ଭାସ୍କର ମିଶ୍ର
ପୁରୁଷୋତ୍ତମ କ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ମଠ ସଂସ୍କୃତିର ଉତ୍ପତ୍ତି ହୋଇଛି। ଦୀର୍ଘ ଆଠଶହ ବର୍ଷ ପୂର୍ବରୁ ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏ ପର୍ଯ୍ୟନ୍ତ ହିନ୍ଦୁ ଧର୍ମର ବିଭିନ୍ନ ସଂପ୍ରଦାୟର ଶତାଧିକ ମଠ ଏହି ପରମ ପବିତ୍ର ଶ୍ରୀକ୍ଷେତ୍ରରେ ସୁପ୍ରତିଷ୍ଠିତ।
‘ମଠ’ ଶବ୍ଦଟି ମଠ୍ ଧାତୁରେ ଅଧିକରଣ ‘ଅ’ ସଂଯୁକ୍ତରେ ଉତ୍ପନ୍ନ ହୋଇଛି। ଏହାର ଅର୍ଥ ହେଉଛି ଯେଉଁଠାରେ ବିଦ୍ୟାର୍ଥୀମାନେ ବାସ କରନ୍ତି। ‘ମଠ’ ଶବ୍ଦର ଅନ୍ୟ ଗୋଟିଏ ଅର୍ଥ ହେଉଛି ଦେବ ସେବା ନିମନ୍ତେ ସ୍ଥାପିତ ଓ ଜମିବାଡ଼ି ଖଞ୍ଜା ଥିବା ଆଶ୍ରମ। ସଂସ୍କୃତ ମହାଭାରତରେ ମଧ୍ୟ ‘ମଠ’ ଶବ୍ଦଟି ‘ଆଶ୍ରମ କୁଟୀର’ ଅର୍ଥରେ ପ୍ରୟୋଗ ହୋଇଥିବା ଜଣାଯାଏ। ପ୍ରାବନ୍ଧିକ ଜଗବନ୍ଧୁ ସିଂହଙ୍କ ମତରେ ‘ମଠ’ର ଅର୍ଥ ଛାତ୍ରାବାସ। ଶିଷ୍ୟମାନେ ଯେଉଁଠି ରହି ଧର୍ମଶିକ୍ଷା ଓ ଶାସ୍ତ୍ରାଲୋଚନା କରନ୍ତି ତାକୁ ମଠ କୁହାଯାଏ।
ପୁରୀରେ ଶତାଧିକ ମଠ ସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁ ଧର୍ମ ତଥା ଜଗନ୍ନାଥ ଧର୍ମ ଓ ଦର୍ଶନର ପ୍ରଚାର ତଥା ପ୍ରସାର। ଜଗନ୍ନାଥ ଦର୍ଶନ ପାଇଁ ବିଦେଶାଗତ ସାଧୁ, ସନ୍ନ୍ୟାସୀ ଓ ତୀର୍ଥଯାତ୍ରୀମାନଙ୍କୁ ଆଶ୍ରୟ ପ୍ରଦାନ, ଏପରିକି ଗଭୀର ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ଧର୍ମାନୁଷ୍ଠାନଗୁଡ଼ିକ ତତ୍କାଳୀନ ଧର୍ମ, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ସଂଗ୍ରହାଳୟ, କଳାକେନ୍ଦ୍ର ତଥା ଜଗନ୍ନାଥ ଧର୍ମର ପ୍ରସାର ଆଦି କାର୍ଯ୍ୟରେ ସହାୟତା କରୁଥିଲା।
