ଓଡ଼ିଶାଲାଇଭ୍ ବ୍ୟୁରୋ

ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ପାଇଁ ଲୋକଙ୍କଠୁଁ ଲାଞ୍ଚ ମାଗି ନିଜ ପାଇଁ ଦୁର୍ଭାଗ୍ୟକୁ ହୁଇସିଲ୍ ମାରି ଡାକି ଆଣିଥିବା ବିଜୁଳି ବାବୁମାନଙ୍କ କାହାଣୀ ଜାଣନ୍ତୁ!

ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ପାଇଁ ନେସ୍କୋ କର୍ମଚାରୀମାନେ ଗ୍ରାହକଙ୍କଠାରୁ ଲାଞ୍ଚ ଆଦାୟ କରି ଅଡ଼ୁଆରେ ପଡ଼ିଛନ୍ତି। ଏହି ଘଟଣାରେ ସାଧାରଣ ଜନତା ଗଣମାଧ୍ୟମ ନିକଟରେ ଅଭିଯୋଗ ଆଣିବା ପରେ ପ୍ରଶାସନ ହସ୍ତକ୍ଷେପ କରିଛି। ଚାପରେ ପଡ଼ି ଲାଞ୍ଚୁଆ ବିଜୁଳି ବାଲାଙ୍କୁ ରାତି ଅଧରେ ଘର ଘର ବୁଲି ଲୋକଙ୍କୁ ଟଙ୍କା ଫେରାଇବାକୁ ପଡ଼ିଛି। ଏହି ଘଟଣାଟି ଘଟିଛି କେନ୍ଦୁଝର ସହର ନିକଟରେ ଥିବା ରାଧିକାଦେଈପୁର ଗାଁରେ।

ସୌଭାଗ୍ୟ ଯୋଜନାରେ ଲୋକଙ୍କ ଘରେ ମାଗଣାରେ ବିଦ୍ୟୁତ୍ ସଂଯୋଗ ଦେବା ଲାଗି ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ନେସ୍କୋର କର୍ମଚାରୀମାନେ ଘର ପିଛା ୨୫୦୦ରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବାର ଅଭିଯୋଗ ହୋଇଥିଲା। ଟଙ୍କା ନ ଦେଲେ ବିଦ୍ୟୁତ୍ ସଂଯୋଗ ମିଳିବ ନାହିଁ। ଏହି ଭୟରେ ଲୋକେ ମଧ୍ୟ ଲାଞ୍ଚୁଆ କର୍ମଚାରୀଙ୍କ ହାତରେ ଟଙ୍କା ଗଣିଦେଇଥିଲେ। ହେଲେ ପରେ ସେମାନେ ଏ ସମ୍ପର୍କରେ ଅଭିଯୋଗ କରିବା ଫଳରେ ଘଟଣା ଭିନ୍ନ ମୋଡ ନେଇଥିଲା।

ଏହି ଘଟଣାରେ ପ୍ରଶାସନ ଏତେ ତତ୍ପର ହୋଇ ଉଠିଛି ଯେ ଗୋଟିଏ ସମୟରେ ଏକାଧିକ ତଦନ୍ତ ଚାଲିଛି। କେନ୍ଦୁଝର ଜିଲ୍ଳା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି। ସେହିପରି ନେସ୍କୋର ଦୁର୍ନୀତି ନିବାରଣ ବିଭାଗ ଏବଂ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି। ତେବେ ଏହି ତଦନ୍ତ ଆରମ୍ଭ ହେବା ଆଗରୁ ଲାଞ୍ଚୁଆ ବାବୁମାନେ ଘର ଘର ବୁଲି ଟଙ୍କା ଫେରାଇ ଦେଇଛନ୍ତି।

ସୌଭାଗ୍ୟ ଯୋଜନାରେ ଲାଞ୍ଚ ମାଗି ନିଜ ସୌଭାଗ୍ୟ ବଢ଼ାଇବାକୁ ଲାଗି ପଡ଼ିଥିବା ଏହି କର୍ମଚାରୀମାନଙ୍କର ତଦନ୍ତ ପରେ କି ପ୍ରକାର ଦୁର୍ଭାଗ୍ୟ ଆସୁଛି ତାହା ଦେଖିବାକୁ ଲୋକମାନେ ଅପେକ୍ଷା କରିଛନ୍ତି।

Comment