ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦ ମିଟର ପରେ ମହିଳା ୧୦୦ ମିଟର ଦୌଡ଼ ଲାଗି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ।

ଆସାମର ଗୁଆହାଟୀରେ ଚାଲିଥିବା ୫୮ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‍ଲେଟିକ୍‍ ଚମ୍ପିଆନ୍‍ସିପ୍‍ର ହିଟ୍‍ସରେ ଚମତ୍କାର ପ୍ରଦର୍ଶନ କରି ଦୂତୀ ଆଉ ଏକ କୃତିତ୍ୱ ହାସଲ କରିଛନ୍ତି।
ଗୁରୁବାର ସକାଳେ ହୋଇଥିବା ହିଟ୍‍ସରେ ଦୁତୀ ୧୧.୪୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ ପାର କରିଥିଲେ। ଏସୀୟ କ୍ରୀଡ଼ା ପାଇଁ ମହିଳା ୧୦୦ ମିଟର ଦୌଡ଼ରେ ଯୋଗ୍ୟତା ଟାଇମିଂ ହେଉଛି ୧୧.୬୭ ସେକେଣ୍ଡ।

ହିଟ୍‍ସରେ ପ୍ରଥମ ସ୍ଥାନରେ ରହି ଦୂତୀ ୧୦୦ ମିଟରର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୂତୀଙ୍କ ସହ ଅନ୍ୟ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ମଧ୍ୟ ୧୦୦ ମିଟର ଦୌଡ଼ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ହିଟ୍‍ସରେ ଶ୍ରାବଣୀ ୧୧.୯୬ ସେକେଣ୍ଡ ସମୟ ନଇଥିବାରୁ ସେ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରି ପାରିନାହାନ୍ତି।

ଉଭୟ ଦୂତୀ ଓ ଶ୍ରାବଣୀ ଶୁକ୍ରବାର ସକାଳେ ୧୦୦ ମିଟର ଦୌଡ଼ର ସେମିଫାଇନାଲରେ ଏବଂ ଯଦି ଯୋଗ୍ୟତା ଅର୍ଜନ କରନ୍ତି; ଅପରାହ୍‍ଣରେ ଫାଇନାଲରେ ଭାଗନେବେ। ଶ୍ରାବଣୀ ନନ୍ଦ ଆହତ ହୋଇଥିବାରୁ ସେ ସେମିଫାଇନାଲରେ ଭାଗ ନେଇ ନପାରନ୍ତି। ପ୍ରତିଯୋଗିତାର ପ୍ରଥମଦିନ ଦୁତି ଚାନ୍ଦ ମହିଳା ୨୦୦ ମିଟର ହିଟ୍‍ସରେ ୨୩.୪୬ ସେକେଣ୍ଡ ସମୟ ନେଇ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ମହିଳା ୨୦୦ ମିଟର ଦୌଡ଼ ପାଇଁ ଏସୀୟ କ୍ରୀଡ଼ା ଲାଗି ଏଏଫ୍‍ଆଇ ରଖିଥିବା ଯୋଗ୍ୟତା ଟାଇମିଂ ହେଉଛି ୨୩.୫୦ ସେକେଣ୍ଡ। ପରେ ଫାଇନାଲରେ ଦୂତୀ ରୌପ୍ୟ ଏବଂ ଶ୍ରାବଣୀ ବ୍ରୋଞ୍ଜ୍‍ପଦକ ଜିତିଥିଲେ।

ଶୁକ୍ରବାର ମହିଳା ୧୦୦ ମିଟରର ସେମିଫାଇନାଲ୍‌ ଓ ଫାଇନାଲ୍‌ ଖେଳାଯିବ। ଅନ୍ୟପକ୍ଷରେ ୪୦୦ ମିଟର ଦୌଡ଼ ଫାଇନାଲ୍‌ରେ ଓଡ଼ିଆ ଝିଅ ଜଉନା ମୁର୍ମୁ ପ୍ରବେଶ କରିଛନ୍ତି।

ତେବେ ପୁରୁଷ ୧୦୦ ମିଟରରେ ଅଧିକ ଧ୍ୟାନ ଦେବା ପାଇଁ ୨୦୦ ମିଟରରୁ ଓହରି ଯାଇଥିବା ଅମୀୟ ମଲ୍ଲିକ ପୁଣିଥରେ ନିରାଶ କରିଛନ୍ତି। ୧୦୦ ମିଟର ଇଭେଣ୍ଟର ହିଟ୍ସ ପର୍ଯ୍ୟାୟ ମଧ୍ୟରେ ଅମୀୟ ସୀମିତ ରହିଯାଇଥିଲେ। ହିଟ୍ସରେ ୧୧.୫୩ ସେକେଣ୍ଡ ସମୟ ନେଇ ସେ ପଞ୍ଚମ ସ୍ଥାନରେ ରହିଥିଲେ। ଫଳରେ ଏଠାରୁ ତାଙ୍କର ଅଭିଯାନ ଶେଷ ହୋଇଯାଇଛି।

ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକାର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ।

Comment