ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇଥର ବିଶ୍ୱଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଆର୍ଜେଣ୍ଟିନା ଚଳିତ ଫୁଟବଲ୍ ବିଶ୍ୱକପରେ ପୁଣି ଥରେ ବିଫଳତାର ସମ୍ମୁଖୀନ ହୋଇଛି।

ମହାନ ଖେଳାଳି ଲିଓନେଲ୍‌ ମେସି ପୁଣି ଥରେ ବିଫଳ ହେବା ସହ ଗତ ବିଶ୍ୱକପ୍‌ର ଉପ ବିଜେତା ଆର୍ଜେଣ୍ଟିନା ମସ୍କୋ ମହାସମରରେ ନିଜଠାରୁ ୧୫ଟି ସ୍ଥାନ ତଳେ ଥିବା କ୍ରୋଏସିଆଠାରୁ ଲଜ୍ଜାଜନକ ଭାବେ ୦-୩ ଗୋଲ୍‌ରେ ହାରିଯାଇଛି।

କ୍ରମାଗତ ଦୁଇଟି ବିଜୟ ହାସଲ କରି କ୍ରୋଏସିଆ ଏହି ସଫଳତା ଅର୍ଜନ କରିଛି। ଅନ୍ୟପଟେ ପ୍ରଥମ ମ୍ୟାଚ ଡ୍ର ରଖିଥିବା ଆର୍ଜେଣ୍ଟିନା ପାଇଁ ଏହି ପରାଜୟ ମହଙ୍ଗା ସାବ୍ୟସ୍ତ ହୋଇଛି।

କ୍ରୋଏସିଆ ତରଫରୁ ୫୩ତମ ମିନିଟରେ ଆଣ୍ଟେ ରେବିକ୍‌, ୮୦ତମ ମିନିଟ ଲୁକା ମୋଡ୍ରିକ ଓ ଶେଷରେ ଇଞ୍ଜୁରୀ ଟାଇମ୍‌ରେ ଇଭାନ ରାକଟିକ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। ପରାଜୟ ସହ ଆର୍ଜେଣ୍ଟିନା ପାଇଁ ନକଆଉଟ୍‌କୁ ଉଠିବାର କ୍ଷୀଣ ଆଶା ରହିଛି।

ଫିଫା ମାନ୍ୟତାର ୨୦ତମ ସ୍ଥାନରେ ଥିବା କ୍ରୋଏସିଆ ପଞ୍ଚମ ସ୍ଥାନରେ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ଆଣ୍ଠେଇଦେବା ଚଳିତ ବିଶ୍ୱକପ୍‌ର ଅନ୍ୟତମ ବଡ଼ ବିପର୍ଯ୍ୟୟ ହୋଇଛି।

ଗୁରୁବାର ମ୍ୟାଚ୍‌ ପୂର୍ବରୁ ଆର୍ଜେଣ୍ଟିନା ଓ କ୍ରୋଏସିଆ ୪ ଥର ମୁହାଁମୁହିଁ ହୋଇଥିଲେ। ସେଥିମଧ୍ୟରୁ ଆର୍ଜେଣ୍ଟିନା ଦୁଇଟି ଏବଂ କ୍ରୋଏସିଆ ଗୋଟିଏ ବିଜୟ ହାସଲ କରିଥିଲା। ୧୯୯୮ ମସିହାରେ ପ୍ରଥମ ଓ ଶେଷ ଥର ପାଇଁ ଉଭୟ ଦଳ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିଥିଲେ। ସେହି ମ୍ୟାଚ୍‌କୁ ଆର୍ଜେଣ୍ଟିନା ୧-୦ରେ ଜିତି ନେଇଥିଲା। ୨୦ ବର୍ଷ ପରେ କ୍ରୋଏସିଆ ଏହାର ମଧୁର ପ୍ରତିଶୋଧ ନେଇଛି। ଦୁଇ ଦଳର ଜୟ ପରାଜୟ ଅନୁପାତ ମଧ୍ୟ ସମାନ ୨-୨ ହୋଇ ଯାଇଛି।

Comment