ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସତରେ ରହସ୍ୟମୟ! ତେବେ ଏହି ରହସ୍ୟ କୌଣସି ଲୋକକଥା ବା ଅଲୌକିକତାକୁ ନେଇ ନୁହେଁ, ବରଂ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଭଳିକି ଭଳି ଅଳଙ୍କାର ଓ ରତ୍ନ ଏବଂ ଭିତର ରତ୍ନଭଣ୍ଡାରରେ ବ୍ୟବହାର ନହୋଇ ରହିଥିବା ରତ୍ନ-ବୈଚିତ୍ର୍ୟ ହିଁ ଏହି ରହସ୍ୟର ସବୁଠାରୁ ବଡ଼ ବିଷୟ।
ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ମୁଖ୍ୟତଃ ଦୁଇଟି ଭାଗ। ବାହାର ରତ୍ନଭଣ୍ଡାର ହେଉଛି ଏହାର ପ୍ରଥମ ଭାଗ। ଏଠାରେ ଶ୍ରୀଜିଉଙ୍କ ନିୟମିତ ବ୍ୟବହାର ହେଉଥିବା ଅଳଙ୍କାର ଆଦି ରଖାଯାଇଥାଏ।
୧୯୭୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରତ୍ନଭଣ୍ଡାରର ବିଧିବଦ୍ଧ ଅନୁଧ୍ୟାନ କରାଯାଇଥିଲା। ସେହି ବର୍ଷ ମେ ୫ତାରିଖଠାରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏହି ରତ୍ନଗଣନା କାର୍ଯ୍ୟ। ପ୍ରାୟ ୩ ମାସ ବ୍ୟାପୀ ଏହି ଗଣତି କାର୍ଯ୍ୟ ବେଳେ ଶ୍ରୀଜିଉଙ୍କ ଭିତର ଏବଂ ବାହାର ରତ୍ନଭଣ୍ଡାରରେ ଥିବା ପ୍ରତିଟି ସୁନା, ରୁପା ଓ ଅନ୍ୟ ରତ୍ନ ଅଳଙ୍କାରର ଆକାର, ପ୍ରକାର ଏବଂ ଓଜନ ସମ୍ପର୍କରେ ଅନୁଧ୍ୟାନ କରାଯାଇ ବିଧିବଦ୍ଧ କରାଯାଇଥିଲା।
ରତ୍ନ ଅଳଙ୍କାରର ବର୍ଣ୍ଣନା
ଏହି ରତ୍ନ ଅଳଙ୍କାର ତାଲିକାକୁ ନେଇ ହୋଇଥିବା ପୁସ୍ତିକାର ଗୋଟିଏ ଅଳଙ୍କାର ସମ୍ପର୍କରେ ଆସନ୍ତୁ କ’ଣ ବର୍ଣ୍ଣନା ହୋଇଛି ଦେଖିବା। ଏହାର ପୃଷ୍ଠା ୨ରେ ରହିଛି ‘ରତ୍ନଜଡ଼ିତ ସୁନା ନାକୁଆସି’। ଏହି ଅଳଙ୍କାର ସମ୍ପର୍କରେ ଲେଖାଯାଇଛି: “ଦୁଇ ମଝି ବେଢ଼ରେ ମୁକ୍ତା ୧୬୮, ଧଡ଼ିରେ ସୂକ୍ଷ୍ମ ମୁକ୍ତା ୯୨, ଶୀର୍ଷରେ ବଡ଼ ମୁକ୍ତା ୧୯, ଚନ୍ଦ୍ରିକାରେ ନାୟକ ହିରା ୧, ପ୍ରଥମ ବେଢ଼ରେ ନାୟକ ହିରା୧, ଦ୍ଵିତୀୟ ବେଢ଼ରେ ହୀରାକଣି ୧୨, ତୃତୀୟ ବେଢ଼ରେ ହୀରାକଣି ୧୪, ଚତୁର୍ଥ ବେଢ଼ରେ ହୀରାକଣି ୧୯, ପଞ୍ଚମ ବେଢ଼ରେ ହୀରାକଣି ୪୩, ଦୁଇପାଖ ଡାଳିରେ ହୀରାକଣି ୬, ଦୁଇପାଖ ଡାଳିରେ ଅତି ଛୋଟ ହୀରାକଣି ୪୫, ଦୁଇ ପାଖ ଓଲମରେ ବଡ଼ ମର୍କତ କଣ୍ଠି ୨, ପ୍ରତ୍ୟେକରେ ୧କରି ସୂକ୍ଷ୍ମ ମୁକ୍ତା ୧୬, ପଦକରେ ନାୟକ ହୀରା ୧, କରରେ ହୀରାକଣି ୧୪, ରଙ୍ଗୀ ଓ ନୀଳ କାଚ ୧୬୨, ତଳ ଓ ଉପର ବେଢ଼ରେ ରଙ୍ଗ କାଚ ୧୦୮, ତଳ ଭୁଣ୍ଡିରେ ରଙ୍ଗକାଚ ୧୮, ସୂକ୍ଷ୍ମ ମୁକ୍ତା ଝାଲର ୧୮, ବଡ଼ ଓଲମ ମର୍କତ କଣ୍ଠି ୧, ଏହା ତଳେ ସୂକ୍ଷ୍ମ ମୁକ୍ତା ଝାଲର ୧୨”।
କିଭଳି ଚମତ୍କାର ବର୍ଣ୍ଣନା ଦେଖନ୍ତୁ। ଜଗନ୍ନାଥଙ୍କ ଏହି ରତ୍ନ ଅଳଙ୍କାର ଅର୍ଥାତ୍ ‘ରତ୍ନଜଡ଼ିତ ସୁନା ନାକୁଆସି’ର ଓଜନ ରହିଛି ୮୫ ଭରି ୮ ଅଣା। ଅର୍ଥାତ୍ ସାଧାରଣ ହିସାବରେ ୮୫୦ ଗ୍ରାମ୍। ୧୨୪ ପୃଷ୍ଠା ବିଶିଷ୍ଟ ରତ୍ନ ଅଳଙ୍କାର ତାଲିକାରେ ଏଭଳି ୭୪୭ଟି ଭିନ୍ନ ଭିନ୍ନ ଅଳଙ୍କାର ସମ୍ପର୍କରେ ବିସ୍ତୃତ ସୂଚନା।
ଓଜନିଆ ଅଳଙ୍କାର
ଶ୍ରୀଜିଉଙ୍କ ରତ୍ନଭଣ୍ଡାରରେ ରହିଛି ବିଭିନ୍ନ ପ୍ରକାର ଓ ବିଭିନ୍ନ ଓଜନର ଦୁର୍ଲଭ ରତ୍ନ ଅଳଙ୍କାର। ଆସନ୍ତୁ ନଜର ପକାଇବା ରତ୍ନ ଓ ଅଳଙ୍କାର ଉପରେ। ଏକ ସାଧରଣତଃ ସୁନାବେଶ ସମୟରେ ଭକ୍ତମାନେ ବଡ଼ଦାଣ୍ଡରେ ରଥ ଉପରେ ଶ୍ରୀଜିଉଙ୍କ ବିଶାଳ ଆକାରର ସୁବର୍ଣ୍ଣ କିରିଟୀ, ସୁବର୍ଣ୍ଣ ଶ୍ରୀପୟର ଏବଂ ସୁବର୍ଣ୍ଣ ଶ୍ରୀଭୁଜ ଆଦି ଦେଖି ଅଭିଭୂତ ହୋଇଥାନ୍ତି। ଏଥିରୁ ସେମାନେ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଅଚଳାଚଳ ରତ୍ନ ଅଳଙ୍କାର ସମ୍ପର୍କରେ ଅନୁମାନ ବା ଆକଳନ କରିଥାନ୍ତି।
ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶିତ ପୁସ୍ତିକାର ୧୦୨ରୁ ୧୦୭ ପୃଷ୍ଠା ମଧ୍ୟରେ ଥିବା ବର୍ଣ୍ଣନା ଉପରେ ଆମେ ନଜର ପକାଇଲେ ଶ୍ରୀଜିଉଙ୍କ ବିଭିନ୍ନ ଓଜନିଆ ଅଳଙ୍କାର ସମ୍ପର୍କରେ ଧାରଣା କରିପାରିବା। ଯେପରି:
ସୁବର୍ଣ୍ଣ ଶ୍ରୀପୟର ବଡ଼ ବାଡ଼: ସଂଖ୍ୟା ୨, ରୁପା ଓ ଜଉ ସହ-ଓଜନ ୨୧୪୫ ଭରି ୧୨ ଅଣା। (୨୧ କିଲୋଗ୍ରାମରୁ ଅଧିକ) ।
