ନୀଳାମ୍ବର ରଥ

ନିଜେ ଓଡ଼ିଆ ହୋ‍ଇ ଯବନ କବି ସାଲବେଗଙ୍କୁ ସାଲେବେଗକହିବା ଏବଂ ଆହେ ନୀଳ ଶ‌ଇଳକୁ ‘Ahe Nilo Solio’ ବୋଲି ଲେଖିବା ବଲିଉଡ ଗାୟିକା ସୋନା ମହାପାତ୍ରଙ୍କ (ଅଣ)ଓଡ଼ିଆ ପ୍ରୀତିର ଏକ ତାଜା ଉଦାହରଣ!

ନିଜ ମୁହଁରେ କଳା ବୋଳିବାରେ ଅନେକ ଲୋକ ଆନନ୍ଦ ପାଆନ୍ତି। ତାଙ୍କୁ ଦେଖି ଅନ୍ୟମାନେ ବି ବେଶ୍‌ ଉପଭୋଗ କରନ୍ତି। ହେଲେ ଗୋଟିଏ ଭାଷା, ଜାତି ବା ସଂସ୍କୃତି ମୁହଁରେ କଳା ବୋଳିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ କେହି କ୍ଷମା କରନ୍ତି ନାହିଁ। ବଲିଉଡରେ ନାଁ କମାଇଥିବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଏବେ ଏଭଳି ଏକ ଉଦ୍ୟମ କରି ଲୋକହସା ହୋ‍ଇଛନ୍ତି। ଦୁର୍ଭାଗ୍ୟର କଥା ଯେ ସୋନାଙ୍କୁ ତାଙ୍କର ଏହି ଅକ୍ଷମଣୀୟ ତ୍ରୁଟି ସୁଧାରିବା ସମ୍ପର୍କରେ ଯେଉଁମାନେ ବି ପରାମର୍ଶ ଦେଉଛନ୍ତି, ସୋନା ମହାପାତ୍ର ତାଙ୍କୁ ବିନୀତ ଭାବେ ଗ୍ରହଣ ନ କରି ଏକପ୍ରକାର ବେପରୁଆ କଥା କର୍କଶ ଢଙ୍ଗରେ ଜବାବ ଦେଇ ନିଜ ମୁହଁକୁ ଅଧିକ କଳା କରିବାରେ ଲାଗିଛନ୍ତି।

ସୋନା ମହାପାତ୍ର ଜଣେ ପ୍ରତିଭାସମ୍ପନ୍ନ ଗାୟିକା। ସେ ଓଡ଼ିଶାର ଝିଅ ବୋଲି ହଜାର ହଜାର ଓଡ଼ିଆ ଗର୍ବ କରନ୍ତି। କିନ୍ତୁ ସୋନା ସେହି ଭଲପାଇବାର ଯେ ଯୋଗ୍ୟ ନୁହଁନ୍ତି, ଏକଥା ନିଜେ ପ୍ରମାଣିତ କରିଛନ୍ତି। ଜଗନ୍ନାଥଙ୍କ ପରମଭକ୍ତ ଯବନ କବି ସାଲବେଗଙ୍କୁ ‘ସାଲେବେଗ’ ବୋଲି ବାରମ୍ବାର ଉଚ୍ଚାରଣ କରି ସୋନା ତାଙ୍କ (ଅଣ)ଓଡ଼ିଆ ଦକ୍ଷତାର ବେଶ୍‍ ପରିଚୟ ଦେଇଛନ୍ତି। କେବଳ ସେତିକି ନୁହେଁ, ସୋନା ୟୁଟ୍ୟୁବ୍‌ରେ ଅପଲୋଡ କରିଥିବା ‘ଆହେ ନୀଳ ଶ‍ଇଳ’ ଗୀତର ବିଭିନ୍ନ ଶବ୍ଦକୁ ଯେଭଳି ବିକୃତ ଭାବେ ଉପସ୍ଥାପନ କରିଛନ୍ତି, ତାକୁ ନେଇ ଉଠିଛି ଝଡ଼। ବମ୍ବେର ଏକ ମ୍ୟୁଜିକ କନ୍‌ସର୍ଟରେ ‘ଆହେ ନୀଳ ଶ‍ଇଳ’ ଗୀତକୁ ଲାଇଭ୍‌ରେ ପରିବେଷଣ କରିଥିଲେ ସୋନା। ସେ ତାଙ୍କର ଏହି ୟୁଟ୍ୟୁବ୍‌ ଭିଡିଓକୁ ଟୁଇଟରରେ ସେୟାର କରିବା ପରେ ବିଭିନ୍ନ ସ୍ଥାନରୁ ଓଡ଼ିଆ ଶ୍ରୋତା ଓ ସଂସ୍କୃତିସମ୍ପନ୍ନ ବ୍ୟକ୍ତିମାନେ ପ୍ରତିକ୍ରିୟା ରଖିଛନ୍ତି।

