ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାତ କଳସ ମାଡ଼ି ଏବଂ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ସ୍ତ୍ରୀର ହାତ ଧରିଥିଲା ସ୍ୱାମୀ। ମଥାରେ ସିନ୍ଦୂର ଲଗାଇ କଥା ଦେଇଥିଲା ସାତ ଜନ୍ମ ପାଇଁ ସାଥି ହୋଇ ରହିବ। ହେଲେ କାମାନ୍ଧ ସ୍ୱାମୀ ପରକିୟା ପ୍ରୀତିରେ ଉବୁଟୁବୁ ହୋଇ ହାତ ଛାଡିଦେଲା ନବ ବିବାହିତା ସ୍ତ୍ରୀର। ଏଣେ ଶାଶୂଘର ଲୋକେ ବି କିଛି ବୁଝିଲେ ନାହିଁ। ଓଲଟା ଯୌତୁକ ଦାବିରେ ବୋହୂକୁ ଦେଲେ ନିର୍ଯାତନା।

ନ୍ୟାୟ ପାଇଁ ଥାନାକୁ ଧାଇଁ ଧାଇଁ ନିରାଶ ହେବା ପରେ ନବ ବଧୂ ଜଣକ ଶାଶୂ ଘର ଦୁଆର ମୁହଁରେ ଅନସନରେ ବସିଛନ୍ତି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଉଦୟଗିରି ଗାଁରେ।

କେନ୍ଦ୍ରାପଡ଼ା ଜୋକିଆ ଗାଁର ବିଜୟ ଖୁଣ୍ଟିଆଙ୍କ ଝିଅ ଅର୍ଚ୍ଚନା ଖୁଣ୍ଟିଆ ଉଦୟଗିରି ଗାଁର ଅଭୟ ପରିଡ଼ାଙ୍କ ସାନ ପୁଅ ଅମୂଲ୍ୟ ପରିଡ଼ାଙ୍କୁ ୨୦୧୬ ମସିହା ମେ’ ୨୮ ତାରିଖରେ ବିବାହ କରିଥିଲେ। ଅମୂଲ୍ୟ ଦିଲ୍ଲୀ  ପାର୍ଲାମେଣ୍ଟରେ ଜଣେ କର୍ମଚାରୀ ଭାବରେ କାମ କରୁଥିବା ବିବାହ ସମୟରେ ଅର୍ଚ୍ଚନାଙ୍କ ପରିବାରଙ୍କୁ ଜଣାଇ କୁହାଯାଇଥିଲା। ତେଣୁ ବିବାହ ସମୟରେ  ଅମୂଲ୍ୟଙ୍କୁ ୪ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଦେଇଥିଲେ ଅର୍ଚ୍ଚନାଙ୍କ ବାପା ବିଜୟ। ହେଲେ ବିବାହର ମାସେ  ପରେ ସତ ଧରାପଡ଼ିଲା।

ଅମୂଲ୍ୟ ଦିଲ୍ଲୀରେ ନୁହେଁ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ପାଣି ପାଇପ୍  ମିସ୍ତ୍ରୀ ଭାବରେ କାମ କରୁଥିବା ଜାଣିପାରିଲେ ଅର୍ଚ୍ଚନା। ବିବାହ ଶେଷ ହୋଇ ଥିବାରୁ ଉପାୟଶୂନ୍ୟ ହୋଇଯାଇଥିଲେ ଅର୍ଚ୍ଚନା। ହେଲେ ଅମୂଲ୍ୟ ଗ୍ରେଟର ନୋଏଡାଠାରେ ରହୁଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କ ସହ ଅମୂଲ୍ୟ ଅବୈଧ ସମ୍ପର୍କ ରଖିବା ଜଣାପଡ଼ିଥିଲା।  ଅର୍ଚ୍ଚନାଙ୍କ ଆଖିରେ ସ୍ୱାମୀଙ୍କ କୀର୍ତ୍ତିକଳାପ ଧରାପଡ଼ିବା ପରେ ଉଭୟ ଅର୍ଚ୍ଚନାଙ୍କ ଉପରେ ଆକ୍ରମଣ କଲେ। ଏ ସମ୍ପର୍କରେ ଘରକୁ ଖବର ଦେଲେ ଜୀବନରେ  ମାରିଦେବାକୁ ଅର୍ଚ୍ଚନାଙ୍କୁ ଧମକ ଦେଲା ଅମୁଲ୍ୟ।

