ବାରିପଦାରୁ ରାଧାଶ୍ୟାମ ପ୍ରଧାନ
ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ସମୟରେ ୧୫୭୫ ମସିହାରେ ବାରିପଦାଠାରେ ପ୍ରତିଷ୍ଠା ହୋଇଥିଲା ଶ୍ରୀହରି ବଳଦେବ ଜୀଉ ମନ୍ଦିର। ଏହାର ଇତିହାସ ତଥା ପ୍ରତିବର୍ଷ ଏଠାରେ ଅନୁଷ୍ଠିତ ରଥଯାତ୍ରାର କିଛି ନିଆରା ପରମ୍ପରା ସମ୍ପର୍କରେ ଏକ ବିଶେଷ ରିପୋର୍ଟ|
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଷାଢ ଦ୍ୱିତୀୟା ତିଥୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ମାତ୍ର ରାଜ୍ୟର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଲୋକମୁଖରେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ଏହି ପବିତ୍ର ଗୁଣ୍ଡିଚାଯାତ୍ରାରେ ବେଶ କିଛି ନିଆରା ପରଂପରା ଦେଖିବାକୁ ମିଳିଥାଏ। ସେ ମହାପ୍ରଭୁମାନଙ୍କର ପହଣ୍ଡି ହେଉ କିମ୍ବା ଗୁଣ୍ଡିଚା ଅଥବା ବାହୁଡାଯାତ୍ରା – ସବୁକ୍ଷେତ୍ରରେ ଦେଖିବାକୁ ମିଳିଥାଏ କିଛିଟା ସ୍ୱାତନ୍ତ୍ର୍ୟ।
ସ୍ଵାଧୀନତା ପୂର୍ବରୁ ମୟୂରଭଞ୍ଜ ଭଞ୍ଜ ରାଜବଂଶ ଦ୍ଵାରା ପରିଚାଳିତ ହୋଇଥିଲା। ପ୍ରଜାବତ୍ସଳ ମୟୂରଭଞ୍ଜର ତତ୍କାଳୀନ ମହାରାଜାମାନେ କଳା ସାହିତ୍ୟ ସଂସ୍କୃତି ବିଶେଷକରି ଧାର୍ମିକ ଭାବନାରେ ବେଶ ରୁଚି ରଖିଥିଲେ। ପ୍ରାୟତଃ ସେମାନେ ଶାକ୍ତଧର୍ମାବଲମ୍ବୀ ଥିଲେ ବି ସମସ୍ତ ଧର୍ମକୁ ସମ୍ମାନ ଦେଉଥିଲେ। ସେଥିପାଇଁ ଭିନ୍ନ ଭିନ୍ନ ସମୟରେ ମୟୂରଭଞ୍ଜ ସାମ୍ରାଜ୍ୟର ରାଜଧାନୀ ବିଭନ୍ନ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲେ ବି ସମସ୍ତ ରାଜଧାନୀ ନିକଟରେ ମା’ କିଚକେଶ୍ଵରୀଙ୍କୁ ଆରାଧ୍ୟଦେବତା ଭାବରେ ପ୍ରତିଷ୍ଠିତ କରିଯାଇଛନ୍ତି।
ମୟୂରଭଞ୍ଜର ଇତିହାସ କହେ, ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ସମୟରେ ୧୫୭୫ ମସିହାରେ ବାରିପଦାଠାରେ ପ୍ରତିଷ୍ଠା କରାଯାଇଥିଲା ଏହି ଶ୍ରୀହରି ବଳଦେବ ଜୀଉଙ୍କ ମନ୍ଦିର। ଏଥିରୁ ମହାରାଜା ବୈଦ୍ୟନାଥ ଭଜଙ୍କର ବୈଷ୍ଣବ ଧର୍ମପ୍ରତି ଅନୁରାଗର ସ୍ପଷ୍ଟ ସୂଚନା ମିଳେ। ତେବେ ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ମନ୍ଦିରରେ ଉତ୍କଳୀୟ ବୈଷ୍ଣବ ଧର୍ମର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲେ ମଧ୍ୟ ମନ୍ଦୀରର ନିର୍ମାଣ ଶୈଳୀରେ ଗୌଡୀୟ ଧର୍ମର ସୂଚନା ମିଳେ।
