ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ବିବାଦରେ ଓଡ଼ିଆ ଝିଅ ତଥା ବଲିଉଡ ସିଙ୍ଗର ସୋନା ମହାପାତ୍ର। ଲୋକପ୍ରିୟ ଓଡ଼ିଆ ଭଜନ ‘ଆହେ ନୀଳ ଶଇଳ’କୁ ବିକୃତ ଭାବେ ଗାଇ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ସୋନା।

ଭକ୍ତ ସାଲବେଗଙ୍କ ଲୋକପ୍ରିୟ ଜଗନ୍ନାଥ ଜଣାଣ ‘ଆହେ ନୀଳ ଶଇଳ’କୁ ଅତି କଦର୍ଥ ଭାବେ ଗାଇଛନ୍ତି ଗାୟିକା ସୋନା ମହାପାତ୍ର। ଯାହାକୁ ନେଇ ଉଠିଛି ବିବାଦ। ‘ଆହେ ନୀଳ ଶଇଳ’ ଭଜନରେ ଥିବା ସାଲବେଗକୁ ସାଲେବେଗ, ଜଣାଣକୁ ଜନନ, ଆହେ ନୀଳ ଶଇଳକୁ ଆହେ ନୀଲୋ ଶଇଲୋ, ମତକୁ ମାତ, ଉଦ୍ଧାରିଲ ଆପଣକୁ ଉଦ୍ଧାରିଲା ଆପଣ ଭଳି ବିକୃତ କରି ଗାଇଛନ୍ତି ସୋନା। ଏହାସହ ଭଜନ ଗାଇବାବେଳେ ସୋନାଙ୍କ ଶୈଳୀକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

“ପ୍ରିୟ ସୋନା ମହାପାତ୍ର, ଆମେ ଆପଣଙ୍କ ପ୍ରତିଭା ଏବଂ ଜାତୀୟ ସ୍ତରରେ ସଫଳତାକୁ ନେଇ ଗର୍ବ କରୁ। ହେଲେ ଆପଣ ଜଣେ ଓଡ଼ିଆ ହିସାବରେ ଆମକୁ ଆଉ ସାରା ପୃଥିବୀରେ ନିନ୍ଦିତ କରନ୍ତୁ ନାହିଁ”- ବଲିଉଡ ଗାୟିକା ସୋନା ମହାପାତ୍ର ସୋସିଆଲ ମିଡିଆରେ ଅପଲୋଡ କରିଥିବା ‘ଆହେ ନୀଳ ଶଇଳ’ ଜଣାଣ ସମ୍ପର୍କରେ ଏଥିଲା ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ପ୍ରତିକ୍ରିୟା।


ଟୁଇଟରରେ ପିଙ୍କିଙ୍କର ଏ ପ୍ରତିକ୍ରିୟା ଉପରେ ତୁରନ୍ତ ଉତ୍ତର ରଖିଥିଲେ ସୋନା। ସେ ଲେଖିଥିଲେ, “ଓଡ଼ିଶାର ଅଭିନେତ୍ରୀ, ମୋ ନାଁରେ ଲୋକପ୍ରିୟତା ଅର୍ଜନ କରିବାକୁ ଉଦ୍ୟମ କରନ୍ତୁ ନାହିଁ। ଆପଣ ମତେ ଜଣେ ଓଡ଼ିଆ ବୋଲି ବିଚାର କରିନପାରନ୍ତି ଏଥିପାଇଁ ମୋର କୌଣସି ପରବାୟ ନାହିଁ।”

ସୋନାଙ୍କ ଏହି ଉତ୍ତରରେ ପିଙ୍କି ସିଧାସଳଖ ଜବାବ ରଖି କହିଛନ୍ତି ଯେ ତାଙ୍କର ଏଭଳି କୌଣସି ପବ୍ଲିସିଟିର ଆବଶ୍ୟକତା ନାହିଁ। ତେବେ ‘ଆହେ ନୀଳ ଶଇଳ’ ଓଡ଼ିଆମାନଙ୍କର ଏକ ଅତିପ୍ରିୟ ଜଣାଣ ଏବଂ ଏହା ମାଧ୍ୟମରେ ଆମେ ଜଗନ୍ନାଥଙ୍କୁ ସ୍ମରଣ କରିଥାଉ। ଏଭଳି ଗୀତରେ ଭୁଲ ସଂଶୋଧନ କରିପାରିଲେ ଆପଣ ଆହୁରି ଉପରକୁ ଉଠିପାରିବେ।”

ଏବେ ପ୍ରଶ୍ନ ଉଠୁଛି ସୋନା ମହାପାତ୍ର ଏବଂ ପିଙ୍କି ପ୍ରଧାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ପଛର କାରଣ କ’ଣ? କାରଣଟି ଅତି ସରଳ। ଜୁନ ୧୮ତାରିଖ ଦିନ ସୋନା ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ‘ଆହେ ନୀଳ ଶଇଳ’ ଗୀତ ଅପଲୋଡ କରିଛନ୍ତି। ଏହି ଗୀତଟିକୁ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି। ସୋନା ୨୦୧୭ ମସିହାରେ ବମ୍ବେରେ ହୋଇଥିବା ପ୍ୟାଡି ଫିଲ୍ଡସ କନସର୍ଟରେ ଗୀତଟି ଗାଇଥିଲେ। ସାଲବେଗଙ୍କ ଲିଖିତ ଏହି ପ୍ରସିଦ୍ଧ ଜଗନ୍ନାଥ ଜଣାଣଟିକୁ ସୋନା ଏଭଳି ବିକୃତ କରି ଗାଇଛନ୍ତି ଯେ କେବଳ ପିଙ୍କି ପ୍ରଧାନ କାହିଁକି ସୋସିଆଲ ମିଡିଆରେ ଅନେକ ତାଙ୍କର ତୀବ୍ର ସମାଲୋଚନା କରିଛନ୍ତି।

