ଓଡ଼ିଶାଲାଇଭ୍‍ ବ୍ୟୁରୋ

କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦର ବାପାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା। ତାଙ୍କର ଏ ଚିନ୍ତା ଦୂର କରିବା ପାଇଁ ଇଞ୍ଜିନିୟର ପୁଅ ଗଢ଼ିଲା ଏକ ସୌରଶକ୍ତି ପରିଚାଳିତ ସାଇକେଲ, ଯାହା ପରିବେଶ ଅନୁକୂଳ ଏବଂ ଦ୍ରୁତ ପରିବହନର ମାଧ୍ୟମ ପାଲଟିଲା। ଏହି ସାଇକେଲ ଏବେ ଇଞ୍ଜିନିୟର ପୁଅକୁ ନୂଆ ପରିଚୟ ଦେବା ସହିତ ବାପାଙ୍କ ଗର୍ବ କରିବାର ଅବସର ମଧ୍ୟ ଦେଲା।

ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ କୁଲଣା ଗ୍ରାମର ରାକେଶ ନାୟକଙ୍କ କ୍ଷେତ୍ରରେ।  ୨୪ ବର୍ଷୀୟ ରାକେଶ ଜଣେ ଇଲେକଟ୍ରିକାଲ ଇଞ୍ଜିନିୟର। ସେ ଏକ ସୌରଶକ୍ତି ପରିଚାଳିତ ବାଇସାଇକେଲ ବିକଶିତ କରି ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ସୁବାସ ନାୟକ ଏବଂ ପ୍ରମିଳା ନାୟକଙ୍କ ପୁତ୍ର ରାକେଶଙ୍କ ଦ୍ୱାରା ବିକଶିତ ଏହି ଅଭିନବ ବାଇସାଇକେଲ ସୌରଶକ୍ତି ଦ୍ୱାରା ପରିଚାଳିତ, ଯାହା ଘଂଟାକୁ ୩୦ କିମି ବେଗରେ ଗତି କରିପାରିବ। ନିମ୍ନମଧ୍ୟବିତ୍ତ ପରିବାର ସୁବାସ ବାଇକ ଚଳାଇବା ପାଇଁ ସବୁବେଳେ ଚଢ଼ାଦରରେ ପେଟ୍ରୋଲ କିଣି ବ୍ୟତିବ୍ୟସ୍ତ ହୋଇପଡ଼ୁଥିଲେ। ତାଙ୍କର ଏ ଚିନ୍ତା ଦୂର କରିବା ଲାଗି ପୁଅ ତାଙ୍କର ଏହି ବିକଳ୍ପ ଶକ୍ତି ପରିଚାଳିତ ସାଇକେଲ ଗଢ଼ିଦେଇଛି।

ଭଦ୍ରକର ବରପଦା ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜିରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ପଢ଼ାସାରିଛନ୍ତି ରାକେଶ। ସେ ଗୋଟିଏ ସୋଲାର ପ୍ୟାନେଲ, ୪ଟି ୧୨ ଭୋଲ୍ଟ ବ୍ୟାଟେରୀ ଏବଂ ଏକ ସ୍ୱିଚକୁ ୨୪ ଭୋଲ୍ଟ ଡିସି ମୋଟର ସହ ଯୋଡ଼ି ସାଇକେଲରେ ଖଞ୍ଜିଛନ୍ତି।

ତାଙ୍କ ସାଇକେଲରେ ଏକ ଇଲେକଟ୍ରିକ ଏକ୍ସେଲେଟର ମଧ୍ୟ ରହିଛି, ଯାହା ଇଞ୍ଜିନକୁ ଷ୍ଟାର୍ଟ କରିବାରେ ସହାୟତା କରୁଛି। ତା’ ଛଡ଼ା ଏଥିରେ ହର୍ଣ୍ଣ ଓ ଲାଇଟ ବ୍ୟବସ୍ଥା ମଧ୍ୟ ରହିଛି।

ବାଇସାଇକେଲ ନିର୍ମାଣ କ୍ଷେତ୍ରରେ ଏହି ଉଦ୍ଭାବନ ଏକ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଏହାକୁ ପାଡେଲ ମାରି ମଧ୍ୟ ଚଳାଇ ହେବ। ଦିନରେ ସୌର ଶକ୍ତିରେ ଚାଲିବା ଏବଂ ରାତିରେ ଚାର୍ଜ ହୋଇଥିବା ବ୍ୟାଟେରି ଶକ୍ତିରେ ଚାଲିବାର କ୍ଷମତା ରହିଛି ଏ ସାଇକେଲରେ।

ମାତ୍ର ୨ ମାସ ସମୟ ଏବଂ ୧୫ ହଜାର ଟଙ୍କା ବ୍ୟୟରେ ରାକେଶ ଏ ସାଇକେଲଟିକୁ ବିକଶିତ କରିଛନ୍ତି।

ନିଜର ଏ ଅଭିନବ ଉଦ୍ଭାବନ ବିଷୟରେ ଏହି ପ୍ରତିଭାସମ୍ପନ୍ନ ଇଞ୍ଜିନିୟର କୁହନ୍ତି ଯେ ସରକାର କିମ୍ବା କୌଣସି ଘରୋଇ କମ୍ପାନୀର ପ୍ରୋତ୍ସାହନ ପାଇଲେ ଏ ସାଇକେଲରେ ସେ ଅଧିକ ସୁବିଧା ବିକଶିତ କରିପାରିବେ।

ରାକେଶଙ୍କ ଏହି ଉଦ୍ଭାବନ ଏବଂ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହେଉଛି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Comment