ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତିଙ୍କ ଏକ ବହୁଚର୍ଚ୍ଚିତ ନାଟକ ହେଲାଏଠି ସ୍ୱପ୍ନ ଦେଖିବା ମନା ଆସନ୍ତୁ ଜାଣିବା ଏହାର କାହାଣୀ

ଓଲିଉଡର ଖ୍ୟାତନାମା ଅଭିନେତା ଅଶ୍ରୁମୋଚନ ମହାନ୍ତି ଯାତ୍ରାଜଗତର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ। ସେ ଅନେକଗୁଡ଼ିଏ ଯାତ୍ରା ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ଏଠି ସ୍ୱପ୍ନ ଦେଖିବା ମନା’।

ତ୍ରିନାଥ ଗଣନାଟ୍ୟ ଦ୍ୱାରା ମଞ୍ଚସ୍ଥ ଏହି ଯାତ୍ରାନାଟକର ନାଟ୍ୟକାର ହେଲେ ଜଣାଶୁଣା ଲେଖକ ଚିନ୍ମୟ ଦାସ। ଏବେ ଆସନ୍ତୁ ଜାଣିବା ‘ଏଠି ସ୍ୱପ୍ନ ଦେଖିବା ମନା’ର କଥାବସ୍ତୁ ସମ୍ପର୍କରେ…

ସମରେନ୍ଦ୍ର କାନୁନଗୋ ଜଣେ ଅବସରପ୍ରାପ୍ତ ଅଧିକାରୀ। ସେ ଜଣେ ସଚ୍ଚୋଟ ଅଫିସର ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ଅବସର ପରେ ସମରେନ୍ଦ୍ର ଅନୁଭବ କଲେ ଯେ ରାଜନୀତିରେ ପ୍ରବେଶ କରିଲେ ସମାଜରୁ ଦୁର୍ନୀତି ଦୂର ହୋଇପାରିବ।

ସମରେନ୍ଦ୍ର କାନୁନ୍‌ଗୋ ଏହାପରେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଲେ। ସେ ଦୁର୍ନୀତିଗ୍ରସ୍ତ ରାଜନେତା ସୂର୍ଯ୍ୟପ୍ରତାପଙ୍କ ବିପକ୍ଷରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଲେ। ସମରେନ୍ଦ୍ର ସ୍ୱପ୍ନ ଦେଖିଥିଲେ ଏକ ଦୁର୍ନୀତିମୁକ୍ତ ସମାଜ ଗଠନ କରିବେ। ହେଲେ ରାଜନୀତିର କପଟ ପଶାପାଲିରେ ହାରିଗଲେ ସମରେନ୍ଦ୍ର। ସେ ସୂର୍ଯ୍ୟପ୍ରତାପଙ୍କଠାରୁ ନିର୍ବାଚନରେ ପରାଜୟ ବରଣ କରିଥିଲେ।

ସମରେନ୍ଦ୍ରଙ୍କ ପରିବାର କହିଲେ ତାଙ୍କର ଅର୍ଦ୍ଧାଙ୍ଗିନୀ, ବଡ଼ପୁଅ ସୁଶାନ୍ତ, ବଡ଼ବୋହୂ ଓ ସାନପୁଅ ସଂଗ୍ରାମ। ବେକାର ସାନପୁଅ ସଂଗ୍ରାମ ସମରେନ୍ଦ୍ରଙ୍କ ଭଳି ଜଣେ ଆଦର୍ଶବାଦୀ ମଣିଷ। ଠିକ୍ ସେହିପରି ତାଙ୍କ ଝିଅ ସୀମା ମଧ୍ୟ ସମାଜକୁ ସୁଧାରିବା ଲକ୍ଷ୍ୟ ନେଇ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରତିଷ୍ଠା କରିଥିଲେ।