ମଠ ଓ ଆଶ୍ରମମାନଙ୍କରେ ନିୟମିତ ସ୍ନାନ, ନିତ୍ୟକର୍ମ, ଯୋଗାଭ୍ୟାସ, ଈଶ୍ୱର ଉପାସନା, ପ୍ରସାଦ ସେବନ, ଧର୍ମ ଚର୍ଚ୍ଚା, ଅନ୍ନଛତ୍ର ଇତ୍ୟାଦି ଶୃଙ୍ଖଳିତ ଭାବରେ ଏବଂ ଯଥା ସମୟରେ କରାଯାଉଥିଲା। ଓଡ଼ିଶା ତଥା ଭାରତର ସମସ୍ତ ଅଞ୍ଚଳରୁ ବିଭିନ୍ନ ଭାଷାଭାଷୀ ବ୍ୟକ୍ତିମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଦିଗରେ ଶ୍ରୀକ୍ଷେତ୍ରରେ ଥିବା ମଠମାନଙ୍କର ମୁଖ୍ୟ ଭୂମିକା ଥିଲା। ସାଧୁ, ସନ୍ଥ, ତୀର୍ଥଯାତ୍ରୀ ଉତ୍କଳକୁ ଆଗମନ ପୂର୍ବକ ଶ୍ରୀକ୍ଷେତ୍ରର ମଠମାନଙ୍କର ଉତ୍ତମ ଆତିଥେୟତା ଗ୍ରହଣ କରି ତୀର୍ଥ ଯାତ୍ରୀମାନେ ଉତ୍କଳ ତଥା ଜଗନ୍ନାଥ କ୍ଷେତ୍ରର ଭୂୟସୀ ପ୍ରଶଂସା କରୁଥିଲେ।
ପ୍ରାଚୀନ ଉତ୍କଳ ପୁସ୍ତକରେ ଥିବା ଉଲ୍ଲେଖ ଅନୁଯାୟୀ ଗଙ୍ଗବଂଶର ରାଜା ଅନଙ୍ଗ ଭୀମଦେବଙ୍କ ସମୟରେ ଦେଉଳର ଚତୁଃପାର୍ଶ୍ୱରେ ଅନେକ ମଠ ସ୍ଥାପନ ହୋଇଥିଲା। ମଠାଧାରୀମାନେ ନିମ୍ନଲିଖିତ କାର୍ଯ୍ୟ କରିବାକୁ ଦାୟୀ ଥିଲେ। ଯଥା-ପରମେଶ୍ୱରଙ୍କ ଭୋଗ ନିଯୋଗ ଭଲମନ୍ଦ ବୁଝିବେ, ମୁଦ୍ରାହସ୍ତ ବା ମୁଦି ରଥ, ପଶୁପାଳକ, ବ୍ରାହ୍ମଣ, ସେବକମାନଙ୍କୁ ସନ୍ଧ୍ୟା, ପୂଜା ସ୍ନାନ ବିଧି ଶିକ୍ଷା ଦେବେ, କ୍ଷେତ୍ରର ଲୋକମାନଙ୍କ ଗୁହାରି ବୁଝି ଦଣ୍ଡ ମଣ୍ଡ କରିବାଲାଗି ପରୀକ୍ଷାକୁ କହିବେ। ସନ୍ନ୍ୟାସୀ ୫୨ ମଠ ମଧ୍ୟରେ ଆନ୍ଧ୍ର ୧୨ ମଠ, ମହାରାଷ୍ଟ୍ର ୮, ଦ୍ରାବିଡ଼ ୮, କନୌଜ ୫, ହେଙ୍ଗୁଳ ୩, ଓଡ଼ିଆ ୧୫, ଗୌଡ଼ୀୟ ୫, ଏକାଦଶୀ ୩, ମନୋଦଣ୍ଡୀ ୧୫ ଓ ତ୍ରିଦଣ୍ଡୀ ୭ ମଠ ଅଟେ।
ଅନ୍ୟ ଏକ ପୁସ୍ତକ ‘ବୃହତ୍ ବିବିଧ ସଂଗ୍ରହ’ ଅନୁଯାୟୀ ଶ୍ରୀକ୍ଷେତ୍ରରେ ମଠର ଉତ୍ପତ୍ତି ବହୁ ପୁରାତନ। ପ୍ରକୃତ ପକ୍ଷେ ଶ୍ରୀକ୍ଷେତ୍ରରେ ୭୫୨ ମଠ ପରିବର୍ତ୍ତେ ୫୨ଟି ମଠ ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଥିସହିତ ନୂତନ ମଠ ସୃଷ୍ଟି ହୋଇ ଏହି ସଂଖ୍ୟା ଶତାଧିକ ହୋଇଥିଲା।
ପୁରୀକୁ ଆଗମନ କରିଥିବା ବହୁ ବିଶିଷ୍ଟ ସାଧୁ, ସନ୍ଥ, ଧର୍ମ ପ୍ରଚାରକଙ୍କ ମଧ୍ୟରେ ଶଙ୍କରାଚାର୍ଯ୍ୟ (ଗୋବର୍ଦ୍ଧନ ମଠ), ରାମାନୁଜ (ରାମାନୁଜ କୋଟ, ଏମାର ମଠ), ମାଧବାଚାର୍ଯ୍ୟ (ବଳଭଦ୍ର ଛତା ମଠ), ଶ୍ରୀ ଚୈତନ୍ୟ (ରାଧାକାନ୍ତ ମଠ), ନିମ୍ବାର୍କ (ରାଧାବଲ୍ଲଭ ମଠ), ବଲ୍ଲଭାଚାର୍ଯ୍ୟ (ମହାପ୍ରଭୁଜୀଙ୍କ ବୈଠକ), କବୀର (କବୀର ଚୌରା ମଠ), ନାନକ (ମଙ୍ଗୁ ଓ ବାଉଲି ମଠ), ଜୟଦେବ (ଦଶାବ-ତାର ମଠ), ରାୟ ରାମାନନ୍ଦ (ଜଗନ୍ନାଥବଲ୍ଲଭ), ଉପେନ୍ଦ୍ରଭଞ୍ଜ (ଘୁମୁସର ମଠ), ପଣ୍ଡିତ ସାର୍ବଭୌମ (ଗଙ୍ଗାମାତା ମଠ) ପ୍ରମୁଖଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଜଣାଯାଏ। ଏଥିରୁ ସ୍ପଷ୍ଟ ଭାବେ ଅନୁମତି ହୁଏ ଯେ, ସାରା ଭାରତବର୍ଷରୁ ବିଭିନ୍ନ ସମ୍ପ୍ରଦାୟର ମହାମନିଷୀମାନେ ଶ୍ରୀକ୍ଷେତ୍ରକୁ ଆଗମନ କରି ଓଡ଼ିଶା ତଥା ଭାରତରେ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ପ୍ରଚାର ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।
ଓଡ଼ିଶା ଦେବୋତ୍ତର ବିଭାଗର ପୁରୀସ୍ଥ ଦେବୋତ୍ତର ନିରୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଏ ଯେ, ପୁରୀରେ ମୋଟ୍ ୮୧ଟି ମଠର ତାଲିକା ରହିଛି। ତା’ ମଧ୍ୟରେ ରହିଛି ବଡ଼ ଝାଡ଼ୁ, ବ୍ରହ୍ମଚାରୀ, ବଡ଼ ସନ୍ଥ, ବଡ଼ ଆଖେଡ଼ା, ବିଶାଖା, ବଡ଼ଓଡ଼ିଆ, ବାଉଳି, ବଳରାମ କୋଟ, ବଡ଼ଛତା, ବଳଗଣ୍ଡି, ବଡ଼ ମଠ, ଭଗବାନ ଦାସ, ଛାଉଣୀ, ଚିକିଟି, ଚାଉଲିଆ, ଦାମୋଦର ବଲ୍ଳଭ, ଦକ୍ଷିଣ ପାର୍ଶ୍ୱ (ଶ୍ରୀରାମ ଦାସ), ଦୁଃଖୀଶ୍ୟାମ ଛତା, ଏମାର, ଗଙ୍ଗାମାତା, ଗୋପାଳ ତୀର୍ଥ, ହଳଦିଆ, ଇନ୍ଦ୍ରାସ୍ୱାମୀ, ହରିଦାସ, ହାତୀ ଆଖେଡ଼ା, ହାବେଳୀ, ଝାଞ୍ଜପିଟା, ଜେଜେରାମ, ଜଗନ୍ନାଥବଲ୍ଲଭ, ଜଡ଼ା, ଜଟିଆ ବାବାଜୀ, ଅର୍ଜୁନ ଦାସ, ଖଜୁରିଆ କଳିତିଳକ କୋଠ ଭୋଗ, କୁଞ୍ଜ, କୌଶଲ୍ୟା ଦାସ, କାପୁଡ଼ିଆ, ଖାକି ଆଖେଡ଼ା, କଟକୀ, ଲବଣୀଖିଆ, ମହାପ୍ରକାଶ, ମଲ୍ଲ ଆଖେଡ଼ା, ମଙ୍ଗୁ, ନରସିଂହାଚାରୀ, ନନ୍ଦିନୀ, ନିମ ଆଖେଡ଼ା, ନାରାୟଣଛତ୍ର ମଠ, ପାପୁଡ଼ିଆ, ପଞ୍ଜାବୀ, ପଣ୍ଡିତ, ରେବସା, ରାମଜୀ, ରାଧାବଲ୍ଲଭ, ରାଧାକାନ୍ତ, ରାଘବଦାସ, ଘୁମୁସର, ସୁନା-ଗୋସ୍ୱାମୀ, ସିଦ୍ଧ, ଶଙ୍କରାନନ୍ଦ, ସୁନ୍ଦର