ଆସନ୍ତୁ ଦେଖିବା ‘ଆହେ ନୀଳ ଶ‌ଇଳ’ ଭଳି ଲୋକପ୍ରିୟ ଭକ୍ତିଗୀତକୁ କିଭଳି ବିକୃତ କରି ଗାଇଛନ୍ତି ସୋନା:

ଆହେ ନୀଳ ଶ‌ଇଳ ପ୍ରବଳ ମାତ୍ତ ବାରଣ

ମୋ ଆରତ ନଳିନୀ ବନକୁ କର ଦଳନ।

ଗଜରାଜୋ ଚିନ୍ତା କଲା ଥାଇ ଗର ଜଳେଣ

ଚକ୍ରପେଷି ନକ୍ରନାଶି ଉଦ୍ଧାରିଲା ଆପଣ।

କୁରୁସଭା ତଳେ ଶୁଣି ଦ୍ରୌପଦୀର ଜନନ

କୋଟି ବସ୍ତ୍ର ଦେଇ ହେଲେ ଲଜ୍ଜା କଳ ବାରଣ।

କହେ ସାଲେବେଗ ହୀନ ଜାତିରେ ମୁଁ ଯବନ

ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜନନ

ସୋନା ଏହି ଗୀତ ପାଇଲେ କେଉଁଠୁ?

ସୋସିଆଲ ମିଡିଆରେ ସୋନାଙ୍କ ‘ଆହେ ନୀଳ ଶ‍ଇଳ’ ଗୀତ ଉପରେ ଲୋକଙ୍କ ତୀବ୍ର ପ୍ରତିକ୍ରିୟା ସୂଚନା ପାଇବା ପରେ ଘଟଣା କ’ଣ ଏ ଲେଖକ ଜାଣିବାକୁ ଚାହିଁଥିଲା। ଏହି ଗୀତଟିକୁ ଲଗାତାର ଶୁଣିଲା ପରେ ମୋର ମନେହେଲା ସୋନା ମହାପାତ୍ର ଯେ ଠିକଣା ଭାବେ ଓଡ଼ିଆ ଉଚ୍ଚାରଣ କରି ଜାଣନ୍ତି ନାହିଁ, ଏହା ସତ ନୁହେଁ। ବରଂ ସୋନାଙ୍କ ହାତରେ ଥିବା ଗୀତର ସ୍କ୍ରିପ୍ଟଟି ସମ୍ପୂର୍ଣ୍ଣ ରୂପେ ତ୍ରୁଟିପୂର୍ଣ୍ଣ। ଏବଂ ଏହି ତ୍ରୁଟି ସୋନାଙ୍କ ଅଜ୍ଞତା ନୁହେଁ, ବରଂ ଉଦ୍ଦେଶ୍ୟମୂଳକ ବୋଲି କହିଲେ ଭୁଲ ହେବ ନାହିଁ। କାରଣ ଯେଉଁ ଗାୟିକା ‘ଶ୍ରୀରଙ୍ଗାଚରଣ’ ବା ‘ଚକ୍ରପେସି ନକ୍ରନାଶି’ ଭଳି ଶବ୍ଦ ଅତି ସୁନ୍ଦର ଭାବେ ଉଚ୍ଚାରଣ କରିପାରୁଛନ୍ତି, ସେ ‘ଜଣାଣ’କୁ ‘ଜନନ’, ‘ମତ୍ତ’କୁ ‘ମାତ୍ତ’ ଏବଂ ‘ଘୋର ଜଳେଣ’କୁ ‘ଗର ଜଳେଣ’ ଉଚ୍ଚାରଣ କରିବେ କାହିଁକି? ସେହିପରି ଯେଉଁ ଓଡ଼ିଆ କଳାକାର ଭକ୍ତ ସାଲବେଗଙ୍କ ନାଁକୁ ‘ସାଲେବେଗ’ ବୋଲି ବାରମ୍ବାର ଉଚ୍ଚାରଣ କରନ୍ତି, ତାଙ୍କୁ ଓଡ଼ିଆ ବୋଲି କହିବାକୁ ଆଜି ଯେ କୌଣସି ଓଡ଼ିଆକୁ ଲଜ୍ଜା ଲାଗିବ।

