ଓଡ଼ିଶାଲାଇଭ୍ ବ୍ୟୁରୋ
ପିଲା ଚୋର ସନ୍ଦେହରେ ରାଉରକେଲାରେ ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପ୍ଲାଣ୍ଟ ସାଇଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ଏପଟେ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ଆଜି ଆକ୍ରମଣକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ମାଡ଼ ମାରିଥିବା ଲୋକେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି।
ଜୁନ୍ ୧୭ ତାରିଖରେ ଘଟିଥିଲା ଏହି ଘଟଣା। ଜଣେ ମହିଳାଙ୍କୁ ପିଲା ଚୋର ସନ୍ଦେହରେ କିଛି ଲୋକ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସେ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ତାଙ୍କ ଏତଲା ରଖି ନଥିଲା।
ମାଡ଼ ମରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସର ବୁଦ୍ଧି ଉଦୟ ହୋଇଥିଲା। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାଉରକେଲାର ଇନ୍ଦିରାପାଲି ନିକଟରେ ୧୦ରୁ ୧୨ ଜଣ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଭିଡିଓ ଭାଇରାଲ ହେବା ପରେ ପୋଲିସ ପୀଡ଼ିତାଙ୍କର ଏତଲା ରଖି ମାମଲା ରୁଜୁ କରିଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।


















