ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଜ୍‌ ଅଫ୍ ଡୁଇଙ୍ଗ ବିଜିନେସ୍‌ ତାଲିକାର ୧୧ତମ ସ୍ଥାନରେ ଥିବା ଓଡ଼ିଶା ୧୪ତମ ସ୍ଥାନକୁ ଖସି ଆସିଛି।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ଇଜ୍‌ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକା। ଏହି ତାଲିକାରେ ୧୪ତମ ସ୍ଥାନରେ ଓଡ଼ିଶା ରହିଛି। ଗତବର୍ଷ ଓଡ଼ିଶା ୧୧ତମ ସ୍ଥାନରେ ରହିଥିଲା। ହେଲେ ଚଳିତ ବର୍ଷ ଓଡ଼ିଶା ୧୪କୁ ଖସି ଆସିଛି।

ଓଡ଼ିଶାର ରିଫର୍ମ ଏଭିଡେନ୍ସ ସ୍କୋର ରହିଛି ୯୭.୮୩ ପ୍ରତିଶତ। ଫିଡ୍ ବ୍ୟାକ୍ ସ୍କୋର ରହିଛି ୩୯.୨ ପ୍ରତିଶତ। ମୋଟ ସ୍କୋର ହେଉଛି ୯୨.୦୯ ପ୍ରତିଶତ। ଏହାର ଅର୍ଥ ହେଉଛି ଓଡ଼ିଶାରେ ଶିଳ୍ପ ପାଇଁ ଆଗ୍ରହ ପ୍ରକାଶ ପାଉଛି। ହେଲେ ବ୍ୟବସାୟରେ ପ୍ରତିବନ୍ଧକ ରହୁଥିବାରୁ ଓଡ଼ିଶା ୧୪ତମ ସ୍ଥାନକୁ ଖସି ଆସିଛି।

ଲଗାତର ଦୁଇ ବର୍ଷ ପାଇଁ ତାଲିକାର ପ୍ରଥମ ସ୍ଥାନରେ ରହିଛି ଆନ୍ଧ୍ର ପ୍ରଦେଶ। ଆନ୍ଧ୍ର ପଛକୁ ଅଛନ୍ତି ତେଲେଙ୍ଗାନା, ହରିୟାଣା, ଝାଡ଼ଖଣ୍ଡ, ଗୁଜୁରାଟ, ଛତିଶଗଡ଼। ୩୬ତମ ସ୍ଥାନରେ ରହିଛି ମେଘାଳୟ।

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧୀନରେ ଥିବା ଶିଳ୍ପନୀତି ଓ ପ୍ରୋତ୍ସାହନ (ଡିଆଇପିପି) ପକ୍ଷରୁ ବିଶ୍ୱବ୍ୟାଙ୍କ ସହାୟତାରେ ପ୍ରକାଶ କରାଯାଇଛି।

ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, “ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ବିଗତ ବର୍ଷରେ ଓଡ଼ିଶା ଅନେକ ସଂସ୍କାରମୂଳକ କାମ କରିଛି। ତେବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବିଶେଷ ପଛରେ ନାହିଁ।”

Comment