉଛି ନିଜ ଦଳକୁ ଚାମ୍ପିଅନ୍ କରାଇବା। ବାର୍ସିଲୋନା କ୍ଲବର ଏହି ତାରକା ଜଣକ ନିଜ ଦେଶର ଏହି ସ୍ୱପ୍ନକୁ ପୂରା କରିବା ପାଇଁ ପ୍ରସ୍ତୁତ ଅଛନ୍ତି।
୧୨୪ଟି ଅନ୍ତର୍ଜାତୀୟ ମ୍ୟାଚରେ ୬୪ଟି ଗୋଲ୍ ଦେଇଥିବା ମେସିଙ୍କ ଉପରେ ଆର୍ଜେଣ୍ଟିନାର ପୂର୍ଣ୍ଣ ବିଶ୍ୱାସ ରହିଛି। ୨୦୦୫ରେ ଅଣ୍ଡର୍-୨୦ ବିଶ୍ୱକପ୍ ଫାଇନାଲରେ ଦୁଇଟି ଗୋଲ୍ ଦେଇ ରାତାରାତି ମେସି ଚର୍ଚ୍ଚାକୁ ଆସିଥିଲେ। ଯାହା ପରେ ତାଙ୍କୁ ୨୦୦୬ରେ ବିଶ୍ୱକପ୍ ଖେଳିବାର ସୁଯୋଗ ମିଳିଥିଲା। ମେସି ଏପର୍ଯ୍ୟନ୍ତ ତିନୋଟି ବିଶ୍ୱକପ୍ ଖେଳିସାରିଛନ୍ତି ଏବଂ ଚଳିତ ସଂସ୍କରଣ ତାଙ୍କ ପାଇଁ ନିର୍ଣ୍ଣାୟକ ହେବ।
କ୍ରିଷ୍ଟିଆନୋ ରୋନାଲ୍ଡୋ
୨୦୦୬ ବିଶ୍ୱକପ୍ କ୍ୱାଲିଫାଇଙ୍ଗରେ ପର୍ତ୍ତୁଗାଲ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ସାତୋଟି ଗୋଲ୍ ଦେଇଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହିଠାରୁ ହିଁ ତାଙ୍କର ସ୍ୱର୍ଣ୍ଣିମ ଅଭିଯାନ ଆରମ୍ଭ ହୋଇଥିଲା। ଏହି ବିଶ୍ୱକପ୍ରେ ତାଙ୍କୁ ସର୍ବଶ୍ରେଷ୍ଠ ଯୁବ ଖେଳାଳିର ପୁରସ୍କାର ମିଳିଥିଲା। ପେନାଲ୍ଟି ଶୁଟ୍ଆଉଟରେ ତାଙ୍କ ଦ୍ୱାରା ଦିଆଯାଇଥିବା ଗୋଲ୍ ବଳରେ ପର୍ତ୍ତୁଗାଲ ସେମିଫାଇନାଲରେ ପହଞ୍ଚାଥିଲା।
୬ ଫେବୃଆରୀ, ୨୦୦୭ରେ ନିଜର ଜନ୍ମଦିନ ଅବସରରେ ରୋନାଲ୍ଡୋଙ୍କୁ ନିଜ ଦେଶର ନେତୃତ୍ୱ ନେବାର ଦାୟିତ୍ୱ ମିଳିଥିଲା। ୟୁରୋ କପ୍ ୨୦୦୮ରେ ତାଙ୍କୁ ପ୍ରଥମଥର ସାତ ନମ୍ବର ଜର୍ସି ଦିଆଯାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ୮ଟି ଗୋଲ୍ ଦେଇଥିଲେ। ରୋନାଲ୍ଡୋଙ୍କ କ୍ଲବ୍ କ୍ୟାରିୟର ବିଷୟରେ ସବୁ ଅବଗତ। ପର୍ତ୍ତୁଗାଲ ପକ୍ଷରୁ ସେ ୧୪୯ଟି ମ୍ୟାଚ୍ ଖେଳି ୮୧ଟି ଗୋଲ୍ ଦେଇସାରିଛନ୍ତି ଏବଂ ନିଜର ଚତୁର୍ଥ ବିଶ୍ୱକପରେ ତାଙ୍କ ଉପରେ ପର୍ତ୍ତୁଗାଲକୁ ବିଜେତା କରାଇବାର ଗୁରୁଦାୟିତ୍ୱ ରହିଛି।
ନେମାର
