ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଧର୍ମେନ୍ଦ୍ର କହିଲେ, ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନି
  • କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଉଠାଇଲା ବିବାଦ?
  • ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ: ଧର୍ମେନ୍ଦ୍ର
  • ଗଣମାଧ୍ୟମ ଉପରେ ଦୋଷ ଲଦିଲେ ବିଜେଡି ମୁଖପାତ୍ର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ସ୍ତ୍ରୀଙ୍କୁ ଶ୍ରୀମନ୍ଦିରରେ ଅସମ୍ମାନ କରାଯାଇଥିବା ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି। ବିଜେଡି ମୁଖପାତ୍ର ଏବଂ ମୁଖ୍ୟ ଶାସନ ସଚିବଙ୍କ କଥାରେ ତାଳମେଳ ରହୁ ନଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜେଡିକୁ ତୀର ମାରିଛନ୍ତି।

ରାଷ୍ଟ୍ରପତି ଭବନରୁ ସେମିତି କିଛି ଚିଠି ଆସି ନଥିବା ବେଳେ କ’ଣ ପାଇଁ ଏହି କଥା ଉଠିଲା ତାହା ସାମ୍ନାକୁ ଆସିବା ଦରକାର। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ଧର୍ମେନ୍ଦ୍ର କହିଛନ୍ତି। କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ପ୍ରସଙ୍ଗ ଉଠାଇଲା ତାକୁ ନେଇ ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି।

“ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇଥିବା ବେଳେ ମୁଁ ତାଙ୍କ ପାଖେପାଖେ ଥିଲି। ମୋ ଜାଣତରେ ସେମିତି କିଛି ଘଟଣା ଘଟିନାହିଁ। ରାଷ୍ଟ୍ରପତିଙ୍କ ଭବନରୁ କୌଣସି ଚିଠି ଆସି ନାହିଁ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଲାଗି ରହିଛି। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ଏକ ଚିଠି ଆସିଥିବା କୁହାଯାଉଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ ଗତ ୨୬ ତାରିଖରେ ଚିଠି ଆସିଥିବା କଥାକୁ ସ୍ୱୀକାର କରିଥିଲେ। ହେଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କୌଣସି ଚିଠି ଆସି ନଥିବା କହିଥିଲେ।

ବିଜେଡି ମୁଖପାତ୍ର ଏବଂ ମୁଖ୍ୟ ଶାସନ ସଚିବଙ୍କ କଥାରେ ତାଳମେଳ ରହୁ ନଥିବାରୁ ବିଜେଡି ଶିବିରକୁ ତୀର ମାରିଛନ୍ତି ଧର୍ମେନ୍ଦ୍ର। ବିଜେଡି ମୁଖପାତ୍ର ନା ମୁଖ୍ୟ ଶାସନ ସଚିବ କିଏ ସତ କହୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ଏପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କଥା ବଦଳାଇଛନ୍ତି। କହିଛନ୍ତି, “ମୁଁ ସେଦିନ ଗଣମାଧ୍ୟମର ଉକ୍ତିକୁ ନେଇ ମତ ରଖିଥିଲି। ପ୍ରକୃତରେ କ’ଣ ହୋଇଛି ତାହା ଗଣମାଧ୍ୟମ ପ୍ରତିନିଧି କହିପାରିବେ। ଜଗନ୍ନାଥଙ୍କୁ ନେଇ ଆମେ ରାଜନୀତି କରୁନୁ। ଯିଏ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବ ସେ ତଳିତଳାନ୍ତ ହୋଇଯିବ।”

Comment