ସୁବର୍ଣ୍ଣ ଶ୍ରୀପୟର ମହାପ୍ରଭୁଙ୍କ ବାଡ଼: ସଂଖ୍ୟା ୨, ଏକନ, ଓଜନ ୨୬୨୪ ଭରି (୨୬କିଲୋଗ୍ରାମରୁ ଅଧିକ) ।
ସୁବର୍ଣ୍ଣ ଶ୍ରୀଭୁଜ ବଡ଼ ବାଡ଼: ସଂଖ୍ୟା ୨, ଏକନ, ଓଜନ ୧୮୬୨ ଭରି (୧୮ କିଲୋଗ୍ରାମରୁ ଅଧିକ) ।
ସୁବର୍ଣ୍ଣ ଶ୍ରୀଭୁଜ ମହାପ୍ରଭୁଙ୍କ ବାଡ଼: ସଂଖ୍ୟା ୨, ଏକନ, ଓଜନ ୧୯୨୬ ଭରି (୧୯ କିଲୋଗ୍ରାମରୁ ଅଧିକ) ।
ରତ୍ନଖଚିତ ପେଡା ମାଳି: ସଂଖ୍ୟା ୧, ସିଧା ଓଜନ ୬୭ ଭରି ୮ ଗ୍ରାମ୍।
ସୁବର୍ଣ୍ଣ ଶ୍ରୀମୁଖ ପଦ୍ମ: ସଂଖ୍ୟା ୪,ଏଥିରେ ଯଥାକ୍ରମେ ୧୯, ୨୭, ୨୬ ଓ ୨୧ଟି ପଦ୍ମ ଅଛି, ଓଜନ ୧୯୨ ଭରି।
ସୁନା ସେବତୀ ମାଳି: (କଳାକନାରେ ଗୁନ୍ଥା) ସଂଖ୍ୟା ୩। ଏଥିରେ ଯଥାକ୍ରମେ ୬୦,୩୨ ଓ ୬୦ ସେବତୀ ଫୁଲ ଅଛି। ଓଜନ ୨୫୮ ଭରି।
ଆୟୁଧ ସୁନା ଚକ୍ର: ସଂଖ୍ୟା ୧, ଓଜନ ୬୦ ଭରି।
ହଳ ମୁଷଳ: ସଂଖ୍ୟା ୨, ଓଜନ ୫୬୭ ଭରି।
ଶ୍ରୀଜିଉଙ୍କ ସୁନା ଥାଳି
ଶ୍ରୀ ଜଗନ୍ନାଥ ଓ ମନ୍ଦିର ପରମ୍ପରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଭିନ୍ନ ଭାବନା। ଶ୍ରୀମନ୍ଦିରର ଠାକୁରାଣୀ ମହାଲକ୍ଷ୍ମୀ, ଶ୍ରୀ ଜଗନ୍ନାଥ ବଳଦେବ ଓ ଶୁଭଦ୍ରାଙ୍କୁ ସୁବର୍ଣ୍ଣ ଥାଳିରେ ଅନ୍ନ ପରସି ଦିଅନ୍ତି ବୋଲି ବିଶ୍ଵାସ କରାଯାଏ। ଅତୀତରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କୁ ସୁବର୍ଣ୍ଣ ଥାଳିରେ ଭୋଗ ଲାଗି କରାଯାଉଥିଲା। କିନ୍ତୁ ସୁରକ୍ଷା କାରଣରୁ ଏବେ ନିୟମିତ ସୁବର୍ଣ୍ଣ ଥାଳି ବ୍ୟବହାର କରାଯାଉ ନାହିଁ। ଏହି ଥାଳିଗୁଡ଼ିକ ରତ୍ନ ଭଣ୍ଡାରରେ ରଖାଯାଇଛି।
ସୁବର୍ଣ୍ଣ ଅଳଙ୍କାର ତାଲିକା ପୁସ୍ତିକାର ୧୪ ଓ ୧୫ ପୃଷ୍ଠାରେ ତଥା ମଣତି ରେଜିଷ୍ଟରର ନମ୍ବର ୬୨, ୬୩, ୬୪ ଓ ୬୫ରେ ଚାରୋଟି ବଡ଼ ସୁନା ଥାଳି ସମ୍ପର୍କରେ ଉଲ୍ଲେଖ ରହିଛି। ଯେପରି:
ସୁନା ଥାଳି: ସଂଖ୍ୟା ୧, ଚାରୋଟି ରୁପା ଗୋଡ ସହ ଓଜନ ୨୪୮ ଭରି ୮ ଅଣା।
ସୁନା ଥାଳି: ସଂଖ୍ୟା ୧, ତିନୋଟି ରୁପା ଗୋଡ ସହ ଓଜନ ୨୪୪ ଭରି।
