ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡ ପୌଡି ଗଡବାଲରେ ରବିବାର ସକାଳେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଘାଟି ତଳକୁ ଏକ ଯାତ୍ରୀବାହୀ ବସ ଖସି ପଡି ୪୮ ଜଣଙ୍କ ମୃତ୍ୟୁ ଘଟିଛି।

ଉତ୍ତରାଖଣ୍ଡ ଗଡବାଲ ଜିଲ୍ଲା କୋଟଦ୍ୱାରଠାରେ ରବିବାର ସକାଳ ୮ଟା ୪୫ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସି ପଡ଼ିଛି।

ନୈନିଣ୍ଡାଡା ବ୍ଲକ୍‌ ଅନ୍ତର୍ଗତ ପିପଲି-ଭୈନ ରାସ୍ତାରେ ଘଟିଥିବା ଏହି ଦୁର୍ଘଟଣାରେ ୪୮ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୮ରୁ ଅଧିକ ଆହତ ହୋଇଛନ୍ତି।

ଭୈନରୁ ରାମନଗର ଯାଉଥିବା ଯାତ୍ରୀବାହୀ ବସରେ ସିଟ୍‌ ସଂଖ୍ୟା ୨୮ଥିବାବେଳେ ଏଥିରେ ଅଧିକଯାତ୍ରୀ ଯାତ୍ରା କରୁଥିଲେ। ବସ୍‌ ପାହାଡ଼ି ରାସ୍ତାରେ ନିୟନ୍ତ୍ରଣ ହରାଇ ୬୦ ଫୁଟ ଗଭୀର ଖାଇକୁ ଖସିପଡ଼ିବାରୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଜ୍ୟ ଏନ୍‌‌ଡିଆର୍‌‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ତୁରନ୍ତ ହେଲିକପ୍‌‌ଟର ଯୋଗେ ହସ୍ପିଟାଲ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ପୋଲିସ ଖାଇ ଭିତରକୁ ଯାଇ ଦୁର୍ଘଟଣାର ତଦନ୍ତ କରିଛନ୍ତି। ଅଧିକାଂଶ ମୃତକ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି।

ଯେଉଁ ରାସ୍ତାରେ ବସ୍‌ଟି ଯାଉଥିଲା ତାହା କିଛି ମାସ ଧରି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା। ବିପଦସଙ୍କୁଳ ରାସ୍ତାରେ ଅଚାନକ ବସ୍‌‌ଟି ନିୟନ୍ତ୍ରଣ ହରାଇଥିଲା ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ଵତ ଘଟଣାସ୍ଥଳରେ ପହଞ୍ଚି  ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

Comment