ନିର୍ବାଚନରେ ପରାଜିତ ହେବା ସମରେନ୍ଦ୍ରଙ୍କ ଉପରେ ଲୋଲୁପ ଦୃଷ୍ଟି ପଡ଼ିଥିଲା ସୂର୍ଯ୍ୟପ୍ରତାପର। ସୂର୍ଯ୍ୟପ୍ରତାପର ପୁଅ ଚନ୍ଦ୍ରପ୍ରତାପ ସୀମାକୁ ଦୁଷ୍କର୍ମ କରିଲା। ତେଣେ ସୁଶାନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଟଙ୍କା ଲୋଭରେ କଣିନେଲା ସୂର୍ଯ୍ୟପ୍ରତାପ। ଏହାପରେ ସମରେନ୍ଦ୍ରଙ୍କୁ ଘରେ ବନ୍ଦୀ କରି ରଖିଲେ ସୂର୍ଯ୍ୟପ୍ରତାପ। ଘଟଣାକ୍ରମେ ସମରେନ୍ଦ୍ରଙ୍କ ବଦଳରେ ଏକ ଶବ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ପ୍ରମାଣିତ ହୋଇଗଲା ଯେ ଏହି ଶବ ହେଉଛି ସମରେନ୍ଦ୍ରଙ୍କର। କିନ୍ତୁ ପ୍ରକୃତରେ ସମରେନ୍ଦ୍ର ବଞ୍ଚିଛନ୍ତି।

ସମରେନ୍ଦ୍ରଙ୍କ ସ୍ତ୍ରୀ ବିଧବା ହୋଇଗଲେ। ତେଣେ ସୂର୍ଯ୍ୟପ୍ରତାପ ଆଇନର ଜାଲରୁ ଖସିବା ପାଇଁ ଛଳନା କରି ସୀମାକୁ ନିଜର ବୋହୂ ଭାବେ ସ୍ୱୀକାର କରିଲେ।

କିନ୍ତୁ ପୁଣି କାହାଣୀ ନୂଆ ମୋଡ଼ ନିଏ। ସମରେନ୍ଦ୍ରଙ୍କୁ ମୁକ୍ତ କରିଦେଲା ସୂର୍ଯ୍ୟପ୍ରତାପ। ସେ ଆସି ଦେଖନ୍ତି ଯେ ପୁଅବୋହୂ ତାଙ୍କର ଏଲଆଇସି ଟଙ୍କା ଆତ୍ମସାତ କରିସାରିଛନ୍ତି। ସମରେନ୍ଦ୍ର ଜାଣିପାରିଲେ ଯେ ତାଙ୍କର ଜୀବନ ପ୍ରତି ବିପଦ ରହିଛି। ବଡ଼ପୁଅ ଓ ବୋହୂଙ୍କ ଦୌରାତ୍ମ୍ୟରେ ତାଙ୍କୁ ନିଜଘରେ ଜୀଅନ୍ତା ପ୍ରେତ ସାଜି ବନ୍ଦୀର ଜୀବନ ବିତାଇବାକୁ ପଡ଼େ। ମୋଟାମୋଟି ଭାବେ କାହାଣୀର ତିନିଟି ପ୍ରମୁଖ ପାତ୍ର ସମରେନ୍ଦ୍ର, ସାନପୁଅ ସଂଗ୍ରାମ ଓ ଝିଅ ସୀମାଙ୍କର ସ୍ୱପ୍ନ ଭାଙ୍ଗିଯାଏ।

ସୀମା ତାଙ୍କ ପୂର୍ବ ପ୍ରେମିକ ଶୁଭକାନ୍ତଙ୍କ ସହିତ ହାତ ମିଳାଏ। ସେ ଦୁହେଁ ସୂର୍ଯ୍ୟପ୍ରତାପର କଳାକାରନାମାର ପର୍ଦ୍ଦାଫାସ୍ କରିବାରେ ଚେଷ୍ଟା କରନ୍ତି। ପୁଅ ସଂଗ୍ରାମ ସବୁ କଥା ଜାଣିବା ପରେ ସେ ମଧ୍ୟ ଏଥିରେ ସାମିଲ୍ ହୁଅନ୍ତି।

ହେଲେ ଏମାନେ କ’ଣ ସଂଗ୍ରାମରେ ସଫଳ ହୁଅନ୍ତି। ସମରେନ୍ଦ୍ରଙ୍କ ସ୍ୱପ୍ନ କ’ଣ ସାକାର ହୁଏ? ସୂର୍ଯ୍ୟପ୍ରତାପଙ୍କୁ କ’ଣ ଶାସ୍ତିବିଧାନ ହୁଏ? ଏସବୁ ପ୍ରଶ୍ନର ଉତ୍ତର ମଳିଛି ‘ଏଠି ସ୍ୱପ୍ନ ଦେଖିବା ମନା’ର ଶେଷ ଦୃଶ୍ୟରେ।

LEAVE A REPLY

Please enter your comment!
Please enter your name here