ମୋର ମନେହୁଏ, ସୋନା ମହାପାତ୍ର ଏହି ଗୀତଟିକୁ ଯାହାଠାରୁ ବି ପାଇଥା’ନ୍ତୁ ନା କାହିଁକି, ଗୀତରେ ଥିବା ବିଭିନ୍ନ ଶବ୍ଦ ଓ ତା’ର ଭାବକୁ ଆଦୌ ନବୁଝି କେବଳ ରୋବଟ୍‌ ଭଳି ରୋମାନ ଲିପି ପଢ଼ି ଗୀତଟିକୁ ଗାଇଛନ୍ତି। ଏଭଳି ରୋବଟ୍‌ ଗାୟିକାମାନଙ୍କୁ କୌଣସି ସଂସ୍କୃତିସମ୍ପନ୍ନ ମଣିଷ କେବେ ପାସଙ୍ଗରେ ପକାଇବ ନାହିଁ।

ନିଜ ସଂସ୍କୃତି ପାଇଁ ସୋନାଙ୍କ ଚିନ୍ତା?

ଏହି ଗୀତଟିକୁ ଲାଇଭ୍‌ ଦର୍ଶକଙ୍କ ଆଗରେ ପରିବେଷଣ କରିବା ବେଳେ ସୋନା ଜଗନ୍ନାଥ ମହାପ୍ରଭୁଙ୍କ ଗୁଣଗାନ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଏଭଳି ଜଣେ ଦେବତାଙ୍କୁ ଭଲପାଏ, ଯିଏ ପଶୁପକ୍ଷୀଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥା’ନ୍ତି। ନାରୀର ସମ୍ମାନ ରକ୍ଷା ପାଇଁ ମଧ୍ୟ ଏହି ଦେବତା ପଛଘୁଞ୍ଚା ଦେଇନାହାନ୍ତି।

ସେହିପରି ୟୁଟ୍ୟୁବ୍‌ରେ ଏହି ଭିଡିଓକୁ ଅପଲୋଡ କରିବା ବେଳେ ସୋନା ତାଙ୍କର ଓଡ଼ିଆ ବା ଓଡ଼ିଶା କନେକ୍ସନ ସମ୍ପର୍କରେ ସୂଚନା ଦେଇଛନ୍ତି। କିନ୍ତୁ ତାଙ୍କର ବାସ୍ତବ ଉଦ୍ଦେଶ୍ୟ ଓଡ଼ିଆ ସଂସ୍କୃତିର ପ୍ରସାର ନା ଓଡ଼ିଆମାନଙ୍କ ଅତିପ୍ରିୟ ଜଣାଣକୁ ଅତ୍ୟନ୍ତ ବେଢଙ୍ଗରେ ପରିବେଷଣ କରି ପବ୍ଲିସିଟି ହାସଲ କରିବା, ତାହା ସୋନା ମହାପାତ୍ରଙ୍କୁ ହିଁ ଜଣା।