ସେହିଦିନଠାରୁ ମହାରାଜା ବୈଦ୍ୟନାଥ ଭଞ୍ଜ ଶ୍ରୀ ମନ୍ଦିରର ନିତିଦିନ ପୂଜା ବିଧି ପରଂପରା ଆଦିକୁ ନଜରରେ ରଖି ସ୍ଵତନ୍ତ୍ର ବିଧି ବ୍ୟବସ୍ଥା ମଧ୍ୟ କରିଯାଇଛନ୍ତି। ବାରିପଦାର ଏହି ଶ୍ରୀମନ୍ଦିରରେ ପାରଂପରିକ ରୀତିରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ବାରିପଦାର ଏହି ପ୍ରତିଷ୍ଠିତ ମନ୍ଦିର ଏବଂ ରଥଯାତ୍ରା ପରମ୍ପରାର ପ୍ରଚ୍ଛଦପଟରେ ରହିଛି ଅନେକ କିମ୍ବଦନ୍ତୀ ଓ ଜନଶ୍ରୁତି।
ବାରିପଦାର ବିଶିଷ୍ଟ ଐତିହାସିକ ପ୍ରଫେସର ଡକ୍ଟର ଦିପକ ଷଡ଼ଙ୍ଗୀଙ୍କ ମତରେ ତତ୍କାଳିନ ମହାରାଜା ବୈଦ୍ୟନାଥ ଭଞ୍ଜ ଅନ୍ୟ ସମସ୍ତ ଧର୍ମକୁ ସମ୍ମାନ ଦେଉଥିଲେ ବି ତାଙ୍କର ଉତ୍କଳୀୟ ବୈଷ୍ଣବ ଧର୍ମ ପ୍ରତି ଅଧିକ ଅନୁରାଗ ଥିବାରୁ ସେ ଆରାଧ୍ୟଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସ୍ଥାପନ କରି ନିଜର ଧାର୍ମିକଭାବନାର ପରିଚୟ ଦେଇଛନ୍ତି। ମାତ୍ର ବାରିପଦାର ଏହି ପବିତ୍ର ରଥଯାତ୍ରା ଗୋଟିଏ ଦିନରେ ସମାପିତ ନହୋଇ ତିନିଦିନ ବ୍ୟାପି ପାଳିତ ହୋଇଥାଏ।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ପୁରୀ ରଥଦିନ ଏଠାରେ କେବଳ ପହଣ୍ଡି କରାଯାଇ ଶ୍ରୀଜୀଉମାନଙ୍କୁ ରଥାରୁଢ କରାଯାଇଥାଏ। ତହିଁ ପରଦିନଠାରୁ ଦୁଇଦିନ ବ୍ୟାପି ରଥଟଣା କାର୍ଯ୍ୟ ସମାହିତ ହୋଇଥିବା ବେଳେ ବାହୁଡାରେ ମଧ୍ୟ ସେହି ନୀତି ଦେଖିବାକୁ ମିଳିଥାଏ। ଏହି ପ୍ରକାର ସ୍ଵତନ୍ତ୍ରତାକୁ ନେଇ କୁହାଯାଉଥିବା ଜନଶ୍ରୁତିକୁ ଏଠାରେ ଅବତାରଣା କରାଯାଇପାରେ।
ଶ୍ରୀମନ୍ଦିରର ମୁଖ୍ୟ ପୂଜକ ଅରୁଣ କୁମାର ମିଶ୍ରଙ୍କ ମତରେ ମୟୂରଭଞ୍ଜର ତତ୍କାଳିନ ମହାରାଜା ନିଜର ସୈନ୍ୟସାମନ୍ତ ସଂଗରେ ଧରି ପୁରୀଧାମରେ ଅନୁଷ୍ଠିତ ହେଉଥିବା ରଥ ଦେଖିବାକୁ ଯାଉଥିଲେ। ମାତ୍ର ନିଜର ସିଂହାସନ ଚାଲିଯିବା ଆଶଙ୍କାରେ ପୁରୀ ରାଜା ତାଙ୍କୁ ପୁରୀକୁ ପ୍ରବେଶ ପାଇଁ ଅନୁମତି ଦେଇନଥିଲେ। ତେଣୁ ମହାରାଜା ଅଠରନଳା ନିକଟରେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ଧ୍ୟାନମଗ୍ନ ହୋଇଥିଲେ।
