ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ପୁଣି ଉଠାଇଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ। ଧାନର ଏମ୍‌ଏସ୍‌ପି ନିର୍ଦ୍ଧାରଣ କରିବାରେ କେନ୍ଦ୍ର ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରଶ୍ନ କରିଛନ୍ତି।

କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାର ପୁଣି ଦାବି କରିଛନ୍ତି। ଏନେଇ ରାଜ୍ୟ କୃଷି ସଚିବ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ସାଧାରଣ ଧାନର ମୂଲ୍ୟ  କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ଏବଂ ଏ ଗ୍ରେଡ ଧାନର ମୂଲ୍ୟ ୨୯୭୦ ଟଙ୍କା କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର।

କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମଧ୍ୟ କେନ୍ଦ୍ର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କର ଚାଷୀଙ୍କ ପ୍ରତି ଆନ୍ତରିକତା ନାହିଁ ବୋଲି ମହାରଥୀ କହିଛନ୍ତି।

ପ୍ରଦୀପ ମହାରଥୀ କହିଛନ୍ତି, “ଜୁନ୍‌ ଶେଷ ସୁଦ୍ଧା ଧାନର ଏମଏସପି ନିର୍ଦ୍ଧାରଣ କରିଥାନ୍ତି କେନ୍ଦ୍ର ସରକାର। କିନ୍ତୁ ଜୁଲାଇ ଆରମ୍ଭ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ କୃଷକ ସଭାରେ ଚାଷୀମାନଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ପୂରଣ ହୋଇପାରି ନାହିଁ। ଅମିତ ଶାହ ଓଡ଼ିଶା ଆସୁଛନ୍ତି ଏବଂ ଯାଉଛନ୍ତି। ହେଲେ ଚାଷୀଙ୍କ ସମ୍ପର୍କରେ କିଛି କହୁ ନାହାନ୍ତି।”

୨୦୧୭ ମେ’ ମାସରେ କୃଷି କମିଶନଙ୍କର ଏକ କମିଟି ଧାନର ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପଚାରିଥିଲେ। ସେତେବେଳେ ରାଜ୍ୟ ସରକାର ସାଧାରଣ ବର୍ଗ ଧାନର ମୂଲ୍ୟ ୨୯୩୦ଟଙ୍କା ଏବଂ ଏ-ଗ୍ରେଡ ଧାନର ମୂଲ୍ୟ ୨୯୭୦ ଟଙ୍କା ଧାର୍ଯ୍ୟ କରିବାକୁ କହିଥିଲେ। କିନ୍ତୁ ଏହାକୁ ଗ୍ରହଣ କରି ନଥିଲା କେନ୍ଦ୍ର।

ସାଧାରଣ ବର୍ଗ ଧାନର ମୂଲ୍ୟ ୧୭୪୫ ଏବଂ ଏ-ଗ୍ରେଡ ଧାନର ମୂଲ୍ୟ ୧୭୭୦ ଟଙ୍କା କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ଗ୍ରହଣ କରିନଥିଲେ। ଫଳରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭିତରେ ଟଣାଓଟରା ଚାଲିଥିଲା।

LEAVE A REPLY

Please enter your comment!
Please enter your name here