ବୟସ, ଅନୁଭୂତି ଏବଂ ଦେଶବିଦେଶ ପରିଭ୍ରମଣ ଜଣେ ମଣିଷକୁ ଅଧିକ ଉତ୍ତରଦାୟୀ ଏବଂ ଅଭିଜ୍ଞ କରିଥାଏ। ସଂସ୍କୃତି ଓ ଅପସଂସ୍କୃତି ମଧ୍ୟରେ ଏବଂ ଭଲ ଓ ଭେଲ ମଧ୍ୟରେ ପାର୍ଥକ୍ୟକୁ ସେ ବୁଝିପାରେ। ହେଲେ ସୋନା ମହାପାତ୍ରଙ୍କ କ୍ଷେତ୍ରରେ ଏହାର ଓଲଟା ଗତି କାହିଁକି, ତାହା ବୁଝିହେଉନାହିଁ। କଳା ବା ସଙ୍ଗୀତ ନାଁରେ ଆମେ କୌଣସି ମୂଳ ସଂସ୍କୃତି, ତଥ୍ୟ ବା ଭାବନାକୁ ବିକୃତ କରି ପରିବେଷଣ କରିପାରିବା ନାହିଁ। ଏପରି କଲେ ହୁଏତ ଆଇନ୍‌ ଦୃଷ୍ଟିରେ ଜଣେ ଅପରାଧୀ ହୋ‍ଇନପାରେ, ହେଲେ ସଂସ୍କୃତି ବିଚାରରେ ଏହା କୌଣସି ଅପରାଧଠାରୁ କିଛି କମ୍‌ ନୁହେଁ।

ସୋନାଙ୍କ ମୁହଁ ଟାଣ!

ମୁଁ ଏ ଯାଏଁ ଜାଣିଥିଲି ଯେ ମଣିଷ ଭୁଲ କଲେ ଯଦି କ୍ଷମା ମାଗିଦିଏ, ତେବେ ସେ ଛୋଟ ହୋ‍ଇଯାଏ ନାହିଁ; ବରଂ ସେଥିରେ ତା’ର ବଡ଼ପଣ ପ୍ରକାଶିତ ହୋ‍ଇଥାଏ। ଏହା କେବଳ ଓଡ଼ିଆ ସଂସ୍କୃତି ବା ଜନଜୀବନର କଥା ନୁହେଁ, ବରଂ ଏହା ଆମ ମହାଭାରତୀୟ ସଂସ୍କୃତିର ଏକ ପ୍ରମୁଖ ଆଦର୍ଶ। କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ତ୍ରୁଟି ଉପରେ ଲୋକଙ୍କର ଯେଉଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ତାକୁ ହଜମ କରିପାରୁନାହାନ୍ତି ଗାୟିକା ସୋନା ମହାପାତ୍ର। ନିଜର ଏହି ତ୍ରୁଟି ବାବଦରେ ଭୁଲ ମାଗିବା ପରିବର୍ତ୍ତେ ଲୋକଙ୍କୁ କଡ଼ା ଜବାବ ଦେଇଚାଲିଛନ୍ତି ସେ। ଏହା ଆଦୌ କଳାକାର-ସୁଲଭ ଆଚରଣ ନୁହେଁ। ପୃଥିବୀର କୌଣସି କଳାକାରକୁ ଏଭଳି ତ୍ରୁଟିକରି ପୁଣି ଗାଲୁଆମି କରିବାକୁ କୌଣସି ଜାତି କେବେ ଅଧିକାର ଦେବ ନାହିଁ।

