ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରରେ ଭାଙ୍ଗିବ କି ବର୍ଷ ବର୍ଷର ପରମ୍ପରା? ମହାପ୍ରଭୁଙ୍କ ସିଂହଦ୍ୱାରରେ ପ୍ରବେଶ କରିବେ କି ଅଣହିନ୍ଦୁ? ସୁପ୍ରିମକୋର୍ଟଙ୍କ ଏହି ପ୍ରସ୍ତାବକୁ ନେଇ ଆରମ୍ଭ ହୋଇଛି ବିତର୍କ।

“ୟେପେନ୍ନ ଦେବତା ଭକ୍ତା ୟଜନ୍ତେ ସରଧାୟା ନବିତାଃ ତେପି ମାମେବ କୌନ୍ତେୟ ୟଜନ୍ତ୍ୟ ବିଧିପୂର୍ବକମ୍”

ଉପରୋକ୍ତ ଶ୍ଲୋକର ଅର୍ଥ ହେଉଛି – “ଅନ୍ୟ ଧର୍ମର ଭକ୍ତ ଯେଉଁମାନେ ପୂର୍ଣ୍ଣ ଆସ୍ଥା ସହ ପୂଜା କରନ୍ତି ସେମାନେ ମତେ ମଧ୍ୟ ପୂଜା କରନ୍ତି” – ଭଗବତ ଗୀତାର ପବିତ୍ର ଶ୍ଲୋକକୁ ବାଖ୍ୟା କରି ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ସମ୍ପର୍କରେ ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଏହି ଅବସରରେ କୋର୍ଟ ସନାତନ ଧର୍ମର ମଧ୍ୟ ବାଖ୍ୟା କରିଛନ୍ତି। କୋର୍ଟ କହିଛନ୍ତି, ସନାତନ ଧର୍ମ କେବଳ ଗୋଟିଏ ଧର୍ମ ପାଇଁ ନୁହେଁ। ଏହା ହେଉଛି ସବୁ ଧର୍ମ ଏବଂ ବିଶ୍ୱାସର ପ୍ରତୀକ। ଏହାକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଶ୍ରୀମନ୍ଦିର ପରିଚାଳନା କମିଟି କୋର୍ଟଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିପାରିବ କି ନାହିଁ ସେ ସମ୍ପର୍କରେ କୋର୍ଟରେ ବିଚାର ବିମର୍ଷ ହୋଇଥିଲା। ତାମିଲନାଡୁରେ ନିକଟରେ ସମାଧାନ ହୋଇଥିବା ଏକ ମାମଲାର ରାୟ ଆଧାରରେ ଏହି ପ୍ରସ୍ତାବ ଦିଆଯାଇଥିବା କୋର୍ଟ କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବକୁ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ କରାଯିବ କି? ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ସମ୍ପର୍କରେ ଆଲୋଚନା ହେବ କି?

“ସୁପ୍ରିମକୋର୍ଟ ଦେଇଥିବା ପରାମର୍ଶ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା କରାଯିବ। ସମସ୍ତଙ୍କର ମତାମତ ନେବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ”, କହିଛନ୍ତି ଗଜପତି ମହାରାଜ ଦିବ୍ୟବସିଂହ ଦେବ।

ଭାବର ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ବର୍ଷ ବର୍ଷ ଧରି ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଉଛି। ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ରହିଛି। ହେଲେ ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ସଂସ୍କାର ସମ୍ପର୍କରେ ରାୟ ଦେବା ବେଳେ ଅଣହିନ୍ଦୁଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ବିଚାର କରିବାକୁ ପ୍ରସ୍ତାବ ଦେଇଥିଲେ।

ସୁପ୍ରିମକୋର୍ଟ ବିଗତ ଦିନର ରାୟ, ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ପି.ବି. ଗଜେନ୍ଦ୍ର ଗଡ଼କରଙ୍କ ପୁସ୍ତକ ତଥା ଭାଗବତ ଗୀତାକୁ ଉଦ୍ଧାର କରି ହିନ୍ଦୁ ଧର୍ମର ବାଖ୍ୟା କରିଥିଲେ। ବିଚାରପତି ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଏବଂ ଜଷ୍ଟିସ୍ ଏସ୍‌. ଅବଦୁଲ ନାଜିରଙ୍କ ଖଣ୍ଡପୀଠ ଗୀତାର ଶ୍ଲୋକକୁ ଆଧାର କରି ବିଚାର କରିବାକୁ ପରାମର୍ଶ ଦେଇଥିଲେ।

ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ଆଲୋଚନା କରି କି ନିଷ୍ପତ୍ତି ନେବେ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ରଥଯାତ୍ରା ପରେ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ପୁରୀ ଆସିବେ। ପୁରୀ ଜିଲ୍ଲା ଜଜ୍‌ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ଯେଉଁ ରିପୋର୍ଟ ଦେଇଛନ୍ତି ସେ ସମ୍ପର୍କରେ ଆଲୋଚନା କରିବେ। ଏହାସହ ସୁପ୍ରିମକୋର୍ଟଙ୍କ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ ସମ୍ପର୍କିତ ପ୍ରସ୍ତାବ ଉପରେ ମଧ୍ୟ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ସୁବ୍ରମଣ୍ୟମ ସୁପ୍ରିମକୋର୍ଟରେ ରିପୋର୍ଟ ଦେବା ପରେ ସେପ୍ଟେମ୍ବର ୫ରେ ପରବର୍ତ୍ତୀ ଶୁଣାଣି କରାଯିବ।

“ଜଗନ୍ନାଥ ମହାପ୍ରଭୁଙ୍କ ସେବାୟତଙ୍କ ସମ୍ପର୍କରେ ଆହୁରି ତଥ୍ୟ ହାସଲ କରିବା ଦରକାର। ଶ୍ରୀମନ୍ଦିରରେ ସଂସ୍କାର ଆଳରେ ଯେଉଁ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଛି ଏହା ପଛରେ ବିରାଟ ଚକ୍ରାନ୍ତ ରହିଛି”, କହିଛନ୍ତି ସେବାୟତ ବିନାୟକ ଦାସମହାପାତ୍ର।

ଜିଲ୍ଲା ଜଜ୍ କ’ଣ କରିଥିଲେ ସୁପାରିସ?

-ବଂଶବାଦ ସେବା ପଦ୍ଧତି ବନ୍ଦ କରାଯାଇ ନୂଆ ସେବାୟତ ନିଯୁକ୍ତି କରାଯାଉ

-ଅନ୍ନଦାନ ଆଟିକା ପାଇଁ ସଂଗ୍ରହ କରାଯାଉଥିବା ଦାନକୁ ବନ୍ଦ କରାଯାଉ। ଥାଳି ଦାନ ବ୍ୟବସ୍ଥାକୁ ନିଷିଦ୍ଧ କରାଯାଉ

-ରୋଷଘର ଏବଂ ଚୁଲାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଶାସନ ହାତରେ ରହୁ

-ପୁରୁଷ, ମହିଳା ସେବାୟତଙ୍କ ପାଇଁ ଅଲଗା ଶୌଚାଳୟ କରାଯାଉ

-ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଉ

-ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦ୍ୱାରା ମନ୍ଦିର ପାଣ୍ଠିର ଅଡିଟ କରାଯାଉ

-ସେବକ, କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପରିଚୟପତ୍ର ବ୍ୟବସ୍ଥା କରାଯାଉ

-ମନ୍ଦିର କାର୍ଯ୍ୟାଳୟରେ ଗାଇଡମାନଙ୍କୁ ପଞ୍ଜୀକୃତ କରାଯାଉ

-ମନ୍ଦିର ପ୍ରଶାସନରୁ ଅତିରିକ୍ତ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉ

-ସୁରକ୍ଷାର ପରିଚାଳନା ପାଇଁ ଏକକ କର୍ତ୍ତୃପକ୍ଷଙ୍କ ବ୍ୟବସ୍ଥା ହେଉ

-ଶ୍ରୀମନ୍ଦିର ଆଇନ ୧୯୫୪ର ସଂଶୋଧନ କରାଯାଉ

ଜିଲ୍ଲା ଜଜ୍‌ଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ମୋ ବିଚାରରରେ ପ୍ରତ୍ୟେକ ମଣିଷ ହେଉଛନ୍ତି ସମାନ। ହେଲେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଏ ବିଷୟରେ ବିଚାର କରିବା ଦରକାର। ସୁପ୍ରିମକୋର୍ଟ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ମୁଁ ସ୍ୱାଗତ କରୁଛି।

“ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିବ। ରାଜ୍ୟ ସରକାରଙ୍କ ପାଖକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଆସିବା ପରେ ସରକାର ତାହା ତର୍ଜମା କରି ପଦକ୍ଷେପ ନେବେ”, କହିଛନ୍ତି ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ।

Comment