୨୦୧୭ ମେ’ ମାସରେ ଅର୍ଚ୍ଚନା ଏବଂ ଅମୂଲ୍ୟ ଗାଁକୁ ଫେରିଲେ। ଗାଁରେ କଥା  ପ୍ରଘଟ ହେବାକୁ ଲାଗିଲା। ଅର୍ଚ୍ଚାନା ତାଙ୍କେ ବାପ ଘରକୁ ଚାଲି ଆସିଲେ। ଘଟଣାର ବିଚାର ପାଇଁ ସ୍ଥାନୀୟ ମରବୀମାନଙ୍କୁ ଡାକିଲେ ଅର୍ଚ୍ଚନାଙ୍କ ବାପା। ହେଲେ ଧରା ଦେଲେନି ଅମୂଲ୍ୟ କିମ୍ବା ତାଙ୍କ ପରିବାର ଲୋକେ।

ଅମୂଲ୍ୟ ଲୁଚି ଲୁଚି ଗ୍ରେଟର ନୋଏଡା ଚାଲିଗଲେ। ଏପଟେ ଶାଶୂଘର ଲୋକେ ଅର୍ଚ୍ଚନାଙ୍କୁ ଅଧିକ ୨ଲକ୍ଷ ଟଙ୍କା ଜୌତୁକ ଆଣିବାକୁ ଚାପ ପକାଇଲେ। ନହେଲେ ଘରେ ପୂରାଇବେ ନାହିଁ ବୋଲି କହିଥିଲେ। ଶେଷରେ ଅର୍ଚ୍ଚନା ପରିବାର ଲୋକଙ୍କ ସହିତ ଅମୂଲ୍ୟ ରହୁଥିବା ଗ୍ରେଟର ନୋଏଡାକୁ ଯାଇଥିଲେ। ସେଠାରେ ଅର୍ଚ୍ଚନାଙ୍କୁ ଅମୂଲ୍ୟ ପିଟାମରା କରିଥିଲା। ବାଧ୍ୟ ହୋଇ ସ୍ଥାନୀୟ ଦାଦ୍ରୀ ଥାନାରେ ଅଭିଯୋଗ କରିଥିଲେ ଅର୍ଚ୍ଚନା। ପାରିବାରିକ କଳହ ଅନୁଭବ କରି ଥାନା ବାବୁ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ କରି ଏକ ଚୁକ୍ତିପତ୍ର  ସ୍ୱାକ୍ଷର କରିଥିଲେ କି ପରଷ୍ପର ସ୍ୱାମୀ ସ୍ତ୍ରୀ ଭାବରେ ଚଳିବେ ବୋଲି।

ଥାନାରେ ଚୁକ୍ତିପତ୍ର ସ୍ୱାକ୍ଷର କରି ସାରିବା ପରେ ଅମୂଲ୍ୟ ସେଠାରୁ ଲୁଚିକରି ଗାଁକୁ ଏକୁଟିଆ ଚାଲି ଆସିଲା। ଅର୍ଚ୍ଚନା ଓ ତାର ପରିବାର ଲୋକେ ମଧ୍ୟ ଗାଁକୁ ଫେରି ଆସିଲେ। ଘରେ ପହଞ୍ଚିବା ପରେ ଅର୍ଚ୍ଚନାଙ୍କ ଶ୍ୱଶୁର ଅଭୟ , ଶାଶୂ ବିଦୁଲତା ଓ ନଣନ୍ଦ ଟୁନିଲତା ପରିଡ଼ା ଅର୍ଚ୍ଚନାଙ୍କୁ ଘରେ ପୂରାଇ ଦେଉ ନାହାଁନ୍ତି । ଫଳରେ ବାଧ୍ୟ ହୋଇ ପାଟକୁରା ଥାନାରେ ଗତ ୨୬ ତାରିଖରେ ଏକ ଅଭିଯୋଗ କରିଥିଲେ ଅର୍ଚ୍ଚନା। ଥାନାବାବୁ କିଛି ନବୁଝିବାରୁ ଅର୍ଚ୍ଚନା ଶାଶୂ ଘର ଆଗରେ ଧାରଣା ଦେଇଛନ୍ତି।

1 COMMENT

Comment