ନେମାର ୨୦୧୦ଠାରୁ ବ୍ରାଜିଲ୍ ଫୁଟବଲ୍ ଟିମରେ ସାମିଲ୍ ଅଛନ୍ତି। ୫ ମାର୍ଚ୍ଚ, ୨୦୧୪ରେ ସାଉଥ୍ ଆଫ୍ରିକାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ହ୍ୟାଟ୍ରିକ୍ ଗୋଲ୍ ଦେଇଥିଲେ। ଏହାପରଠାରୁ ସେ ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ। ୨୦୧୪ ବିଶ୍ୱକପରେ କ୍ରୋଏସିଆ ବିପକ୍ଷ ମ୍ୟାଚ୍ରେ ସେ ନିଜର ୫୦ତମ ମ୍ୟାଚ୍ ଖେଳିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ତୃତୀୟ ସର୍ବାଧିକ ଗୋଲ୍ କରିବାର ଖେଳାଳି ହୋଇଥିଲେ ଏବଂ ସେ ବ୍ରୋଞ୍ଜ ଜୋତା ଟାଇଟଲ୍ ଜିତିଥିଲେ। ନେମାର ହୁଏତ ଏଥର ଫିଟନେସ୍ ସମସ୍ୟାରେ ରହିଛନ୍ତି, କିନ୍ତୁ ବ୍ରାଜିଲ୍ ପାଇଁ ସେ ସବୁଠାରୁ ବଡ଼ ଆଶା। ବ୍ରାଜିଲ୍ ପାଇଁ ସେ ୮୩ଟି ଅନ୍ତର୍ଜାତୀୟ ମ୍ୟାଚରୁ ୫୩ଟି ଗୋଲ୍ ଦେଇଛନ୍ତି।
ରବର୍ଟ ଲେବାଣ୍ଡୋସ୍କି
ପୋଲାଣ୍ଡ ଫୁଟବଲର କିଙ୍ଗ୍ ଓ ନିଃସନ୍ଦେହରେ ବିଶ୍ୱର ଶୀର୍ଷ ତିନି ଷ୍ଟ୍ରାଇକରଙ୍କ ମଧ୍ୟରୁ ଅନ୍ୟତମ ରବର୍ଟ ଲେବାଣ୍ଡୋସ୍କି ନିଜ ଦେଶକୁ ବିଶ୍ୱକପ୍ ଟାଇଟଲ୍ ଜିତାଇବା ନେଇ ବ୍ୟଗ୍ର ଅଛନ୍ତି। ରବର୍ଟ ଦୁଇ ପାଦରେ କିକ୍ ମାରିବାରେ ମାହିର୍। ସେ ୟୁରୋପର ସର୍ବଶ୍ରେଷ୍ଠ ଫୁଟବଲରଙ୍କ ମଧ୍ୟରୁ ଅନ୍ୟତମ। ଅଧିନାୟକ ଭାବେ ସେ ନିଜ ଟିମ୍କୁ ଜିତାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ୟୁରୋପିଅନ୍ ବିଶ୍ୱକପ୍ କ୍ୱାଲିଫାଇଙ୍ଗରେ ରବର୍ଟ ୧୬ଟି ଗୋଲ୍ ଦେଇଥିଲେ । ନିଜ କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ୯୧ଟି ମ୍ୟାଚରେ ୫୧ଟି ଗୋଲ୍ ଦେଇଛନ୍ତି।
ହ୍ୟାରୀ କେନ୍
ହ୍ୟାରୀ କେନଙ୍କ ଉପରେ ଇଂଲଣ୍ଡକୁ ବିଶ୍ୱକପ୍ ଜିତାଇବାର ଗୁରୁଦାୟିତ୍ୱ ରହିଛି। ସେ ଇଂଲଣ୍ଡକୁ ଟାଇଟଲ୍ ଜିତାଇବାର ଦକ୍ଷତା ମଧ୍ୟ ରଖିଛନ୍ତି। ଏହି ତାରକା ଷ୍ଟ୍ରାଇକର୍ ଇଂଲଣ୍ଡର ଅଧିନାୟକ ମଧ୍ୟ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇନାହାନ୍ତି। ପ୍ରଥମଥର ପାଇଁ ସେ ଏହି ମହାକୁମ୍ଭରେ ସାମିଲ୍ ହେବାକୁ ଯାଉଛନ୍ତି । ଇଂଲଣ୍ଡ ପକ୍ଷରୁ ସେ ୨୩ଟି ମ୍ୟାଚ୍ ଖେଳି ୧୨ଟି ଗୋଲ୍ ଦେଇଛନ୍ତି।