ଦାସ, ଶଙ୍କରାଚାର୍ଯ୍ୟ, ଶିବତୀର୍ଥ, (ବର୍ତ୍ତମାନ ଏହି ମଠ ଲୁପ୍ତ ପ୍ରାୟ) ଉତ୍ତରପାର୍ଶ୍ୱ, ସମାଧି, ସାନଛତା, ସାନଝାଡ଼ୁ, ସାତ ବଖରିଆ, ସାତ ଲହଡ଼ି, ସାନମଠ, ସାତାସନ, ଗିରିଧାରୀ, ଶିଶୁ, ତୋଟା, ତୋରାଣି ଛତ୍ର, ସ୍ୱର୍ଗଦ୍ୱାର ଛତା, ଭେଙ୍କଟାଚାରୀ ଓ ଜିୟରସ୍ୱାମୀ।
ଶ୍ରୀମନ୍ଦିର ସହ ମଠମାନଙ୍କର ସମ୍ପର୍କ:
ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରେ ଅଧିକାଂଶ ରୀତି, ନୀତି ଓ ଯାନିଯାତ୍ରାଦି ସହିତ ମଠ ସଂସ୍କୃତିର ସମ୍ପର୍କ ରହିଛି। ପୁରୀରେ ଥିବା ଅଧିକାଂଶ ମଠମାନଙ୍କରେ ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ସେବା ରହିଛି। ଏଥିନିମନ୍ତେ ବହୁ ବଦାନ୍ୟ ବ୍ୟକ୍ତି ମଠ ମାରଫତ୍ରେ ହଜାର ହଜାର ଏକର ଭୂ-ସମ୍ପତ୍ତି ତଥା ଅମୃତ ମଣୋହି ସମ୍ପତ୍ତି ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବା ବିଧାନର ସୁପରିଚାଳନା ନିମନ୍ତେ ଖଞ୍ଜି ଯାଇଛନ୍ତି।
ମୁଖ୍ୟତଃ ଶ୍ରୀଜୀଉମାନଙ୍କ ଅମୃତ ମଣୋହି ଭୋଗଠାରୁ ଆରମ୍ଭକରି ବିଭିନ୍ନ ବେଶ ଓ ନୀତି ସମୟରେ ପୁଷ୍ପହାର, ପଦକ, ସୋଲ, ଜରିର ସାଜସଜ୍ଜା ଯଥା (ହାତୀବେଶ ଓ ପଦ୍ମବେଶ) ରତ୍ନ ସିଂହାସନ ମାର୍ଜନା କରିବା, ଅଣସର ତାଟି ଓ ଚକଟା ଭୋଗ, ମଶାଲ ଜାଳିବା, ଚନ୍ଦନକାଠ ଯୋଗାଇବା, ଶ୍ରୀଜୀଉମାନଙ୍କ ସମସ୍ତ ପହଣ୍ଡି ବିଜେ ସମୟରେ ଫୁଲ ଓ ସୋଲରେ ନିର୍ମିତ ଟାହିଆ ପଠାଇବା, ଅଣସର ଓ ଅଧରପଣା କରିବା, ଦୈନିକ ବଲ୍ଲଭ ଭୋଗ ଓ ସ୍ୱତନ୍ତ୍ର ନୀତିମାନଙ୍କର ମାଳ, ଚୂଳ, ସର୍ବାଙ୍ଗ ଇତ୍ୟାଦି ନିମନ୍ତେ ଆବଶ୍ୟକ ଦ୍ରବ୍ୟମାନ ମଠ ତରଫରୁ ଯୋଗାଇ ଦିଆଯାଇଥାଏ। କେତେକ ମଠର ମହନ୍ତମାନେ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଚାମର ଓ ଆଲଟ ସେବା କରିବାର ଅଧିକାର ପାଇଛନ୍ତି। ଅନ୍ୟ କେତେକ ମଠର ଶ୍ରୀମନ୍ଦିର ରୋଷ ଘରେ ଚୁଲା ଓ ସର ଘରମାନ ରହିଅଛି। ବିଭିନ୍ନ ଯାନିଯାତ୍ରା ସମୟରେ ଏହି ସର ଘରମାନଙ୍କରେ ପନ୍ତି ଭୋଗ ମଧ୍ୟ କରାଯାଇଥାଏ। ମଠ ମହନ୍ତମାନଙ୍କର ଶ୍ରୀମନ୍ଦିରରେ ଥିବା ନିର୍ଦ୍ଦିଷ୍ଟ ସେବା ନିମନ୍ତେ ମହାପ୍ରସାଦ ଖେଇ ପ୍ରାପ୍ୟ ସ୍ୱରୂପ ପାଇଥାନ୍ତି।
