ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ଅମାନବୀୟ ଘଟଣାକ୍ରମରେ କୋଲକାତାରେ ଜଣେ ଯୁବକଙ୍କର ଦୁଇକାନ କାଟିଦେଇଛି ତାଙ୍କ ସ୍ତ୍ରୀ। ଉକ୍ତ ମହିଳା ଓ ତାଙ୍କ ଭଉଣୀ ମିଶି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କର ଦୁଇଟି ଯାକ କାନ କାଟି ଦେଇଥିଲେ।
ପତ୍ନୀ ଦ୍ୱାରା ନିର୍ଯାତିତ ଜଣେ ଯୁବକଙ୍କୁ ଶେଷରେ ଦୁଇଟି ଯାକ କାନ ହରାଇବାକୁ ପଡ଼ିଛି। ଏକ ଅମାନବୀୟ ଘଟଣାକ୍ରମରେ କୋଲକାତାରେ ଜଣେ ଯୁବକଙ୍କର ଦୁଇ କାନ କାଟି ଦେଇଛି ତାଙ୍କ ସ୍ତ୍ରୀ। ୨୦ ବର୍ଷର ଏହି ଯୁବକ ଜଣେ ୪୯ ବର୍ଷୀୟା ମହିଳାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ମହିଳାଜଣକ ତାଙ୍କୁ ନିର୍ଯାତନା ଦେଇଆସୁଥିଲେ। ଗତ ମଙ୍ଗଳବାର ଦିନ ଏହି ନିର୍ଯାତନା ସବୁ ସୀମା ଟପି ଯାଇଥିଲା। ମହିଳା ଓ ତାଙ୍କ ଭଉଣୀ ମିଶି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କର ଦୁଇଟି ଯାକ କାନ କାଟି ଦେଇଥିଲେ।
ପତ୍ନୀ ଆକ୍ରମଣର ଶିକାର ହୋଇଥିବା ଏହି ଯୁବକଙ୍କ ନାଁ ତନବୀର। କୋଲକାତାର ନାରକେଲଡାଙ୍ଗା ଅଞ୍ଚଳରେ ପତ୍ନୀ ମମତାଜଙ୍କ ସହ ରହୁଥିଲେ। ଦୁଇବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ଅଭିଯୋଗ ହୋଇଛି ଯେ, ବିବାହ ପରଠାରୁ ମମତାଜ ତନବୀରଙ୍କୁ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି। ଅତିଷ୍ଠ ହୋଇ ତନବୀର ଘରୁ ପଳାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ମମତାଜ ଓ ତା’ର ସଂପର୍କୀୟମାନେ ଜବରଦସ୍ତ ତାଙ୍କୁ ଏକପ୍ରକାର ବନ୍ଦୀ କରି ରଖିଥିଲେ।
ମମତାଜ କବଳରୁ ମୁକୁଳିବା ପାଇଁ ତନବୀର ନିଜ ଘର ବିକି ତାକୁ ଟଙ୍କା ଦେଇଥିଲେ। କିନ୍ତୁ ମୁକ୍ତି ମିଳି ନଥିଲା। ମମତାଜ ଓ ତା’ର ଭଉଣୀମାନେ ତନବୀରଙ୍କୁ ଛାଡ଼ି ନ ଥିଲେ। ମମତାଜ ଓ ତା’ର ଭଉଣୀମାନେ ତାଙ୍କୁ ଘରେ ରଖି ନିସ୍ତୁକ ମାଡ଼ ମାରୁଥିଲେ।
ଗତ ମଙ୍ଗଳବାର ଦିନ କୌଣସି ଉପାୟରେ ତନବୀର ଘରୁ ଖସି ମଲ୍ଲିକପୁର ପଳାଇଯାଇଥିଲେ। କିନ୍ତୁ ଏଥର ବି ମମତାଜର ସଂପର୍କୀୟମାନେ ତାଙ୍କୁ ଧରି ଆଣିଥିଲେ। ରାତିରେ ତାଙ୍କୁ ମାଡ଼ ମାରିଥିଲେ। ପରେ ମମତାଜ ବନ୍ଧୁକ ଦେଖାଇ ତାଙ୍କର ଦୁଇ କାନ କାଟି ଦେଇଥିଲା। ଦୁଇକାନ କାଟିଦେବା ପରେ ତନବୀର ମରିଯାଇଥିବା ଭାବି ସେମାନେ ପଳାଇ ଯାଇଥିଲେ। କିନ୍ତୁ କୌଣସି ମତେ ତନବୀର ବାହାରକୁ ଆସିଥିଲେ।
ତନବୀରଙ୍କ ପରିବାର ଲୋକେ ଆସି ତାଙ୍କୁ ଡାକ୍ତରଖାନା ନେଇଥିଲେ। ବିଳମ୍ବିତ ରାତିରେ ଥାନାରେ ଏତଲା ଦିଆଯାଇଥିଲା।
ତନବୀର ତାଙ୍କଠାରୁ ବୟସରେ ଦୁଇଗୁଣ ବଡ଼ ଜଣେ ମହିଳାଙ୍କୁ କେଉଁ ପରିସ୍ଥିତିରେ ବିବାହ କରିଥିଲେ ଏବଂ କାହିଁକି ତାଙ୍କୁ ନିର୍ଯାତନା ଦିଆଯାଉଥିଲା ସେ ସଂପର୍କରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ। କିନ୍ତୁ ଜଣେ ନାରୀ ଯେ କେତେ ନିର୍ମମ ହୋଇପାରେ ତାହା ହିଁ ଆଲୋଡ଼ନ ସୃଷ୍ଟି କରିଛି।


