ସୋସିଆଲ ମିଡିଆରେ ଜଣେ ଶ୍ରୋତା ସୋନାଙ୍କୁ ଲେଖିଛନ୍ତି: ଏଭଳି ଏକ ଲୋକପ୍ରିୟ ଓ ଭକ୍ତିଭାବଭରା ଓଡ଼ିଆ ସଙ୍ଗୀତକୁ ଭଲଭାବେ ନବୁଝି ଗାଇବାକୁ ଆପଣଙ୍କର ଏତେ ବ୍ୟଗ୍ରତା କାହିଁକି? ଆପଣଙ୍କ ଭାବ ଓ ଉଚ୍ଚାରଣ କୌଣସିଥିରେ ବି ଓଡ଼ିଆ ଭାଷା ସହ ସମ୍ପର୍କ ନାହିଁ। ଗୀତର ପ୍ରତିଟି ଧାଡ଼ିରେ ତ୍ରୁଟି। ଏଭଳି ତ୍ରୁଟିପୂର୍ଣ୍ଣ ଉପସ୍ଥାପନାକୁ ସର୍ବସାଧାରଣଙ୍କ ପାଇଁ ଅପଲୋଡ କରିବା ଉଚିତ ନୁହେଁ।

ଆଉ ଜଣେ ଦର୍ଶକ ସୋନାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି: ସାଲବେଗଙ୍କ ଜଣାଣ ପ୍ରତି ଏହା ଏକ ଉପହାସ। ଯଦି ଆପଣ ଏଭଳି ଗୀତକୁ ନେଇ ପରୀକ୍ଷାନିରୀକ୍ଷା କରୁଥା’ନ୍ତି, ତେବେ ତାହା ଷ୍ଟୁଡିଓରେ କରିବା କଥା। କୌଣସି ସର୍ବସାଧାରଣ ମିଡିଆରେ ଏହା ଉପସ୍ଥାପିତ କରିବା ଉଚିତ ନୁହେଁ। ଏଭଳି ଉପସ୍ଥାପନାକୁ ସୋସିଆଲ ମିଡିଆରୁ ହଟାଇଦେବା ଦରକାର।

ସୋନା ମହାପାତ୍ରଙ୍କ ଜଣେ ଫ୍ୟାନ୍‌ ସାରଦା ଭାରତୀ ସୋନାଙ୍କୁ ସିଧାସଳଖ ପରାମର୍ଶ ଦେଇ ଲେଖିଛନ୍ତି: ସୋନା, ମୁଁ ଆପଣଙ୍କର ଜଣେ ହାର୍ଡକୋର୍‌ ଫ୍ୟାନ୍‌। କିନ୍ତୁ ଏହି ଗୀତରେ ଆପଣ ମୋତେ ହତାଶ କରିଛନ୍ତି। ଜଣେ କଳାକାର ସବୁବେଳେ ନିଜକୁ ପ୍ରସ୍ତୁତକରି, ଯଥେଷ୍ଟ ଅଭ୍ୟାସକରି ଏବଂ ନିଜର ଦୋଷତ୍ରୁଟିର ସଂଶୋଧନ କରି ସର୍ବସାଧାରଣରେ କଳାର ପରିବେଷଣ କରିବା କଥା – ସେ ଯେଉଁ ଭାଷାରେ ଗାଆନ୍ତୁ ପଛେ। ଅନ୍ୟଥା ଏଭଳି ଭୁଲ ପରିବେଷଣକୁ ଉଦ୍ଦେଶ୍ୟମୂଳକ ବୋଲି କୁହାନଯିବ କାହିଁକି?

ଆଜି ସୋସିଆଲ ମିଡିଆ ଉପରେ ନଜର ପକାଇଲେ ସୋନାଙ୍କ ପରିବେଷଣ ଉପରେ ଏଭଳି ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଅନେକ ସୋନାଙ୍କ ଉପରେ କ୍ଷୋଭ ପ୍ରକାଶ କରୁଥିବା ବେଳେ କେହି କେହି ବିତୃଷ୍ଣା ଭାବେ ପ୍ରଦର୍ଶନକରି ‘ସୋନା କିଛି ଜାଣିନାହାନ୍ତି, ତେଣୁ ତାଙ୍କୁ କ୍ଷମା କରିଦେବା ଉଚିତ’ ଭଳି ମନ୍ତବ୍ୟ ଦେଉଛନ୍ତି। ଏପରିକି ହେମାନନ୍ଦ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଅନୁରାଧା ପୋଡୱାଲ ଗାଇଥିବା ‘ଆହେ ନୀଳ ଶ‌ଇଳ’ ଗୀତର ଲିଙ୍କ୍‌ ପଠାଇ ତାହା ଶୁଣି ନିଜର ତ୍ରୁଟି ସଂଶୋଧନ କରିବାକୁ ସୋନାଙ୍କୁ ପରାମର୍ଶ ଦେଇଛନ୍ତି।