ପିଙ୍କି ପ୍ରଧାନ ଓଡ଼ିଶାଲାଇଭ୍‌କୁ କହିଛନ୍ତି, “ଅଣଓଡ଼ିଆ କଣ୍ଠଶିଳ୍ପୀମାନେ ଓଡ଼ିଆ ଶିଖି କେଡ଼େ ସୁନ୍ଦର ଭାବେ ବିଭିନ୍ନ ଓଡ଼ିଆ ଗୀତ ଗାଉଛନ୍ତି। ଅତୀତରେ ଅଣଓଡ଼ିଆ ଗାୟକ ଓ ଗାୟିକାମାନେ ଜଗନ୍ନାଥଙ୍କର ଭଜନ ଓ ଜଣାଣ ଗାଇ ଓଡ଼ିଆ ଶ୍ରୋତାଙ୍କୁ ଭକ୍ତି ଭାବରେ ପ୍ରଭାବିତ କରିଛନ୍ତି। କିନ୍ତୁ ସୋନା ମହାପାତ୍ର ଜଣେ ଓଡ଼ିଆ ହୋଇ ସାଲବେଗଙ୍କ ଜଣାଣକୁ କାହିଁକି ଏଭଳି ଭୁଲ ପରିବେଷଣ କରିବାକୁ ଚାହିଁଛନ୍ତି ମୁଁ ବୁଝିପାରୁନି।”


“ଜଣେ ସ୍ଵାଧୀନ ନାଗରିକ ଭାବେ ଆପଣ ନିଜେ ନିଜର ରାସ୍ତା ନିର୍ଦ୍ଧାରଣ କରିପାରିବାର ବିକଳ୍ପ ରହିଛି। କିନ୍ତୁ ଯେଉଁମାନେ ଭାଷାକୁ ଭଲ ପାଉଛନ୍ତି ଏଂ ଶ୍ରଦ୍ଧା କରୁଛନ୍ତି ସେମାନଙ୍କ ଭାବନାକୁ କୁଠାରଘାତ କରିବାର କୌଣସି ଅଧିକାର ଆପଣଙ୍କର ନାହିଁ। ଆପଣ ବାରମ୍ବାର ଏମିତି ଓଡ଼ିଆ ପରିଚୟକୁ ଆହତ କରିଛନ୍ତି”, କହିଛନ୍ତି ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର।


ସୋନାଙ୍କ ଏଭଳି ଗୀତ ପରିବେଷଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ। ସେ ନିଜ ଟୁଇଟର ପେଜରେ କହିଛନ୍ତି, “ଆହେ ନୀଳ ଶଇଳ ଭଳି ଏକ ଲୋକପ୍ରିୟ ଜଗନ୍ନାଥ ଜଣାଣ ପରିବେଷଣ କରିବା ଏକ ଭଲ ଉଦ୍ୟମ। ହେଲେ ଆପଣ ଗୀତଟିର ବିଭିନ୍ନ ଶବ୍ଦ ଭୁଲ ଉଚ୍ଚାରଣ କରି କେବଳ ନିଜର ଦୁର୍ବଳ ଓଡ଼ିଆ ଦକ୍ଷତା ପ୍ରମାଣ ଦେଇନାହାନ୍ତି ବରଂ ଗୀତଟିର ଭକ୍ତି ଭାବକୁ ନଷ୍ଟ କରିଦେଇଛନ୍ତି। ଏ ବାବଦରେ କୌଣସି କ୍ଷମା ପ୍ରାର୍ଥନା ମଧ୍ୟ ଗ୍ରହଣୀୟ ନୁହେଁ।”

ଗତ କିଛିଦିନ ତଳେ ସୋନା ମହାପାତ୍ରଙ୍କ ଏକ ଭିଡିଓ ‘ତୋରି ସୁରତ୍’ ଗୀତରେ ଅଶ୍ଲୀଳତା ଥିବା ସୁଫି ଫାଉଣ୍ଡେସନର ଆପତ୍ତି ଉଠାଇଥିଲା। ତା’ପୂର୍ବରୁ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’କୁ କଦର୍ଥ କରି ଗାଇଥିବା ଅଭିଯୋଗ ହୋଇଥିଲା ସୋନା ମହାପାତ୍ରଙ୍କ ନାଁରେ।

ସୋନାଙ୍କ ଗୀତ ପରିବେଷଣକୁ ନେଇ ଓଡ଼ିଶାର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋନାଙ୍କୁ ଟୁଇଟରରେ ଅନେକ ଲୋକ ସମାଲୋଚନା କରିଥିବାବେଳେ ସୋନା କିନ୍ତୁ ନିଜ ଭୁଲ ସ୍ୱୀକାର ନକରି ଅଯଥା ତାଙ୍କୁ ବିବାଦ ଘେରକୁ ଟାଣି ନିଆଯାଉଛି ବୋଲି କହିଛନ୍ତି।

ଦେଖନ୍ତୁ ସୋନା ମହାପାତ୍ରଙ୍କ ଭଜନ ପରିବେଷଣକୁ ନେଇ ଟୁଇଟର ପ୍ରତିକ୍ରିୟା-


Comment