ଏଡିନ୍ସନ୍ କାଭାନି
ଏଡିନସନ୍ କାଭାନିଙ୍କୁ ଅଲ୍ ମାତାଡୋର କୁହାଯାଏ। ରୁଷିଆ ଫୁଟବଲର ଉରୁଗୁଏର ଏହି ଖେଳାଳି ନିଜର ଷ୍ଟାର୍ ସାଥୀ ଖେଳାଳି ଲୁଇସ୍ ସୁଆରେଜଙ୍କ ସହ ମିଶି ଟିମକୁ ଟାଇଟଲ୍ ଜିତାଇବା ପାଇଁ ଓହ୍ଲାଇବେ। ଜଣେ ଷ୍ଟ୍ରାଇକର ଭାବେ କାଭାନିଙ୍କ ପାଖରେ ସବୁ କଳା ରହିଛି ଏବଂ ସେ ଏହି ବିଶ୍ୱକପ୍ର ଟପ୍ ସ୍କୋରର ହେବାକୁ ଚାହିଁବେ। ତାଙ୍କ ଖେଳିବାର ଷ୍ଟାଇଲ୍ ଏବଂ ସଠିକ୍ ସମୟରେ ବଲକୁ ନିୟନ୍ତ୍ରଣ କରିବାର ଦକ୍ଷତା ତାଙ୍କୁ ସବୁଠାରୁ ବିପଜ୍ଜନକ ଷ୍ଟ୍ରାଇକର ଭାବେ ପରିଚିତ କରାଏ। ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ଇତିହାସରେ ସେ ୨୧ଟି ଗୋଲ୍ ଦେଇ ଟଫ୍ ସ୍କୋରର ବରାବର କରିସାରିଛନ୍ତି। ତାଙ୍କ ନାମରେ ୧୦୦ଟି ମ୍ୟାଚରୁ ୪୦ଟି ଗୋଲ୍ ରହିଛି।
ରୋମେଲୁ ଲୁକାକୁ
ମାଞ୍ଚେଷ୍ଟର ୟୁନାଇଟେଡର ଜର୍ସି ନମ୍ବର ୯ର ଖେଳାଳି ଏହି ବିଶ୍ୱକପ୍ରେ ଗୋଲ୍ଡେନ୍ ବୁଟ୍ ପୁରସ୍କାର ଜିତିବା ପାଇଁ ସମସ୍ତଙ୍କ ପସନ୍ଦ। ତାଙ୍କ କ୍ଷମତା, ବେଗ, ଗୋଲ୍ ଉପରେ ନଜର ଏବଂ ଅଲ୍ରାଉଣ୍ଡର ଖେଳ ଦ୍ୱାରା ରୋମେଲୁ ବେଲଜିୟମ ଟିମକ ଟୁର୍ଣ୍ଣାମେଣ୍ଟରେ ବହୁ ଆଗକୁ ନେଇପାରନ୍ତି। ଏହି ବିଶ୍ୱକପରେ ସେ ସବୁଠାରୁ ଉନ୍ନତ ଷ୍ଟ୍ରାଇକରଙ୍କ ମଧ୍ୟରୁ ଜଣେ। ବେଲଜିୟମ ପକ୍ଷରୁ ୬୧ଟି ମ୍ୟାଚରୁ ସେ ୨୫ଟି ଗୋଲ୍ ଦେଇଛନ୍ତି। ଏହି ବିଶ୍ୱକପରେ ସେ ନିଜର ଗୋଲ୍ ସଂଖ୍ୟା ବଢ଼ାଇବାକୁ ଚାହିଁବେ।
ରାଡାମେଲ୍ ଫାଲକାଓ
ଲଗାତାର ଖରାପ ଫର୍ମ ପରେ ଏବେ ରାଡାମେଲ୍ ଫାଲକାଓ ଭଲ ସମୟ ଦେଇ ଗତି କରୁଛନ୍ତି। ଜର୍ସି ନମ୍ବର ୯ ସହ ଫାଲକାଓ କଲମ୍ବିଆ ପକ୍ଷରୁ ନିଜର ଶେଷ ଟୁର୍ଣ୍ଣାମେଣ୍ଟ ଖେଳିପାରନ୍ତି। ୨୦୧୪ରେ ବ୍ରାଜିଲ୍ ବିଶ୍ୱକପ୍ ହାତଛଡ଼ା କରିଥିବା ଫାଲକାଓ ରୁଷରେ ଦମଦାର ପ୍ରଦର୍ଶନ କରିବାକୁ ଚାହିଁବେ। ଗୋଲ୍ କରିବାର ଦକ୍ଷତା ତାଙ୍କ ପାଖରେ ଭରପୂର ରହିଛି। କଲମ୍ବିଆ ପକ୍ଷରୁ ସେ ୭୧ଟି ମ୍ୟାଚ୍ ଖେଳି ୨୯ଟି ଗୋଲ୍ ଦେଇଛନ୍ତି।
















