ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନର ଲଗାଣ ବର୍ଷାରେ ମହାନଦୀରେ ଆସିଛି ବନ୍ୟା। ବିଭିନ୍ନ ସ୍ଥାନରେ ମହାନଦୀ ପାଣି ବିପଦ ସଙ୍କେତ ଛୁଇଁଥିବା ବେଳେ ଆଉି କିଛି ସ୍ଥାନରେ ଚାଷଜମି ଓ ରାସ୍ତା ଜଳମଗ୍ନ ହୋଇଯାଇଛି। ବୌଦ୍ଧ, ସମ୍ବଲପୁର, କଟକ ଆଦି ଜିଲ୍ଲାରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।

ବୌଦ୍ଧରେ ଭାସିଗଲା ପୋଲ

ତେଲ ନଈ ଓ ମହାନଦୀରେ ଜଳ ସ୍ତର ବୃଦ୍ଧି ପାଇବାରୁ ବୌଦ୍ଧ ଜିଲ୍ଲାରେ ଅବସ୍ଥା ସଙ୍ଗୀନ ହୋଇଯାଇଛି। ବୌଦ୍ଧ ଜିଲ୍ଲାର ଚଣ୍ଡୀଗଡ଼ ଗାଁ ନିକଟରେ ପୋଲ ଭାସି ଯାଇଥିବାରୁ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏହି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏହି ଜିଲ୍ଲାରେ ଲଘୁଚାପ ବର୍ଷା ତାଣ୍ଡବ ରଚିଥିବା ବେଳେ ଏବେ ବଢ଼ିପାଣିକୁ ଦେଖି ଲୋକେ ଭୟଭୀତ।

ଅନଗୁଳୁରେ ବଢ଼ୁଛି ମହାନଦୀ

ଅନଗୁଳୁ ଜିଲ୍ଲାରେ ମହାନଦୀ ଏବଂ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଲୋକେ ଭୟଭୀତ। ଟିକରପଡ଼ାରେ ପ୍ରତି ସେକେଣ୍ଡରେ ୧୫ ହଜାର ଘନମିଟର ଜଳ ପ୍ରବାହିତ ହେଉଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାର ପାଣି ଛାଡ଼ିବା ପରେ ମହାନଦୀରେ ଜଳ ସ୍ତର ଆହୁରି ବଢ଼ିବାର ସମ୍ଭାବନା ରହିଛି। ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରୀ କରାଯାଇଛି। ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି।

ବାଙ୍କୀରେ ଅସମ୍ଭାଳ ସ୍ଥିତି

ମହାନଦୀରେ ବନ୍ୟା ଆସିବାରୁ କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳର ବିଭିନ୍ନ ଗାଁ ଜଳମଗ୍ନ ହୋଇଯାଇଛି। ସୁବଣ୍ଣପୁର-ରତାଗଡ଼ ଗାଁ ମଝିରେ ଥିବା ହୁଳୁହୁଳା ପୋଲ ଉପରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ସେହିପରି ରଣ ନଈରେ ବନ୍ୟା ପାଣି ପ୍ରବେଶ କରିବାରୁ ବିଲିପଡ଼ା-ତାଳବସ୍ତ ରାସ୍ତାକୁ ପାଣି ଉଠିଛି। ଖାଲୁଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଛି। ଚାଷଜମିରେ ବନ୍ୟାପାଣି ଲହଡ଼ି ଭାଙ୍ଗୁଛି। ଆଠଗଡ଼ପଟେ ଥିବା ବିଭିନ୍ନ ଗାଁରେ ପାଣି ପଶିଛି।

ପାଣିଘେରରେ ଭଟ୍ଟାରିକା ମନ୍ଦିର

ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟରିକା ମନ୍ଦିରରେ ପଶିଛି ବନ୍ୟାଜଳ। ମା’ଙ୍କ  ଚଳନ୍ତି ପ୍ରତିମାକୁ ଦେବୋତ୍ତର ବିଭାଗ ସ୍ଥାନାନ୍ତର କରିଛି। ବଡ଼ମ୍ବାର ନଦୀ କୂଳରେ ବସବାସ କରୁଥିବା ବିଭିନ୍ନ ଗାଁରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି। ଚାଷଜମି ମଧ୍ୟ ଜଳଭଗ୍ନ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି।

ମୁଣ୍ଡୁଳି, ନରାଜ, ଯୋବ୍ରା ବ୍ୟାରେଜରେ ଜଳସ୍ତର ବଢ଼ୁଛି

କଟକର ମୁଣ୍ଡୁଳି, ନରାଜ ଏବଂ ଯୋବ୍ରା ବ୍ୟାରେଜର ବନ୍ୟା ଜଳ ବଢ଼ିବାରେ ଲାଗିଛି। ମୁଣ୍ଡୁଳିରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ସାଢ଼େ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସ୍ଥିତିକୁ ଦେଖି ଏହି ତିନୋଟି ବ୍ୟାରେଜରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ନରାଜ ବ୍ୟାରେଜର ୪୬ ଗେଟରୁ ଅଣ୍ଡର ସ୍ଲୁଇସ୍ ଗେଟ୍ ଦେଇ ପାଣି ଛଡ଼ାଯାଉଛି।

ବଢ଼ୁଛି ବୈତରଣୀ

ବୈତରଣୀ ନଦୀରେ ବି ଜଳସ୍ତର ବଢ଼ୁଛି। ଭଦ୍ରକ ଜିଲ୍ଲା ଆଖୁଆପଦାରେ ବିପଦ ସଙ୍କେତ ଛୁଇଁଛି ବଢ଼ିପାଣି। ଏହାକୁ ଦୃଷ୍ଟିରେ ରଖି ଧାମନଗର ଏବଂ ଭଣ୍ଡାରୀପୋଖରୀ ବ୍ଲକରେ ଆଲର୍ଟ ଜାରୀ କରାଯାଇଛି। ଅଧିକାଂଶ ଗାଁରେ ବଢ଼ି ପାଣି ପଶିଛି। ଫସଲକୁ ବୁଡ଼ାଇ ଦେଇଛି ବନ୍ୟାଜଳ।

ପ୍ରଶାସନର ହାଇ ଆଲର୍ଟ

ବିଭିନ୍ନ ନଦୀରେ ଜଳ ସ୍ତର ବଢ଼ୁଥିବାରୁ ରାଜ୍ୟ ସରକାର କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଯାଜପୁରରେ ଜିଲ୍ଲା ପ୍ରଶାସନ ସତର୍କ ରହିବାକୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପ୍ରସ୍ତୁତ ରହିଛି। ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ଏନଡିଆର୍‌ଏଫ୍ ୟୁନିଟ୍‌କୁ ସଜାଗ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତର ସମୀକ୍ଷା କରିଛନ୍ତି।

Comment