ରଙ୍ଗବତୀ ପରେ ସୋନାଙ୍କ ନୂଆ ସେଲିବ୍ରିଟି ଷ୍ଟଣ୍ଟ!

କିଛି ବର୍ଷ ତଳେ ଲୋକପ୍ରିୟ ସମ୍ବଲପୁରୀ କ୍ଲାସିକ୍‍ ରଙ୍ଗବତୀକୁ ନିଜ ଷ୍ଟାଇଲରେ ଗାଇ ସମାଲୋଚନାର ଶିକାର ହୋ‍ଇଥିଲେ ସୋନା ମହାପାତ୍ର। ଏହି ଗୀତର ମୂଳଲେଖା ଏବଂ ମୂଳ ସ୍ୱରରେ ମନ‍ଇଛା ପରିବର୍ତ୍ତନ କରିଥିଲେ ସୋନା। କେବଳ ସେତିକି ନୁହେଁ, କୋକ୍‌ ଷ୍ଟୁଡିଓ ପାଇଁ ସୋନା ପ୍ରସ୍ତୁତ କରିଥିବା ଏହି ଗୀତରେ ଓଡ଼ିଆ କଣ୍ଠଶିଳ୍ପୀ ଋତୁରାଜଙ୍କୁ ଭର୍ତ୍ତି କରି ରଙ୍ଗବତୀ ସହିତ ବନ୍ଦେ ଉତ୍କଳ ଜନନୀର ଫ୍ୟୁଜନ କରି ସେ ଚର୍ଚ୍ଚିତ ହୋ‍ଇଥିଲେ। ସେତେବେଳେ ଏହାକୁ ସୋନାଙ୍କର ଏକ ‘ସେଲିବ୍ରିଟି ଷ୍ଟଣ୍ଟ’ ବା ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଏକ ଷ୍ଟାଟେର୍ଜି ବୋଲି ଆଲୋଚନା ହୋ‍ଇଥିଲା। ଏବେ ପୁଣି ଥରେ ସେହି କଥା ଉଠିଛି। ‘ଆହେ ନୀଳ ଶ‌ଇଳ’ ଭଳି ଏକ ଭକ୍ତି ରସପୂର୍ଣ୍ଣ ଗୀତକୁ ସମ୍ପୂର୍ଣ୍ଣ ଭାବେ ନବୁଝି ସେ ଗାଇଛନ୍ତି ନା ସେ ଜାଣିଶୁଣି ଏହାର କଦର୍ଥ କରିଛନ୍ତି, ତାହା ହେଉଛି ଚର୍ଚ୍ଚାର ବିଷୟ।

ସୋନା ମହାପାତ୍ରଙ୍କ ଭଳି କୌଣସି ପ୍ରତିଭାଙ୍କର ଦକ୍ଷତା ନେଇ ସମାଲୋଚନା କରିବା ଏ ଲେଖକର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଜଣେ ଓଡ଼ିଆ ହିସାବରେ ତଥା ଓଡ଼ିଆ ଭାଷା, ସଂସ୍କୃତି ଓ ସଙ୍ଗୀତର ଆଦର କରୁଥିବା ଜଣେ ସାଧାରଣ ମଣିଷ ହିସାବରେ ଏକଥା କହିବାରେ ମୋର ସାମାନ୍ୟ ଦ୍ୱିଧା ନାହିଁ ଯେ ନିଜେ ଓଡ଼ିଆ ହୋ‍ଇ ଓଡ଼ିଆ ଭାଷାର ଏଭଳି କଦର୍ଥ କରିବା ଆଦୌ ଗ୍ରହଣୀୟ ନୁହେଁ। ବାହାରୁ ଏ ବାବଦରେ କାହାଠାରୁ ନିନ୍ଦା କି ସମାଲୋଚନା ଆସୁ କି ନ ଆସୁ ଆଜି ସୋନା ମହାପାତ୍ର ନିଜ ବିବେକକୁ ଏ ବାବଦରେ ପ୍ରଶ୍ନ ପଚାରି ଉତ୍ତର ଖୋଜିବା ଦରକାର।