ଶ୍ରୀକ୍ଷେତ୍ରରେ ଥିବା ପ୍ରାୟ ୨୬ଟି ମଠ ସହିତ ଶ୍ରୀମନ୍ଦିରର ସମ୍ପର୍କ ରହିଥିବା ଜଣାଯାଏ। ଏଥିମଧ୍ୟରୁ କେତେକ ମଠ ମଧ୍ୟ ଲୁପ୍ତ ହୋଇଗଲାଣି। ମଠ ମଧ୍ୟରେ ଝାଞ୍ଜପିଟା, ବଡ଼ ଓଡ଼ିଆ, ଶିବତୀର୍ଥ (ବର୍ତ୍ତମାନ ଲୁପ୍ତ), ବଡ଼ ଛତା, ପାପୁଡ଼ିଆ, ଲାଙ୍ଗୁଳି, ଚାଉଳିଆ (ସଂପ୍ରତି ଏହି ମଠର କୌଣସି ନୀତି ନାହିଁ), ରାଘବ ଦାସ, ଗୋବର୍ଦ୍ଧନ, ରାଧାକାନ୍ତ, ଗଙ୍ଗାମାତା, ଜଗନ୍ନାଥବଲ୍ଲଭ, ରେବସା, ଗୋପାଳ-ତୀର୍ଥ, ଏମାର, ରାଧାବଲ୍ଲଭ, ତ୍ରିଶାଳୀ, ଶଙ୍କରାନନ୍ଦ, ରାମଜୀ, ସାନଛତା, ଭେଙ୍ଗଟାଚାରୀ, ନୂଆ, ଛାଉଣୀ, ବଳରାମ କୋଟ ଶ୍ରୀରାମ ଦାସ, ଉତ୍ତରପାର୍ଶ୍ୱ ଇତ୍ୟାଦି ଶ୍ରୀମନ୍ଦିର ନୀତି ସହିତ ସମ୍ପୃକ୍ତ।
ସମ୍ପ୍ରତି ସ୍ୱତ୍ତ୍ୱଲିପିରେ ଉଲ୍ଲିଖିତ କେତେକ ମଠ ଶ୍ରୀମନ୍ଦିରର ନୀତି, ରୀତି, ଯାନିଯାତ୍ରା ସହିତ ଆଉ ସମ୍ପର୍କ ରଖି ନାହାନ୍ତି। ଏପରିକି ଏଥିମଧ୍ୟରୁ କେତେକ ମଠର ବିଜେସ୍ଥଳୀ ମଧ୍ୟ ଲୋପ ପାଇଯିବାର ଆଶଙ୍କା ଦେଖାଗଲାଣି ଓ କେତେକ ମଠାଧୀଶ ମଠର ଆର୍ଥିକ ସ୍ୱଚ୍ଛଳତା ଭଲ ନଥିବା ଦର୍ଶାଇ ଶ୍ରୀଜୀଉମାନଙ୍କ ନୀତି, ଉତ୍ସବାଦିରୁ ବିଚ୍ୟୁତ ହୋଇଯାଉଛନ୍ତି।
ଅପରପକ୍ଷରେ ଦିନକୁ ଦିନ ଅଧିକାଂଶ ମଠର ଭୂ-ସମ୍ପତ୍ତି ଓ ବିଜେସ୍ଥଳୀର ବିକ୍ରୟ, ହସ୍ତାନ୍ତର ତଥା କବର ଦଖଲ ହୋଇଯାଇଛି। ତେଣୁ ବର୍ତ୍ତମାନର ପରିସ୍ଥିତିରେ ମଠଗୁଡ଼ିକର ସଂସ୍କାର ତଥା ପୁନରୁଦ୍ଧାର କରାଯାପାରିଲେ ଶ୍ରୀମନ୍ଦିର ସହିତ ଉକ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକର ସମ୍ପର୍କ ପୂର୍ବ ପରି ଅକ୍ଷୁଣ୍ଣ ରହିପାରିବ ଏବଂ ପ୍ରାଚୀନ ଉତ୍କଳର ସମ୍ପଦ ତଥା ଜଗନ୍ନାଥ ଧର୍ମ ସଂସ୍କୃତିର ପ୍ରଚାର ଓ ପ୍ରସାର ଯୁଗେ ଯୁଗେ ସମ୍ଭବ ହୋଇପାରିବ।