ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାକୁ ଦେଶର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୮୦ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଅନୁମତିକ୍ରମେ ରାଷ୍ଟ୍ରପତି ଦେଶର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏହି ବ୍ୟକ୍ତିମାନଙ୍କୁ ମନୋନୀତ କରିଛନ୍ତି।

ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ଲୋକପ୍ରିୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ, ବିଶିଷ୍ଟ କୃଷକ ନେତା ରାମ ଶକଲ ସିଂହ ଓ ସ୍ତମ୍ବକାର ରାକେଶ ସିହ୍ନାଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଆସନ୍ତୁ ଜାଣିବା ସେହି ବିଶିଷ୍ଟ ବ୍ୟକ୍ତିମାନଙ୍କ ବିଷୟରେ

ରଘୁନାଥ ମହାପାତ୍ର

କଳା ଜଗତରେ ଖୁବ ସମ୍ମାନ ଏବଂ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ଜଣେ ସୁନାମଧନ୍ୟ ମୂର୍ତ୍ତିକାର ହେଲେ ରଘୁନାଥ ମହାପାତ୍ର । ୧୯୪୩ ମସିହା ମାର୍ଚ୍ଚ ୨୪ ରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୫ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କରିଥିଲେ ଏବଂ ୨୦୦୧ ସମ୍ମାନନୀୟ ପଦ୍ମଭୂଷଣ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ। ଏହା ସହ ୨୦୧୩ ମସିହାରେ ୬୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ କରିଥିଲେ।

୬୯ ବର୍ଷ ବୟସରେ ମଧ୍ୟ ସେ ନିହାଣ ମୁନରେ ଖୁବ୍ ସହଜ ଭାବରେ କଠିନ ପଥରମାନଙ୍କ ଦେହରେ ନିଖୁଣ ଭାବେ, ତ୍ରୁଟିଶୂନ୍ୟ ଭାବେ ଅବିଶ୍ୱନୀୟ କୀର୍ତ୍ତିମାନ ଗଢି ଚାଲୁଛନ୍ତି।

ସୋନାଲ ମାନସିଂହ

ସୋନାଲ ମାନସିଂହ ହେଉଛନ୍ତି ପ୍ରଖ୍ୟାତ ଭାରତନାଟ୍ୟମ ତଥା ଓଡିଶୀ ନୃତ୍ୟାଙ୍ଗନା। ୧୯୪୪ମସିହା ଏପ୍ରିଲ ୩୦ତାରିଖରେ ଜନ୍ମଗ୍ରହଣ କରିଥିଲେ ସୋନାଲ। ମାତ୍ର ୪ବର୍ଷ ବୟସରେ ମଣିପୁରୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ସେ। ମାତ୍ର ୧୮ବର୍ଷ ବୟସରେ ଘରେ କହିଲେ ମୁଁ ଜୀବନରେ କେବଳ ନୃତ୍ୟ କରିବି। ସୋନାଲଙ୍କ ଘର ଲୋକ ତାଙ୍କ ଉପରେ ରାଗିଯାଇଥିଲେ। ଫଳରେ ସୋନାଲ ୧୯୬୩ରେ ଘର ଛାଡ଼ି ନିଜ ନୃତ୍ୟ ଗୁରୁଙ୍କ ପାଖକୁ ଚାଲିଯାଇଥିଲେ।

ଏହାପରେ କଠିନ ପରିଶ୍ରମ କରି ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଥିଲେ ସୋନାଲ। ସେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ। ନିକଟରେ ଭାରତ ସରକାର ତାଙ୍କ ସ୍ଵଚ୍ଛ ଭାରତର ନବରତ୍ନରେ ସାମିଲ କରିଛନ୍ତି।

ରାକେଶ ସିହ୍ନା

୫୩ବର୍ଷୀୟ ରାକେଶ ସିଂହ୍ନା ଜଣେ ସଂଘ (ଆରଏସଏସ) ବିଚାରକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସୋସିଆଲ ମିଡିଆ ହେଉ କିମ୍ବା ବିଭିନ୍ନ ଗଣମାଧ୍ୟମ ମଞ୍ଚରେ ବିଜେପି ତଥା ସଂଘର ପକ୍ଷ ରଖନ୍ତି। ରାକେଶ ସିହ୍ନା ଦିଲ୍ଲୀସ୍ଥିତ ‘ଇଣ୍ଡିଆ ପଲିସି ଫାଉଣ୍ଡେସନ୍‌’ର ସଂସ୍ଥାପକ। ସେ ଦିଲ୍ଲୀର ମୋତିଲାଲ ନେହୁର କଲେଜରେ ଜଣେ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ଅନୁଷ୍ଠାନର ସଦସ୍ୟ ଅଛନ୍ତି।

ରାକେଶ ସିହ୍ନା ନିୟମିତ ଭାବେ ବିଭିନ୍ନ ସମ୍ବାଦପତ୍ରରେ ସ୍ଵତନ୍ତ୍ର ଆଲେଖ୍ୟ ମଧ୍ୟ ଲେଖନ୍ତି। ସେ ସଂଘର ସଂସ୍ଥାପକ ଡକ୍ଟର ହେଗେଡବାରଙ୍କ ଜୀବନୀ ଲେଖିଥିଲେ। ରାକେଶ କୋଟା ୟୁନିଭରସିଟିରୁ ୨୦୧୩ରେ ପିଏଚଡି ଲାଭ କରିଥିବାବେଳେ ଦିଲ୍ଲୀର ହିନ୍ଦୁ କଲେଜରୁ ରାଜନୀତି ବିଜ୍ଞାନରେ ସ୍ଵର୍ଣ୍ଣପଦକ ଜିତିଛନ୍ତି।

ରାମ ଶକଲ ସିଂହ

ଉତ୍ତର ପ୍ରଦେଶର ରାମ ଶକଲ ସିଂହ ଦଳିତ ସମୁଦାୟଙ୍କ ଉନ୍ନତି ପାଇଁ କାର୍ଯ୍ୟ କରନ୍ତି। ସେ ଜଣେ କୃଷକ ନେତା ଭାବେ ବେଶ୍ ଜଣାଶୁଣା ମଧ୍ୟ। କୃଷକ ଓ ଶ୍ରମିକଙ୍କ ଉନ୍ନତି ପାଇଁ ସେ ସର୍ବଦା ସ୍ଵର ଉତ୍ତୋଳନ କରନ୍ତି। ସେ ଉତ୍ତରପ୍ରଦେଶର ସବର୍ଟଜଙ୍ଗରରୁ ତିନିଥର ସାଂସଦ ମଧ୍ୟ ରହିଛନ୍ତି। ରାମ ଶକଲ ସିଂହଙ୍କ ବୟସ ୫୫ବର୍ଷ। ସେ ଗୋରଖପୁର ୟୁନିଭରସିଟିରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

Comment