ମୁଁ ଆଶା କରୁଛି ଯେ ସୋନାଙ୍କ ପାଖରେ ମୋ ଭଳି ସାଧାରଣ ଲୋକର ସ୍ୱର ପହଞ୍ଚିବ ଏବଂ ସୋନା ତାଙ୍କ ଅହଂକାରର ପାଚେରୀ ଉପରୁ ତଳକୁ ଓହ୍ଲାଇ ଏହି ପ୍ରତିବାଦ ପଛର କାରଣ ଖୋଜିବାକୁ ଚେଷ୍ଟା କରିବେ। ଅବଶ୍ୟ ଯଦି ସୋନା ତାହା ନ କରନ୍ତି ବା ଜାଣି ଅଜଣା ରହନ୍ତି, ତେବେ ଯବନ କବି ସାଲବେଗଙ୍କ ‘ଆହେ ନୀଳ ଶ‌ଇଳ’ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ କ୍ଷମା କରିଦେବେ।

ଜଣେ ବ୍ୟକ୍ତିଙ୍କ ପ୍ରତିକ୍ରିୟାର ଉତ୍ତରରେ ସୋନା ଲେଖିଛନ୍ତି: “ଓଡ଼ିଆ ପରିଚୟ କ’ଣ ତାହା ଆପଣ ବିଚାର କରିବେ? ଆପଣ କ’ଣ ସେହି ଓଡ଼ିଆ ପରିଚୟର ପ୍ରତିନିଧି? ଜଣେ ପ୍ରତିକ୍ରିୟାଶୀଳ, ସଂକୀର୍ଣ୍ଣମନା ଏବଂ ରକ୍ଷଣଶୀଳ ବ୍ୟକ୍ତି ହୋ‍ଇ ଆପଣ ମୋର ବିଚାର କରିବେ?” – ସୋନାଙ୍କ ବିକୃତ ପରିବେଷଣ ଉପରେ ପ୍ରଶ୍ନ ଉଠାଇ ଜଣେ ଭଦ୍ରଲୋକଙ୍କୁ ଏଭଳି ଉତ୍ତର ମିଳିଛି। ସୋନା ମହାପାତ୍ର ଦେଇଥିବା ଉତ୍ତରରୁ ଖିଅ ବାହାରକରି ଏ ଲେଖକ ତାଙ୍କୁ ପାଲଟା ପଚାରିବାକୁ ଚାହେଁ ଯେ ଆହେ ନୀଳ ଶ‌ଇଳର ସୋନା ଯେଉଁ ପରିବେଷଣ କରି ସୋନା ନିଜେ ନିଜର ପିଠି ଥାପୁଡ଼ାଉଛନ୍ତି, ତାହା କ’ଣ ଓଡ଼ିଆ ସଂସ୍କୃତିର ଅସଲ ପରିଚୟ? ଯଦି ହଁ, ସୋନା ମହାପାତ୍ର ସେ ରାସ୍ତାରେ ଚାଲନ୍ତୁ ଓ ମହାପ୍ରଭୁ ଜଗନ୍ନାଥ ତାଙ୍କ ଉପରେ ଆଶୀର୍ବାଦ କୁଢ଼େଇ ପକାନ୍ତୁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

LEAVE A REPLY

Please enter your comment!
Please enter your name here