ସୁନା ଥାଳି : ସଂଖ୍ୟା ୧, ସୁନା ଗୋଡ ଥାଇ ଓଜନ ୨୩୬ ଭରି ୮ ଅଣା।
ସୁନା ଥାଳି: ସଂଖ୍ୟା ୧ ଚାରୋଟି ରୁପା ଗୋଡ ଥାଇ ଓଜନ ୨୫୦ ଭରି ୧୨ ଅଣା।
ରତ୍ନଅଳଙ୍କାରର ଭଳିକି ଭଳି ନାଁ
ଶ୍ରୀ ଜଗନ୍ନାଥ ମନ୍ଦିରରେ ଥିବା ରତ୍ନ ଅଳଙ୍କାରର ରହିଛି ସ୍ଵତନ୍ତ୍ର ନାଁ। ତା’ ଭିତରେ ପ୍ରତିଫଳିତ ହେଉଛି ଗତ କେତେ ଶତାବ୍ଦୀ ଧରି ସାଧାରଣରେ ବ୍ୟବହାର ହେଉଥିବା ଜାତିଜାତିକା ଅଳଙ୍କାର। ଆଜିର ଦିନରେ ତା’ ମଧ୍ୟରୁ ଅନେକ ଅଳଙ୍କାର ଆଉ ଆଧୁନିକ ବ୍ୟବହାରରେ ଆସୁନାହିଁ। ତେଣୁ ଭାରତୀୟ ଅଳଙ୍କାରର ରୂପ, ଆକାର ପ୍ରକାର ଏବଂ ବ୍ୟବହାର ସମ୍ପର୍କରେ ଗବେଷଣା କରୁଥିବା ଲୋକଙ୍କ ପାଇଁ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଅଳଙ୍କାର ସମୂହ ବିଶେଷ ଗୁରୁତ୍ଵ ରଖେ।
ସୁନା ନାକୁଆସୀ, ଚମ୍ପା କଳି ମାଳି, ମରିଚିଆ କଣ୍ଠି ମାଳି, କରମଙ୍ଗିଆ କଣ୍ଠି ମାଳି, ସୁନା ଓଢ଼ିଆଣୀ, ସୁନା ଛେଚା କଣ୍ଠି ମାଳି, ଚନ୍ଦ୍ର ଝୁମ୍ପି, ସୁନା ସୋରିଷିଆ ମାଳି, ସୁନା କୁଣ୍ଡଳ, ଝୋବା କଣ୍ଠି, ଅଁଳା ମଞ୍ଜିଆ କଣ୍ଠି ମାଳି, ଚମ୍ପା କଢ଼ି ମାଳି, ବେଲପତ୍ରି ମାଳି, ପୁଷ୍ପ ହାର, ବାଘ ନଖ, ଅଳକା, ମୋହନା କଣ୍ଠି, ମଗରମୁହାଁ ସୁନା ବଂଶୀ, ତୁଳସୀପତ୍ର ମାଳି, ପାନ ପତ୍ରି ମାଳି, ରାମାନନ୍ଦୀ ଚିତା, ଚନ୍ଦ୍ରିକା, ସୁନା ଶିର ପେଚ, ସୁନା କଳିଙ୍ଗି, ସୁନା କାନ ବାଉଳି, ରତ୍ନ ଖଚିତ ଝୋବା, ଖଣ୍ଡିଆ ବାଜୁ, ବେଲପତ୍ରିଆ ପଦକ, ଚାପଶରି, ନବରତ୍ନ ପଇଁଚି, ହୀରାଫୁଲ, ବାଜୁବନ୍ଧ, ସୁନା ପେଣ୍ଡି, ସୁନା ଦଣ୍ଡି, ସୁନା ନଥ, ମୁକ୍ତା ଝାଲର ମାଳି, ସୁନା ବୀରବଲ୍ଲି, ପଞ୍ଜାବୀ ଦଣ୍ଡି, ତ୍ରିଖଣ୍ଡିଆ ଶିରପେଚ, ମଗକୋଳିଆ କଣ୍ଠି ମାଳି ଏବଂ ଏଭଳି ଅନେକ ରତ୍ନ ଅଳଙ୍କାର। ତାଲିକା କରିଚାଲିଲେ ବେଶ୍ ଲମ୍ବା ହେବ।
ରତ୍ନଭଣ୍ଡାରର ପୂର୍ଣ୍ଣାଙ୍ଗ ତାଲିକା
ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ପୂର୍ଣ୍ଣାଙ୍ଗ ଏକ ଅତି ଗୁରୁତ୍ଵପୂର୍ଣ୍ଣ ବିଷୟ। ଏହା ଏକ ସ୍ପର୍ଶକାତର ବିଷୟ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ବିଧିବଦ୍ଧ ଆକଳନ ହିସାବ ବା ରେକର୍ଡ କରାଯିବା ଜରୁରୀ। ୧୯୭୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ କରାଯାଇଥିବା ରତ୍ନଗଣନାର ତାଲିକାକୁ ଏହି ଦୃଷ୍ଟିରୁ ଏକ ଗୁରୁତ୍ଵପୂର୍ଣ୍ଣ ଦଲିଲ୍ ହିସାବରେ ଗ୍ରହଣ କରାଯାଇପାରେ। ତେବେ ଗତ ୪୦ବର୍ଷ ମଧ୍ୟରେ ଏ ସମ୍ପର୍କରେ ସାନି ଆକଳନ କରାଯାଇ ନାହିଁ କିମ୍ବା ୭୮ ମସିହାରେ କରାଯାଇଥିବା ତାଲିକାର ଯାଞ୍ଚ ମଧ୍ୟ କରାଯାଇନାହିଁ।
୧୯୭୮ ମସିହାରେ ପ୍ରକାଶିତ ଶ୍ରୀମନ୍ଦିରର ଏହି ପୁସ୍ତିକା ଅନୁଯାୟୀ ପୂର୍ବରୁ ୧୯୨୬ ମସିହାରେ ତତ୍କାଳୀନ ଗଜପତିଙ୍କ ସ୍ଵୀକୃତି ଅନୁଯାୟୀ ତଥା ସେତେବେଳର ପୁରୀ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ରତ୍ନଭଣ୍ଡାରର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେହି ତାଲିକାକୁ ଜଉମୁଦ ଦିଆଯାଇ ଜିଲ୍ଲାପାଳଙ୍କ ଅଫିସ୍ ରେକର୍ଡ ରୁମରେ ରଖାଯାଇଥିଲା। ତେବେ ଏହି ତାଲିକା ପୂର୍ଣ୍ଣାଙ୍ଗ କି ନୁହେଁ ଏବଂ ସେହି ତାଲିକା ଅନୁଯାୟୀ ରତ୍ନ ଭଣ୍ଡାରରେ ଅଳଙ୍କାର ଆଦି ରହିଛି କି ନାହିଁ ସେ ସମ୍ପର୍କରେ ୫୨ ବର୍ଷ ପର୍ଯ୍ୟନ୍ତ କୌଣସି ଅନୁଧ୍ୟାନ କରାଯାଇନଥିଲା। ତେଣୁ ୧୯୭୮ ମସିହାରେ କରାଯାଇଥିବା ଆକଳନ ଏକ ଐତିହାସିକ ଗୁରୁତ୍ଵ ରଖେ।
୧୯୭୮ ମସିହାରୁ ଏଯାବତ୍ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଆଉ କୌଣସି ଆକଳନ ବା ଯାଞ୍ଚ ହୋଇନାହିଁ। ମଝିରେ କେତେ ଥର ଯଦିଓ ଭିତର ରତ୍ନଭଣ୍ଡାର ଖୋଲାଯାଇଛି ତେବେ ତାହାର କାରଣ ଅଳଙ୍କାର ବା ଗଣନା ଯାଞ୍ଚ ନୁହେଁ। ୧୯୮୪ ମସିହାରେ ଶ୍ରୀଜିଉଙ୍କ ନିତ୍ୟ ବ୍ୟବହୃତ ଅଳଙ୍କାରର ମରାମତି ପାଇଁ କିଛି ରେଜା ସୁନା ଓ ରୁପା ଆବଶ୍ୟକ ହେବାରୁ ସେତେବେଳେ ଭିତର ଭଣ୍ଡାର ଖୋଲାଯାଇ ସେଥିରେ ଥିବା ଖୋଲା ସୁନା ଓ ରୁପା ମଧ୍ୟରୁ ତାହା ଅଣାଯାଇଥିଲା।