ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରସ୍ୱତ ସ୍ରଷ୍ଟା ପଦ୍ମଭୂଷଣ ରମାକାନ୍ତ ରଥ ୨୦୧୮ ମସିହା ପାଇଁ ପାଇଛନ୍ତିଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀର ସାରସ୍ୱତ ସମ୍ମାନ
  • ରମାକାନ୍ତ ରଥଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର
  • ୧୫ଜଣ ସାହିତ୍ୟିକଙ୍କୁ ସାରସ୍ୱତ ସମ୍ମାନ
  • ଭାଗବତ ଟୁଙ୍ଗି ପୁନରୁଦ୍ଧାର ପାଇଁ ବଢ଼ିଲା ଅନୁଦାନ ରାଶି
  • ୨୫ହଜାରୁ ବୃଦ୍ଧି ପାଇ ୫୦ହଜାର ଟଙ୍କା ହେଲା
  • ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସ୍ମୃତିପୀଠର ପୁନରୁଦ୍ଧାର କରାଯିବ
  • ପୁରୀର ସାତଲହଡ଼ି ମଠ ପର୍ଯ୍ୟଟନ ସ୍ଥଳୀର ପୁନରୁଦ୍ଧାର ପାଇଁ ୧କୋଟି ଟଙ୍କାର ବ୍ୟବସ୍ଥା

ଆଧୁନିକ ଭାରତୀୟ କବିତାର ଆଗଧାଡ଼ିର କବି ତଥା ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ୨୦୧୮ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ଵତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୁରୁବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରଥଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ରାଶିସ୍ଵରୂପ ତାଙ୍କୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢ଼ୌକନ ପ୍ରଦାନ କରାଯାଇଥିଲା।

ସେହିପରି ରାଜ୍ୟର ୧୫ଜଣ ବୟୋଜ୍ୟେଷ୍ଠ ସାରସ୍ଵତ ସାଧକ ତଥା ସାହିତ୍ୟିକଙ୍କୁ ଏକାଡେମୀ ତରଫରୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇ ପୁରସ୍କାର ରାଶିସ୍ଵରୂପ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା।

ରମାକାନ୍ତ ରଥ ନିଜ ଅଭିଭାଷଣରେ କହିଲେ, “ଅତିବଡ଼ୀ କେବଳ ଭକ୍ତି ସାହିତ୍ୟର ପ୍ରମୁଖ ସ୍ରଷ୍ଟା ନୁହନ୍ତି। ଅକୃତ୍ରିମ ଆବେଗକ୍ଷମ କବିତାର କବି ଓ ମାର୍ଗଦର୍ଶକ ମଧ୍ୟ। କୌଣସି ତତ୍ତ୍ୱର ଉପସ୍ଥାପନା କଲାବେଳେ ତାଙ୍କର କବିପଣ ତଥ୍ୟର ଚୌହଦିରୁ ମୁକୁଳି ପାଠକ ପାଖରେ ପହଞ୍ଚେ ଓ ଆଲୋଡ଼ିତ କରେ।”

ସମ୍ବର୍ଦ୍ଧିତ ହୋଇଥିବା ବୟୋଜ୍ୟେଷ୍ଠ ସାହିତ୍ୟିକମାନଙ୍କ ମଧ୍ୟରେ ଥିଲେ ଭୁବନେଶ୍ୱରର ମାନଗୋବିନ୍ଦ ମହାସୂପକାର, ରାୟଗଡ଼ା ଜିଲାର ସତ୍ୟନାରାୟଣ ରଥ, ବାଲେଶ୍ୱରର ଶ୍ରୀକୁମାର ଚକ୍ରବର୍ତ୍ତୀ, ଝାରସୁଗୁଡ଼ାର ସୀତାରାମ ବିର୍ତ୍ତିଆ, ପୁରୀ ହେରାଗୋହିରୀ ସାହିର ପ୍ରତିମା ମିଶ୍ର, ନୟାଗଡ଼ର ବଂଶୀଧର ସାହୁ, ଯାଜପୁରର ବିଜୟ ଚନ୍ଦ୍ର ଜେନା, ଖୋର୍ଦ୍ଧା ସୋରଣରେ ଜନ୍ମଗ୍ରହଣ କରିଥିବା ଶଙ୍କର୍ଷଣ ମଙ୍ଗରାଜ, କେନ୍ଦ୍ରାପଡ଼ାର ଲକ୍ଷ୍ମୀଧର ନାୟକ ଆଦିସ୍ୟ, ଭଦ୍ରକର ଡା. ଦୁର୍ଯ୍ୟୋଧନ ଦାସ, ମୟୂରଭଞ୍ଜର କୁଞ୍ଜବିହାରୀ ପାଢ଼ୀ, ଗଞ୍ଜାମର ଡ. ପ୍ରଫୁଲ୍ଲ କୁମାର ଦାଶ, ସୁନ୍ଦରଗଡ଼ର ଗିରି ଦଣ୍ଡସେନା, ସ୍ତ୍ରୀରୋଗ ବିଶେଷଜ୍ଞ ତଥା ସୁସାହିତ୍ୟିକା ଡାକ୍ତର ସରୋଜିନୀ ଷଡଙ୍ଗୀ ଏବଂ ବାଲେଶ୍ୱରର ବ୍ରଜମୋହନ ମିଶ୍ର।

ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, “ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତ ପ୍ରତ୍ୟେକ ଓଡ଼ିଆଙ୍କର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପ୍ରାଣସ୍ପନ୍ଦନର ପ୍ରତୀକ। ଓଡ଼ିଆ ସାହିତ୍ୟ ପ୍ରତି ଅତିବଡ଼ୀଙ୍କ ମହାନ୍‌ ଅବଦାନକୁ ସ୍ଵୀକାର କରି ରାଜ୍ୟ ସରକାର ପ୍ରତିବର୍ଷ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରୁଛନ୍ତି।”

“ଭାଗବତ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାକୁ ପ୍ରତିଷ୍ଠା କରିଛି। ଭାଗବତ ଟୁଙ୍ଗି ଏହାର ପ୍ରତୀକ। ଭାଗବତର ପ୍ରଚାର ପ୍ରସାର ଏବଂ ସାଂସ୍କୃତିକ ଜାଗରଣ ପାଇଁ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ନିମନ୍ତେ ଅନେକ ନିଷ୍ପତ୍ତି ନିଆଯାଇଛି। ଭାଗବତ ଟୁଙ୍ଗିକୁ ଆଗରୁ ୨୫ ହଜାର ଟଙ୍କା ସହାୟତା ରାଶି ଦିଆଯାଉଥିବା ବେଳେ ଏହାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମ ଗ୍ରାମ କପିଳେଶ୍ୱରପୁରରେ ଥିବା ସ୍ମୃତିପୀଠର ପୁନରୁଦ୍ଧାର କରାଯିବ। ପ୍ରତିମୂର୍ତି ସ୍ଥାପନ ହେବ। ପୁରୀର ସାତଲହଡ଼ି ମଠ ପର୍ଯ୍ୟଟନ ସ୍ଥଳୀର ପୁନରୁଦ୍ଧାର ପାଇଁ ୧କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି”, କହିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ, “ସାହିତ୍ୟ ଓ ସାହିତ୍ୟିକଙ୍କୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଆ ସାହିତ୍ୟକୁ ବ୍ୟାପକ କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଏବେ ଅନୁବାଦ ସାହିତ୍ୟ ଉପରେ ଗୁରୁତ୍ୱ ଦେଉଛି। ସାହିତ୍ୟିକଙ୍କ କୃତିକୁ ସମ୍ମାନ ଦେବାକୁ ପ୍ରତିବର୍ଷ ଏକାଡେମୀର ସମ୍ମାନ ପ୍ରଦାନ ଉତ୍ସବ ଠିକ୍‌ ସମୟରେ କରିବା ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ସାହିତ୍ୟିକମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ।”

ସମ୍ମାନିତ ଅତିଥି ଭାବେ ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ରହି ଭାଷାକୁ ବଞ୍ଚାଇ ରଖିବାରେ ବିଭିନ୍ନ ସମୟରେ ଓଡ଼ିଆ ସାହିତ୍ୟ ଓ ସାହିତ୍ୟିକଙ୍କ ରହିଥିବା ଅବଦାନ ସମ୍ପର୍କରେ କହିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଡେମୀ ସଚିବ ଡକ୍ଟର ଜୟନ୍ତୀ ରଥ ସ୍ଵାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ଡକ୍ଟର ଅଜୟ କୁମାର ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ପୂର୍ବାଞ୍ଚଳ ଓଡ଼ିଆ ଲୋକଗୀତ ଓ ଲୋକକାହାଣୀ’, ଚକ୍ରଧର ମହାପାତ୍ରଙ୍କ ଦ୍ୱାରା ରଚିତ ଓ ମଞ୍ଜୁ ମୋଦିଙ୍କ ଦ୍ୱାରା ଅନୂଦିତ ‘କୁନ୍ତଳା କୁମାରୀ କା ଜୀବନଚରିତ୍‌’, ଲିଙ୍ଗରାଜ ନାହାକଙ୍କ ‘ରାମନାଟକ’ ଏବଂ ବଟକୃଷ୍ଣ ତ୍ରିପାଠୀଙ୍କ ‘ଜଗନ୍ନାଥଧାମକୁ ତୀର୍ଥଯାତ୍ରା’ ପୁସ୍ତକ ଲୋକାର୍ପିତ ହୋଇଥିଲା।

Comment