ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ଶେଷ ହୋଇଥିବା ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ନ୍ୟାଶ୍‍ନାଲ୍‍ ଆସେମ୍ବ୍ଲିକୁ ନିର୍ବାଚିତ ହୋଇଛନ୍ତି।

ପାକିସ୍ତାନ ସଂସଦକୁ ନିର୍ବାଚିତ ହୋଇଛନ୍ତି ଜଣେ ହିନ୍ଦୁ। ମହେଶ କୁମାର ମାଲାନି ନାମକ ଜଣେ ନେତା ପିପିପି ଦଳରୁ ଥାରପାରକାର-୨ରୁ ନିର୍ବାଚନ ଲଢ଼ିଥିଲେ। ମାଲାନି ଏହି ନିର୍ବାଚନରେ ଜିତିଛନ୍ତି। ମହେଶଙ୍କ ବିପକ୍ଷରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ମହେଶ ୧,୦୬,୬୩୦ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୮୭,୨୫୧ଟି ଭୋଟ ପାଇଥିଲେ।

ମହେଶ କୁମାର ମାଲାନି ଜଣେ ରାଜସ୍ଥାନୀ ବ୍ରାହ୍ମଣ। ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ସଂରକ୍ଷିତ ଆସନରୁ ମନୋନୀତ ହୋଇ ଜାତୀୟ ଆସେମ୍ବ୍ଲିର ସଦସ୍ୟ ଭାବେ କାମ କରିଥିଲେ। ୨୦୧୩ରେ ଜଣେ ଅଣମୁସଲିମ୍‍ ସଦସ୍ୟ ଭାବେ ମହେଶ ପ୍ରୋଭିନ୍ସିଆଲ୍‍ ଆସେମ୍ଲିକୁ ନିର୍ବାଚିତ ହୋଇଥିଲେ।

ପୂର୍ବରୁ ମାଲାନି ବିଭିନ୍ନ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ କାମ କରିଥିଲେ। ୨୦୦୨ରେ ପରଭେଜ୍‍ ମୁସାରଫ୍‍ ସମ୍ବିଧାନ ସଂଶୋଧନ ଜରିଆରେ ଅଣମୁସ୍‍ଲିମ୍‍‍ଙ୍କୁ ନିର୍ବାଚନରେ ଭାଗ ନେବା ଓ ଭୋଟ ଅଧିକାର ଦେଇଥିଲେ।

ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ନ୍ୟାଶ୍‍ନାଲ୍‍ ଆସେମ୍ବ୍ଲିରେ ୧୦ଟି ଆସନ ସଂରକ୍ଷଣ କରାଯାଇଛି। ଗତ ମାର୍ଚ୍ଚ ମାସରେ ପ୍ରଥମ ହିନ୍ଦୁ ମହିଳା ଭାବେ କ୍ରିଷ୍ଣା କୁମାରୀ ସିନେଟ୍‍କୁ ମନୋନୀତ ହୋଇଥିଲେ।

୧୬ ବର୍ଷ ପରେ ପାକିସ୍ତାନରେ ଜଣେ ଅଣ ମୁସଲିମ୍‍ଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଓ ଭୋଟ ଦେବାର ଅଧିକାର ମିଳିଛି।

Comment