ମହାରାଜା ଶ୍ରୀଜଗନ୍ନାଥଙ୍କ ସ୍ଵପ୍ନାଦେଶ ପାଇ ବାରିପଦା ଫେରି ଆସିଲେ ଏବଂ ବାରିପଦାରେ ରଥସ୍ଥାପନ କରି ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ସେଥିପାଇଁ ପୁରୀ ରଥ ପରଦିନ ବାରିପଦାରେ ରଥ ଟଣାଯାଇଥାଏ। ବାରିପଦାର ଏହି ମହାନ ପର୍ବକୁ ତିନିଦିନ ବ୍ୟାପି ପାଳନ କରିବାର ଆଉ ଏକ କାରଣ ସଂପର୍କରେ ବିଶିଷ୍ଟ ଗୀତିକାର ତଥା ସଂସ୍କୃତି ଗବେଷକ ନିମାଇଁ ମହାନ୍ତି ଭିନ୍ନ ଏକ ମତ ରଖିଛନ୍ତି।
ମୟୂରଭଞ୍ଜର ତତ୍କାଳିନ ପ୍ରଜାବତ୍ସଳ ମହାରାଜା ପ୍ରଜାମାନଙ୍କୁ ବହୁତ ଭଲ ପାଉଥିଲେ। ମୟୂରଭଞ୍ଜର ସାମ୍ରାଜ୍ୟର ପରିସୀମା ବି କମ୍ ନଥିଲା। ତେଣୁ ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରଜାମାନେ ଆସି କିପରି ଏହି ମହାନ ପାରଂପରିକ କାର୍ଯ୍ୟକ୍ରମରୁ ମଜ୍ଜା ନେବେ ସେଥିପାଇଁ ଏହାକୁ ତିନିଦିନ ବ୍ୟାପି କରାଯାଇ ଥାଇପାରେ। ବାରିପଦାର ରଥଦାଣ୍ଡ ତିନିଦିନ ଧରି ଜଗନ୍ନାଥମୟ ହୋଇପଡିଥାଏ।
ଏହି ରଥରେ ଜଗନ୍ନାଥଙ୍କ ନିକଟରେ ମାନବୀୟ ଲୀଳାର ପରିପ୍ରକାଶ ଦେଖିବାକୁ ମିଳିଥାଏ। ସେଥିପାଇଁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ରଥ ଉପରୁ ଏକ ସ୍ଵତନ୍ତ୍ର ଶ୍ରଦ୍ଧାଲଡୁ ବିତରଣ କରାଯାଇଥାଏ। ସତେଯେମିତି ଭକ୍ତ ଏହି ଲଡୁ ଭିତରେ ଜଗନ୍ନାଥଙ୍କ କରୁଣାପ୍ର।ପ୍ତି ହୋଇଥାନ୍ତି, ସେଥିପାଇଁ ଲଡୁଟିଏ ପାଇବାକୁ ଭକ୍ତମାନଙ୍କ ମନରେ ସତେକି ବ୍ୟାକୁଳତା।
ଏହି ବାରିପଦା ରଥରେ ଆଉ ଏକ ସ୍ଵାତନ୍ତ୍ର୍ୟ ଦେଖିବାକୁ ମିଳିଥାଏ। ତାହା ହେଉଛି ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥା’ନ୍ତି। ଗତ ୧୯୭୫ ମସିହା ପରଠାରୁ ବାରିପଦାରେ ପ୍ରଚଳିତ ଏହି ପରଂପରା ବେଶ ପ୍ରଭାବିତ କରିପାରିଛି ଜିଲ୍ଲା ଭିତରେ ତଥା ବାହାରେ ରହୁଥିବା ମହିଳାମାନଙ୍କୁ।
ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ଏହି ରଥ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁମାନଙ୍କ ପାଇଁ ଭକ୍ତି ଭାବନା ସାଉଁଟିବା ସହିତ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଆଉ ତା’ ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପରସ୍ପର ମଧ୍ୟରେ ଭାଇଚାରା ବାଣ୍ଟିବାରେ ବେଶ ସହାୟକ ହୋଇଥାଏ।